Unknown

 

 

 

 

 

 

 

 

 

 

 

କଥା ଓ କଥାକାର

ଜାନକୀବଲ୍ଲଭ ମହାନ୍ତି

 

 

 

 

 

 

 

 

 

 

 

ରବୀନ୍ଦ୍ରନାଥଙ୍କର ଗଳ୍ପଟି ଅନୁବାଦ ପାଇଁ ଅନୁମତି ଦେଇଥିବାରୁ ବିଶ୍ଵଭାରତୀ ଶାନ୍ତିନିକେତନ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞ ।

★★★

 

ସ୍ଵୀକୃତି

 

ପୃଥିବୀର କେତେକ ସୁପ୍ରସିଦ୍ଧ ଗଳ୍ପ ଲେଖକଙ୍କର ଆଠଗୋଟି ଗଳ୍ପର ଓଡ଼ିଆ ଅନୁବାଦ ଏହି ସଙ୍କଳନରେ ସନ୍ନିବେଶିତ ।

 

ଏହି ଗଳ୍ପମାନଙ୍କ ମଧ୍ୟରୁ ଅଧିକାଂଶ ଡଗର, ସହକାର, ଫକୀର, ଚନ୍ଦ୍ରିକା ପ୍ରଭୃତି ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ବିଗତ ଚାରି ବର୍ଷ ମଧ୍ୟରେ ପ୍ରକାଶିତ ହୋଇଥିଲା-। ପ୍ରକାଶକଙ୍କ ଦ୍ଵାରା ଅନୁରୁଦ୍ଧ ହୋଇ ସମ୍ପୃକ୍ତ ଗଳ୍ପ ଲେଖକମାନଙ୍କର ସଂକ୍ଷିପ୍ତ ପରିଚୟ ସହ ଏଗୁଡ଼ିକ ପୁସ୍ତକାଗାରରେ ପ୍ରକାଶିତ ହେଉଅଛି ।

 

ସେହି ବିଶ୍ଵ ବରେଣ୍ୟ ଅମର କଥାଶିଳ୍ପୀମାନଙ୍କ ନିକଟରେ ବିନମ୍ର ଭାବେ ଋଣ ସ୍ଵୀକାର କରିବା ସଙ୍ଗେ ସଙ୍ଗେ ଅନୁବାଦ କାର୍ଯ୍ୟରେ ଉତ୍ସାହ ଓ ସହାନୁଭୂତି ପାଇଁ ସହୃଦୟ ବନ୍ଧୁ ଶ୍ରୀ କାହ୍ନୁଚରଣ ପଟ୍ଟନାୟକ ଓ ମହାପାତ୍ର ନୀଳମଣି ସାହୁଙ୍କୁ ଆନ୍ତରିକ ଶ୍ରଦ୍ଧା ନିବେଦନ କରୁଛି । ପରିଶେଷରେ, ଓଡ଼ିଆ ସାହିତ୍ୟରେ ଅନୁବାଦ ସାହିତ୍ୟର ପ୍ରକାଶନ ଲାଗି ଉତ୍ସାହୀ ପ୍ରକାଶକ ଶ୍ରୀଯୁକ୍ତ କାଶୀନାଥ ମିଶ୍ର ମଧ୍ୟ ମୋର ଧନ୍ୟବାଦାର୍ହ ।

 

ଗବାକ୍ଷ ମାର୍ଗରେ ପର୍ଯ୍ୟାପ୍ତ ବାୟୁ ଓ ଆଲୋକ ଗୃହାଭ୍ୟନ୍ତରକୁ ଆସି ଗୃହବାସୀଙ୍କୁ ପୁଲକିତ କଲାଭଳି, କର୍ମଜୀବନର ଅବକାଶ ମଧ୍ୟରେ ଯେଉଁ କେତୋଟି ବିଦେଶୀ ଗଳ୍ପର ଅନୁବାଦ କରି ଆନନ୍ଦ ପାଇଥିଲି ତାହା ‘ସେ ଦେଶର ଗଳ୍ପ’ ନାମରେ ଦୁଇବର୍ଷ ପୂର୍ବେ ପ୍ରକାଶିତ ହୋଇଥିଲା ।

 

ସଂପ୍ରତି ପ୍ରକାଶିତ ଅନୂଦିତ ଗଳ୍ପ ସଞ୍ଚୟନର ଗଳ୍ପଗୁଡ଼ିକ କେତେଦୂର ମୂଳ ଗଳ୍ପର ଗୌରବ ଅକ୍ଷୁଣ୍ଣ ରଖିପାରିଛି ତାହା ସୁଧୀ ପାଠକମାନଙ୍କର ବିବେଚ୍ୟ ।

 

ଜାନକୀବଲ୍ଲଭ ମହାନ୍ତି

ତା ୨ । ୬ । ୫୫

★★★

 

ସୂଚୀପତ୍ର

 

୧.

ବୋତଲର ଭୂତ

ଆର.ଏଲ.ଷ୍ଟିଭେନସନ

୨.

ହୃଦୟର ସ୍ପନ୍ଦନ

ଏଡଗାର୍‍ ଏଲାନ୍‍ ପୋ

୩.

ତୁଳନା

ଏଣ୍ଟନ୍‍ ଚେକପଂ

୪.

ଦୁର୍ଭାଗ୍ୟ

ଏଣ୍ଟନ୍‍ ଚେକପଂ

୫.

ଆଳାପ

ସାକୀ

୬.

କାବୁଲି ୱାଲା

ରବୀନ୍ଦ୍ରନାଥ ଠାକୁର

୭.

ବାଜିକର

ଆନାତୋଲ ଫ୍ରାନ୍‍ସ

୮.

ସମ୍ରାଟଙ୍କ ନୂଆ ପୋଷାକ

ୟେ ସେଙ୍ଗ୍‍ ଟେଓ

★★★

 

ରବର୍ଟ ଲୁଇସ୍‍ ଷ୍ଟିଭେନସନ୍

 

ସ୍କଟଲାଣ୍ଡର ଏଡିନବର୍ଗ ନଗରୀରେ ୧୮୫୦ ଖ୍ରୀଷ୍ଟାବ୍ଦରେ ଷ୍ଟିଭେନସନ୍‍ଙ୍କର ଜନ୍ମ ହୁଏ-। ତାଙ୍କର ପିତା ଥୋମାସ୍‍ ଷ୍ଟିଭେନସନ୍‍ ଜଣେ ସିଭିଲ ଇଞ୍ଜିନିୟର ଓ ମାତା ଜନୈକ ମନ୍ତ୍ରୀଙ୍କ କନ୍ୟା ଥିଲେ । ପିତାମାତା ଉଭୟେ ଥିଲେ ରକ୍ଷଣଶୀଳ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଷ୍ଟିଭେନସନ୍‍ଙ୍କ ଶୈଶବ ଆନନ୍ଦରେ ହଁ ଅତିବାହିତ ହୋଇଥିଲା । ସମ୍ଭବତଃ ପୁତ୍ରର ଫୁସ୍‍ଫୁସ୍‍ର ଅସୁସ୍ଥତା ଯୋଗୁଁ ପିତାମାତା ଏହି ସମୟରେ ପୁତ୍ରର ଶିକ୍ଷାଦୀକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ । ସ୍ଵଳ୍ପକାଳ ପାଇଁ ବହୁ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ି ଷ୍ଟିଭେନସନ୍ ଅବଶେଷରେ ଖ୍ରୀ ୧୮୬୭ରେ ଏଡିନବର୍ଗ ବିଶ୍ଵବିଦ୍ୟାଳୟରେ ଯୋଗ ଦେଲେ । ମାତ୍ର ପଢ଼ିବାରେ ତାଙ୍କର ଆଦୌ ମନଯୋଗିତା ପରିଲକ୍ଷିତ ହେଲା ନାହିଁ । ଉକ୍ତ ଅନୁଷ୍ଠାନରେ ୩ବର୍ଷ ଅଧ୍ୟୟନ କଲାପରେ ଆନୁଷ୍ଠାନିକ ଶିକ୍ଷାପ୍ରତି ତାଙ୍କର ଗଭୀର ବିତୃଷ୍ଣା ଓ ଆଜୀବନ ନିଜକୁ ସାହିତ୍ୟ ସେବାରେ ବିନିଯୁକ୍ତ କରବା ଲାଗି ପ୍ରବଳ ଆସକ୍ତି ସେ ପିତାଙ୍କ ନିକଟରେ ବ୍ୟକ୍ତ କଲେ ।

ପୁତ୍ରର ପ୍ରତିଭା ବିଷୟରେ ପିତାଙ୍କର ସନ୍ଦେହ ନ ଥିଲା । ଲାଇଟ ହାଉସ୍‍ ନିର୍ମାତା ଭାବେ ଷ୍ଟିଭେନସନ୍‍ଙ୍କ ପିତାଙ୍କର ବିପୁଳ ଖ୍ୟାତି ଥିଲା । ପୁତ୍ର ତାଙ୍କର ପଦାଙ୍କ ଅନୁସରଣ କରୁ, ଏହା ହିଁ ଥିଲା ତାଙ୍କର ଏକାନ୍ତ ଅଭିଲାଷ । ମାତ୍ର ପୁତ୍ରର ଏତାଦୃଶ ଅଭିଳାଷ ଜାଣିପାରି ପିତା କ୍ଷୁଣ୍ଣ ହେଲେ ହେଁ ସହିଷ୍ଣୁତା ଗୁଣରେ ପୁତ୍ରକୁ ଆଇନ ଶିକ୍ଷା କରିବା ଲାଗି ପ୍ରବର୍ତ୍ତାଇ ଥିଲେ ।

ଷ୍ଟିଭେନସନ୍ ଅବଶେଷରେ ଆଇନ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେଲେ । ମାତ୍ର ଆଇନଜୀବୀ ହେବା ସୁଯୋଗ ତାଙ୍କ ଜୀବନରେ ଘଟିନଥିଲା । ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ ମାତ୍ର ୨୩ବର୍ଷ ବୟସରେ ହିଁ ସେ ମାରାତ୍ମକ ଭାବେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । ସାରା ଜୀବନ ତାଙ୍କୁ ଏଇ ରୋଗରେ ଜର୍ଜରିତ ହେବାକୁ ପଡ଼ିଥିଲା । ଏକ ଯକ୍ଷ୍ମା-ନିବାସରେ ଚଳତ୍‍ଶକ୍ତିହୀନ ହୋଇ ପିତାଙ୍କର ଯତ୍‍ସାମାନ୍ୟ ସାହାଯ୍ୟ ଉପରେ ନିର୍ଭର କରି ସେହିକାଳୁ ସେ ପଡ଼ିରହିଲେ । ଠିକ୍ ଏହି ପରିସ୍ଥିତିରେ ହିଁ ସୃଷ୍ଟି ହୋଇଥିଲା ତାଙ୍କର ଅମର ରଚନାବଳୀ । ସେହି ଯକ୍ଷ୍ମା ନିବାସରୁ ସେ ଇଂରାଜୀ ପତ୍ରପତ୍ରିକାମାନଙ୍କୁ ଗଳ୍ପ ଓ ପ୍ରବନ୍ଧାବଳୀ ଲେଖି ପଠାଉଥିଲେ ।

ଘୋର ଅନ୍ଧାର, ଝଡ଼ ରାତିରେ ବି ବିଜୁଳିର ଆଲୋକ ଝଲସି ଉଠେ । ୨୬ବର୍ଷ ବୟସରେ ଫ୍ୟାନିଂ ଓସବର୍ଣ୍ଣ ନାମକ ଜନୈକ ମହିଳାଙ୍କୁ ଷ୍ଟିଭେନସନ୍‍ ଭଲପାଇ ବସିଲେ । ତତୋଽଧିକ ଆଶ୍ଚର୍ଯ୍ୟର ବିଷୟ, ଏହି ସୌଭାଗ୍ୟବତୀ ମହିଳା ଥିଲେ ସେତେବେଳକୁ ଅପର ବ୍ୟକ୍ତିର ଗୃହବଧୂ ଓ ବୟସରେ ଷ୍ଟିଭେନସନ୍‍ଙ୍କଠାରୁ ୧୦ବର୍ଷ ବଡ଼ । ଷ୍ଟିଭେନସନ୍‍ ତାଙ୍କୁ ଅନୁସରଣ କରି ଚାରିଆଡ଼େ ଘୂରି ବୁଲିଲେ । ଅବଶେଷରେ ଏଇ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଖ୍ରୀ୧୮୮୦ରେ ଷ୍ଟିଭେନସନ୍‍ଙ୍କୁ ବିବାହ କଲେ । ଷ୍ଟିଭେନସନ୍‍ଙ୍କ ବଂଶର ଆଭିଜାତ୍ୟ ପ୍ରତି ଏଇ ବିବାହ ଥିଲା ଚରମ ଆଘାତ । ସେ ଆଘାତ ମଧ୍ୟ ତାଙ୍କ ପିତା ଅସୀମ ଧୈର୍ଯ୍ୟର ସହିତ ସହ୍ୟ କଲେ । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏଥିପାଇଁ ଦୁଃସହ ମାନସିକ ସଂଘର୍ଷ ମଧ୍ୟରେ ଅତିବାହିତ କରିବାକୁ ପଡ଼ିଥିଲା । ଯା’ହେଉ ଏହି ନବଦମ୍ପତି ସ୍କଟଲାଣ୍ଡ ଗୃହକୁ ଶୁଭାଗମନ କଲାବେଳେ ସେ ସେମାନଙ୍କୁ ଆନନ୍ଦରେ ହିଁ ସ୍ୱାଗତ କରିଥିଲେ ।

କ୍ରମେ ଷ୍ଟିଭେନସନ୍‍ଙ୍କ ରୋଗ ବଢ଼ିବାକୁ ଲାଗିଲା । ଜୀବନର ଅବଶିଷ୍ଟ ସାତୋଟି ବର୍ଷ ସେ ଅତି କରୁଣ ଭାବେ ଏଇ ଦାରୁଣ ବ୍ୟାଧିର ପୀଡ଼ନରୁ ଆତ୍ମୋପଶାନ୍ତି ଲାଗି ଇତସ୍ତତଃ ଘୂରି ବୁଲିଲେ । ଏହିପରି ଶୋଚନୀୟ ଅବସ୍ଥାରେହିଁ ତାଙ୍କର ସାହିତ୍ୟିକ ଖ୍ୟାତି ସୁପ୍ରତିଷ୍ଠିତ ହୋଇଥିଲା । ଏହି ସମୟ ମଧ୍ୟରେ ତାଙ୍କର ‘New Arabian Nights’, ‘Treasure Island’, ‘Prince Otto’, ‘The strange case of Dr. Jekyll and Mr. Hyde’ ଓ ‘The mery men’ ପ୍ରକାଶିତ ହୋଇଥିଲା ।

୧୮୭୭ ରେ ଷ୍ଟିଭେନସନ୍ ଇଂଲଣ୍ଡରୁ ନିଜର ସ୍ତ୍ରୀ, ମା ଓ ପାଳିତ ପୁତ୍ର ସହିତ ଆମେରିକା ଯାତ୍ରା କଲେ । ଏହାହିଁ ତାଙ୍କର ଶେଷ ଯାତ୍ରା । ଜୀବନରେ ଆଉ ତାଙ୍କୁ ଇଂଲଣ୍ଡ ଫେରିବାକୁ ପଡ଼ିନାହିଁ । Adirondaxର ସାରାନାକ ହ୍ରଦରେ ସେ ସେହି ବର୍ଷର ଶୀତ ଋତୁଟି ଅତିବାହିତ କଲେ । ରୋଗଜୀର୍ଣ୍ଣ ଦେହରେ ଶକ୍ତି ସଞ୍ଚାରର ବ୍ୟର୍ଥ ଅଭିଳାଷ ମନରେ ପୋଷଣ କରି ବହୁ ଦ୍ୱୀପମାଳାରେ ପରିଭ୍ରମଣ କରିସାରି ଅବଶେଷରେ ସେ ଖ୍ରୀ୧୮୮୮ ଜୁନ୍‍ ମାସରେ ଦକ୍ଷିଣ ସାଗରର ଆପିଆ ଦ୍ୱୀପରେ ରହିବାକୁ ଅନୁକୂଳ ମନେ କଲେ । ଏହି ଦ୍ୱୀପମାଳାର ଆଦିମ ଅଧିବାସୀ ମେଳରେ ସେ ତାଙ୍କର ଶେଷ ଜୀବନର ଚାରୋଟି ବିସ୍ମୟକର ବର୍ଷ ଅତିବାହିତ କରିଥିଲେ । ଉକ୍ତ ଦ୍ୱୀପର ଆଦିମ ଅଧିବାସୀମାନଙ୍କ ନିକଟରେ ସେ ‘ଟୁସିଟଲା’ ବା ଗଳ୍ପକଥନ ନାମରେ ସୁପରିଚିତ ଥିଲେ । ଏଠାରେ ହିଁ ରଚିତ ହୋଇଥିଲା ତାଙ୍କର ସୁପ୍ରସିଦ୍ଧ ଗଳ୍ପ ‘Fantasy’ ଓ ଏହି ସଙ୍କଳନରେ ସନ୍ନିବେଶିତ ଗଳ୍ପ Bottle Imp ବା ‘ବୋତଲର ଭୂତ’ । ୧୮୯୪ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ରଚିତ ଅମର କାହାଣୀଗୁଡ଼ିକ ଆଜି ବିଶ୍ଵସାହିତ୍ୟର ଅମୂଲ୍ୟ ସମ୍ପଦ ରୂପେ ପରିଗଣିତ ହୁଏ । ସେଇ ଅମର କାହାଣୀ ସ୍ରଷ୍ଟାଙ୍କର ଜୀବନ କାହାଣୀ ମଧ୍ୟ ତତୋଽଧିକ ରୋମାଞ୍ଚକର ଓ ଅବିସ୍ମରଣୀୟ । ଲେଖକର ବିଚିତ୍ର ଜୀବନ କିପରି ତାହାର କଳ୍ପନାକୁ ଉଦ୍ଦୀପିତ ଓ ଅନୁରଞ୍ଜିତ କରି ଅନୁପମ ରଚନାରୂପେ ଆତ୍ମପ୍ରକାଶ କରେ ‘ବେତାଳର ଭୂତ’ ଗଳ୍ପଟି ତାହାର ପ୍ରକୃଷ୍ଟ ଉଦାହରଣ ।

★★★

 

ବୋତଲର ଭୂତ

 

ହାୱାଇ ଦ୍ଵୀପରେ ତା’ର ଘର । ମନେକର ତା’ର ନାମ କିଉଇ । ପ୍ରକୃତରେ ସେ ଏବେ ମଧ୍ୟ ଜୀବିତ । ଏଣୁ ତା’ର ପ୍ରକୃତ ନାମ ଗୋପନୀୟ ରଖିବା କଥା । ଲୋକଟି ଗରିବ ହେଲେହେଁ ସାହସୀ ଓ କର୍ମଠ । ଯତ୍‍ସାମାନ୍ୟ ଲେଖି ପଢ଼ି ଜାଣେ । କିନ୍ତୁ ସେ ଥିଲା ଜଣେ ଉଚ୍ଚକୋଟୀର ନାବିକ । ବହୁ ସାଗରରେ ଷ୍ଟିମର, ବୋଟ ନେଇ ସେ ବହୁତ ବୁଲିଛି । ଏକଦା ଏକ ପୋତରେ ଏଇ ବିରାଟ ପୃଥିବୀର ଅଜ୍ଞାତ ନଗରୀସବୁ ପରିଦର୍ଶନ କରିବା ଲାଗି ବାହାରି ସେ ସାନ୍‍ଫ୍ରାନ୍‍ସିସକୋ ସହରରେ ପହଞ୍ଚିଲା ।

 

ସୁନ୍ଦର ପୋତାଶ୍ରୟ ସଂଯୁକ୍ତ ଏହି ସହରଟି ଅତି ମନୋରମ । ସହର ମଝିରେ ଏକ କ୍ଷୁଦ୍ର ପର୍ବତ । ତା’ ଚାରିପାଖେ ବହୁ ସୁରମ୍ୟ ଅଟ୍ଟାଳିକା । ଦିନେ କିଉଇ ଏଇ ପର୍ବତ ଉପରେ ଆନନ୍ଦରେ ବୁଲୁଥିଲା । ନଭଶ୍ଚୁମ୍ବୀ ପ୍ରାସାଦମାଳା ଆଡ଼େ ଚାହିଁ ଚାହିଁ ସେ ଭାବୁଥାଏ, ‘ଏଗୁଡ଼ିକ ସତେ କି ସୁନ୍ଦର ହୋଇଛି ! ଏଥିରେ ରହୁଥିବା ଲୋକେ ପୁଣି କେଡ଼େ ନିଶ୍ଚିନ୍ତରେ ନ ଥିବେ !’ ଭାବୁ ଭାବୁ ଏକ ନାତିବୃହତ୍‍ ରମଣୀୟ ଗୃହ ଉପରେ ତା’ର ଦୃଷ୍ଟି ପଡ଼ିଲା । ସେଇ ଘରର ପାହାଚ ସବୁ ରୂପା ଭଳି ଚକ୍‍ ଚକ୍ କରୁଥାଏ । ଘରର ଉପବନଟି ଏକ ସୁଗ୍ରଥିତ ମାଳା ଭଳି ଏବଂ ଘରର ଝରକାସବୁ ହୀରକ ଭଳି ସମୁଜ୍ଜ୍ୱଳ ଦେଖା ଯାଉଥାଏ । ବିସ୍ମୟବିମୂଢ଼ କିଉଇ ନିସ୍ପନ୍ଦ ଭାବେ ଏହା ଦେଖୁ ଦେଖୁ ସେଇ ଗୃହର ବାତାୟନବର୍ତ୍ତୀ ଏକ ବ୍ୟକ୍ତିଙ୍କୁ ସୁସ୍ପଷ୍ଟ ଭାବେ ଦେଖିବାକୁ ପାଇଲା । ଉକ୍ତ ବୟୋବୃଦ୍ଧ ବ୍ୟକ୍ତିଙ୍କ ମସ୍ତକ ଥିଲା କେଶବିରଳ ଓ ମୁଖ ଥିଲା ଶ୍ମଶ୍ରୁ ବିଲମ୍ୱିତ; ଆଖିରେ ଥିଲା ଅବନମିତ କରୁଣ ଚାହାଣି । ବୃଦ୍ଧବ୍ୟକ୍ତିଟି ହଠାତ୍‍ ସ୍ମିତହାସ୍ୟ ପ୍ରକାଶ କରି ମସ୍ତକ ସଂଚାଳନ ପୂର୍ବକ କିଉଇକୁ ଉକ୍ତ ଗୁହାଭ୍ୟନ୍ତରକୁ ଆସିବାକୁ ଇଙ୍ଗିତ କଲେ । ଗୃହ ଦ୍ଵାରକୁ ନିଜେ ଆସି ତାକୁ ପାଛୋଟି ନେଲେ । ଦୀର୍ଘଶ୍ୱାସ ପକାଇ ସେ ଆରମ୍ଭ କଲେ–“ମୋର ଏଇ ଘରଟି ବୋଧହୁଏ ତୁମକୁ ଖୁବ୍‍ ସୁନ୍ଦର ମନେ ହେଉଚି ! ଏହାର କୋଠରୀ ସବୁ ବୁଲି ଦେଖିବାକୁ ଇଚ୍ଛା କର କି ?”

 

କିଉଇକୁ ସେ ଘର ଚାରିଆଡ଼େ ବୁଲାଇ ଦେଖାଇଲେ । କିଉଇକୁ ସେସବୁ ଅତି ଅପୂର୍ବ ଓ ଆଶ୍ଚର୍ଯ୍ୟଜନକ ମନେହେଲା । ସେ କହିଲା–“ଘରଟି ସତରେ ଅତି ଚମତ୍କାର । ମୁଁ ଯଦି ଏପରି ଘରେ ରହନ୍ତି ତେବେ ନିଜକୁ ଧନ୍ୟ ମନେ କରନ୍ତି । ମୋର ଆନନ୍ଦର ସୀମା ରହନ୍ତା ନାହିଁ । କିନ୍ତୁ ଏଠି ରହି ତମେ ଦୀର୍ଘଶ୍ୱାସ ପକାଉଛ କାହିଁକି ?”

 

“ତୁମେ ଚାହିଁଲେ ମଧ୍ୟ ମୋରି ଘର ଭଳି କିମ୍ବା ଏହାଠାରୁ ଉତ୍କୃଷ୍ଟ ଘର ତୁମର ହୋଇପାରିବ । ତମ ପାଖେ କିଛି ଟଙ୍କାପଇସା ଅଛି ତ ?”

 

‘‘ମୋ ପାଖେ ମାତ୍ର ୫୦ ଡଲାର ଅଛି ।’’

 

“ଆଉ ବେଶୀ ନଥିବା ଅବଶ୍ୟ ଦୁଃଖର କଥା । ମୋର ଆଶଙ୍କା ଭବିଷ୍ୟତରେ ତୁମେ ହୁଏତ ଏଥିପାଇଁ ଅସୁବିଧାରେ ପଡ଼ିପାର । ୫୦ ଡଲାରରେ ମଧ୍ୟ ଏଭଳି ଘରଟିଏ ତୁମର ହୋଇପାରେ ।’’

 

“୫୦ ଡଲାରରେ ଘରଟାଏ ମିଳିଯିବ ?”

 

“ଘରଟାଏ ନୁହେଁ ମାତ୍ର ଗୋଟାଏ ବୋତଲ । କଥାଟା ତେବେ ଶୁଣ—ମତେ ତୁମେ ଖୁବ୍‍ ଭାଗ୍ୟବାନ ଓ ଧନୀ ମନେ କରୁଥିଲେହେଁ ମୋର ସୌଭାଗ୍ୟ, ମୋର ଏଇ ପ୍ରାସାଦ ଓ ଉପବନ ସବୁ ସେଇ ଗୋଟାଏ ଛୋଟ ବୋତଲ ଯୋଗୁହିଁ ସମ୍ଭବ ହୋଇଛି । ଏଇ ଦେଖ ସେଇଟିକୁ—’’

 

ଏହା କହି ବୃଦ୍ଧ ଏକ ସିନ୍ଦୁକର ଚାବି ଖୋଲି ତା’ ଭିତରୁ ସ୍ଥୂଳାକାର ଓ ଦୀର୍ଘଗ୍ରୀବାଯୁକ୍ତ କ୍ଷୁଦ୍ର ବୋତଲଟିଏ କାଢ଼ିଲେ । ବୋତଲର କାଚ ଦୁଧଭଳି ଶୁଭ୍ର ଓ ସେଥିରେ ଇନ୍ଦ୍ରଧନୁର ପରିବର୍ତ୍ତନଶୀଳ ବର୍ଣ୍ଣ ଅଭାସିତ ହେଉଥାଏ । ଭିତରେ ତା’ର ଅଗ୍ନି ଶିଖାଭଳି ଏକ ଅଜ୍ଞାତ ବସ୍ତୁ ସଞ୍ଚାଳିତ ହେଉଥାଏ ।

 

କିଉଇ ମୁହଁରେ ହାସ୍ୟରେଖା ଦେଖି ସେ ପୁଣି କହିଲେ—“ମୋ କଥାରେ ବିଶ୍ୱାସ ହେଉ ନାହିଁ ବୋଧହୁଏ । ତା’ହେଲେ ନିଜେ ପରୀକ୍ଷା କର— ଆଚ୍ଛା, ଏଇଟିକୁ ଭାଙ୍ଗିଲ ଦେଖି ।’’

 

କିଉଇ ବୋତଲଟିକୁ ଆଣି ଚଟାଣରେ ବାରମ୍ବାର ଆଘାତ କଲା । ଭାଙ୍ଗିବା ପରିବର୍ତ୍ତେ ବୋତଲଟି ପିଲାଙ୍କ ବଲ୍‍ ଭଳି ଚଟାଣରେ କେବଳ ଡେଇଁବାକୁ ଲାଗିଲା । ଶେଷରେ କ୍ଳାନ୍ତ ହୋଇ ସେ କହିଲା–“ଏ ତ ବଡ଼ ବିଚିତ୍ର ବସ୍ତୁ । ୟାକୁ ଦେଖିଲେ ଓ ସ୍ପର୍ଶ କଲେ ଏହା କାଚ ଭଳି ମନେ ହେଉଛି, ଅଥଚ–”

 

“ବୋତଲଟି କାଚରେହିଁ ତିଆରି, ମାତ୍ର ଏଇ କାଚ ନର୍କର ଅଗ୍ନିଶିଖାରେ ଧୌତ । ଏହା ଭିତରେ ଅଛି ଗୋଟିଏ ଭୂତ; ସଞ୍ଚାଳିତ ହେଉଥିବା ଛାୟାଟି ତା’ର । ଯେ ଏହି ବୋତଲକୁ କିଣିବ ଏଇ ଭୂତ ହେବ ତା’ର ଆଜ୍ଞାଧୀନ ଭୃତ୍ୟ । ସେ ଲୋକ ପ୍ରେମ, ଯଶ, ଅର୍ଥ, ଏଭଳି ଅଟ୍ଟାଳିକା ବା ଏହିପରି ନଗରୀ ଯାହା ଚାହିଁବ, ମୁହଁରୁ ତା’ର ସେ କଥା ବାହାରିବା ମାତ୍ରେ ସେ ତାହା ପାଇଯିବ । ନେପୋଲିୟନ ଏଇ ବୋତଲ ପାଇ ପୃଥିବୀର ସମ୍ରାଟ ହୋଇ ପାରିଥିଲେ । ମାତ୍ର ଶେଷକୁ ଏଇଟି ବିକି ଦେବାରୁ ତାଙ୍କର ପତନ ଆରମ୍ଭ ହେଲା । କ୍ୟାପଟେନ୍‍ କୁକ୍‍ ଏଇ ବୋତଲ ପାଇ ପୃଥିବୀର ବହୁ ଅଜ୍ଞାତ ଦ୍ଵୀପ ଆବିଷ୍କାର କରିପାରିଲେ । କିନ୍ତୁ ସେ ମଧ୍ୟ ଏହାକୁ ବିକି ଶେଷରେ ହାୱାଇ ଦ୍ଵୀପରେ ମଲେ । କାରଣ, ୟାକୁ ବିକିଦେଲେ ଶକ୍ତି ଓ ଆଶ୍ରୟ ସବୁ ଲୋପ ପାଏ ।”

 

“ତା’ହେଲେ ଏ ସବୁ ଜାଣିବା ସତ୍ତ୍ୱେ ତମେ ୟାକୁ ବିକିବାଲାଗି କାହିଁକି ଇଚ୍ଛା କରୁଛ-?”

 

ପୂର୍ବାପେକ୍ଷା ଆହୁରି ଗଭୀର ଦୀର୍ଘଶ୍ୱାସ ପକାଇ ଭଦ୍ରବ୍ୟକ୍ତି କହିଲେ—“ଏଇ ଭୂତ ଯୋଗୁ ଜୀବନରେ ମୁଁ ଯାହା ଚାହିଁଛି ତା’ ମୋର ପୂର୍ଣ୍ଣ ହୋଇଛି । ମାତ୍ର ଗୋଟାଏ ବିଷୟ ଏଇ ଭୂତର ସାଧ୍ୟାତୀତ । ସେ କାହାରି ଜୀବନ କାଳକୁ ବଢ଼ାଇ ପାରିବ ନାହିଁ । ତା’ଛଡ଼ା ଏଇ ବୋତଲ ସମ୍ପର୍କରେ ଆଉ ଏକ ଅସୁବିଧାର ବିଷୟ ହେଉଛି—ଏଇ ବୋତଲଟିକୁ କିଣି ଯଦି କେହି ଅନ୍ୟକୁ ବିକ୍ରି ନ କରି ନିଜ ପାଖରେ ରଖି ମରିଯାଏ, ତେବେ ତାକୁ ଚିରଦିନ ଲାଗି ନର୍କର ଅଗ୍ନି ଶିଖାରେ ଦଗ୍‍ଧ ହେବାକୁ ପଡ଼ିବ ।”

 

“ତେବେ ଏ ତ ବଡ଼ ଅସୁବିଧାର ବିଷୟ । ଘର ନ ହେଲେ ପଛେ ମୋର ଚଳିବ, ମାତ୍ର ଅନନ୍ତ କାଳ ନର୍କରେ ଘାଣ୍ଟି ହେବା..... ଓଃ ଏହା ଯେକୌଣସି ଲୋକ ପକ୍ଷେ କଳ୍ପନାତୀତ ।”

 

“ଏତିକି ଶୁଣି ତମେ ବିଚଳିତ ହୋଇପଡ଼ୁଛ ! ତା’ର ଉପାୟ କହୁଛି ଶୁଣ—ତମେ ଅତି ପରିମିତ ଭାବେ ଭୂତର ଶକ୍ତିକୁ କାର୍ଯ୍ୟରେ ଲଗାଇଲେ; ମୋ ଭଳି ଆରାମରେ ସାରା ଜୀବନ କଟାଇ ଶେଷରେ ଅନ୍ୟଜଣକୁ ବିକ୍ରି କରିଦେଇ ନିଜକୁ ଏଇ ବିପଦରୁ ମୁକ୍ତକରି ପାରିବ ।”

 

“ମୁଁ ଏଥିରେ ଦୁଇଟି ବିଷୟ ସ୍ପଷ୍ଟ ଲକ୍ଷ୍ୟକରି ପାରୁଛି । ତମେ ୟାକୁ ରଖିଥିବା ଯାଏ, ପ୍ରେମାସକ୍ତା ନାରୀ ଭଳି ଦୀର୍ଘଶ୍ୱାସ ପକାଉଥିବ ଏବଂ ୟାକୁ ପୁଣି ଅପେକ୍ଷାକୃତ କମ୍‍ ଦାମରେ ତୁମକୁ ବିକିବାକୁଇ ହେବ ।”

 

“ମୁଁ କାହିଁକି ଦୀର୍ଘଶ୍ୱାସ ପକାଏ ତା’ର କାରଣ, ମୁଁ ଏବେ ଦେଖୁଛି, ମୋର ସ୍ଵାସ୍ଥ୍ୟ କ୍ରମଶଃ ଖରାପ ହୋଇ ଆସୁଛି । ତମେ ତ କହୁଥିଲ ମରି ନର୍କକୁ ଯିବାଠାରୁ ବଳି ଦୁଃଖ ଆଉନାହିଁ-। ସେଥିପାଇଁ ମୁଁ କମ୍‍ ଦାମରେ ଏଇଟି ବିକିବାକୁ ବସିଛି । ଏଇ ବୋତଲର ବାସ୍ତବିକ ଏତକ ବିଶେଷତ୍ଵ । ବହୁକାଳ ପୂର୍ବେ ଦାନବ ଯେତେବେଳେ ୟାକୁ ପୃଥିବୀକୁ ଆଣିଲା, ସେତେବେଳେ ୟାର ଦାମ୍ ଥିଲା ଅତ୍ୟନ୍ତ ବେଶୀ । କେବଳ ରାଜା ମହାରଜାଙ୍କ ବ୍ୟତୀତ ଆଉ କେହି ତାକୁ କଣିପାରୁ ନଥିଲେ । ପ୍ରଥମେ ବହୁ କୋଟି ଡଲାର ଦେଇ ପ୍ରେଷ୍ଟରଜନ୍‍ ୟାକୁ କିଣିଥିଲେ । କ୍ଷତି ନ ସହି ୟାକୁ ଅପରକୁ ବିକିବା ଅସମ୍ଭବ । କାରଣ କିଣାଦାମରେ ୟାକୁ ବିକିଲେ ପାରାଭଳି ସେ ତୁମ ପାଖକୁ ପୁଣି ଫେରି ଆସିବ । ବହୁ ଶତାବ୍ଦୀ ମଧ୍ୟରେ ଏହି କାରଣରୁ ଏଇ ବୋତଲଟି ଏ ହାତରୁ ସେ ହାତ ହୋଇ ତାହାର ଦାମ୍ ଅସମ୍ଭବ କମ୍‍ ହୋଇପଡ଼ିଛି । ମୋରି ଜଣେ ବିଶିଷ୍ଟ ପ୍ରତିବେଶୀଙ୍କଠାରୁ ମୁଁ ମାତ୍ର ୯୦ ଡଲାରରେ ୟାକୁ କିଣିଥିଲି । ତେଣୁ ୟାକୁ ମୁଁ ୮୯ ଡଲାର ୯୯ ସେଣ୍ଟରେ ଅନାୟାସରେ ବିକିପାରେ । କିନ୍ତୁ ତାଠୁ ଏକ ପେନି ଅଧିକାରେ ବିକିଲେ ଶିଶିଟି ପୁଣି ମୋ ପାଖକୁ ଫେରିଆସିବ । ହଁ, ବିକିବା ବିଷୟରେ ଆଉ ଗୋଟିଏ କଥା …କେବଳ ଧାତୁ ନିର୍ମିତ ମୁଦ୍ରାରେହିଁ ଏହାର କ୍ରୟ ବିକ୍ରୟ ହେବ ।”

 

“ଏ ସବୁ କଥା ସତ୍ୟ ବୋଲି ମୁଁ କିପରି ବିଶ୍ୱାସ କରିବି ?”

 

“ସଙ୍ଗେ ସଙ୍ଗେ ତୁମେ ତା’ ଏଠି ପରୀକ୍ଷା କରିପାର । ମୋତେ ତୁମର ୫୦ ଡଲାରତକ ଦେଇ ତମେ ମୋଠୁ ଏ ବୋତଲଟି ନିଅ । ତା’ପରେ ତୁମ ଡଲାର ତକ ତୁମ ପକେଟକୁ ଫେରିଆସୁ ବୋଲି ଭାବ । ତୁମ ପକେଟକୁ ସେଇ ଡଲାର ତକ ଫେରିନଗଲେ, ମୁଁ ଶପଥ କରୁଛି, ତୁମକୁ ମୁଁ ଡଲାର ତକ ନିଶ୍ଚୟ ଫେରାଇ ଦେବି ।’’

“ମୋ ସଙ୍ଗେ ପ୍ରତାରଣା କରୁନାହଁ ତ ?”

“ଈଶ୍ୱରଙ୍କ ନାମରେ ଶପଥ କରି କହୁଛି, ମୋ କଥାର ଗୋଟିଏ ବର୍ଣ୍ଣ ବି ମିଥ୍ୟା ନୁହେଁ-?”

“ଆଚ୍ଛା ଏ କଥା ପରୀକ୍ଷା କରି ଦେଖାଯାଉ’’—କହି କିଉଇ ସେଇ ବୃଦ୍ଧ ଲୋକଟିକୁ ୫୦ ଡଲାର ଦେଇ ତାଠୁ ବୋତଲଟି ଆଣିଲା ।

“ଆଚ୍ଛା ନମସ୍କାର । ଆପଣ ଏଥର ଆସନ୍ତୁ । ଭୂତ ଏଥର ମୋ’ଠାରୁ ଯାଇ ଆପଣଙ୍କର ହେଲା ।’’ ବୃଦ୍ଧ କହିଲେ ।

“କ’ଣ ହେଲା । ମୋ ସଙ୍ଗେ ଭଣ୍ଡାମି । ମୁଁ ଏସବୁ ଜାଣେନା । ହେଇ ତମର ବୋତଲ ରହିଲା ।’’

“ତମେ କିଣା ଦାମ୍‍ଠାରୁ କମରେ ମୋ ପାଖରୁ ୟାକୁ ନେଇଛ । ଏଇଟି ଏଥର ତୁମର । ମୋର ଆଉ କିଛି ଦାୟିତ୍ଵ ନାହିଁ । ଆପଣ ଯାନ୍ତୁ—’’ କହି ବୃଦ୍ଧ ତା’ର ଚୀନା ଚାକରକୁ ଡାକି କିଉଇକୁ ଘରୁ ବାହାରିବା ରାସ୍ତା ଦେଖାଇ ଦେବାକୁ ଆଦେଶ ଦେଲା ।

 

ବୋତଲକୁ କାଖରେ ଯାକି ରାସ୍ତାରେ ଯାଉ ଯାଉ କିଉଇ ଭାବିଲା, ମୋ ୫୦ ଡଲାର କ’ଣ ସତେ ଆଉ ମୋ ପକେଟକୁ ଆସିବ । ଲୋକଟା ବୋଧହୁଏ ମତେ ଠକି ଦେଇଛି । ସେ ନିଜ ପକେଟରେ ଥିବା ପଇସା ଗଣି ବସିଲା । ସବୁତ ଠିକ୍ ଅଛି—ଆଚ୍ଛା, ଏଥର ତେବେ ଅନ୍ୟ ବିଷୟର ସତ୍ୟତା ପରୀକ୍ଷା କରାଯାଉ ।

 

ନଗରୀର ସେ ଅଞ୍ଚଳର ରାଜପଥଟି ଅତି ପରିଚ୍ଛନ୍ନ । ସେତେବେଳକୁ ଦ୍ୱିପ୍ରହର । ପଥଚାରୀବିହୀନ ରାଜପଥ ଉପରେ କିଉଇ ବୋତଲଟିକୁ ରଖିଦେଇ ଆଗକୁ ଚାଲିଲା । ଦୁଇଥର ସେ କେବଳ ସେଇ ଦୁଗ୍‍ଧାଭ ସ୍ପୀତୋଦର ବୋତଲଟିକୁ ଫେରି ଚାହିଁଛି । ତୃତୀୟ ଥର ସେ ବୋତଲକୁ ଚାହିଁ ଚାହିଁ ହଠାତ୍‍ ରାସ୍ତାର ମୋଡ଼ ବୁଲି ଗଲାବେଳକୁ କ’ଣ ଗୋଟାଏ ତା’ର ବାହୁ ମୂଳରେ ଆଘାତ କଲା । ଦେଖିଲାବେଲକୁ ଠିକ୍ ସେଇ ବୋତଲଟି…..ତା’ର କାଖ ପାଖ କୋଟ ପକେଟ ମଝିରେ ଲାଗିଯାଇଛି ।

 

କିଉଇ ମନରେ ଆଉ ସନ୍ଦେହ ରହିଲା ନାହିଁ । ତା’ପରେ ସେ ଗୋଟିଏ କର୍କ ସ୍କୃ କିଣି ଏକ ନିର୍ଜନ ସ୍ଥାନରେ ସେଇ ବୋତଲର କର୍କଟି ଖୋଲିବାକୁ ଚେଷ୍ଟାକଲା । ମାତ୍ର କର୍କରେ ସ୍କୃଟିକୁ ଯେତେଥର ପୂରାଇ ସେତେଥର ତାହା ବାହାରି ଆସିଲା । ଏହା ଦେଖି ଭୟରେ ତା’ର ଦେହ କମ୍ପିବାକୁ ଲାଗିଲା । ଦେହରୁ ଗୋଟାଏ ଝାଳ ବୋହିଗଲା ।

 

ପୋତାଶ୍ରୟ ଆଡ଼କୁ ଫେରିଲା ବାଟରେ ସେ ପୁରାତନ ମୁଦ୍ରା, ଛବି ପ୍ରଭୃତି ବିଚିତ୍ର ବସ୍ତୁର ଗୋଟିଏ ଦୋକାନ ଦେଖିଲା । ଦୋକାନ ଭିତରକୁ ଯାଇ ସେ ନିଜ ବୋତଲଟିକୁ ୧୦୦ ଡଲାରରେ ବିକିବାକୁ ଇଚ୍ଛା ପ୍ରକାଶ କଲା । ଦୋକାନୀ ଈଷତ୍‍ ହସି ମାତ୍ର ୫ ଡଲାରରେ ଏହି ଦୁଗ୍‍ଧାଭ ବିଚିତ୍ର କାଚଟି କିଣିବାକୁ ରାଜି ହେଲା । ଶେଷରେ ଦର କଷାକଷି ପରେ ଦୋକାନୀ କିଉଇକୁ ୬୦ ଡଲାର ଦେଇ ବୋତଲଟିକୁ ବାକ୍ସ ଭିତରେ ରଖିଲା ।

 

ଜାହାଜରେ ବସିଲା ପରେ ନିଜ ବାକ୍ସ ଖୋଲି କିଉଇ ବିସ୍ମିତ ହେଲା । ତା’ଠାରୁ ଆହୁରି ବେଗରେ ଆସି ବୋତଲଟି ବାକ୍ସରେ ରହି ସାରିଛି । କିଉଇର ଜଣେ ସହଯାତ୍ରୀ ବନ୍ଧୁ “ଲୋପାକା”, କିଉଇକୁ ଏପରି ଅବସ୍ଥାରେ ଦେଖି ପଚାରିଲା–“କିଉଇ ! ତମର କ’ଣ ହୋଇଛି ? ବାକ୍ସ ଭିତରକୁ କାହିଁକି ଏପରି ଚାହିଁ ରହିଛ ?” ଜାହାଜର ସେଇ ଅଂଶରେ ଆଉ କେହି ନଥାନ୍ତି । କିଉଇ ଅତି ଗୋପନରେ ଲୋପାକାକୁ ବୋତଲ ବିଷୟରେ ସବୁ କହିଗଲା ।

 

‘‘ଏ’ତ ବଡ଼ ବିଚିତ୍ର କଥା ? ମୁଁ ଭାବୁଛି ତମେ ବୋତଲ ଯୋଗୁ ବଡ଼ ହଟହଟା ହେବ । ଯା’ହେଉ ଯେତେବେଳେ ୟାକୁ କିଣି ସାରିଲଣି, ଏହା ସାହାଯ୍ୟରେ ଯାହା କରିବା କଥା ତା’ କରିନିଅ । ତୁମର ସବୁ ଅଭିଳାଷ ପୂର୍ଣ୍ଣହେଲା ପରେ, ମୁଁ ଏଇଟି କମ୍‍ ଦାମରେ ତୁମଠୁ କିଣିବାକୁ ରାଜି ଅଛି । କାରଣ ବହୁ ଦିନୁ ମୋର ଜାହାଜଟିଏ କିଣିବା ଇଚ୍ଛା । ଏହାକୁ ପାଇଲେ ମୁଁ ତା’ କରିପାରିବି ବୋଲି ଭାବୁଛି ।” –ଲୋପାକା କହିଲା ।

 

“ମାତ୍ର ମୋର ଇଚ୍ଛା, ମୋର ଜନ୍ମଭୂମି କୋନା ଉପକୂଳରେ ସୁନ୍ଦର ପୁଷ୍ପିତ ଉପବନ ବେଷ୍ଟିତ ମୋର ଥିବ ଗୋଟିଏ ଘର—ସୂର୍ଯ୍ୟକିରଣ ସ୍ନାତ ଝରକାରେ ଥିବ ତା’ର ମହାର୍ଘ କାଚ, କାନ୍ଥରେ ସୁନ୍ଦର ସୁନ୍ଦର ଛବି ଓ ମୂର୍ତ୍ତି, ଟେବୁଲରେ ସୁନ୍ଦରତମ ଗାଲିଚା, ରାଜପ୍ରାସାଦ ଭଳି ତାହାର ଉଚ୍ଚ, ପ୍ରଶସ୍ତ ଅଳିନ୍ଦ ଆଉ ତା’ ଭିତରେ ବନ୍ଧୁବାନ୍ଧବ ମେଳରେ ଚିନ୍ତାହୀନ ମଉଜ ମଜଲିସରେ ରହିବି ମୁଁ । ଏହା ମୋ ଜୀବନର ଚରମ ଅଭିଳାଷ ।”

 

“ବାସ୍ ! ଚାଲ ଏଥର ହାୱାଇ ଯିବା । ତୁମର ଏଇ ଅଭିଳାଷ ସଫଳ ହୋଇ ସାରିଲେ ତମଠୁ ମୁଁ ୟାକୁ କିଣି ଜାହାଜଟିଏ ପାଇଁ ବୋତଲର ସାହାଯ୍ୟ ନେବି ।”

 

ଉଭୟେ ଏ ବିଷୟରେ ସମ୍ମତ ହେଲେ । କିଉଇ ଲୋପାକା ସହିତ ଜାହାଜରେ ବସି ହନଲୁଲୁରେ ପହଞ୍ଚିଲା । ସମୁଦ୍ର କୂଳରେ ଦୁହେଁ ବୁଲୁଥିବାବେଳେ କିଉଇର ଜଣେ ବନ୍ଧୁ ଆସି କିଉଇକୁ ସାନ୍ତ୍ଵନା ଦେବାକୁ ଆରମ୍ଭ କଲେ । କିଉଇ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘ମୋତେ ଏପରି ସାନ୍ତ୍ଵନା ଦେବାର ଦରକାର କ’ଣ ?”

 

“ସତରେ ତୁମେ ଆଜିଯାଏ ତୁମ ବୁଢ଼ା ଦାଦିଙ୍କ ମୃତ୍ୟୁ ବିଷୟ ଶୁଣିନ ? ତା’ଛଡ଼ା ତୁମ ଦାଦିପୁଅ ଭାଇ, ସେଇ ସୁନ୍ଦର ବାଳକଟି ପରା ସମୁଦ୍ରରେ ବୁଡ଼ି ମରିଯାଇଛି ।”

 

ଏହା ଶୁଣି କିଉଇ ଦୁଃଖରେ ଅଭିଭୂତ ହୋଇପଡ଼ିଲା । ଲୋପାକା ପଚାରିଲା–“ତୁମ ଦାଦିଙ୍କ ଘର କ’ଣ ହାୱାଇ ଦ୍ଵୀପରେ ?”

 

“ନା ଦକ୍ଷିଣ ହୁକେନାର ପର୍ବତ ପାଖେ ।”

 

“ତା’ହେଲେ ତାଙ୍କ ଜମିତକ ବର୍ତ୍ତମାନ ତ ଏକପ୍ରକାର ତୁମର ହେଲା ?”

 

“ହଁ ଏକପ୍ରକାର ସେୟା”–କହି କିଉଇ କାନ୍ଦିବାକୁ ଲାଗିଲା ।

 

“ନା, ତୁମର ବର୍ତ୍ତମାନ ଏଇ ପରିସ୍ଥିତିରେ କାନ୍ଦିବା ଉଚିତ ନୁହେଁ । ମୁଁ ଭାବୁଚି ଏସବୁ ବୋଧହୁଏ ସେଇ ବୋତଲର ପରିଣାମ । ତୁମ ଅଭିଳଷିତ ଗୃହଲାଗି ସେଇ ସ୍ଥାନ ଥିଲା ଉପଯୁକ୍ତ । ତେଣୁ......”

 

“ଯଦି ତାହାହିଁ ହୁଏ, ତେବେ ଏହା ଅତି ଖରାପ । ମୋର ଆତ୍ମୀୟଙ୍କୁ ମାରି ମୋର ସେବା କରିବା ବୋତଲର ଏକାନ୍ତ ଗର୍ହିତ କାର୍ଯ୍ୟ । ମାତ୍ର ଠିକ୍‍ ଏହିପରି ଏକ ସ୍ଥାନରେ ହିଁ ତ ମୁଁ ଗୃହର କଳ୍ପନା କରିଥିଲି ।”

 

“ଯାହାହେଉ ସେ ଘର ତ ଏପର୍ଯ୍ୟନ୍ତ ତିୟାରି ହୋଇ ନାହିଁ ।”

 

“ହବାର ସମ୍ଭାବନା ବି ନାହିଁ । କାରଣ, ମୋର ଦାଦାଙ୍କର ଆୟ ଯଥେଷ୍ଟ ନଥିଲା ।”

 

“ବେଶ୍‍, ତାଙ୍କ ଓକିଲଙ୍କ ପାଖକୁ ଗଲେ ସବୁକଥା ଜଣା ପଡ଼ିଯିବ ।”

 

ଓକିଲଙ୍କ ପାଖକୁ ଆସି ସେମାନେ ବୁଝିଲେ ଯେ କିଉଇର ଦାଦା ଶେଷ ଅବସ୍ଥାରେ ଅସମ୍ଭବ ଧନୀ ହୋଇ ପାରିଥିଲେ; ଏବଂ ଯଥେଷ୍ଟ ଟଙ୍କା ମଧ୍ୟ ତାହାପାଇଁ ସଞ୍ଚୟ କରିଯାଇଛନ୍ତି । ଲୋପାକା କହି ପକାଇଲା–“ଏଇ ତ ଘର ପାଇଁ ଟଙ୍କା ରହିଛି ।”

 

“ତୁମେ ଯଦି ନୂଆ ଘର କରିବାକୁ ଚାହଁ, ଏଇ ନିଅ ଜଣେ ବିଖ୍ୟାତ ନୂଆ ସ୍ଥପତିଙ୍କ ଠିକଣା ।” –ଓକିଲ କହିଲେ ।

 

ଦୁହେଁ ତା’ପରେ ସ୍ଥପତିଙ୍କ ନିକଟକୁ ଗଲେ । ଟେବୁଲ ଉପରେ ତାଙ୍କର ନକ୍‍ସା ସବୁ ଥୁଆ ହୋଇଥାଏ । ସେ କହିଲେ, “ତୁମେ ତ ଗୋଟିଏ ନୂଆ ଧରଣର ଘର ବନାଇବାକୁ ଚାହୁଁଛ ? ଆଛା ଦେଖିଲ, ଏ ନକ୍‍ସାଟି ତୁମର ପସନ୍ଦ ହେବ ?” ନକ୍‍ସାଟି ଦେଖି କିଉଇ ଚିତ୍କାର କରିଉଠିଲା-। ଏ ଯେ ତା’ର ପରିକଳ୍ପିତ ଗୃହର ଯଥାଯଥ ଚିତ୍ର !

 

ସ୍ଥପତି ହିସାବ କରି ବ୍ୟୟର ଯେଉଁ ପରିମାଣ ନିର୍ଦ୍ଦେଶ କଲେ, ଠିକ୍‍ ସେହି ପରିମାଣ ଅର୍ଥହିଁ ସେ ଉତ୍ତରାଧିକାରୀ ସୂତ୍ରରେ ପାଇଥାଏ । ଲୋପାକା ଓ କିଉଇ ବିସ୍ମୟରେ ପରସ୍ପରକୁ ଚାହିଁ ରହିଲେ ।

 

କିଉଇ ଭାବିଲା, ଭୂତଯୋଗୁଁ ଘରଟି ଯେ ହେବାକୁ ଯାଉଛି ଏ ବିଷୟରେ ଆଉ ସନ୍ଦେହ ନାହିଁ । ଯାହାହେଉ ଏ ବୋତଲଟି ମୋ ପାଖେ ଥିଲା ପର୍ଯ୍ୟନ୍ତ ମୁଁ ଆଉ କୌଣସି ଅଭିଳାଷ ମନରେ ପୋଷଣ କରିବି ନାହିଁ । କାରିଗର ସଙ୍ଗେ ସେମାନଙ୍କ ଲେଖାପଢ଼ା ହୋଇ ଚୁକ୍ତି ହୋଇଗଲା । କାରିଗର ଉପରେ ଗୃହ ନିର୍ମାଣ ଓ ସାଜସଜ୍ଜାର ଭାର ଅର୍ପଣ କରି ଦୁହେଁ ଜାହାଜରେ ଅଷ୍ଟ୍ରେଲିୟା ଯାତ୍ରାକଲେ ।

 

କେତେଦିନ ପରେ ଦେଶକୁ ଫେରି ଦେଖିଲେ, ଗୃହ ନିର୍ମିତ ହୋଇସାରିଛି । ତାହା କଳ୍ପନା ଅନୁରୂପ ହୋଇଛି କି ନାହିଁ ଜାଣିବାକୁ ସେମାନେ ଘର ଭିତରେ ବୁଲି ବୁଲି ଦେଖିଲେ ।

 

ଘରଟି ପର୍ବତର ମଧ୍ୟ ଦେଶରେ ନିର୍ମିତ । ଉପରେ ତା’ର ଆକାଶ ପର୍ଯ୍ୟନ୍ତ ଲମ୍ବି ଯାଇଛି ଘନ ବନସ୍ପତି । ନିମ୍ନରେ କ୍ଷୁଦ୍ର କ୍ଷୁଦ୍ର ପର୍ବତମାଳା । ଗୃହର ଚାରିପାଖେ ଘେରି ରହିଛି ବହୁ ବର୍ଣ୍ଣର ପୁଷ୍ପିତ ମନୋରମ ଉପବନ । ଉପବନର ଗୋଟିଏ ପାଖେ ପପେୟା ଓ ଅନ୍ୟପଟେ ଆମ୍ରବିଥିକା ; ସମ୍ମୁଖ ଭାଗରେ ସମୁଦ୍ର ବକ୍ଷରେ ଚିରାଳ ମଣ୍ଡିତ ଜାହାଜର ମାସ୍ତୁଲ ଦେଖା ଯାଉଛି । ଗୃହଟି ତ୍ରିତଳ, ପ୍ରଶସ୍ତ ପ୍ରକୋଷ୍ଠ-ଶୋଭିତ ଏବଂ ଦୁଇପାଖ ପ୍ରଶସ୍ତ ଅଳିନ୍ଦ ସଂଯୁକ୍ତ । ତା’ର ଝରକାସବୁ ଜଳପରି ସ୍ଵଚ୍ଛ କାଚନିର୍ମିତ ଓ ଦିବସ ପରି ସମୁଜ୍ଜ୍ୱଳ । ସର୍ବବିଧ ଉପକରଣରେ ଗୃହଟି ସୁସଜ୍ଜିତ । କାନ୍ଥରେ ସ୍ଵର୍ଣ୍ଣ ଫ୍ରେମରେ ଅପୂର୍ବ ଚିତ୍ରାବଳୀ । ସୁନ୍ଦର ଘଣ୍ଟା, ବିଭିନ୍ନ ବାଦ୍ୟଯନ୍ତ୍ର, କ୍ଷୁଦ୍ର କ୍ଷୁଦ୍ର ବହୁ ବିଚିତ୍ର ମୂର୍ତ୍ତି ଚିତ୍ରିତ ସୁସଜ୍ଜିତ ପୁସ୍ତକାବଳୀ, ପୃଥିବୀର ନାନାସ୍ଥାନର ଦୁର୍ମୂଲ୍ୟ ଆୟୁଧ; ସଙ୍ଗିହୀନ ବ୍ୟକ୍ତିର ଅବସର ବିନୋଦନ ଲାଗି ନାନାବିଧ ଗୋଲକଧନ୍ଦା ସବୁ ସେଠି ବିଦ୍ୟମାନ । ମନେହୁଏ, ଏସବୁ ପ୍ରକୋଷ୍ଠ ଯେପରି ବସବାସ ଲାଗି ନୁହେଁ, କେବଳ ପଦଚାରଣା କରି ଦେଖିବା ଲାଗି ତାହା ନିର୍ମିତ ହୋଇଅଛି ।

 

ସବୁଆଡ଼େ ଦେଖିସାରି ବେଲ୍‍କନିରେ ବସି ଲୋପାକା ପଚାରିଲା “ଏପରି ଘର ପାଇଁ କ’ଣ ତୁମେ ମନେମନେ କଲ୍ପନା କରିଥିଲ ?”

 

“ହଁ ଏହାହିଁ ମୋର ସ୍ଵପ୍ନର ସୌଧ । ମୋର ସନ୍ତୋଷ ମୁଁ କଥାରେ ପ୍ରକାଶ କରିବାକୁ ଅକ୍ଷମ ।” —କିଉଇ କହିଲା ।

 

“କେବଳ ଗୋଟିଏ ବିଷୟ ମୁଁ ଭାବୁଛି ।’’ ଏସବୁ ତ ସେଇ ବୋତଲରେ ଥିବା ଭୂତର କାମ । ମାତ୍ର ଏହାକୁ ପାଇ ଯଦି ମୋର ଅଭିଳାଷ ପୂର୍ଣ୍ଣ ନ ହୁଏ ! ବୋତଲ ଭୂତର କାମ ବିଷୟରେ ତମେ ମତେ ଆଉ ଅଧିକା ପ୍ରମାଣ ଦେଖାଇ ପାରିବ କି ?”

 

“ମୁଁ ତ ତୁମ ଆଗେ ପ୍ରତିଜ୍ଞା କରିଛି, ମୁଁ କେବଳ ଏଇ ଗୋଟିଏ ବିଷୟ ଛଡ଼ା ଆଉ ଅଧିକା ସାହାଯ୍ୟ ବୋତଲ ଭୂତଠାରୁ ଗ୍ରହଣ କରିବି ନାହିଁ । ଏତିକି ହିଁ ମୋର ଯଥେଷ୍ଟ ।”

 

“ମୁଁ ମଧ୍ୟ ବର୍ତ୍ତମାନ ଭୂତଠାରୁ କୌଣସି ସାହାଯ୍ୟ ଚାହୁଁନାହିଁ । ଥରେ ମାତ୍ର ସେଇ ବୋତଲରେ ଥିବା ଭୂତକୁ ଦେଖିବା ମୋର ଇଚ୍ଛା । ଏଥିରେ ତୁମେ ଲାଭବାନ ବା ଲଜ୍ଜିତ ହେବାର ତ କିଛି ନାହିଁ । ତାକୁ ଥରେ ଦେଖିଲେ ମୋ ମନରେ ଆଉ ସଂଶୟ ରହିବ ନାହିଁ । ମୁଁ ୟାକୁ ନିଶ୍ଚେ ତୁମଠୁ କିଣିବି । ହେଇ ମୁଁ ଟଙ୍କା ତମ ଆଗରେ ରଖିଲି ।”

 

“ମୋର ଆଶଙ୍କା ଭୂତ ହୁଏତ ଦେଖିବାକୁ ଖୁବ୍‍ କୁତ୍ସିତ ହୋଇଥିବ । ତାକୁ ଦେଖିଲେ ବୋତଲ କିଣିବାଲାଗି ହୁଏତ ତୁମର ଅନିଚ୍ଛା ହୋଇପାରେ ।”

 

“ନା, ମୁଁ ଯାହା କହିଛି ତା’ ନିଶ୍ଚୟ ପାଳିବି । ହେଇ, ଟଙ୍କା ନିଅ ।”

 

“ମୋର ବି ଭୂତ ଦେଖିବାକୁ କୌତୂହଳ ହେଉଛି । ଆଚ୍ଛା, ଭୂତ ! ତୁମେ ବର୍ତ୍ତମାନ ଆମକୁ ଦେଖାଦିଅ ।”

 

କିଉଇ ଏହା କହିବା ସଙ୍ଗେ ସଙ୍ଗେ ଭୂତ ବୋତଲ ମଧ୍ୟରୁ ବାହାରି ଝିଟିପିଟି ଭଳି ମୁହୂର୍ତ୍ତକ ମଧ୍ୟରେ ପୁଣି ତାହା ଭିତରେ ଅନ୍ତର୍ହିତ ହୋଇଗଲା । କିଉଇ, ଲୋପାକା ସ୍ଥାଣୁଭଳି ଚଳତ୍‍ଶକ୍ତିହୀନ ଭାବେ ନୀରବରେ ବସିରହିଲେ । କିଛି ସମୟ ପରେ ଲୋପାକା କିଉଇ ହାତରେ ଟଙ୍କାତକ ଧରାଇ ବୋତଲଟିକୁ କିଣିନେଲା । ଘରକୁ ଯିବା ପୂର୍ବରୁ ଲୋପାକା କହିଲା, “ମୋର ସେଇ ଗୋଟିଏ କଥା–ଇପ୍‍ସିତ ଜାହାଜ ଓ ପକେଟରେ ୧।୨ଟି ଡଲାର ପାଇସାରିଲେ ଯେତେ ଶିଘ୍ର ସମ୍ଭବ ଏଇ ବୋତଲ ଦାୟିତ୍ଵରୁ ମୁଁ ନିଜକୁ ମୁକ୍ତ କରିନେବି । ସତ କହୁଛି, ସେଇ ଭୂତକୁ ଦେଖି ମୁଁ ଭୟାଭିଭୂତ ହୋଇପଡ଼ିଛି ।’’

 

“ଲୋପାକା ! ଏତେ ରାତିରେ ତମେ ତ ସମାଧି ବାଟଦେଇ ଯିବ । ତା’ହେଲେ ଆଉ ଡେରି କରନା । ଏଇ ଲଣ୍ଠନ ଓ ଥଳିଟି ନିଅ । ଥଳିରେ ବୋତଲଟିକୁ ଓ ମୋ ଘରୁ ଯେଉଁ ଭଲ ଜିନିଷ ଚାହଁ ତାହା ନେଇ ଶୀଘ୍ର ଯାଇ ଘରେ ନହିନୁ ପାଖେ ଶୋଇପଡ଼ । ମତେ କ୍ଷମା କରିବ; ଏଇ ବୋତଲ କାହାକୁ ନ ଦେବା ପର୍ଯ୍ୟନ୍ତ ମୋର ପୂଜାପୂଜି, ଖାଇବା, ଶୋଇବାରେ ମଧ୍ୟ ମନ ଲାଗିନଥାନ୍ତା ।”

 

“କିଉଇ ! ବନ୍ଧୁ ନିକଟରେ ପ୍ରତିଶ୍ରୁତି ରକ୍ଷା କରି, ମୁଣ୍ଡରେ ପାପର ବୋଝ ଓ ହାତରେ ଏଇ ଅଶୁଭ ବୋତଲକୁ ଧରି ଭୀତସଙ୍କୁଳ ପଥରେ ଯାତ୍ରା କଲାବେଳେ ମୋର ହୃଦୟ, ବିବେକ ନିଶ୍ଚୟ ଥରିଉଠିବା କଥା । ମାତ୍ର ମୁଁ ବର୍ତ୍ତମାନ ଏପରି ଭୀତ ଓ ବିହ୍ଵଳ ହୋଇପଡ଼ିଛି ଯେ ଏଥିଲାଗି କାହାକୁ ଦୋଷ ଦେବା କଥା ମୋ ମନରେ ଆଦୌ ସ୍ଥାନ ପାଉନି । ଭଗବାନଙ୍କୁ ପ୍ରାର୍ଥନା କରେ, ଯେପରି ତୁମେ ଏହି ଘରେ ସୁଖରେ କାଳାତିପାତ କର ଏବଂ ମୁଁ ମୋର ଜାହାଜଟି ଲାଭକରି ମୃତ୍ୟୁପରେ ଏଇ ଭୂତ ଓ ତା’ର ବୋତଲ ସତ୍ତ୍ୱେ ବି ଆମେ ସ୍ଵର୍ଗ ଲାଭ କରିବା । ଆଚ୍ଛା ନମସ୍କାର-।”

 

ଲୋପାକା ପର୍ବତ ତଳକୁ ଓହ୍ଲାଇ ଗୃହକୁ ଯାତ୍ରା କଲା । କିଉଇ ସମ୍ମୁଖ ଅଳିନ୍ଦରେ ଠିଆହୋଇ ତାରି ଯିବା ବାଟକୁ ଚାହିଁ ରହିଲା । କାନରେ ବାଜୁଥିଲା ତା’ର ଘୋଡ଼ା ଟାପୁର ଶବ୍ଦ । ମୃତ ବ୍ୟକ୍ତିମାନଙ୍କର ସମାଧି ଗହ୍ଵର ମଧ୍ୟ ଦେଇ ଲୋପାକା ଲଣ୍ଠନର କ୍ଷୀଣ ଆଲୋକ ଆଗକୁ ସଞ୍ଚାଳିତ ହୋଇ ଚାଲିଥାଏ । କମ୍ପିତ ଦୃଦୟରେ ବନ୍ଧୁର କଲ୍ୟାଣ କାମନାକରି ସେ ଭଗବାନଙ୍କୁ ଯୁକ୍ତକରରେ ପ୍ରାର୍ଥନା କଲା । ନିଜେ ବିପଦରୁ ରକ୍ଷା ପାଇଥିବା ଯୋଗୁ ଭଗବାନଙ୍କୁ ଅନ୍ତରର ଶ୍ରଦ୍ଧା ନିବେଦନ କଲା ।

 

ପରଦିନର ଉଜ୍ଜ୍ୱଳ ପ୍ରଭାତ ତା’ର ମନର ସବୁ ଗ୍ଳାନି ଓ ଭୀତ ଦୂର କରି ଦେଇଥିଲା । ନିଜ ଗୃହର ଅପୂର୍ବ ଶ୍ରୀରେ ବିମୁଗ୍ଧ ହୋଇ ଦିନପରେ ଦିନ ତା’ର ଗଡ଼ି ଚାଲିଲା; ଅଫୁରନ୍ତ ଆନନ୍ଦରେ ଘରର ଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପିବାକୁ ଲାଗିଲା । ସମସ୍ତେ ତାକୁ କେବେ “ସର୍ବୋତ୍ତମ ପ୍ରାସାଦ” ବା “ସମୁଜ୍ଜ୍ୱଳ ପ୍ରାସାଦ” ବୋଲି କହୁଥିଲେ । ପ୍ରକୃତରେ କିଉଇର ଚୀନା ଚାକରଟି ସର୍ବଦା ଘରର କାଚ ଝରକା, ଉପକରଣ ଓ ଚିତ୍ରାବଳୀକୁ ଝାଡ଼ିଝୁଡ଼ି ଏପରି ପରିଷ୍କାର ରଖୁଥିଲା ଯେ, ତାହା ବାସ୍ତବିକ ଦିବସପରି ସମୁଜ୍ଜ୍ୱଳ ଦିଶୁଥଲା । ସେଇ ଘରେ କିଉଇ ତୃପ୍ତ ହୃଦୟରେ ଗୀତ ବୋଲି ବୋଲି ସମୟ କାଟୁଥାଏ । ସମ୍ମୁଖବର୍ତ୍ତୀ ସମୁଦ୍ରରେ ଜାହାଜ ଯାଉଥିବାର ଦେଖିଲେ, ହୃଦୟ ତା’ର ଆନନ୍ଦରେ ନାଚି ଉଠେ ।

 

ବହୁଦିନ ପରେ ଦିନେ କିଉଇ ତା’ର ଜଣେ ବନ୍ଧୁଘରୁ ଭୋଜି ଖାଇ ସକାଳୁ ଘରକୁ ଫେରୁଥିଲା । ଗୃହର ମୋହ ତାକୁ ପ୍ରବଳଭାବେ ଆକୃଷ୍ଟ କରୁଥିବାରୁ ସେ ଖୁବ୍‍ ଦ୍ରୁତ ଗତିରେ ଘୋଡ଼ା ଝପଟାଇ ଚାଲିଥାଏ । ହଠାତ୍‍ ସମ୍ମୁଖବର୍ତ୍ତୀ ଦୂର ସାଗର ସୈକତରେ ଏକ ସ୍ନାନରତା ରମଣୀ ତା’ର ଦୃଷ୍ଟିପଥାରୂଢ଼ ହେଲା । ବସ୍ତ୍ର ପରିଧାନ କାଳରେ ତାହାର ଶୁଭ୍ର ବସ୍ତ୍ର ସଂଚାଳନ ସେ ସ୍ପଷ୍ଟ ଲକ୍ଷ୍ୟ କରିପାରିଲା । ଯୁବତୀର ସମ୍ମୁଖବର୍ତ୍ତୀ ହେଲାବେଳକୁ ଯୁବତୀଟି ତା’ର ପ୍ରସାଧନ ସମାପ୍ତ କରି ଅତି ସତେଜ ଓ କମନୀୟ ଦେଖା ଯାଉଥିଲା । ତା’ର ଉଜ୍ଜ୍ୱଳ ଚକ୍ଷୁ ପଲ୍ଲବ ଥିଲା ଗଭୀର ମମତାପୂର୍ଣ୍ଣ । ଏହି ରୂପସୀ ରମଣୀକୁ ଦେଖିବା ସଙ୍ଗେ ସଙ୍ଗେ ଅଜ୍ଞାତସାରରେ କିଉଇର ଘୋଡ଼ା ଲଗାମ ଟାଣି ହୋଇଗଲା ।

 

“ମୋର ଧାରଣା ଥିଲା, ମୁଁ ଏଠିକାର ସମସ୍ତଙ୍କୁ ଜାଣେ । ମାତ୍ର ଆଶ୍ଚର୍ଯ୍ୟ ଏଠି ଆପଣଙ୍କୁ କେବେ ଦେଖିନି ।” —କିଉଇ କହିଲା ।

 

“ମୁଁ କିଆନୋଙ୍କ ଝିଅ । ମୋ ନାଁ କୋକୁଆ ଏଇ ଅଳ୍ପ ସମୟ ହେବ ମୁଁ ଓହାଓରୁ ଏଠାକୁ ଫେରିଛି-। ଆପଣଙ୍କ ପରିଚୟ ?” ଝିଅଟି ଉତ୍ତର ଦେଲା । ଘୋଡ଼ାରୁ ଓହ୍ଲାଇ ପଡ଼ି କିଉଇ କହିଲା, ‘‘ହଁ, ସଂକ୍ଷେପରେ ମୁଁ ମୋର ପରିଚୟ ଦେବି । ମାତ୍ର ବର୍ତ୍ତମାନ ନୁହେଁ । ତା’ର କାରଣ ଅଛି । ମୋର ଧାରଣା, ତମେ ମୋ ବିଷୟ ନିଶ୍ଚୟ ଶୁଣିଥିବ, ମୋ ପରିଚୟ ଶୁଣିଲେ, ତୁମେ ହୁଏତ ଗୋଟିଏ ବିଷୟରେ ମତେ ସଠିକ ଉତ୍ତର ଦେବନାହିଁ । ହଉ, ତମେ ମତେ ଆଗ କୁହ ତ, ତୁମେ କ’ଣ ବିବାହିତା ?”

 

ଏହା ଶୁଣି କୋକୁଆ ଉଚ୍ଚ କଣ୍ଠରେ ହସି ଉଠି କହିଲା–“ତମେ ପୁରୁଷମାନେ ତ ଆଗେ ପ୍ରଶ୍ନ ପଚାର । ଆଚ୍ଛା, ତୁମେ ନିଜେ କ’ଣ ବିବାହିତ ?”

 

“ସତ କହୁଛି, ମୁଁ ବିବାହ’ତ କରିନାହଁ । ଏଇ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ବିବାହ କରିବାକୁ ଭାବି ନ ଥିଲି । ଏଇ ପଥ ପାର୍ଶ୍ଵରେ ମୋର ତୁମ ସଙ୍ଗେ ଦେଖା । ତାରକା ଭଳି ତୁମର ଦିଓଟି ସୁନ୍ଦର କଳା ଆଖି ଦେଖି ମୁଁ ସବୁ ଭୁଲିଯାଇଛି । ପକ୍ଷୀ ପରି ଦ୍ରୁତ ଗତିରେ ମୋର ହୃଦୟ ତୁମ ନିକଟକୁ ଉଡ଼ିଯାଇଛି । ତମେ ଯଦି ମତେ ପସନ୍ଦ ନ କରୁଛ, ତେବେ ସେଇଆ ଅକପଟରେ କୁହ । ମୁଁ ମୋର ଗୃହକୁ ଫେରିଯିବି । ଆଉ, ଯଦି ଅନ୍ୟଯୁବକମାନଙ୍କ ଠାରୁ ମତେ ଅତି ଅଭାଜନ ମନେ ନ କର, ତେବେ ତା’ ମଧ୍ୟ ପ୍ରକାଶ କର । ମୁଁ ଅବିଳମ୍ବେ ତୁମ ବାପାଙ୍କ ପାଖକୁ ଯାଇ ଏଇ ସମ୍ବନ୍ଧ ପକାଇବି ।”

 

କୋକୁଆ ପଦେହେଲେ କଥା ନ କହି ସମୁଦ୍ର ଆଡ଼େ ଚାହିଁ କେବଳ ହସିବାକୁ ଲଗିଲା ।

 

“କୋକୁଆ ! ତୁମର ମୌନତାକୁ ମୁଁ ସମ୍ମତିର ଲକ୍ଷଣ ମନେ କରୁଛି । ତା’ହେଲେ ଚାଲ, ତୁମର ବାପାଙ୍କ ପାଖକୁ ।’’

 

କୋକୁଆ ନୀରବରେ ଆଗେ ଆଗେ ଚାଲିବାକୁ ଲାଗିଲା, ନିଜ ଅଞ୍ଚଳକୁ ଓଠରେ ଚାପିଧରି । ବେଳେବେଳେ ସେ ପଛକୁ ଫେରି ଚାହୁଁଥାଏ । ଦୁହେଁଯାକ କିଆନୋର ଦ୍ୱାର ଦେଶରେ ପହଞ୍ଚିବା ସଙ୍ଗେ ସଙ୍ଗେ କିଆନୋ କିଉଇକୁ ଦେଖି ଆନନ୍ଦାତିଶଯ୍ୟରେ ସ୍ୱାଗତ ସମ୍ଭାଷଣ ଜଣାଇ ତାକୁ ଘର ଭିତରକୁ ନେଇଗଲା । କିଉଇର ନାମ କୋକୁଆ ବହୁବାର ଶୁଣିଛି । ତା’ର ସୁଦୃଶ୍ୟ, ଅନୁପମ ପ୍ରାସାଦ ଐଶ୍ଵର୍ଯ୍ୟ ବିଷୟ ଶୁଣିଛି । ତାହା ଅତ୍ୟନ୍ତ ଲୋଭନୀୟ । ଉଭୟଙ୍କର ଅତି ଆନନ୍ଦରେ ସେଇ ସନ୍ଧ୍ୟାଟି କଟିଲା । କୋକୁଆର ନିର୍ଭୀକତା ବୃଦ୍ଧିର ଦୀପ୍ତି କିଉଇକୁ ଆହୁରି ମୁଗ୍ଧ କଲା ।

 

ପରଦିନ ସକାଳୁ କିଆନୋ ସଙ୍ଗେ କିଉଇ କଥାଭାଷ ହେଲା । ପରେ କୋକୁଆକୁ ଏକାକୀ ପାଇ ସେ ପଚାରିଲା–“କୋକୁଆ ! ଗତ ସନ୍ଧ୍ୟାରେ ମୋ ସଙ୍ଗେ ଆଳାପ ଆଲୋଚନାରୁ ତମେ ମତେ ଭଲ ଭାବେ ବୁଝି ନେଇ ସାରିଥିବ । ଏବେ ମଧ୍ୟ ସମୟ ଅଛି, ମତେ ତୁମେ ଗ୍ରହଣ ନ କଲେ ମୁଁ ଫେରିଯିବି । ମୁଁ ଦିନେ କ’ଣ ଥିଲି ବା ମୋର ଆଜିକାର ଐଶ୍ଵର୍ଯ୍ୟ ବିଷୟରେ ମୁଁ ଅଧିକା କିଛି କହିବାକୁ ପସନ୍ଦ କରୁନାହିଁ । ମୋର ଆଶଙ୍କା ତା’ହେଲେ ତମେ ହୁଏତ ତୁମର ପ୍ରଣୟୀକୁ ବଡ଼ ବୋଲି ନଭାବି ସେଇ ଗୃହ ସମ୍ପଦକୁହିଁ ଅତି ବଡ଼ ମନେ କରିବ । ତମେ ତ ସବୁ ଜାଣ । ବର୍ତ୍ତମାନ ହିଁ ତୁମର ଅସମ୍ମତି ଥିଲେ ତାହା ବ୍ୟକ୍ତକର ।”

 

“ନା”—ପୂର୍ବପରି ନ ହସି କେବଳ ଅତି ସଂକ୍ଷେପରେ ଉତ୍ତର ଦେଲା କୋକୁଆ । କିଉଇ ମଧ୍ୟ ଆଉ କିଛି ପଚାରିଲା ନାହିଁ ।

 

ଉଭୟଙ୍କର ସମ୍ବନ୍ଧ ଅତିଶୀଘ୍ର ସ୍ଥିରୀକୃତ ହୋଇଗଲା । କୁମାରୀ କୋକୁଆ କାନରେ ପାର୍ବତ୍ୟ ସମୀରଣରେ କେବଳ ପ୍ରତିଧ୍ୱନିତ ହେଲା ତରୁଣ କିଉଇର କଣ୍ଠସ୍ଵର । ମାତ୍ର ଦୁଇଥର ଦେଖିଥିବା ଏହି ତରୁଣ ଲାଗି ସେ ଆଜି ତା’ର ପ୍ରିୟ ଜନ୍ମଭୂମି, ପିତା, ମାତା ସମସ୍ତଙ୍କୁ ଛାଡ଼ିଯିବାକୁ ପ୍ରସ୍ତୁତ । କିଉଇ ମଧ୍ୟ ସେହିପରି ଘୋଡ଼ାରେ ଚଢ଼ି ସମାଧିପୂର୍ଣ୍ଣ ପାର୍ବତ୍ୟ ଭୂମି ମଧ୍ୟ ଦେଇ ଯାଇଥିବା ବେଳେ ବିହ୍ୱଳ ଆନନ୍ଦରେ ମନକୁ ମନ ଗୀତ ଗାଇ ଗାଇ ଚାଲିଗଲା । ଘରେ ପହଞ୍ଚି, ଏପରିକି ଖାଇଲା ବେଳେ ମଧ୍ୟ ତା’ର ସଙ୍ଗୀତ ଗାଇବାର ବିରାମ ହେଲା ନାହିଁ । ଚୀନା ଚାକରଟି ମୁନିବଙ୍କର ଏପରି ଭାବାବେଶର ହେତୁ ବୁଝିନପାରି ବିସ୍ମିତ ହେଲା । ସମୁଦ୍ର ମଝିରେ ସୂର୍ଯ୍ୟ ଅସ୍ତମିତ ହେଲେ-। ଉଜ୍ଜ୍ୱଳ ଲ୍ୟାମ୍ପ ଆଲୋକରେ ଅଳିନ୍ଦରେ ପଦଚାରଣା କରୁ କରୁ କିଉଇର ସଙ୍ଗୀତାଳାପ ସାଗରଚାରୀ ନାବିକଙ୍କୁ ମଧ୍ୟ ଚକିତ କଲା ।

 

କିଉଇ ସ୍ଥିର କଲା, ଆଜି ପ୍ରଥମଥର ପାଇଁ ସେ ତା’ର ସବୁ ପ୍ରକୋଷ୍ଠକୁ ଉଜ୍ଜ୍ୱଳ ଆଲୋକମାଳାରେ ଆଲୋକିତ କରି ଉପର ମହଲାର ସୁରମ୍ୟ ସୁସଜ୍ଜିତ ବାସର ଗୃହରେ ଶୟନ କରିବ । ଉତ୍ତେଜନାର ଉପଶମ ଲାଗି ସେ ସ୍ନାନାଗାରକୁ ପ୍ରବେଶ କଲା । ମାର୍ବଲର ଜଳପାତ୍ର ଜଳପୂର୍ଣ୍ଣ ଥାଏ । କିଉଇ ସ୍ନାନାଗାରରେ ପ୍ରବେଶ କଲାପରେ ମଧ୍ୟ ତା’ର ଚାକର ଶୁଣିବାକୁ ପାଇଲା କିଉଇର ନିରବଚ୍ଛିନ୍ନ ମୃଦୁ ସଙ୍ଗୀତ । ମାଲିକଙ୍କର ଆଜିକାର ଏଇ ବିଚିତ୍ର ଆଚରଣରେ ବିସ୍ମିତ ହୋଇ ଚାକର ପଚାରିଲା—‘‘ଆପଣଙ୍କ ଦେହ କୁଶଳ ତ ?” କିଉଇ ସଂକ୍ଷେପରେ “ହଁ” କରି ତାକୁ ଶୋଇବାକୁ ଯିବାକୁ ଆଦେଶ ଦେଲା । ତା’ପରେ ଏଇ ‘‘ସମୁଜ୍ଜ୍ୱଳ ପ୍ରାସାଦ”ରେ କିଉଇର ସଙ୍ଗୀତ ଧ୍ୱନି ହଠାତ୍‍ ନୀରବ ହୋଇଗଲା । ତା’ପରେ ପ୍ରାସାଦର ପ୍ରଶସ୍ତ ଅଳିନ୍ଦରେ ସାରାରାତି କିଉଇର ଚାକର କେବଳ ଶୁଣିବାକୁ ପାଇଥିଲା—କିଉଇର ଅବିଶ୍ରାନ୍ତ ପଦଚାରଣାର ଶବ୍ଦ....ଅବିରାମ ଓ ଅସ୍ଥିର ।

 

କଥା ହେଉଚି—ସ୍ନାନାଗାରରେ ସ୍ନାନ ଲାଗି ନିଜକୁ କିଉଇ ବିବସ୍ତ୍ର କଲାପରେ ହଠାତ୍‍ ନିଜ ଦେହ ଉପରେ ଲକ୍ଷ୍ୟ କଲା ଏକ ଅଶୁଭ ଚିହ୍ନ……ରୁକ୍ଷ, କର୍କଶ ଓ ବୋଧଲେଶହୀନ । ଚର୍ମ ଉପରିସ୍ଥ ସେଇ ଛଉଟି ଦେଖି କିଉଇ ଜାଣିଲା, ତା’ ଆଉ କିଛି ନୁହେଁ.....କୁଷ୍ଠ..... । ସେ ହୋଇଛି ଏହି ଅଶୁଚି ରୋଗାକ୍ରାନ୍ତ । ବନ୍ଧୁ ପରିଜନ ପୂର୍ଣ୍ଣ ଏହି ସୁବିଶାଳ ହର୍ମ୍ୟରେ ନୁହେଁ, ସୁଦୂର ନିର୍ଜନ ବନ୍ଧୁହୀନ ଏକ କୁଷ୍ଠାଶ୍ରମରେହିଁ ତା’ର ସ୍ଥାନ । ପୁଣି ଏପରି ଏକ ସମୟରେ ! ଠିକ୍ କାଲି ସେ ତା’ର ପ୍ରଣୟିନୀକୁ ଭେଟି ମାତ୍ର ଆଜି ସକାଳୁ ତା’ର ହୃଦୟ ପାଇପାରିଛି । ଆଉ ବର୍ତ୍ତମାନ ! ସେ ଦେଖୁଚି କାଚଖଣ୍ଡ ଭଳି ତା’ର ସମସ୍ତ ସ୍ଵପ୍ନ, ଆଶା, ଅଭିଳାଷ ଏକ ମୁହୂର୍ତ୍ତରେ ଚୁରମାର ହୋଇଗଲା ! ଠିକ୍‍ ସେଇ ମୁହୂର୍ତ୍ତରୁ ସେ ଆଉ ଗୀତ ଗାଇ ନାହିଁ । ମୁହୂର୍ତ୍ତକ ଲାଗି ସେ ସ୍ନାନ ପାତ୍ର ଉପରେ ବସିପଡ଼ିଲା-। ତା’ପରେ ଚିତ୍କାର କରି ଉଠିପଡ଼ି ସେ ଧାଇଁଗଲା ବାହାରକୁ । ତା’ପରେ ଚାଲିଲା ତା’ର ବ୍ୟାଲ୍‍କନି ସାରା ସାରାରାତି ବ୍ୟାପୀ ହତାଶା ଚଞ୍ଚଳ ପରିଭ୍ରମଣ ।

 

କିଉଇ ଭାବି ଚାଲିଲା—ଅତି ଅନାୟାସରେ ମୁଁ ହୁଏତ ଏଇ ସୁରମ୍ୟ ହର୍ମ୍ୟ ଓ ମୋର ପିତୃପିତାମହଙ୍କ ଜନ୍ମଭୂମି ଛାଡ଼ି କେଉଁ କୁଷ୍ଠାଶ୍ରମକୁ ଯାଇପାରେ । ନିଜର ଜ୍ଞାତି , କୁଟୁମ୍ବ ଛାଡ଼ି ରୋଗଗ୍ରସ୍ତ ବ୍ୟକ୍ତିଙ୍କ ମେଳରେ ବସବାସ କରିବାକୁ ବି ମୁଁ ପ୍ରସ୍ତୁତ । କିନ୍ତୁ କୋକୁଆ….ମୋର ଜୀବନର ଆଲୋକ, ହୃଦୟର ଚନ୍ଦନ......ତାକୁ ମୁଁ କିପରି ଗ୍ରହଣ ନ କରିବି ? କି ଅପରାଧ ବା କରିଛି ମୁଁ । ମୋର କି ପାପ ଯୋଗୁ ତା’ର ମଧୁର ସ୍ପର୍ଶରୁ ମୁଁ ବଞ୍ଚିତ ହେବି ? କୋକୁଆ....କେବଳ ତାରି ଲାଗିହିଁ ମୋର ସବୁ ଶୋକାଶ୍ରୁ ।

 

କିଉଇ ଥିଲା ଏଇ ପ୍ରକୃତିର ଲୋକ । ନିଜର ଏଇ ରୋଗ ବିଷୟ ଗୋପନ ରଖି କୋକୁଆକୁ ଭୁଲିଯାଇ ଅନାୟାସରେ ସେ ବର୍ଷ ବର୍ଷ ରହି ପାରିଥାନ୍ତା କିମ୍ବା ସ୍ଵାର୍ଥପର ନୀଚମନା ବ୍ୟକ୍ତି ଭଳି ରୋଗାକ୍ରାନ୍ତ ହୋଇ ମଧ୍ୟ ସେ କୋକୁଆକୁ ବିବାହ କରି ପାରିଥାନ୍ତା । ମାତ୍ର କିଉଇର ପ୍ରେମ ଥିଲା ସୁପୁରୁଷ ଜନୋଚିତ ; ସେ ତା’ର ପ୍ରଣୟିନୀକୁ ରୁଗ୍‍ଣ, ବିପନ୍ନ ବା ଆହତ କରିବାକୁ ଚାହୁଁ ନଥିଲା ।

 

ନିଶାବସାନ ପୂର୍ବରୁ ହଠାତ୍‍ ତା’ର ସେଇ ବୋତଲ ବିଷୟ ମନେପଡ଼ିଲା । ଠିକ୍ ଏଇ ସ୍ଥାନରେ ସେ ସ୍ଵଚକ୍ଷୁରେ ଦେଖିଥିଲା ବୋତଲର ଭୂତକୁ । ଭୟରେ ତା’ର ଦେହ ରୋମାଞ୍ଚିତ ହୋଇଉଠିଲା । କିଉଇ ଭାବିଲା, ସେ ବୋତଲ ଭୟଙ୍କର, ସେ ଭୂତ ବି ଭୟଙ୍କର, ନର୍କର ଅନଳ ମଧ୍ୟ ତତୋଽଧିକ ଭୟାବହ । ମାତ୍ର ଏଗୁଡ଼ିକୁ ବରଣ କରିବା ବ୍ୟତୀତ ଏଇ ଦୁରାରୋଗ୍ୟ ରୋଗରୁ ମୁକ୍ତ ହେବାର ଓ କୋକୁଆକୁ ବିବାହ କରିବାର ଆଉ କେଉଁ ପଥ ବା ଅଛି ?

 

ମାତ୍ର ଘରଟିଏ ପାଇବା ଲାଗି ଭୂତର ଶରଣ ନେଲି, ଅଥଚ କୋକୁଆକୁ ପାଇବା ଲାଗି ପୁଣି କ’ଣ ସେଇଆ କରିପାରିବି ନାହିଁ ? ଯେଉଁ ବୋତଲ ଅନ୍ୟକୁ ନ ଦେବା ପର୍ଯ୍ୟନ୍ତ ମୋର ଶାନ୍ତି ନଥିଲା, ଆଜି ତାହାହିଁ ମୋର ଏକମାତ୍ର ଭରସାର ସ୍ଥଳ । ତେଣୁ ପ୍ରଥମେ ମୁଁ ଜାହାଜରେ ହନଲୁଲୁକୁ ଯାଇ ଲୋପାକାକୁ ଖୋଜି ବାହାର କରିବି ।

 

ଭୋଜନ ଶୟନ ତାକୁ ବିଷଭଳି ମନେହେଲା । ସକାଳୁ ସେ ଘୋଡ଼ାଚଢ଼ି ପୋତାଶ୍ରୟ ଆଡ଼େ ଯାତ୍ରାକଲା । ଅତ୍ୟନ୍ତ ଦ୍ରୁତ ଗତିରେ ସମାଧିମାଳା ମଧ୍ୟ ଦେଇ ଗଲାବେଳେ ଏଇ ପଥରେ ତା’ର ଗତକାଲିର ଅଶ୍ଵାରୋହଣ ବିଷୟ ମନେପଡ଼ିଲା । ନିଜ ଶୋଚନୀୟତା ବିଷୟ ଭାବି ସମାଧିଗୁଡ଼ିକରେ ଶାୟିତ ନିଶ୍ଚିନ୍ତମନା ଆତ୍ମାମାନଙ୍କ ପ୍ରତି ତା’ର ଈର୍ଷା ଜାତ ହେଲା ।

 

ପୋତାଶ୍ରୟରେ କେତେବେଳେ ସେ ପହଞ୍ଚିଚି, ତାକୁ ଜଣାନାହିଁ । ରାଜ୍ୟର ବହୁଲୋକ ସେଠି ଗୋଦାମ ଘର ନିକଟରେ ଜାହାଜ ଅପେକ୍ଷାରେ ବସି ନାନା ବିଷୟରେ ଗଳ୍ପ କରୁଥାନ୍ତି । ମାତ୍ର କିଉଇର ଶୂନ୍ୟ ହୃଦୟରେ ଗଳ୍ପ କରିବାକୁ କିଛି ନ ଥିଲା । ଉଦାସୀନଭାବେ ସେ ନୀରବରେ ବସିରହିଲା ସେମାନଙ୍କ ମେଳରେ ।

 

“ବିଚିତ୍ର କଥା, ସମୁଜ୍ଜ୍ଵଳ ଅଟ୍ଟାଳିକାବାସୀ କିଉଇଙ୍କ ମନ ଆଜି ଅପ୍ରସନ୍ନ’’—ଜଣେ ଆଉ ଜଣଙ୍କୁ ଚୁପ୍‍ ଚୁପ୍‍ କରି କହିଲା ।

 

ବହୁ ଅଶ୍ଵ, ବୃକ୍ଷ ସହିତ ଆଗ୍ନେୟଗିରି ଦର୍ଶନକାମୀ ଓ ଅନ୍ୟାନ୍ୟ ବହୁ ଶ୍ରେଣୀର ଲୋକଙ୍କୁ ବକ୍ଷରେ ଧରି ଜାହାଜ ଆଗେଇ ଚାଲିଲା । ମାତ୍ର କିଉଇ ପୂର୍ବପରି ଏକାକୀ ବସିରହିଲା । ଉପକୂଳ ନିକଟରୁ ପା‍ମ୍‍କୁଞ୍ଜ ମଧ୍ୟରୁ ଦେଖାଗଲା କିଆନୋର ଘର । ଆଉ ତା’ ଭିତରେ ‘ସଞ୍ଚାରିଣୀ ପଲ୍ଲବିନୀ ଲତା’ ଭଳି କୋକୁଆକୁ ଦେଖି କିଉଇର ହୃଦୟ କହିଉଠିଲା— “ହାୟ ମୋର ହୃଦୟର ରାଣୀ ! —ତୁମ ଲାଗି କରିବି ମୁଁ ଅସାଧ୍ୟ ସାଧନ ।“

 

ଜାହାଜରେ ସନ୍ଧ୍ୟା ଉପଗତ । ଜାହାଜର ପ୍ରକୋଷ୍ଠ ସକଳ ଆଲୋକମାଳାରେ ବିଭୂଷିତ ହେଲା । କେତେକ ଯାତ୍ରୀ ଅଭ୍ୟସ୍ତ ରୀତିରେ ହୁସ୍କିଇ ପିଇ ତାସ ଖେଳି ବସିଲେ । ମାତ୍ର କିଉଇ ସାରା ରାତି ଜାହାଜ ଉପରେ ପଦଚାରଣା କରିବାକୁ ଲାଗିଲା । ତା’ ପରଦିନ ସକାଳେ ମଧ୍ୟ ଜନ୍ତାରେ ଥିବା ବନ୍ୟ ଜନ୍ତୁ ଭଳି ସେ ଅସ୍ଥିର ଚିତ୍ତରେ ଏପଟ ସେପଟ ଯା-ଆସ କରିବାରୁ ବିରତ ହେଲାନାହିଁ ।

 

ହନଲୁଲୁରେ ଜାହାଜରୁ ଅବତରଣ କରି କିଉଇ ଲୋପାକାର ଅନୁସନ୍ଧାନରେ ଲାଗିଗଲା । ଶୁଣିଲା, ସେ ଏହା ମଧ୍ୟରେ ଏକ ଜାହାଜର ଅଧିକାରୀ ହୋଇ ସୁଦୂର ଖଇକୀ ଅଭିଯାନରେ ଚାଲିଯାଇଛି । ଲୋପାକାର ଅନୁସନ୍ଧାନ ବୃଥା । ସେଇ ସହରର ଜନୈକ ଆଇନଜୀବୀ ବନ୍ଧୁଙ୍କ (ତାଙ୍କ ନାମ ମଧ୍ୟ ମୁଁ କହିବାକୁ ଚାହେଁ ନା) ବିଷୟ କିଉଇଙ୍କର ମନେପଡ଼ିଲା-। ଶୁଣିଲା, ସେ ଏହା ମଧ୍ୟରେ ହଠାତ୍‍ ଧନୀ ହୋଇ ଯାଇଛନ୍ତି । ଓ୍ୟେକିକି କୂଳରେ ତାଙ୍କର ମନୋରମ ଅଟ୍ଟାଳିକା । କିଉଇ ମନରେ ଏକ ଭାବନା ଜାତ ହେଲା । ଗୋଟିଏ ଗାଡ଼ିକରି ଯାଇ ସେ ତାଙ୍କ ଗୃହରେ ଉପସ୍ଥିତ ହେଲା ।

 

ପୁଷ୍ପବାଟିକା ମଧ୍ୟସ୍ଥ ତାଙ୍କର ଗୃହଟି ବାସ୍ତବିକ ସଦ୍ୟନିର୍ମିତ ଓ ସୁଦୃଶ୍ୟ । କିଉଇ ପ୍ରଥମ ସାକ୍ଷାତରେ ଲକ୍ଷ୍ୟକଲା, ଓକିଲ ବନ୍ଧୁଙ୍କ ମୁହଁ ତୃପ୍ତିରେ ଉଦ୍‍ଭାସିତ ।

 

“କି ଉପକାର ମୁଁ ତୁମର କରିପାରିବି ବନ୍ଧୁ” —ଓକିଲ ପଚାରିଲେ ।

 

“ମୁଁ ଜାଣେ, ଲୋପାକା ସହିତ ତୁମର ଘନିଷ୍ଠତା ଥିଲା । ଅନେକ ଦିନ ପୂର୍ବେ ଲୋପାକା ମୋ’ଠାରୁ ଗୋଟିଏ କାଚଶିଶି କିଣିଥିଲା । ମୁଁ ଭାବୁଚି, ତମେ ମୋତେ ତା’ର ସନ୍ଧାନ ଦେଇପାରିବ-।”

 

ଓକିଲ ବନ୍ଧୁଙ୍କ ମୁଖ ହଠାତ୍‍ ଅତ୍ୟନ୍ତ ବିବର୍ଣ୍ଣ ହୋଇଗଲା । “ବନ୍ଧୁ କିଉଇ ! ମୁଁ ତୁମ କଥା ଠିକ୍‍ ବୁଝିପାରୁଚି । ମାତ୍ର ଏଇ ବିଷୟରେ ଜଡ଼ିତ ହେବା ଅତି ଜଘନ୍ୟ । ଯା’ହେଉ, ଏଇ ସହରରେ ତା’ର ଟିକିଏ ଅନୁସନ୍ଧାନ କଲେ….ମାନେ....ତମେ ଯଦି ଅମୁକଙ୍କ ପାଖକୁ (ତାଙ୍କ ନାମ ମଧ୍ୟ ନ କହିବା ଉଚିତ) ଯାଅ–”

 

ତାହାରି ସନ୍ଧାନରେ ଦିନ ପରେ ଦିନ କିଉଇକୁ କେବଳ ଜଣକ ନିକଟରୁ ଆଉ ଜଣକ ନିକଟକୁ ଯିବାକୁ ହେଲା । ସବୁଠି ସେଇ ନୂତନ ବାସଭବନ, ନୂତନ ପରିଧେୟ, ଯାନବାହନ-ସମନ୍ୱିତ ପରିତୃପ୍ତ ଜୀବନଯାତ୍ରା । ମାତ୍ର ସେମାନଙ୍କ ନିକଟରେ ସେଇ ବୋତଲ ବିଷୟ ଉତ୍‍ଥାପନ କରିବା ମାତ୍ରେ ସେମାନଙ୍କ ମୁଖରେ ଶ୍ରାବଣର ଅନ୍ଧକାର ନଇଁ ଆସିଲା ।

 

କିଉଇ ଭାବିଲା—ମୁଁ ବର୍ତ୍ତମାନ ଠିକ୍‍ ବାଟରେ ଅନୁସନ୍ଧାନ କରୁଛି । ଏମାନଙ୍କର ଏସବୁ ହସହସ ମୁଖ, ବିଳାସ ବ୍ୟସନ, ସବୁ କେବଳ ସେଇ ବୋତଲଭୂତର ପ୍ରସାଦରୁ ଏବଂ ସର୍ବୋପରି ସହଜରେ ସେଇ ଅମଙ୍ଗଳପ୍ରଦ ବସ୍ତୁଠାରୁ ନିଷ୍କୃତି ଲାଭ କରିଥିବା ଯୋଗୁହିଁ ସମ୍ଭବ ହୋଇଛି । କିନ୍ତୁ ଯେଉଁଠି ମଳିନ ମୁଖର କରୁଣତା ଦେଖିବି କିମ୍ବା ଦୀର୍ଘଶ୍ଵାସ ଶୁଣିବି, ସେଇଠି ଜାଣିବି ଯେ, ସେଇ ବୋତଲଟି ମୋର ଅତି ନିକଟରେ ।

 

ଦିନେ ସେ ସନ୍ଧ୍ୟାର ଆସନ୍ନ ଅନ୍ଧକାର ମଧ୍ୟରେ ଜଣକର ଦ୍ଵାର ଦେଶରେ ପହଞ୍ଚିଲା । ଏଠି ମଧ୍ୟ ଗୃହ ନବନିର୍ମିତ, ଉପବନ ସଦ୍ୟରୋପିତ ଓ ବିଦ୍ୟୁତାଲୋକିତ ଗବାକ୍ଷ ପ୍ରଭୃତିରେ ନୂତନତାର ନିଦର୍ଶନ । ମାତ୍ର ଗୃହସ୍ଵାମୀଙ୍କ ସହିତ ସାକ୍ଷାତ କରିବା ମାତ୍ରେ ଗଭୀର ଆଶା ଓ ଆଶଙ୍କାରେ କିଉଇର ହୃଦୟ ଅଭିଭୂତ ହୋଇପଡ଼ିଲା । ଏଇ ତରୁଣ ଗୃହସ୍ଵାମୀଙ୍କ ଦେହଥିଲା ଶବ ଭଳି ସ୍ୱଚ୍ଛ, ବିମଳିନ—ଚକ୍ଷୁ କୋଟରଗତ ଓ ଘନକାଳିମାଯୁକ୍ତ; ମସ୍ତକ ଥିଲା କେଶବିରଳ, ମୁଖରେ ଥିଲା ଫାସୀ ପ୍ରତୀକ୍ଷାରେ ଥିବା ଭଳି ବ୍ୟକ୍ତିର ଅସହାୟ ଚାହାଣି ।

 

କିଉଇ ଏହାଙ୍କୁ ଉପଯୁକ୍ତ ବ୍ୟକ୍ତି ମନେକରି ସ୍ଵଚ୍ଛନ୍ଦରେ ନିଜ ଅଭିପ୍ରାୟ ବ୍ୟକ୍ତକଲା “ମୁଁ ବୋତଲଟିକୁ କିଣିବାକୁ ଆସିଛି ।”

 

ଏହା ଶୁଣିବା ମାତ୍ରେ ଗୃହସ୍ଵାମୀ ହଠାତ୍‍ ସଚକିତ ହୋଇଉଠିଲେ । ଉତ୍ତେଜନାରେ ଥରିଲା କଣ୍ଠରେ ସେ କହିଲେ, “ଓଃ ବୋତଲ ! ବୋତଲ କିଣିବାକୁ !” କଣ୍ଠ ତାଙ୍କର ଅବରୁଦ୍ଧ ହୋଇପଡ଼ିଲା । କିଉଇର ବାହୁକୁ ଧରି ସେ ପ୍ରକୋଷ୍ଠ ମଧ୍ୟକୁ ଘେନିଗଲେ ।

 

ଦୁଇଟି ପାତ୍ରରେ ସେ ମଦ୍ୟ ପୂର୍ଣ୍ଣ କରୁଥିବା ସମୟରେ କିଉଇ ପୁନଶ୍ଚ ଆରମ୍ଭ କଲା— “ହଁ, ମୁଁ ସେଇ ବୋତଲକୁ କିଣିବା ଲାଗି ଆସିଛି । ଆଚ୍ଛା, ବର୍ତ୍ତମାନ ତା’ର ଦାମ୍‍ କେତେ ହୋଇଛି-?”

 

ଏହା ଶୁଣିବାମାତ୍ରେ ଗୃହସ୍ୱାମୀଙ୍କ ହାତରୁ ମଦର ଗ୍ଲାସ୍‍ ଖସି ପଡ଼ିଲା । କିଉଇକୁ ସେ ଚାହିଁ ରହିଲେ ଏକ ଭୌତିକ ଦୃଷ୍ଟିରେ । କିଛି ସମୟ ପରେ ସେ କହିବାକୁ ଆରମ୍ଭ କଲେ— “ଦାମ୍‍-! ତା’ର ଦାମ୍ ! ତମେ ତା’ ଜାଣ ନାହିଁ ?”

 

“ହଁ ମୁଁ ସେଇ କଥା ତ ପଚାରୁଛି । ଏଥିରେ ଏପରି ବିଚଳିତ ହେବାର କ’ଣ ଅଛି ?”

 

“ମହାଶୟ, ତୁମ ବେଳଠାରୁ ଏହାର ଦାମ୍‍ ବହୁତ କମିଯାଇଛି ।” ସ୍ଖଳିତ କଣ୍ଠରେ ସେ ଉତ୍ତର ଦେଲେ ।

 

“ମୁଁ ତା’ଠାରୁ କମ୍‍ ଦାମରେ ୟାକୁ କିଣିବାକୁ ପ୍ରସ୍ତୁତ । ତମେ ୟାକୁ କେତେ ଦାମରେ କିଣିଥିଲ ?”

 

ଭଦ୍ରବ୍ୟକ୍ତି କାଗଜଭଳି ଶେତା ପଡ଼ିଯାଇ କହିଲେ, “ମାତ୍ର ଦୁଇ ସେଣ୍ଟ ।’’

 

“କ’ଣ ହେଲା ! ମାତ୍ର ଦୁଇ ସେଣ୍ଟ !” ତୁମେ ତା’ହେଲେ ୟାକୁ କେବଳ ଏକ ସେଣ୍ଟରେ ବିକ୍ରି କରିପାରିବ ! ଯେ ୟାକୁ କିଣିବ—ଅବଶିଷ୍ଟ କଥା ଆଉ ତା’ର କଣ୍ଠରେ ଉଚ୍ଚାରିତ ହୋଇପାରିଲା ନାହିଁ । —ଯେ ବୋତଲକୁ କଣିବ, ସେ ତାକୁ କାହାରିକୁ ଆଉ ବିକିପାରିବ ନାହିଁ । ତା’ର ମୃତ୍ୟୁ ପର୍ଯ୍ୟନ୍ତ ବୋତଲର ଭୂତ ତା’ ପାଖେ ପାଖେ ରହିବ ଏବଂ ମୃତ୍ୟୁ ପରେ ତାକୁ ନର୍କର ଅଗ୍ନିକୁଣ୍ଡକୁ ବହିନେବ ।

 

ତରୁଣ ଗୃହସ୍ଵାମୀ ଜାନୁପାତ ପୂର୍ବକ କରୁଣ ସ୍ୱରରେ ଅନୁନୟ କଲେ— “ଆପଣ ୟାକୁ କିଣନ୍ତୁ । ଈଶ୍ୱରଙ୍କ ନାମରେ ଶପଥ କରୁଛି, ଆପଣଙ୍କୁ ମୋର ସମସ୍ତ ସମ୍ପତ୍ତି ଦେବାକୁ ମୁଁ ରାଜି । ଏହି ଦାମରେ ମୁଁ ନିରୁପାୟ ହୋଇ କିଣିବାକୁ ବାଧ୍ୟ ହୋଇଥିଲି । କାରଣ, ମାଲଖାନାରୁ ମୋର ତୋଷରପାତ କରିଥିବା ଯୋଗୁ ସେତେବେଳେ ମୋର କାରାଦଣ୍ଡ ଭୋଗିବା ଏକପ୍ରକାର ସୁନିଶ୍ଚିତ ଥିଲା ।’’

 

“ହାୟ ନରାଧାମ ! ଜଘନ୍ୟ ଅପରାଧର ଯଥାଯୋଗ୍ୟ ଶାସ୍ତିରୁ ଅବ୍ୟାହତି ପାଇବା ଲାଗି ତୁମେ ଯଦି ନର୍କ ବରଣ କରିବାକୁ ପଶ୍ଚାତ୍‍ପଦ ନ ହେଲ, ମୁଁ ମୋର ପ୍ରେମ ଲାଗି କାହିଁକି ତେବେ ଦ୍ଵିଧା କରିବି ? ହେଇ, ଏ ପାଞ୍ଚ ସେଣ୍ଟ ମୁଦ୍ରାଟି ନେଇ ମତେ ବୋତଲଟି ଓ ମୋର ଅବଶିଷ୍ଟ ପ୍ରାପ୍ୟ ଫେରାଇ ଦିଅ ।’’

 

ବୋତଲଟି ହସ୍ତଗତ ହେବାରୁ କିଉଇ ରୋଗମୁକ୍ତ ହେବାଲାଗି ନିଜ ଅଭିଳାଷ ବ୍ୟକ୍ତ କଲା । ବାସ୍ତବିକ, ନିଜ ଘରେ ପହଞ୍ଚିଲା ବେଳକୁ ତା’ର ଚର୍ମ ଶିଶୁର ଚର୍ମ ଭଳି ସ୍ନିଗ୍ଧ, କୋମଳ ହୋଇଯାଇଥିଲା । ମାତ୍ର ଏ ଅସମ୍ଭବ ସମ୍ଭବ ହେବା ମାତ୍ରେ ତା’ର ମନରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା । ଆଉ ଗୋଟିଏ ଚିନ୍ତା ତା’ର ମନକୁ ଅଧିକାର କଲା—ଆଜିଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ସେ ବୋତଲର ଭୂତ ନିକଟରେ ବନ୍ଧା, ନର୍କର ଅଗ୍ନିକୁଣ୍ଡରୁ ନିଷ୍କୃତି ଲାଭର ଆଶା ତା’ର ଆଉ ନାହିଁ । ମନଶ୍ଚକ୍ଷୁରେ ସେ ତା’ର ସମ୍ମୁଖରେ ଅଗ୍ନିକୁଣ୍ଡର ପ୍ରଜ୍ଵଳିତ ଶିଖା ଦେଖିବାକୁ ପାଇଲା ।

 

ଷ୍ଟିମାରରେ ବସି ସେ ହାୱାଇ ଯାତ୍ରା କଲା । କୋକୁଆକୁ ବିବାହ କରି ତାକୁ ସାଙ୍ଗରେ ନେଇ ନିଜର ସମୁଜ୍ଜ୍ୱଳ ପ୍ରାସାଦକୁ ଫେରିଲା । ମାତ୍ର କିଉଇ ପ୍ରାଣରେ ଅଖଣ୍ଡ ଶାନ୍ତି କାହିଁ ? କୋକୁଆ ସହିତ ଥିବାବେଳେ ହୃଦୟରେ ତା’ର ଶାନ୍ତି ବିରାଜମାନ କରୁଥିଲେ ହେଁ ଏକାକୀ ଥିବା ସମୟରେ ସେ ଦୁଶ୍ଚିନ୍ତାଗ୍ରସ୍ତ, ନର୍କର ଅଗ୍ନିକୁଣ୍ଡ ବିଭୀଷିକାରେ ଆତଙ୍କିତ ହେଉଥିଲା । କୋକୁଆ ତା’ର ସମସ୍ତ ନାରୀତ୍ୱକୁ କିଉଇର ପାଦତଳେ ଉତ୍ସର୍ଗ କରିଦେଇଥିଲା । କିଉଇକୁ ଦେଖିଲେ ତା’ର ହୃଦୟ ଉଚ୍ଛ୍ଵସିତ ହୋଇ ଉଠୁଥିଲା । ସର୍ବଦା ମିଷ୍ଟଭାଷିଣୀ କୋକୁଆର ବ୍ୟବହାର ଥିଲା ମନୋରମ-। ଆପାଦମସ୍ତକ ସେ ଥିଲା ଏକ ସ୍ନିଗ୍ଧ ଆନନ୍ଦର ପ୍ରତିମୂର୍ତ୍ତି । ପକ୍ଷୀ ଭଳି ସେ ଥିଲା ଚଞ୍ଚଳ, ସଙ୍ଗୀତମୁଖର । ସମୁଜ୍ଜ୍ୱଳ ପ୍ରାସାଦର ତ୍ରିତଳ ତା’ର ମଧୁର କାକଳୀରେ ଗୁଞ୍ଜରିତ ହୋଇଉଠିଲା-। କିଉଇ ତାକୁ ଦେଖି ଓ ତା’ର ସଙ୍ଗୀତ ଶ୍ରବଣ କରି ବିମୁଗ୍ଧ ହେଉଥିଲା । ମାତ୍ର ମୁହୂର୍ତ୍ତକ ପରେ ସେ କୋକୁଆ ଲାଗି ସ୍ଵୀକାର କରିଥିବା ନିଜ ଜୀବନର ଚରମ ତ୍ୟାଗ ବିଷୟ ଭାବି କ୍ରନ୍ଦନ କରୁଥଲା-। ତା’ପରେ ଆଖିରୁ ଲୁହ ପୋଛି ମୁହଁ ଧୋଇ ପ୍ରଶସ୍ତ ବ୍ୟାଲ୍‍କନିରେ କୋକୁଆ ପାଖେ ଯାଇ ବସୁଥିଲା-। ଅପ୍ରସନ୍ନଭାବେ ତା’ର ସଙ୍ଗୀତ ଶୁଣୁଥିଲା ଏବଂ କୋକୁଆ ହସର ନିଷ୍ପ୍ରାଣ ପ୍ରତ୍ୟୁତ୍ତର ଦେଉଥିଲା-

 

କ୍ରମେ କୋକୁଆର ଆନନ୍ଦୋଚ୍ଛଳ ଚାଞ୍ଚଲ୍ୟ ଓ ସଙ୍ଗୀତ ଧାରା ମଧ୍ୟ କମି ଆସିଲା । ଆଗେ କିଉଇ କେବଳ ନିର୍ଜନରେ ନୀରବ ଅଶ୍ରୁ ତ୍ୟାଗ କରୁଥିଲା । ଉଭୟେ କେବେ କେବେ ପରସ୍ପରଠାରୁ ଅଲଗାହୋଇ ସମୁଜ୍ଜ୍ଵଳ ପ୍ରାସାଦରେ ଦୁଇ ବିପରୀତମୁଖୀ ବ୍ୟାଲ୍‍କନିରେ ନୀରବରେ କାନ୍ଦିବାକୁ ଲାଗିଲେ ।

 

ଦିନେ ଅତି ସନ୍ତର୍ପଣରେ କିଉଇ ଗୃହ ମଧ୍ୟରେ ଯାଉଥିବାବେଳେ ହଠାତ୍‍ ଚମକି ଠିଆ ହୋଇପଡ଼ିଲା । ତା’ର ଗୃହ ମଧ୍ୟରେ ଏକ ଶିଶୁର କ୍ରନ୍ଦନ । ନିକଟବର୍ତ୍ତୀ ହୋଇ ସେ ଦେଖିଲା, କୋକୁଆ ଚଟାଣ ଉପରେ ଏକ ଅସହାୟ ବାଟବଣା ଶିଶୁଭଳି କାନ୍ଦି ଗଡ଼ୁଛି ।

 

‘‘କୋକୁଆ ! ଏ ଘରେ ତୁମ ଆଖିରେ ଅଶ୍ରୁ ଦେଖିବି—ଏହା ମୁଁ କେବେ କଳ୍ପନା କରିନଥିଲି । ତୁମକୁ ସୁଖୀ କରିବାକୁ ପ୍ରୟୋଜନ ହେଲେ ମୁଁ ଜୀବନ ଦେବାକୁ ପ୍ରସ୍ତୁତ ।’’

 

“ସୁଖ ! ହାୟ, କିଉଇ ! ତୁମେ ଯେତେବେଳେ ଏଇ ଉଜ୍ଜ୍ୱଳ ଗୃହରେ ଏକାକୀ ରହୁଥିଲ, ତୁମକୁ ଏଠି ଏକମାତ୍ର ସୁଖୀ ବୋଲି ଏ ଦ୍ୱୀପରେ ସମସ୍ତେ କହୁଥିଲେ । ମୁଁ ଶୁଣିଛି ସେତେବେଳେ ହସ, ଗୀତ ସର୍ବଦା ତୁମ ମୁଖରେ ଲାଗି ରହିଥିଲା । ସୂର୍ଯ୍ୟୋଦୟ ଭଳି ତୁମର ମୁଖ ଥିଲା ଉଜ୍ଜ୍ୱଳ । ତା’ପରେ ଏଇ ଅଯୋଗ୍ୟା କୋକୁଆକୁ ତୁମେ ବିବାହ କଲ । ମୋର କି ଦୋଷ ତା’ସେଇ ଭଗବାନଙ୍କୁ ଗୋଚର । ମାତ୍ର ମୁଁ ଆସିଲା ଦିନୁ ତୁମ ମୁଖରୁ ସବୁ ଆନନ୍ଦ, ହସ ମରିଯାଇଛି । ମୋର ତ ଥିଲା ରୂପ, ପ୍ରାଣର ସହିତ ମୁଁ ତୁମକୁ ଭଲପାଇ ଆସିଛି, କିନ୍ତୁ କି ଦୋଷରେ ତୁମ ମନରେ ସୃଷ୍ଟି କଲି ଦୁଃଖର କାଳିମା’’ । ଅଶ୍ରୁରୁଦ୍ଧ କଣ୍ଠରେ କୋକୁଆ କହିଲା ।

 

କିଉଇ, କୋକୁଆ ପାଖେ ବସି ତା’ର କୋମଳ ହାତକୁ ଧରିବାକୁ ଚେଷ୍ଟା କରିବାରୁ, କୋକୁଆ ହାତକୁ ଦୂରେଇ ନେଲା । କିଉଇ ପୁଣି କହିବାକୁ ଆରମ୍ଭ କଲା, ‘‘ପ୍ରାଣର କୋକୁଆ, ବହୁବାର ତମକୁ ଗୋଟାଏ କଥା କହିବାକୁ ଭାବି କହିପାରି ନାହିଁ । ସେଇଆ ଆଜି କହୁଛି । ତା’ ଶୁଣିଲେ, ତମର ଏଇ ଅଭାଜନ କିଉଇକୁ ତୁମେ ହୁଏତ କରୁଣା କରିବ । ହୁଏତ ବୁଝିପାରିବ, ଅତୀତର କିଉଇ ତୁମକୁ କିପରି ଭଲ ପାଇଛି, ତୁମକୁ ପାଇବା ଲାଗି କିପରି ନର୍କର ସମ୍ମୁଖୀନ ହୋଇଛି । ପୁଣି ତୁମକୁ ଏଇ ଅପଦାର୍ଥ ଏପରି ଭଲପାଏ ଯେ, ନିଜ ଦୁଃଖକୁ ଗୋପନ କରି ମଧ୍ୟ ତୁମ ଲାଗି ମୁହଁରେ ହସ ଫୁଟାଇଛି ।’’

 

ସେ ନିଜର ସବୁ ବିଷୟ ମୂଳରୁ କୋକୁଆକୁ କହିଗଲା । କୋକୁଆ କିଉଇର ଗଳା ବେଷ୍ଟନ କରି କାନ୍ଦୁ କାନ୍ଦୁ ଅଭିଭୂତ ଭାବେ କହିଉଠିଲା, “ତମେ ପୁଣି ଛାର ମୋ ଲାଗି ୟା କରିଛ ! କ’ଣ ପାଇଁ ତେବେ ମୁଁ ଆଉ ଭୟ ବା ଶୋଚନା କରିବି ?”

 

“ଏକମାତ୍ର ନର୍କର ଭୟଲାଗି ମୋର ଶୋଚନାର ସୀମା ନାହିଁ ।’’

 

“ମତେ ଆଉ ସେ କଥା କହନାହିଁ । ମୁଁ ଜାଣିଲିଣି କୋକୁଆକୁ ଭଲ ପାଇଲେ ଯେକୌଣସି ଲୋକର ଅମଙ୍ଗଳ । କିନ୍ତୁ କହି ରଖୁଛି କିଉଇ, ମୁଁ ନିଜେ ତମକୁ ଏଥିରୁ ରକ୍ଷା କରିବି-। ନଚେତ୍‍ ତୁମ ସାଙ୍ଗରେ ସବୁ ଦୁର୍ଗତିକୁ ବହନ କରିବି । ମୋ ଲାଗି ତମେ ଯେତେବେଳେ ନିଜକୁ ବିପନ୍ନ କରିଛ, ତୁମକୁ ରକ୍ଷା କରିବାଲାଗି ମୁଁ ମଧ୍ୟ ମୃତ୍ୟୁ ବରଣ କରିବାକୁ ପ୍ରସ୍ତୁତ ।”

 

“କିନ୍ତୁ ତୁମେ ମୋ ଲାଗି ମୃତ୍ୟୁ ବରଣ କରିବାକୁ ପ୍ରସ୍ତୁତ ହେଲେ ବି ମୋର ତାହାଦ୍ୱାରା କି ଉପକାର ହେବ ? ନର୍କବାସ ମତେ ଏକାକୀ ହିଁ ସହିବାକୁ ପଡ଼ିବ ।”

 

“ତମେ ଜାଣନା, ମୁଁ ହନଲୁଲୁର ଏକ ବିଦ୍ୟାଳୟରେ ପାଠ ପଢ଼ିଛି । ସାଧାରଣ ଝିଅଙ୍କ ଭଳି ମୁଁ ଅପାଠୋଇ ନୁହେଁ । କହି ରଖୁଛି, ମୁଁ ନିଶ୍ଚୟ ତୁମକୁ ରକ୍ଷା କରିବି । ଗୋଟାଏ ସେଣ୍ଟ ପାଇଁ ତମେ ଚିନ୍ତା କରୁଛ ତ ? ଏଇ ଆମେରିକା ମୁଦ୍ରାତ ଜଗତରେ ଚାରିଆଡ଼େ ଚଳୁନି । ଇଂଲଣ୍ଡରେ ଚଳୁଥିବା ଫାର୍ଦ୍ଦିଙ୍ଗ ମୁଦ୍ରାର ମୁଲ୍ୟ ଅଧସେଣ୍ଟ । ତା’ହେଲେ ଉପାୟ ନାହିଁ କିପରି ? ଫ୍ରାନ୍ସରେ ଚଳେ ସେଣ୍ଟିମ୍‍ । ପାଞ୍ଚ ସେଣ୍ଟିମରେ ତ ଏକ ସେଣ୍ଟ ହୁଏ । ମୁଁ କହୁଛି ଚାଲ, ଆମେ ଯେତେ ଶୀଘ୍ର ସମ୍ଭବ ଫରାସି ଦ୍ୱୀପପୁଞ୍ଜର “ତାହିଟି”କୁ ଯିବା । ସେଠି ଆମେ ଜଣେ କ’ଣ, ଏକ, ଦୁଇ, ତିନି, ଚାରି ସେଣ୍ଟିମ୍‍ ପର୍ଯ୍ୟନ୍ତ ୪ ଜଣ କିଣାଳୀ ଯୋଗାଡ଼ କରିପାରିବା । ମୋ ସୁନାଟି ପରା, ଆଉ କିଛି ଚିନ୍ତା କରନା । ଦେଖ, କୋକୁଆ ତୁମକୁ ନିଶ୍ଚୟ ରକ୍ଷା କରିବ ।”

 

“ଭଗବାନଙ୍କ ଇଚ୍ଛା, ମୋର ଉଦ୍ଦେଶ୍ୟ ମହତ୍ । ଭଗବାନ ମୋତେ କାହିଁକି ଦଣ୍ଡିତ କରିବେ ? ତମେ ଯାହା କହୁଚ ତେବେ ତାହାହିଁ କରାଯାଉ । ମୋର ଜୀବନ ଓ ତା’ର ମୁକ୍ତି ମୁଁ, ତମ ପାଖେ ସମର୍ପି ଦେଉଛି ।”

 

(୨)

 

ପରଦିନ ସକାଳୁ କୋକୁଆ ଯାତ୍ରାର ଆୟୋଜନରେ ଲାଗି ପଡ଼ିଲା । ନୌଯାତ୍ରାଲାଗି ଉଦ୍ଦିଷ୍ଟ ଥଳିରେ ସେ ସଯତ୍ନରେ ବୋତଲଟିକୁ ରଖି ସେମାନଙ୍କର ମହାର୍ଘ ପରିଧେୟକୁ ମଧ୍ୟ ସେଥିରେ ରଖିଲା । ଭାବିଲା, ଆମେ ସେଠାରେ ଧନାଢ଼୍ୟ ବୋଲି ପ୍ରତୀୟମାନ ହେବା ଆବଶ୍ୟକ । ନୋହିଲେ, ଆମ ବୋତଲ ଶକ୍ତିରେ କାହାର ବିଶ୍ୱାସ ହେବ ? ଆୟୋଜନ କରିବା ବେଳେ ସେ ଥିଲା ପକ୍ଷୀଭଳି ଚଞ୍ଚଳ । ମାତ୍ର କିଉଇ ଉପରେ ନଜର ପଡ଼ିବା ମାତ୍ରେ ଆଖି ତା’ର ଛଳ ଛଳ ହୋଇ ପଡ଼ୁଥିଲା । ତା’ର ଇଛା ହେଉଥିଲା ସେ ଧାଇଁଯାଇ କିଉଇକୁ ଚୁମ୍ବନ ଦିଅନ୍ତାକି । ହୃଦୟରୁ ଏକ ବୋଝ ଓହ୍ଲାଇ ଗଲାଭଳି କିଉଇର ମଧ୍ୟ ମନେହେଉଥିଲା । ନିଜ ଗୋପନୀୟ ବିଷୟରେ ଜଣେ ଦରଦୀ ଭାଗୀଦାର ପାଇ ଏବଂ ସମ୍ମୁଖରେ ଆଶାର ମଧୁର ଇଙ୍ଗିତ ଦେଖୁଥିବା ଯୋଗୁଁ ସେ ପରିବର୍ତ୍ତିତ ବ୍ୟକ୍ତିଭଳି ମନେ ହେଉଥିଲା । ସେ ହୃଦୟରେ ଯଥେଷ୍ଟ ସାନ୍ତ୍ୱନା ଅନୁଭବ କରୁଥିଲା । ତଥାପି ବେଳେବେଳେ ସେ ନର୍କ ଭୟରେ ଆତଙ୍କିତ ନ ହୋଇ ରହିପାରୁ ନ ଥିଲା ।

ବହୁ ଜାହାଜ ପରିବର୍ତ୍ତନ କରି ଓ ବହୁସ୍ଥାନ ଭ୍ରମଣ କରି ଅବଶେଷରେ ସେମାନେ ଦକ୍ଷିଣ ଦ୍ୱୀପମାଳାର ଫରାସୀ ରାଜ୍ୟ ପେପିଟିରେ ପହଞ୍ଚିଲେ । ବ୍ରିଟିଶ ଦୂତାବାସର ବିପରୀତ ଭାଗରେ ସେମାନେ ଏକ ପ୍ରଶସ୍ତ ଘର ଭଡ଼ା ନେଇ ରହିବାକୁ ସମୀଚୀନ ମନେକଲେ । ଐଶ୍ୱର୍ଯ୍ୟର ପରିପ୍ରକାଶ ଦାରା ନିଜର ଶ୍ରେଷ୍ଠତ୍ଵ ପ୍ରକାଶ, ଲାଗି ଗାଡ଼ି ଘୋଡ଼ା ଇତ୍ୟାଦି ଆଡ଼ମ୍ବରର ସୀମା ରହିଲା ନାହିଁ । ବୋତଲଟି ପାଖରେ ଥିଲାବେଳେ ସେମାନଙ୍କର କ’ଣ ବା ଅଭାବ ? କିଉଇଠାରୁ କୋକୁଆ ବେଶୀ ସାହସୀ । ସେତେବେଳେ ଯାହା ଦରକାର ଭୂତକୁ ଆହ୍ଵାନ କରି ଶହ ବା ହଜାର ସଂଖ୍ୟକ ଡଲାର ସେ ଆଦାୟ କରି ନେଉଥିଲା । ଏପରି ଭାବେ ସହରରେ ସେମାନଙ୍କର ଖ୍ୟାତି ବ୍ୟାପିଗଲା । ଏହି ନବାଗତଙ୍କର ବେଶଭୂଷା ଗାଡ଼ିଘୋଡ଼ା ଓ କୋକୁଆର ଅଳଙ୍କାର ନାଗରିକମାନଙ୍କର ପ୍ରାତ୍ୟହିକ ଆଲୋଚନାର ବିଷୟ ହେଲା ।

ପ୍ରଥମେ ସେମାନେ ତାହିଟିର ଭାଷା ଶିଖିଲେ । ସେଇ ଭାଷାରେ କଥା କହିବାକୁ ସମର୍ଥ ହେଲା ପରେ, ସେମାନେ ବୋତଲଟିକୁ ବିକିବାକୁ ଚେଷ୍ଟା କଲେ । ତଥାପି ଏହା ସହଜ ବ୍ୟାପାର ନୁହେଁ । ଅସରନ୍ତି ସୁଖ ସମ୍ପଦର ଆଧାରଟିକୁ ମାତ୍ର ୪ ସେଣ୍ଟିମରେ ଜଣେ ସ୍ଵତଃପ୍ରବୃତ୍ତ ହୋଇ ବିକୁଛି—ଏହାକୁ ସେଠାଲୋକେ ସନ୍ଦେହ ଚକ୍ଷୁରେ ଦେଖିବା ସ୍ଵାଭାବିକ । ବିକିବାବେଳେ ବୋତଲର ବିପଦ ବିଷୟରେ ସେମାନଙ୍କୁ ସୂଚାଇ ଦେବାକୁ ପଡ଼ୁଥିଲା । ତାହା ଶୁଣି ଲୋକେ ହୁଏତ, ସମସ୍ତ ବିଷୟକୁ ଅବିଶ୍ୱାସ ମନେକରି ହସିଲେ, ନଚେତ୍‍ ଏହାର ଅମଙ୍ଗଳପ୍ରଦ ବିଷୟରେ ବେଶୀ ମନଯୋଗୀ ହୋଇ, ସଭୟ ଗାମ୍ଭୀର୍ଯ୍ୟ ପ୍ରକାଶ କଲେ । ଅନେକେ ସେମାନଙ୍କୁ ଭୌତିକ ବିଷୟରେ ସଂପୃକ୍ତ ଲୋକ ଭାବି ସେମାନଙ୍କ ନିକଟରୁ ନିଜକୁ ଦୂରେଇ ନେଲେ । କ୍ରମେ ବାଳକ ବାଳିକାଗଣ ସେ ଦୁହିଁଙ୍କୁ ଦେଖିଲେ ଭୟରେ ଚିତ୍କାର କରି ଦୂରକୁ ପଳାୟନ କଲେ । ଲୋକେ ସେମାନଙ୍କଠାରୁ ସତର୍କ ବ୍ୟବଧାନ ରଖି ଚଳିଲେ । କୋକୁଆକୁ କ୍ରମେ ଏସବୁ ଅସହନୀୟ ମନେହେଲା ।

ଉଭୟଙ୍କ ମନରେ ନୈରାଶ୍ୟ ଦେଖାଦେଲା । ଦିବସର କ୍ଳାନ୍ତି ପରେ ରାତ୍ରରେ ନୂତନ ଆବାସସ୍ଥଳୀରେ ଉଭୟେ ନିର୍ବାକ ଭାବେ ବସି ରହନ୍ତି । କେବେ କେବେ କୋକୁଆର ହଠାତ୍ ଚାପା କ୍ରନ୍ଦନରେ ସନ୍ଧ୍ୟାର ନୀରବତା ଭଗ୍ନ ହୁଏ । କେବେ ଉଭୟେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି, କେବେ ବା ବୋତଲକୁ ଚଟାଣରେ ରଖି ତନ୍ମଧ୍ୟସ୍ଥ ସଂଚରଣଶୀଳ ଛାୟା ମୂର୍ତ୍ତିକୁ ଦେଖି ଦେଖି ସନ୍ଧ୍ୟାବେଳଟା ଅତିବାହିତ ହୋଇଯାଏ । ଶୟନକକ୍ଷକୁ ବିଶ୍ରାମ ନେବା ଲାଗି ଗଲେ, ସେମାନଙ୍କ ହୃଦୟ ଭୟରେ ଥରିଉଠେ ।

 

ଦିନେ ରାତିରେ କୋକୁଆର ନିଦ ଭାଙ୍ଗିଗଲା । ସେ ଦେଖିଲା, କିଉଇ ତା’ର ପାଖରେ ନାହିଁ । ପାଖର ଶଯ୍ୟା ତାକୁ ଶୀତଳ ବୋଧ ହେଲା । ଭୟରେ ସେ ଉଠି ବସିଲା । ଗବାକ୍ଷ ପଥଦେଇ କ୍ଷୀଣ ଚନ୍ଦ୍ରାଲୋକ ଘରେ ପଡ଼ିଥାଏ । ଗୃହ ଆଲୋକିତ । ଚଟାଣ ଉପରେ ବୋତଲଟି ଥୁଆ ହୋଇଛି । ବାହାରେ ପବନର ଉଦ୍ଦାମ ନୃତ୍ୟରେ ଦୀର୍ଘ ବନସ୍ପତିର ପ୍ରଚଣ୍ଡ କୋଳାହଳ । ବାରଣ୍ଡାରେ ସ୍ଖଳିତ ପତ୍ରର ମର୍ମର ଧ୍ୱନି । ଏହାର ମଝିରେ କୋକୁଆ ଆହୁରି ଏକ ବିଚିତ୍ର ଶବ୍ଦ ଶୁଣିବାକୁ ପାଇଲା । ଏ ଶବ୍ଦ ମଣିଷର କି ପଶୁର, କୋକୁଆ ତା’ ସ୍ଥିର କରିପାରିଲା ନାହିଁ । କିନ୍ତୁ ତାହା ଥିଲା ମୃତ୍ୟୁ ଭଳି ମର୍ମଭେଦୀ ଓ କରୁଣ । ଧୀରେ ଉଠି ସେ ଠିଆ ହେଲା । ଦ୍ଵାରକୁ ଅର୍ଗଳି ମୁକ୍ତକରି ଚନ୍ଦ୍ରାଲୋକିତ ଚତ୍ଵର ଆଡ଼େ ଦୃଷ୍ଟି ପ୍ରସାରିତ କଲା । ଦୂରରେ କଦଳୀ ବୃକ୍ଷ ତଳେ ଧୂଳିରେ ମୁହଁମାଡ଼ି ପଡ଼ି ରୁଦ୍ଧ କ୍ରନ୍ଦନ କରୁଥିଲା କିଉଇ ।

 

କୋକୁଆର ପ୍ରଥମେ ଇଚ୍ଛାହେଲା, ସେ କିଉଇ ପାଖକୁ ଧାଇଁଯାଇ ତାକୁ ସାନ୍ତ୍ଵନା ଦେବ-। କିନ୍ତୁ ଟିକିଏ ଭାବି ସେ ନିଜକୁ ସମ୍ବରଣ କରିନେଲା । କିଉଇ ସାହସୀ ପୁରୁଷ ଭଳି ନିଜେ ସବୁ ଦୁଃଖକୁ ସହ୍ୟ କରୁଛି–ପତ୍ନୀକୁ ଜାଣିବାକୁ ନଦେଇ । ତା’ର ଦୁର୍ବଳ ମୁହୂର୍ତ୍ତରେ ଉପସ୍ଥିତ ହୋଇ କିଉଇକୁ କାହିଁକି ବା ସେ ଲଜ୍ଜିତ କରିବ ? ସେ ଭାବିଲା, “ହେ ଭଗବାନ୍ ! ସତେ କେଡ଼େ ହୃଦୟହୀନ, କେଡ଼େ ଦୁର୍ବଳ ମୁଁ ! ଏଇ ଚିରନ୍ତନ ଦୁର୍ଗତି, ଆତ୍ମାର ଅଧୋଗତି ମୁଁ ତ ଲଭିବି ନାହିଁ, ଲଭିବେ ସେ । କିନ୍ତୁ କାହାପାଇଁ ? ମୋରି ପାଇଁ, ମୋ ପରି ହତଭାଗିନୀ ଅପଦାର୍ଥର ପ୍ରେମ ଲାଗି ତ ସେ ଆଜି ନିଜକୁ ନର୍କର ଅଗ୍ନିକୁଣ୍ଡ ପାଖେ ଥିଲାଭଳି ମନେ କରୁଛନ୍ତି ? ପୃଥିବୀର ସମୀରଣ ଓ ଚନ୍ଦ୍ରାଲୋକ ମଝିରେ ରହି ସେ ନର୍କର ଧୂମ୍ର ଆଘ୍ରାଣ କରୁଛନ୍ତି । ମୁଁ କ’ଣ ଏତେ ଜଡ଼, ଚେତନାହୀନ-! ନା, ଏ ସବୁ ଜାଣି ମଧ୍ୟ ନିଜ କର୍ତ୍ତବ୍ୟକୁ ପଛକୁ ପକେଇ ଦେଇଛି । ନା, ଆଉ ନୁହେଁ-। ବର୍ତ୍ତମାନଠାରୁ ଯା’ହେଉ ମୁଁ ନିଜକୁ ଶ୍ରଦ୍ଧାରେ ନିବେଦନ କଲି । ସ୍ଵର୍ଗଲାଭ କାମନା ଆଜିଠାରୁ ମନରୁ ଦୂରକଲି । ପ୍ରେମର ତ ପ୍ରତିଦାନ ପ୍ରେମ । ମୋର ପ୍ରେମ କିଉଇ ଭଳି ହେଉ-। ମୋର ଆତ୍ମାର ଅଧୋଗତି ହେଉ ପଛକେ, କିଉଇର ଆତ୍ମା ଲାଗି ମୁଁ ଆତ୍ମଦାନ କରିବି-।’’

 

ସେଇ ଦୁର୍ଲ୍ଲଭ ରେଜକି ସେଣ୍ଟିମ୍‍ତକ କୋକୁଆ ହାତରେ ଧରି ବାହାରିଲା । ଏହି ମୁଦ୍ରା ସବୁର ବ୍ୟବହାର ଆଜିକାଲି ବିରଳ ହୋଇ ପଡ଼ିଥିବାରୁ ବହୁ କଷ୍ଟରେ ସରକାରୀ କାର୍ଯ୍ୟାଳୟରୁ ସେମାନେ ତାହା ଯୋଗାଡ଼ କରି ସର୍ବଦା ପାଖେ ପାଖେ ରଖୁଥିଲେ । ରାଜପଥ ଉପରେ ପହଞ୍ଚିଲାବେଳକୁ ପବନ ପଛେ ପଛେ ମେଘ ଆକାଶକୁ ଢାଙ୍କି ସାରିଥିଲା । ଚନ୍ଦ୍ର ମଧ୍ୟ ଆଉ ଦେଖାଯାଉ ନଥାଏ । ସମସ୍ତ ନଗରୀ ସୁପ୍ତିମଗ୍ନ । କୁଆଡ଼େ ସେ ଯିବ ତା’ ଠିକ୍ କରିପାରିଲା ନାହିଁ । ହଠାତ୍ ବୃକ୍ଷରାଜିର ଛାୟାନ୍ତରାଳରୁ ସେ କାହାର କାଶିବା ଶବ୍ଦ ଶୁଣିପାରିଲା । ପାଖକୁ ଯାଇ ଦେଖିଲା, ଜଣେ ବିଦେଶୀ ଦରିଦ୍ର ବୃଦ୍ଧ ବ୍ୟକ୍ତି ।

 

“କ’ଣ ବୁଢ଼ା, ଏ ଶୀତ ରାତିରେ ଏତେ ଦୂରରେ ଆସି କ’ଣ କରୁଛ ?”

 

ଅବିରତ କାଶୁଥିବା ଯୋଗୁ ବୃଦ୍ଧ କୌଣସି ଉତ୍ତର ଦେଇପାରିଲା ନାହିଁ । କୋକୁଆ ଶୁଣି ପଚାରିଲା—‘‘ମୋର ଗୋଟାଏ ଉପକାର କରିବ ?”

 

“ଓଃ ତୁ ତା’ହେଲେ ଏଇ ଅଷ୍ଟଦ୍ଵୀପମାଳାର ରାକ୍ଷସୀ, ମୋର ବୃଦ୍ଧ ଆତ୍ମାକୁ ମଧ୍ୟ ବଶୀଭୂତ କରିବାକୁ ବସିଛୁ ! ମୁଁ ତୋ କଥା ଢେର ଆଗରୁ ଶୁଣିଛି । ମୋ ଦ୍ଵାରା ସେ ସବୁ ହୋଇପାରିବ ନାହିଁ ।”

 

“ଦୟାକରି ଏଇଠି ବସ…ତମକୁ ମୁଁ ସବୁକଥା କହିବି ।”

କୋକୁଆ ମୂଳରୁ ଶେଷଯାଏ କିଉଇର କଥା ବୁଢ଼ା ଆଗରେ ବର୍ଣ୍ଣନା କରିସାରି କହିଲା–‘‘ଆଉ ମୁଁ ହେଉଛି ତାଙ୍କର ପତ୍ନୀ, ଯାହାକୁ ସେ ନିଜର ଆତ୍ମା ବିନିମୟରେ କିଣିଛନ୍ତି । ମୁଁ ଯଦି ତାଙ୍କୁ କହିବି ମତେ ଏଇଟି ବିକିଦେଇ ତମେ ବିପଦମୁକ୍ତ ହୁଅ, ତେବେ ସେ କଦାପି ମୋ କଥା ରଖିବେ ନାହିଁ । ମାତ୍ର ତାହା କିଣିବାକୁ ଯଦି ତୁମେ ଯାଅ, ତେବେ ସେ ଖୁସିରେ ବିକିବାକୁ ରାଜି ହୋଇଯିବେ । ମୁଁ ତୁମକୁ ଏଇଠି ଅପେକ୍ଷା କରି ବସି ରହୁଛି । ତମେ ସେଇ ବୋତଲକୁ ଚାରି ସେଣ୍ଟରେ ତାଙ୍କଠାରୁ କିଣି ଆଣିଲେ, ମୁଁ ତୁମଠୁ ତାହା ପୁଣି ତିନି ସେଣ୍ଟରେ କିଣିନେବି । ତେଣିକି ମୋ କଥା ଭଗବାନ ବୁଝିବେ ।’’

“ହଉ, କିନ୍ତୁ ତାକୁ ମୋଠୁ ନ ନେଇ ଯଦି ତମେ ମତେ ଠକିଦିଅ, ତେବେ ।”

“ମୁଁ କଦାପି ତୁମକୁ ଠକାଇବି ନାହିଁ । ତା’ହେଲେ ଭଗବାନ ଏହା କଦାପି ସହିବେ ନାହିଁ-। ମୋ ମୁଣ୍ଡରେ ନିଶ୍ଚେ ଚଡ଼କ ପଡ଼ିବ ।”

“ତା’ହେଲେ ମତେ ଚାରୋଟି ସେଣ୍ଟିମ୍‍ ଦିଅ । ମୁଁ ଆସୁଛି, ମତେ ଏଇଠି ଅପେକ୍ଷା କରିଥାଅ ।”

ଏକାକୀ ସେଠି ଅପେକ୍ଷା କରି ବସି ରହିଲାବେଳେ କୋକୁଆ ମନରୁ ସବୁ ଉତ୍ସାହ, ଆନନ୍ଦ ମରିଗଲା । ବୃକ୍ଷ ମଧ୍ୟଦେଇ ପବନର ସାଇଁ ସାଇଁ ଶବ୍ଦ ତାକୁ ନର୍କ ଅଗ୍ନିଶିଖାର ଆଗମନ ଧ୍ୱନି ଭଳି ମନେହେଲା । ରାଜପଥ ଆଲୋକରେ କମ୍ପିତ ବୃକ୍ଷଛାୟା ତାକୁ ଧରି ନେବାଲାଗି ଆସୁଥିବା ଯମଦୂତର ପ୍ରସାରିତ ହସ୍ତ ପରି ମନେହେଲା । ଶକ୍ତି ଥିଲେ ସେ ଧାଇଁ ପଳାଇ ଯାଆନ୍ତା, ଦମ୍‍ ଥିଲେ ସେ ଉଚ୍ଚ କଣ୍ଠରେ ଚିତ୍କାର କରନ୍ତା । ମାତ୍ର ତା’ର ଶକ୍ତି ଲୋପ ହୋଇଯାଇ ଥିବାରୁ ସେ ଭୀରୁ ବାଳିକା ଭଳି ଉପରେ କେବଳ ଥରିବାକୁ ଲାଗିଲା ।

କିଛି ସମୟପରେ ସେ ଦେଖିଲା, ବୃଦ୍ଧ ହାତରେ ବୋତଲଟିକୁ ଧରି ସେଇଆଡ଼େ ଫେରୁଛି ।

“ତୁମ କଥାନୁସାରେ ମୁଁ ସବୁ କରି ଆସିଲି । ଗଲାବେଳେ ଦେଖିଲି ତୁମ ସ୍ଵାମୀ ପିଲାଙ୍କ ଭଳି କାନ୍ଦୁଥିଲେ । ମୋର ବିଶ୍ୱାସ, ଆଜି ରାତିରେ ସେ ବେଶ୍‍ ନିଶ୍ଚିନ୍ତରେ ଶୋଇବେ । ହେଇ, ନିଅ ଏ ବୋତଲ ।”

ଆତୁର ଭାବେ କୋକୁଆ କହିଲା–“ବେଶ୍‍ କରିଚ । ମତେ ୟାକୁ ଦେବା ପୂର୍ବରୁ ଏଇ ବୋତଲ ଭୂତଠାରୁ କିଛି ଉପକାର ମଧ୍ୟ ତମେ ଆଦାୟ କରିନିଅ । ଏହା ସାହାଯ୍ୟରେ ତୁମେ ଶ୍ଵାସରୋଗରୁ ଆରୋଗ୍ୟ ହେଲେ ତୁମର ଭଲ ହେବ ।”

“ମୁଁ ଆସି ବୁଢ଼ା ହେଲିଣି । ମୃତ୍ୟୁର ପାଦଦେଶରେ ପାଦ ଦେଲାବେଳେ ରାକ୍ଷସର ଅନୁଗ୍ରହ କାହିଁକି ଗ୍ରହଣ କରିବ ? ଆଉ ଏ ସବୁରୁ କ’ଣ ବା ମିଳିବ । ୟାକୁ ଗ୍ରହଣ କରିବାକୁ ତମର ଦ୍ୱିଧା ହେଉଛି ନା କ’ଣ ?’’

“ନା, ମୋ ମନରେ ଆଦୌ ଦ୍ଵିଧା ନାହିଁ । ମତେ ବର୍ତ୍ତମାନ ବଡ଼ ଦୁର୍ବଳ ବୋଧ ହେଉଛି-। ଦୟାକରି ମୋତେ ମୁହୂର୍ତ୍ତେ ସମୟ ଦିଅ । ଏଇ ଅମଙ୍ଗଳ ବସ୍ତୁ ନେବା ଭୟରେ ମୋ ଦେହହାତ କେବଳ ଥରି ଉଠୁଛି ।’’

କୋକୁଆକୁ ଚାହିଁ ବୃଦ୍ଧ ମନରେ ଦୟା ହେଲା । କହିଲା—“ଆହା ଝିଅ, ସତେ କେଡ଼େ ଦୁଃଖୀ ତୁ ! ଆତ୍ମା ତୋର ନର୍କଗାମୀ ହେବ, ଏଥିଲାଗି ତୋର ଭୟ ହେଉଛି ପରା ! ହଉ, ମୁଁ ତେବେ ୟାକୁ ରଖୁଛି । ମୁଁ ତ ବୁଢ଼ା ହେଲିଣି, ପୃଥିବୀରେ ଆଉ ଯେତେଦିନ ଅଛି, ଶାନ୍ତିରେ ମୁଁ ରହିବାର ଆଶା ନାହିଁ । ଆଉ ତା’ପର ଅବସ୍ଥା ଲାଗି–”

 

“ନା, ନା, ମତେ ଦିଅ ସେ ବୋତଲ । ହେଇ ନିଅ ତୁମର ପ୍ରାପ୍ୟ ଏଇ ମୁଦ୍ରାତକ । ମୁଁ ଏଡ଼େ ନୀଚମନା ନୁହେଁ ।”

 

“ହଉ ଭଗବାନ କିପରି ତୋର ମଙ୍ଗଳ କରନ୍ତୁ ।”

 

କୋକୁଆ ତା’ର ଅନ୍ତର୍ବାସ ତଳେ ବୋତଲଟିକୁ ଲୁଚାଇ ରଖିଲା । ବୃଦ୍ଧକୁ ନିଜର କୃତଜ୍ଞତା ଜଣାଇ କେଉଁଆଡ଼େ ଭ୍ରୂକ୍ଷେପ ନ କରି ରାଜପଥରେ ଆଗେଇ ଚାଲିଲା । ବର୍ତ୍ତମାନ ସବୁ ରାସ୍ତା ତା’ପକ୍ଷେ ସମାନ…. ସବୁର ଗତି ନର୍କକୁ । ଯାଉ ଯାଉ କେତେବେଳେ ଚିତ୍କାର କରୁଥିଲା, ଅବା ରାଜପଥର ଧୂଳିରେ ବିଲୁଣ୍ଠିତ ହୋଇ କ୍ରନ୍ଦନ କରୁଥିଲା । ତା’ର ମନେହେଲା—ନର୍କର ଲେଲିହାନ ଅଗ୍ନିଶିଖା ଯେପରି ତା’ର ସମୀପବର୍ତ୍ତୀ ହୋଇ ତା’ର ଚର୍ମକୁ ସିଝାଇ ଦେଇଛି....ଧୂମରାଶିରେ ତାକୁ ଅଣନିଃଶ୍ୱାସୀ କରି ଦେଉଛି ।

 

ସକାଳ ହେଲାବେଳକୁ ତା’ର ମନ ଟିକିଏ ଶାନ୍ତ ହେଲା । ସେ ଆସି ଘରେ ପହଞ୍ଚିଲା । ବୁଢ଼ା ଠିକ୍‍ କହିଥିଲା.... କିଉଇ ସେପର୍ଯ୍ୟନ୍ତ ଶିଶୁଟିଭଳି ଆରାମରେ ଶୋଇଛି । କୋକୁଆ ଠିଆହୋଇ ତା’ର ମୁହଁକୁ ଚାହିଁ ରହିଲା ।

 

“ପ୍ରିୟତମ ! ଏଥର ତୁମର ନିଶ୍ଚିନ୍ତରେ ଶୋଇବା ପାଳି । ନିଦ ଭାଙ୍ଗିଲେ ତୁମେ ଫୂର୍ତ୍ତିରେ ହସି, ଗୀତ ଗାଇ ସମୟ କାଟିବ । ମାତ୍ର ହାୟ ! କୋକୁଆ ଲାଗି କିଛି ନାହିଁ । ସ୍ଵର୍ଗ ବା ମର୍ତ୍ତ୍ୟରେ ତା’ର ସବୁ ସୁଖ, ଆନନ୍ଦ, ଶୟନ, ସଙ୍ଗୀତ କାଲିଠୁଁ ସରିଯାଇଛି ।’’ –ଏହା ଭାବି ସେ କିଉଇ ପାଖେ ଶୋଇପଡ଼ିଲା । ଦୁଃଖରେ ସେ ଏପରି ମୁହ୍ୟମାନ ଥିଲା ଯେ, ସଙ୍ଗେ ସଙ୍ଗେ ଗଭୀର ନିଦ୍ରାଭିଭୂତ ହୋଇପଡ଼ିଲା ।

କେତେବେଳ ପରେ କିଉଇ ତାକୁ ନିଦରୁ ଉଠାଇ ବୋତଲଟି ବିକିଥିବା ସମ୍ବାଦଟି ଦେଲା । ନିଜର ଆନନ୍ଦାତିଶଯ୍ୟରେ ସେ ବିଭୋର । କୋକୁଆ ଦୁଃଖିତ ହେଲାଭଳି ଦେଖାଯାଉଥିଲେ ହେଁ, ସେ ତାହା ଜାଣିପାରିଲା ନାହିଁ । କିଉଇ ଅନର୍ଗଳ ଗପି ଚାଲିଥାଏ । ମାତ୍ର କୋକୁଆ ଥାଏ ନୀରବ । ଖାଇ ବସି ସେ ଖାଦ୍ୟଦ୍ରବ୍ୟ ଥରେ ହେଲେ ମୁଖରେ ଦେଲା ନାହିଁ । ମାତ୍ର କିଉଇର ତେଣିକି ଭ୍ରୂକ୍ଷେପ ନାହିଁ । ପାତ୍ର ପରେ ପାତ୍ର ନିଃଶେଷ କରି ଚାଲିଲା । ସ୍ଵପ୍ନାଭିଭୂତ ଭଳି କୋକୁଆ କେବଳ ସବୁ ଦେଖୁଥାଏ... । ନିଜର ଦୁର୍ଭାଗ୍ୟ ଭାବି ବେଳେବେଳେ କପାଳରେ ହାତ ମାରୁ ମାରୁ ସେ କେବଳ ଶୁଣିଯାଉଥାଏ କିଉଇର ପ୍ରଳାପ ।

ଖାଇସାରି କିଉଇ କୋକୁଆକୁ ଆଦର କଲା । ତାକୁ ରକ୍ଷା କରିଥିବା ଯୋଗୁ ଅଜସ୍ର ଧନ୍ୟବାଦ ଦେଲା । ପ୍ରସ୍ଥାନ ଯାତ୍ରାର ଯୋଜନା କରି, ବୋତଲକୁ କିଣିଥିବା ନିର୍ବୋଧ ବୃଦ୍ଧର ବିଷୟ ପକାଇ ହସିବାକୁ ଲାଗିଲା ।

“ଲୋକଟାତ ବେଶ୍‍ ବୁଦ୍ଧିବୃତ୍ତିସମ୍ପନ୍ନ ମନେ ହେଉଥିଲା….ତେବେ ସେ ବୋତଲଟା କିଣିଲା କାହିଁକି ? ବାହାର ଚାଲିଚଳଣରୁ ବାସ୍ତବିକ ସବୁବେଳେ ଲୋକର ପ୍ରକୃତ ସ୍ୱରୂପ ଜଣାପଡ଼େନା ।’’

“ପ୍ରିୟ, କିଉଇ, ହୁଏତ ତାଙ୍କ ଉଦ୍ଦେଶ୍ୟ ମହତ୍ ।” ବିନୀତ ଭାବେ କୋକୁଆ କହିଲା । ହସି ହସି କିଉଇ କହିଲା “ଚାରି ସେଣ୍ଟିମରେ ବୋତଲକୁ ନେବା କ’ଣ ଏଡ଼େ ସହଜ । ତିନି ସେଣ୍ଟିମରେ ତାକୁ ବିକିବା ତ ଅସମ୍ଭବ । ଅବଶ୍ୟ ଦୁଃଖରେ ପଡ଼ି ନିର୍ବୋଧଙ୍କଭଳି ମୁଁ ମଧ୍ୟ ଏକ ସେଣ୍ଟରୁ କମ୍‍ ମୁଦ୍ରା ନଥିବା ଜାଣିଲେ ବି ବୋତଲଟି କଣିଥିଲି । କିନ୍ତୁ ଏଇ ବୃଦ୍ଧ ଭଳି ନିର୍ବୋଧ ଆଉ ଦ୍ଵିତୀୟ ନାହିଁ । ଯା’ହେଉ, ବୋତଲ ଏଥର ଯା’ପାଖେ ରହିବ, ସେ ବୋତଲ ସହିତ ନର୍କକୁ ଯିବା ସୁନିଶ୍ଚିତ ।”

“ପ୍ରିୟତମ ! ଜଣେ ନିଜର ସୀମାହୀନ ସର୍ବନାଶ କରି ଆଉଜଣକୁ ଉଦ୍ଧାର କରିବାଟା କ’ଣ ମହତ୍‍ ବିଷୟ ନୁହେଁ ! ତୁମ କଥା ଶୁଣି ମୁଁ ଆଦୌ ହସିପାରୁନି । ବରଂ ମତେ ସେଇ ହତଭାଗ୍ୟ ବ୍ୟକ୍ତିଟି ଲାଗି ଦୁଃଖ ଲାଗୁଛି; ତା’ଲାଗି ଭଗବାନଙ୍କୁ ଡାକିବାକୁ ମୋର ଇଚ୍ଛା ହେଉଛି ।”

ଖାଇସାରି କିଉଇ ବାହାରକୁ ବାହାରିଗଲା । ନୀରବରରେ ଏକାକୀ ବସି ରହିଲା କୋକୁଆ । ଦୁଇ ସେଣ୍ଟିମରେ ବୋତଲକୁ ବିକିବାର ଆଉ କୌଣସି ସମ୍ଭାବନା ନାହିଁ । ଥିଲେ ବି, ସ୍ୱାମୀ ଯେଉଁ ଦେଶକୁ ଶୀଘ୍ର ଯିବାକୁ ସ୍ଥିର କରୁଛନ୍ତି, ସେଠି ଏକ ସେଣ୍ଟରୁ କମଦାମ୍‍ ମୁଦ୍ରାର ପ୍ରଚଳନ ନାହିଁ । ଆଉ ଏଠି, ସ୍ଵାମୀ ପୁଣି ତା’ର ଆତ୍ମହତ୍ୟା ଲାଗି ତାକୁଇ ଦୋଷ ଦେଉଛନ୍ତି ! ନୀରବରେ ସେ ବୋତଲଟିକୁ ବାହାର କରିବାମାତ୍ରେ, ବୋତଲଟିକୁ ଦେଖିବା ମାତ୍ରେ ଅବ୍ୟକ୍ତ ଭୟରେ ଥରି ଉଠି ସଙ୍ଗେ ସଙ୍ଗେ ତାକୁ ଦୃଷ୍ଟି ଅନ୍ତରାଳରେ ରଖିଦେଲା ।

କିଛି ସମୟ ପରେ କିଉଇ ଘରକୁ ଫେରି କୋକୁଆକୁ ମଟରରେ ବୁଲାଇ ନେବାକୁ ପ୍ରସ୍ତାବ କଲା–“ଚାଲ ଆଜି ଟିକିଏ ସମୁଦ୍ରକୂଳେ ବୁଲି ଆସିବା ।”

“ନା, ପ୍ରିୟତମ କିଛି ମନେ କରିବ ନାହିଁ । ଆଜି ଦେହ ଭଲ ନାହିଁ । ମତେ କିଛି ଭଲ ଲାଗିବ ନାହିଁ ।” କୋକୁଆ କହିଲା ।

କିଉଇ ପୂର୍ବାପେକ୍ଷା ବେଶୀ କ୍ଷୁଣ୍ଣ ହେଲା । ଭାବିଲା, ବୋଧହୁଏ କୋକୁଆ ସେଇ ବୁଢ଼ାଟା କଥା ଏପର୍ଯ୍ୟନ୍ତ ଭୁଲିଯାଇନି ଚିଡ଼ିଉଠି ସେ କହିଲା, “ଏଇଆ ତୁମର ଧାରଣା ! ଏଇଆ ହେଉଚି ମୋ ପ୍ରତି ତୁମ ସ୍ନେହର ନିଦର୍ଶନ ! ତୁମଲାଗି ଅନନ୍ତ ନର୍କବାସ ଅଭିଶାପରୁ ଏକପ୍ରକାର ସଦ୍ୟ ମୁଁ ରକ୍ଷା ପାଇଛି–ଅଥଚ ଏଥିରେ ତୁମ ମନ ଆନନ୍ଦିତ ନୁହେଁ ? ସତେ କୋକୁଆ ତମେ ବଡ଼ ଅକୃତଜ୍ଞ ।’’

ବିରକ୍ତରେ କିଉଇ ଘରୁ ବାହାରିଯାଇ ଦିନସାରା ସହରରେ ବୁଲିଲା । ବନ୍ଧୁ ମେଳାରେ ଆଡ୍‍ଡା ଦେଇ, ମଦପିଇ ଗାଡ଼ି ଭଡ଼ା କରି ଗାଁଆଡ଼େ ବୁଲି ସମୟ କଟାଇଲା । ତେବେ ବି ତା’ର ମନଦୁଃଖ ବିଷୟ ଭାବି, ନିଜ ମାନସିକ ଅସ୍ଥିରତାରୁ ରକ୍ଷା ପାଇବା ଲାଗି ବନ୍ଧୁ ମେଳରେ ସେ ଆହୁରି ବେଶୀ ମଦ ପିଇବାକୁ ଲାଗିଲା ।

କିଉଇ ସଙ୍ଗେ ଜାହାଜର ଜଣେ ତଳିଆ କର୍ମଚାରୀ ମଦ ପିଉଥିଲା । ଜାହାଜରେ ଲୋକଙ୍କୁ କାମରେ ଲଗାଇବା ଲାଗି ସଙ୍କେତଧ୍ୱନି କରିବା ଥିଲା ସେଇ ଲୋକଟିର କାମ । ଦେଖିବାକୁ ସେ ଥିଲା ଯେପରି ଭୟଙ୍କର ସେହିପରି ତା’ର ଚରିତ୍ର ଥିଲା କଳଙ୍କିତ । ଅପରାଧୀ ଭାବେ ଜେଲରେ ବହୁଦିନ କଏଦୀ ଜୀବନ କଟାଇଛି ସେ । କେତେଦିନ ସୁନାଖଣିରେ କୁଲିକାମ କରିଛି । ଲୋକଟା ଭୟଙ୍କର ନୀଚମନା, ସର୍ବଦା ଅଶ୍ଳୀଳ କଥା କହେ । ନିଜେ ଯେପରି ମଦ୍ୟପାନରେ ଆସକ୍ତ ଅନ୍ୟକୁ ମଦ୍ୟପ କରିବାରେ ମଧ୍ୟ ସେହିପରି ତା’ର ଅପରିସୀମ ଆଗ୍ରହ । ବନ୍ଧୁ ମେଳରୁ ପଇସା ସରିଯିବାରୁ ସେ କିଉଇକୁ କହିଲା ।

 

“କିଓ, ତମେ ତ ସବୁବେଳେ କହୁଥାଅ, ତମର ବହୁତ ଧନ, ବୋତଲ ନା କ’ଣ ଗୋଟାଏ ବାଜେ ଜିନିଷ ଯୋଗୁ ତୁମପାଖେ ସବୁବେଳେ ପ୍ରଚୁର ଟଙ୍କା । ଆଉ ଏତେବେଳକୁ–”

 

“ହଁ, ମୁଁ ଧନୀ । ମାତ୍ର ମୋର ଟଙ୍କା ପଇସା ମୋ ସ୍ତ୍ରୀ ରଖେ । ମୁଁ ବର୍ତ୍ତମାନ ଘରକୁ ଗଲେ ଟଙ୍କା ନେଇ ଆସିପାରେ ।”

 

“ଦୋସ୍ତ, ଏ’ତ ବଡ଼ ଖରାପ କଥା । ସ୍ତ୍ରୀଲୋକଙ୍କୁ ଟଙ୍କା ପଇସା ବିଷୟରେ କଦାପି ବିଶ୍ୱାସ କରିବ ନାହିଁ । ପାଣିଭଳି ସେ ଜାତିଟା ଚଞ୍ଚଳ । ତମେ ତା’ ଉପରେ ନଜର ରଖ… ।”

 

ମନ୍ତବ୍ୟଟା କିଉଇ ମନରେ ଗଭୀର ରେଖାପାତ କଲା । ବାସ୍ତବିକ ସ୍ତ୍ରୀ ଜାତିଟା ଭଲ ପ୍ରତାରଣା କରିପାରେ । ସେମାନଙ୍କୁ କୌଣସି ବିଷୟରେ ବିଶ୍ୱାସ କରିବା ଉଚିତ ନୁହେଁ । ମୋର ନିଷ୍କୃତି ବିଷୟ ଶୁଣି ନୋହିଲେ କୋକୁଆ କାହିଁକି ମୁହଁ ଶୁଖାଇ ବସନ୍ତା ! କିନ୍ତୁ ... ମୁଁ ତାକୁ ଦେଖାଇବି, ମୁଁ ଏଡ଼େ ବୋକା ନୁହଁ । ସେ ଯଦି ଗୋପନରେ ଆଉ କାହାକୁ... । ହଁ, ମୁଁ ତାକୁ ଲୁଚିକରି ଧରିବି ।

 

ପଇସା ଆଣିବାଲାଗି ସେଇ ଜାହାଜ କର୍ମଚାରୀ ଓ କିଉଇ ଘରକୁ ଫେରିଲେ । ଜାହାଜ କର୍ମଚାରୀକୁ ଛକ ପାଖରେ ଅପେକ୍ଷା କରିବାକୁ କହି, କିଉଇ ଏକୁଟିଆ ଘରକୁ ଗଲା । ଘରେ ଆଲୁଅ ଜଳୁଥାଏ, ମାତ୍ର ଚାରିଆଡ଼େ ନିରବ ନିସ୍ତବ୍ଧ । କିଉଇ ଅତି ସନ୍ତର୍ପଣରେ ଗୋଡ଼ ଟିପି ଟିପି ବାରିଦୁଆର ଖୋଲି ଘରେ ପ୍ରବେଶ କଲା । ଉଙ୍କିମାରି ଘର ଭିତରେ ଯାହା ଦେଖିଲା, ସେଥିରେ ସେ ବିମୂଢ଼, ହତବାକ୍ ହୋଇଗଲା । କୋକୁଆ ଚଟାଣ ଉପରେ ପ୍ରଦୀପ ପାଖେ ଶୋଇ ଚାହିଁ ରହିଛି–ସମ୍ମୁଖବର୍ତ୍ତୀ ସେଇ ପେଟୁଆ ଲମ୍ବା ବେକବଶିଷ୍ଟ ଦୁଧଭଳି ଧଳା ବୋତଲଟିକୁ ।

 

ବହୁ ସମୟଯାଏ ସେଇଠି ଚିତ୍ରାର୍ପିତ ଭାବେ ଠିଆ ହୋଇ ଚାହିଁ ରହିଲା କିଉଇ । ପ୍ରଥମ ଦେଖାର ବିମୂଢ଼ତା କଟିଗଲା ପରେ, ଭୟରେ ସେ ଥରି ଉଠିଲା । ଦରଦାମରେ କ’ଣ ତେବେ ଭୁଲ୍‍ ରହିଗଲା ! ସାନ୍‍ଫ୍ରାନ୍‍ସିସକୋରେ ବୋତଲଟି ତା’ ପାଖକୁ ଫେରି ଆସିଥିଲା ଭଳି କ’ଣ ଏହା ଫେରିଆସିଛି ! ପାଦ ତା’ର ଅବଶ ହୋଇଗଲା । ସକାଳ ହେଲେ ନଈ ଉପରେ ଜମିଥିବା କୁହୁଡ଼ି ଅପସରି ଗଲାପରି ମୁଣ୍ଡରୁ ତା’ର ନିଶା ଛାଡ଼ିଗଲା । ତା’ପରେ ଏକ ବିଚିତ୍ର ଭାବନା ତା’ ମନକୁ ଆସିଲା ।

 

ସ୍ଥିରକଲା, ଏ ବିଷୟରେ ସେ ସୁନିଶ୍ଚିତ ହେବ । ଧୀରେ ଧୀରେ ପଛକୁ ଫେରିଯାଇ ସେ କବାଟ ବନ୍ଦ କରିଦେଲା । କୋକୁଆ ଯେପରି ମନେକରିବ, ସେ ସଦ୍ୟ ଗୃହରେ ପ୍ରବେଶ କରୁଛି । ସେଥିପାଇଁ ସମ୍ମୁଖବର୍ତ୍ତୀ ଦ୍ଵାରପଥ ଦେଇ ସେ ସଶବ୍ଦରେ ଗୃହରେ ପ୍ରବେଶ କଲା । ଆଶ୍ଚର୍ଯ୍ୟ କଥା ବୋତଲଟି ଆଉ ଯଥାସ୍ଥାନରେ ନାହିଁ । ନିଦରୁ ଉଠିଲା ଭଳି କୋକୁଆ ଚେୟାର ଉପରେ ବସିଛି । କିଉଇ ମୁଖରେ ଓ କଣ୍ଠରେ କଠୋରତା ଫୁଟାଇ କହିଲା–

 

‘‘ମୁଁ ଆଜି ଦିନ ସାରା ଫୂର୍ତ୍ତି କରିଛି....ବିଶ୍ଵସ୍ତ ବନ୍ଧୁ ମେଳରେ ମଦ ପିଇଛି । ପଇସା ସରିଯିବାରୁ ଆସିଛି ଘରୁ ପଇସା ନେବାକୁ... ପୁଣି ବର୍ତ୍ତମାନ ସେମାନଙ୍କ ନିକଟକୁ ଫେରିଯିବି ।’’

 

‘‘ତମ ଖୁସି ପାଇଁ ତମେ ତା’କରିଛ, ବେଶ୍‍ ଭଲକଥା ।’’ ଥରିଲା କଣ୍ଠରେ କୋକୁଆ ଏତିକି କହି ଚୁପ୍‍ ହେଲା ।

 

କିଉଇ ସିଧା ସିନ୍ଦୁକ ନିକଟକୁ ଯାଇ ତା’ଭିତରୁ କ’ଣ ଟଙ୍କା ପଇସା ଆଣିଲା । ସିନ୍ଦୁକର ଯେଉଁ ପାଖରେ ବୋତଲଟି ଥାଏ, ତେଣିକି ଚାହିଁଲା, ମାତ୍ର ସେଠି ମଧ୍ୟ ବୋତଲଟି ନାହିଁ । ମୁହୂର୍ତ୍ତକ ମଧ୍ୟରେ ଚାରିଆଡ଼େ ତାକୁ ଧୂଆଁ ଭଳି ମନେହେଲା…, କିଉଇ ବୁଝିପାରିଲା–କୋକୁଆର ସର୍ବନାଶ ହୋଇସାରିଛି । ଯାହା ସେ ଆଶଙ୍କା କରୁଥିଲା ଠିକ୍‍ ତାହା ଘଟିଲା—କୋକୁଆ ନିଶ୍ଚୟ ବୋତଲକୁ କିଣିଛି । ଗୋଟାପଣେ ସେ ଝାଳରେ ବୁଡ଼ିଗଲା । ପୁଣି କ’ଣ ଚିନ୍ତାକରି ସେ କହିଲା—କୋକୁଆ, ଆଜି ମୁଁ ବିପଦମୁକ୍ତ ହେବା ବିଷୟ ତ ତୁମେ ଜାଣ । ଯା’ହେଉ, ମୁଁ ବର୍ତ୍ତମାନ ମୋର ଜଣେ ସାଙ୍ଗକୁ ନେଇ ଘରକୁ ଫେରିଛି । ତମେ ଯଦି କିଛି ନ ଭାବ, ତେବେ ମୁଁ ପୁଣି ମଦପିଇ ଟିକିଏ ଫୂର୍ତ୍ତି କରିବାକୁ ଯିବି ।’’ ଏହା କହି ମନେମନେ ସେ ଟିକିଏ ହସିଲା ।

 

ମୁହୂର୍ତ୍ତକ ମଧ୍ୟରେ କୋକୁଆ ଧାଇଁଆସି କିଉଇର ପାଦତଳେ ପଡ଼ିଗଲା । କାନ୍ଦୁ କାନ୍ଦୁ ଅଶ୍ରୁଜଡ଼ିତ କଣ୍ଠରେ କହିଲା––‘‘ପ୍ରିୟତମ ! ମୋ ପ୍ରତି କଠୋର ହୁଅନା….”

 

‘‘ନା, ଆଉ ଆମେ କେହି କାହାପ୍ରତି କଠୋର ହେବାନାହିଁ ।’’ ଏତିକି କହିଦେଇ କିଉଇ ଗୃହରୁ ନିଷ୍କ୍ରାନ୍ତ ହୋଇଗଲା ।

 

କିଉଇ ଟଙ୍କା ନେବ କ’ଣ, ସିନ୍ଦୁକରୁ କେବଳ ସେଇ ସଯତ୍ନ ରକ୍ଷିତ ସେଣ୍ଟିମ୍‍ ମୁଦ୍ରାତକ ନେଇ ଯାଇଥିଲା । ମଦ ପିଇ ଫୂର୍ତ୍ତି କରିବାକୁ ତା’ର ଆଦୌ ଇଚ୍ଛା ନଥିଲା । ତା’ଲାଗି ତା’ର ସ୍ତ୍ରୀ ଆତ୍ମାର ଅଧୋଗତି ବରଣ କଲାବେଳେ ସେ ମଧ୍ୟ ପତ୍ନୀ ଲାଗି ନିଜକୁ ଉତ୍ସର୍ଗ କରିବ––ଏହା ଛଡ଼ା ଆଉ ଦ୍ଵିତୀୟ ଚିନ୍ତା ତା’ ମନକୁ ଅଧିକାର କରିନଥିଲା ।

 

ଛକପାଖେ ସେଇ ଦୂର ଜାହାଜ କର୍ମଚାରୀଟି ତାକୁ ଅପେକ୍ଷା କରିଥାଏ । କିଉଇ ତା’ ନିକଟରେ ପହଞ୍ଚି କହିଲା––“ଦୋସ୍ତ, ବୋତଲଟି ତ ମୋ ସ୍ତ୍ରୀ ପାଖରେ, ତାକୁ ହସ୍ତଗତ କରିବାକୁ ତମେ ମତେ ଟିକିଏ ସାହାଯ୍ୟ ନକଲେ ଆଜି ରାତିକ ଲାଗି ଟୋପାଏ ମଦ ବି ଆମକୁ ଜୁଟିବ ନାହିଁ-।’’

 

“ବୋତଲଟି ହସ୍ତଗତ କରିବା କ’ଣ ଏଡ଼େ ସହଜ ହୋଇଛି ! ତମେ ବୋଧହୁଏ ମତେ ଭୁଲାଉଚ ?”

 

“ମୁଁ କ’ଣ ତମକୁ ଥଟ୍ଟା କଲାଭଳି ଦିଶୁଛି ! ଭଲକରି ମତେ ଆଲୁଅରେ ଦେଖିଲ ?”

 

“ନା, ତମେ ଭୂତ ଭଳି ବେଶ୍‍ ଗମ୍ଭୀର ଦେଖା ଯାଉଛ ।’’

 

“ତା’ହେଲେ ମୁଁ ଯାହା କହୁଛି ତା’ କର । ହେଇ, ଏଇ ଦୁଇଟି ସେଣ୍ଟିମ୍‍କୁ ନେଇ ମୋ ସ୍ତ୍ରୀ ପାଖକୁ ଯାଅ । ତାକୁ କୁହ, ମୁଁ ବୋତଲ କିଣିବା ଲାଗି ଏତକ ଆଣିଛି । ମୋର ବିଶ୍ୱାସ, ସେ ସଙ୍ଗେ ସଙ୍ଗେ ତୁମକୁ ତା’ ଦେଇଦେବ । ତା’ପରେ ସେଇଟି ମୋ ପାଖକୁ ଆଣିଲେ ମୁଁ ତାକୁ ତୁମଠୁ ଏକ ସେଣ୍ଟିମରେ ପୁଣି କିଣି ନେବି । କାରଣ, କିଣିବା ଦାମ୍‍ଠୁ କମ୍‍ ଦାମରେ ହିଁ ଏଇ ବୋତଲଟି ବିକାହୁଏ ।

 

ସେ ଯାହାହେଉ, ‘‘ମୁଁ ଯେ ଏହା କିଣିବାକୁ ତମକୁ ପଠାଇଛି, ଏହା ଯେପରି ମୋ ସ୍ତ୍ରୀ କୌଣସିମତେ ଜାଣି ନ ପାରେ ।’’

 

‘‘ଦୋସ୍ତ ! ଏତ ବଡ଼ ବିଚିତ୍ର ବ୍ୟାପାର । ମତେ କ’ଣ ବୋକା ବନାଇବ କି ?”

 

“ନା, ମୁଁ ଅଛି…ଏହାଦ୍ଵାରା ତୁମର କୌଣସି କ୍ଷତି ହେବ ନାହିଁ ।’’

 

“ଆଚ୍ଛା, ଆଚ୍ଛା, ଦୋସ୍ତ ।’’

 

“ଯଦି ମୋ କଥାରେ ବିଶ୍ୱାସ ନ ଆସୁଛି, ତେବେ ତୁମେ ପରୀକ୍ଷା କଲେ ବୋତଲର କରାମତି ଜାଣିପାରିବ । ବୋତଲଟି ଆଣି ଘରୁ ବାହାରିବା ମାତ୍ରେ ତମେ ଯଦି ପକେଟ ଟଙ୍କା-ପଇସାରେ ପୂର୍ଣ୍ଣ ହୋଇଯାଉ ବୋଲି ଭାବିବ, ବା ବୋତଲେ ସର୍ବୋତ୍କୃଷ୍ଟ ମଦ ‘ରମ୍‍’ ପାଇବାକୁ କିମ୍ବା ଆଉ ଯାହା ଇଚ୍ଛା ତା’ ଭାବିବ ତେବେ ସଙ୍ଗେ ସଙ୍ଗେ ତା’ ପାଇଯିବ ।

 

“ବହୁତ ବଢ଼ିଆ, ବହୁତ ବଢ଼ିଆ କଥା ଏ । ବେଶ୍‍, ମୁଁ ତା’ ପରୀକ୍ଷା କରିବାକୁ ଚାଲିଲି । କିନ୍ତୁ ଯଦି ମୋ ସଙ୍ଗେ ମଜା ଖେଳୁଥାଅ, ତେବେ ମୁଁ ନିଶ୍ଚେ ତମର ମଜା ନିକାଲିଦେବି ।”

 

ମଦ୍ୟପ ଜାହାଜ କର୍ମଚାରୀ ରାଜପଥରେ ଆଗେଇ ଚାଲିଲା । କିଉଇ ସେଇଠି ତା’ରି ଅପେକ୍ଷାରେ ଠିଆହୋଇ ରହିଲା । ଠିକ୍ ଏହିଠାରେ ଗତ ରାତ୍ରିରେ କୋକୁଆ ଅପେକ୍ଷା କରିଥିଲା-। ମାତ୍ର କୋକୁଆଠାରୁ ଆଜି କିଉଇର ହୃଦୟ ଥିଲା ଦୃଢ଼ ଓ ଉଦ୍ଦେଶ୍ୟ ସାଧନରେ ଅବିଚଳିତ-। ତଥାପି ସେ ହତାଶରେ ବେଳେବେଳେ ମୁହ୍ୟମାନ ହୋଇପଡ଼ୁଥିଲା ।

 

ପ୍ରତୀକ୍ଷାର ମୁହୂର୍ତ୍ତଗୁଡ଼ିକ ତାକୁ ଦୀର୍ଘତର ମନେ ହେଉଥାଏ । ଅବଶେଷରେ ସେଇ ଅନ୍ଧକାର ରାଜପଥରେ ଦୂର ବୃକ୍ଷାନ୍ତରାଳରୁ ସେ କାହାର ସହାସ୍ୟ ସଙ୍ଗୀତ ଶୁଣିବାକୁ ପାଇଲା । କିଛି ସମୟପରେ ସେ ତାହା ସେଇ ମଦ୍ୟପ ଜାହାଜ କର୍ମଚାରୀ କଣ୍ଠସ୍ଵର ବୋଲି ବାରିପାରିଲା । ହଠାତ୍‍ ଅତିରିକ୍ତ ମଦ୍ୟପାନ ଯୋଗୁ ତାହାଥିଲା ଅସଂଲଗ୍ନ ଓ ଜଡ଼ିତ । ତା’ପରେ ଟଳି ଟଳି ସେ ଆସି କିଉଇ ପାଖେ ପହଞ୍ଚିଲା । ତା’ର ଗୋଟିଏ ହାତରେ ସେଇ ଭୌତିକ ବୋତଲ ଓ ଅନ୍ୟଟିରେ ଏକ ମଦର ବୋତଲ, ଅସ୍ଥିର ପଦରେ ଢଳି ଢଳି ଚାଲୁଥିଲାବେଳେ ବି ସେ ମଦ ବୋତଲରୁ ମୁହଁରେ ମଦ ଢାଳି ପିଉଥାଏ ।

 

“ଏଇତ, ଯାହାହେଉ ବୋତଲଟି ତା’ହେଲେ ଆଣିପାରିଛି !”

 

ପଛକୁ କୁଦାମାରି ମଦ୍ୟପ ଜାହାଜ କର୍ମଚାରୀ ଚିତ୍କାର କଲା––“ଚୁପ୍‍କର ବଦମାସ ! ଆଉ ପାଦେ ଆଗକୁ ଆସିବୁ ତ ତୋ ମୁଣ୍ଡହାତ ଛେଚି ଫଟାଇଦେବି । ଭାବିଚୁ ପରା ମତେ ଠକାଇ ଦେବୁ….ନୁହେଁ ?”

 

“ଏଁ, ଏଁ, ଏସବୁ କ’ଣ କହୁଛ ? ମୁଁ ତ କିଛି ବୁଝିପାରୁନି ।’’

 

“ବୁଝିବ ? କ’ଣ ହେଙ୍ଗୁ ? ମୁଁ ବୁଝି ସାରିଛି, ଏଇଟି ବଡ଼ ବଢ଼ିଆ ବୋତଲ । କେମିତି ମୁଁ ତାକୁ ଦୁଇ ସେଣ୍ଟିମରେ ପାଇଛି ତା’ ମୁଁ ଜାଣେ…..କାହାକୁ ବି ମୁଁ ତା’ ବୁଝାଇବାକୁ ଚାହେଁନା । ଯା’ହେଉ ଏକ ସେଣ୍ଟରେ ମୁଁ ଆଉ ୟାକୁ ତତେ ଦେବିନି ।”

 

“ମାନେ ତୁମେ ୟାକୁ ଆଦୌ ବିକ୍ରି କରିବ ନାହିଁ ।’’ “ନା, ନା । ଯଦି ଚାହୁଁ ତେବେ ମୁଁ ବୋତଲେ ମଦ ତତେ ଦେଇପାରେ ।”

 

“ଜାଣିରଖ, ଏ ବୋତଲ ଯେ ରଖିବ ସେ ନର୍କରେ ଘାଣ୍ଟି ହେବ ।”

 

“ମୋ ସ୍ଥାନ ନର୍କରେ, ତା’ ମୁଁ ଜାଣେ । ଆଉ ଏବେ ଜାଣୁଛି, ନର୍କକୁ ସଙ୍ଗରେ ନେବା ଲାଗି ଏଇ ବୋତଲ ହେଉଛି ସବୁଠୁ ଭଲ ଜିନିଷ । ଏଇ ବୋତଲ ବର୍ତ୍ତମାନ ମୋର । ତୋର ଦର୍କାର ଥିଲେ ଏଥିରୁ ତୁ ଆଉ ଗୋଟାଏ ଯୋଗାଡ଼ କର ।”

 

“ଏକଥା କ’ଣ କେବେ ସମ୍ଭବ ହୋଇପାରେ । ତୁମର ଭଲ ପାଇଁ ଅନୁନୟ କରୁଛି, ମତେ ତମେ ଏଇଟି ବିକି ଦିଅ ।”

 

“ତୋର କୌଣସି କଥା ମୁଁ ଶୁଣିବାକୁ ଚାହେଁନା । ମତେ ଗୋଟାଏ ମୂର୍ଖ ଭାବି ତୁ ଠକିବାକୁ ବସିଥିଲୁ । ଏଥର ବୁଝୁଥା.... । ବାସ୍‍, ଏକଥା ଏତିକିରେ ବନ୍ଦ ରହୁ । ତୋର ଯଦି ରମ୍‍ ଲୋଡ଼ା ନାହିଁ ମୁଁ ତେବେ ଚାଲିଲି....ଆଚ୍ଛା.....ବିଦାୟ.... ।”

 

ଏତକ କହି ସେ ରାଜପଥରେ ସହର ଆଡ଼େ ମୁହାଁଇଲା । ଏଇଠୁ ଏ ବୋତଲ କଥାଟିର ଶେଷ ହେଲା ।

 

କିଉଇ ପବନ ଭଳି ଲଘୁ ପଦକ୍ଷେପରେ ଧାଇଁ ଚାଲିଲା କୋକୁଆ ପାଖକୁ । ସେଦିନ ରାତିରେ ସେମାନଙ୍କ ଆନନ୍ଦର ସୀମା ରହିଲା ନହିଁ । ସେଇ ‘ଉଜ୍ଜ୍ୱଳ ପ୍ରାସାଦ’ରେ ସେମାନେ ଏବେ ଖୁସିରେ ଅଛନ୍ତି ।

★★★

 

ଏଡଗାର୍‍ ଏଲାନ୍‍ ପୋ

 

୧୮୦୯ ଖ୍ରୀଷ୍ଟାବ୍ଦରେ ଉତ୍ତର ଆମେରିକାର ମାସଚ୍ୟୁସେଟ ନଗରୀରେ ଏଡଗାର୍‍ ଏଲାନ୍‍ ପୋ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମାତା ଅଭିନୟ କଳାରେ ସୁନିପୁଣ ଥିଲେ । ମାତ୍ର ଅତି ଶୈଶବ କାଳରେ ପିତାମାତାଙ୍କର ମୃତ୍ୟୁ ହେବାରୁ ସେ ରିଚ୍‍ମଣ୍ଡ ନଗରୀର ଜଣେ ତମାଖୁ ବ୍ୟବସାୟୀଙ୍କ ଆଶ୍ରୟରେ ପ୍ରତିପାଳିତ ହୋଇଥିଲେ । ଏହି ବଦାନ୍ୟ ବ୍ୟବସାୟୀ ପୋ’ଙ୍କ ଠାରୁ ପରିବର୍ତ୍ତୀ କାଳରେ ସମୁଚିତ କୃତଜ୍ଞତା ଲାଭ କରି ପାରିନଥିବା ଶୁଣାଯାଏ । ଯାହାହେଉ, ତାହାଙ୍କ ସାହାଯ୍ୟରେ ପୋ ଇଂଲାଣ୍ଡକୁ ଆସି ସେଠାରେ ଷ୍ଟୋକ୍‍ ନିଉଇଙ୍ଗ୍‍ଟନ୍‍ ବିଦ୍ୟାଳୟରେ ଓ ପରେ ଭର୍ଜିନିୟା ବିଶ୍ୱବିଦ୍ୟାଳୟରେ ଏକ ବର୍ଷ ଅଧ୍ୟୟନ କରିଥିଲେ । ୧୮୨୭ରେ ତାଙ୍କର ପ୍ରଥମ ରଚନା ‘Tamerlane and other Poems’ ପ୍ରକାଶିତ ହୋଇଥିଲା । ମାତ୍ର ସେହି ସମୟରେ ଏହି ସାହିତ୍ୟିକଙ୍କ ଜୀବନର ଗତି ଭିନ୍ନ ପଥରେ ଅଗ୍ରସର ହେଲା । ୧୮୨୮ ଖ୍ରୀଷ୍ଟାବ୍ଦରେ ସେ ଆମେରିକା ସୈନ୍ୟ-ବାହିନୀରେ ଯୋଗଦେଲେ । ସେଠାରୁ ଫେରିଆସି ସେ ମିଲିଟାରୀ ଏକାଡେମୀରେ ପ୍ରବେଶ କଲେ । ମାତ୍ର ୨ବର୍ଷ ପରେ ସେଠାରୁ ମଧ୍ୟ ତାଙ୍କୁ ବିତାଡ଼ିତ ହେବାକୁ ପଡ଼ିଲା ।

 

ଇତ୍ୟବସରରେ ତାଙ୍କର ପ୍ରକାଶିତ କବିତାବଳୀ ଆଦୃତ ନହେବା ଜାଣିପାରି ସେ ସାମ୍ବାଦିକତା ପ୍ରତି ଆକୃଷ୍ଟ ହେଲେ ଓ ବହୁ ପତ୍ରପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ‘Southern Literary Messenger’ ପତ୍ରିକା ସମ୍ପାଦନା କରୁଥିବା ସମୟରେ ତାଙ୍କର କେତୋଟି ଶ୍ରେଷ୍ଠ ଗଳ୍ପ ଉକ୍ତ ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୮୩୯ରେ ତାଙ୍କର ପ୍ରଥମ ଗଳ୍ପ ସଞ୍ଚୟନ ‘Tales of the Grotesque & Arabesque’ ପ୍ରକାଶିତ ହୋଇଥିଲା । ତତ୍‍ପରେ ‘Murder in the Rue Morgue’ ଓ ‘Gold bug’ ନାମକ ଦୁଇଟି ପୁସ୍ତକ ପ୍ରକାଶିତ ହୋଇଥିଲା । ୧୮୪୫ରେ ‘The Raven’ କାବ୍ୟ ପ୍ରକାଶିତ ହୋଇ ତାଙ୍କୁ ବହୁ ଜନପ୍ରିୟ ଓ ସମ୍ମାନିତ ଲେଖକର ଗୌରବ ପ୍ରଦାନ କରିଥିଲା । ଜୀବନର ଅବଶିଷ୍ଟ ଭାଗ ତାଙ୍କର ସାହିତ୍ୟ ସାଧନାରେହିଁ ନିୟୋଜିତ ହୋଇଥିଲା । ବହୁ କାବ୍ୟକବିତା, ଗଳ୍ପ ଓ ସାହିତ୍ୟ ସମାଲୋଚନାମୂଳକ ପ୍ରବନ୍ଧ ଲେଖି ସେ ଆମେରିକା ସାହିତ୍ୟ ତଥା ବିଶ୍ଵ ସାହିତ୍ୟକୁ ସମୃଦ୍ଧ କରିଯାଇଅଛନ୍ତି । ତାଙ୍କର କେତୋଟି ଅନୁପମ ପୃଥିବୀ-ବିଖ୍ୟାତ ଗଳ୍ପ ମଧ୍ୟରୁ ‘The house of the Usher’, ‘A descent into the Males storm’, ‘The masque of the red death’, ‘The mystery of Maric Roget’, ‘The cask of Amontillado’ ଉଲ୍ଲେଖଯୋଗ୍ୟ । ମାତ୍ର ୪୦ ବର୍ଷ ବୟସରେ ଏହି ବିଶିଷ୍ଟ ସାହିତ୍ୟିକଙ୍କର ଦେହାନ୍ତ ହୋଇଥିଲା । ଦୁଷ୍କୃତକାରୀର ମନୋଭାବ ବିଶ୍ଳେଷଣ କରିବାରେ ଲେଖକଙ୍କର ଅପୂର୍ବ ପଟୁତା ‘ହୃଦୟର ସ୍ପନ୍ଦନ’ ଗଳ୍ପଟିରେ ଉତ୍ତମରୂପେ ପ୍ରତିବିମ୍ବିତ ହୋଇଅଛି ।

★★★

 

ହୃଦୟର ସ୍ପନ୍ଦନ

 

ହଁ ଠିକ୍‍ କଥା—ମୁଁ ଥିଲି ଅତିଶୟ ଭୀରୁ ! ଏବେ ମଧ୍ୟ ସେଇଆ ଅଛି । କିନ୍ତୁ ତୁମେ ମତେ ପାଗଳ କୁହ କାହିଁକି ? ରୋଗ ଆଜି ମୋର ବୋଧଶକ୍ତିକୁ ଶିଥିଳ ବା ଲୁପ୍ତ କରିଦେବା ପରିବର୍ତ୍ତେ ଅତିଶୟ ତୀକ୍ଷ୍‍ଣ କରିଦେଇଛି । ଶ୍ରବଣ ଶକ୍ତି ତ ମୋର ତୀକ୍ଷ୍‍ଣତମ । ଦ୍ୟୁଲୋକ ଓ ଭୂଲୋକର ସମସ୍ତ କଥା ମୁଁ ବର୍ତ୍ତମାନ ସ୍ପଷ୍ଟ ଶୁଣିପାରୁଛି । ନରକର କଥା ମଧ୍ୟ ମୋର କାନରେ ବାଜୁଛି । ତେବେ ମୁଁ ପାଗଳ ହେଲି କିପରି ? ହଉ, ବର୍ତ୍ତମାନ ମୋର ଗପଟି ମନ ଦେଇ ଶୁଣ—କିପରି ଅନୁତ୍ତେଜିତ ଶାନ୍ତ ଭାବରେ ମୁଁ ତାହା କହୁଛି, ସେଇଥିରୁ ତୁମେ ସବୁ ବୁଝିପାରିବ ।

 

କୌଣସି ଧାରଣା ମୋ ମନକୁ ଆସିଲେ ତାହା ଦିନ ରାତି ସର୍ବଦା ମୋ ମନରେ ଲାଗିଥାଏ । ମାତ୍ର କିପରି ଏଇ ଧାରଣାଟି ମୋ ମନରେ ସ୍ଥାନ ପାଇଲା ତା’ କହିବା ଅସମ୍ଭବ । ମୋର କୌଣସି ଉଦ୍ଦେଶ୍ୟ ନଥିଲା କିମ୍ବା ମୁଁ ଆବେଗର ବଶବର୍ତ୍ତୀ ନ ଥିଲି । କଥା ହେଉଛି, ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୁଁ ଭଲ ପାଉଥିଲି । ସେ ମଧ୍ୟ କେବେ ମୋ ସଙ୍ଗେ ଦୁର୍ବ୍ୟବହାର କରି ନାହାନ୍ତି । ତାଙ୍କର ସଞ୍ଚିତ ସ୍ଵର୍ଣ୍ଣ ପ୍ରତି ମଧ୍ୟ ମୋର କେବେ ଲୋଭ ନ ଥିଲା । କିନ୍ତୁ.....ସବୁର ମୂଳ ତାଙ୍କର ସେଇ ଆଖି ଦିଓଟି.....ହଁ ସେଇଆ । ତାଙ୍କର ଗୋଟିଏ ଆଖି ଦେଖିବାକୁ ଠିକ୍ ଶାଗୁଣା ଆଖି ଭଳି–ମଳିନ, ନୀଳ ଓ ଆବରଣଯୁକ୍ତ । ସେ ମୋତେ ତାଙ୍କର ସେଇ ଆଖିରେ ଚାହିଁଲାବେଳେ ମୋ ରକ୍ତ ଶୀତଳ ହୋଇଯାଉଥିଲା । ନିଜକୁ ସବୁଦିନ ଲାଗି ଏଇ ଦୃଷ୍ଟିପାତରୁ ମୁକ୍ତ କରିବା ଲାଗି ମୁଁ କ୍ରମଶଃ କୃତନିଶ୍ଚୟ ହେଲି, ଅତି ସନ୍ତର୍ପଣରେ ତାଙ୍କୁ ହତ୍ୟା କରିବାକୁ ।

 

ଏଥିପାଇଁ ତୁମେ ବୋଧହୁଏ ଭାବୁଥିବ ମୁଁ ପାଗଳ । କିନ୍ତୁ ପାଗଳମାନଙ୍କର ତ କିଛି ଜ୍ଞାନ ନଥାଏ । ମାତ୍ର ମୁଁ କିପରି ସୁଚତୁର ସତର୍କତା ଓ ଦୂରଦୃଷ୍ଟିର ସହିତ ଏହି କାମରେ ଅଗ୍ରସର ହେଲି ତାହା ଭାବିଲ ! ତାଙ୍କୁ ହତ୍ୟା କରିବାର ପୂର୍ବ ସପ୍ତାହ ଭଳି ତାଙ୍କପ୍ରତି ମୁଁ କେବେ ଏତେ ଦୟାର୍ଦ୍ର ହୋଇ ନ ଥିଲି । ପ୍ରତିଦିନ ଅଧରାତିରେ ଅତି ସନ୍ତର୍ପଣରେ ମୁଁ ତାଙ୍କ ଶୟନକକ୍ଷ ଦ୍ଵାରରେ ଅର୍ଗଳିକୁ ଉନ୍ମୁକ୍ତ କରୁଥିଲି । ମୋର ମୁଣ୍ଡଟି ଗଳିଲା ଭଳି ଅଳ୍ପ ଫାଙ୍କ ହୋଇଗଲେ, ଭଲଭାବେ ଆବୃତ ହୋଇଥିବା କଳା ଲଣ୍ଠନଟିଏ ସେଇ ଘର ଭିତରେ ରଖୁଥିଲି । ତା’ପରେ ଧୀରେ ଧୀରେ ମୁହଁକୁ ମୁଁ ଗଳାଇ ଦେଉଥିଲି ସେଇ ଘର ଭିତରକୁ । ଧୂର୍ତ୍ତତାର ସହିତ ମୁଁ ଯେପରି ମୁହଁ ଗଳାଉଥିଲି ତାହା ଭାବି ତମେ ବୋଧହୁଏ ହସୁଥିବ । ହଁ ବୃଦ୍ଧ ବ୍ୟକ୍ତିଙ୍କର ଯେପରି ସୁନିଦ୍ରାରେ ବ୍ୟଘାତ ନ ହୁଏ, ସେଥିପାଇଁ ମୁଁ ଅତି ଧୀ-ଇ-ର ଭାବରେ ମୁହଁ ଗଳାଉଥିଲି । ସେତେବେଳେ ସେ ବିଛଣାରେ ଶୋଇଥାନ୍ତି । ତାଙ୍କୁ ଭଲଭାବେ ଦେଖିପାରିବା ଭଳି ମୋର ମୁଣ୍ଡଟିକୁ ଯଥାସମ୍ଭବ ଦ୍ଵାରର ସେଇ ଉନ୍ମୁକ୍ତ ପଥରେ ଗଳାଇବାକୁ ମତେ ପ୍ରାୟ ଘଣ୍ଟାଏ ଲାଗି ଯାଉଥିଲା । ହୁଁ, ପାଗଳ ଲୋକ କ’ଣ ଏପରି ପ୍ରବୀଣତାର ସହିତ କାମ କରିପାରେ ?

 

ମୋର ମୁଣ୍ଡଟି ଘର ଭିତରେ ରହିଲା ପରେ ମୁଁ ଲଣ୍ଠନକୁ ଉଠାଇ ତାହା ଉପରେ ଥିବା ଆବରଣଟିକୁ ନୀରବରେ ଖୋଲୁଥିଲି । କିନ୍ତୁ ଏକ କ୍ଷୀଣ ଆଲୋକ ରେଖା ଆସିଲା ଭଳି ଅତ୍ୟଳ୍ପ ମାତ୍ର ଖୋଲୁଥିବାରୁ ତାହା ସାହାଯ୍ୟରେ କେବଳ ତାଙ୍କର ଶାଗୁଣାଭଳି ଆଖିଟି ସହଜରେ ଲକ୍ଷ୍ୟ କରି ହେଉଥିଲା । ଦୀର୍ଘ ସାତଦିନ ଧରି ସବୁଦିନ ଅଧରାତିରେ ମୁଁ ଠିକ୍ ଏମିତି କରିଛି । କିନ୍ତୁ ସବୁଦିନ ସେତିକିବେଳକୁ ସେଇ ଆଖି ଦିଓଟି ଥାଏ ମୁଦ୍ରିତ । ତେଣୁ ସଫଳକାମ ହେବା ମୋ ପକ୍ଷେ ଥିଲା ଅସମ୍ଭବ । କାରଣ ସେଇ ବୃଦ୍ଧ ବ୍ୟକ୍ତି ଉପରେ ତ ମୁଁ ଉତ୍ୟକ୍ତ ନ ଥିଲି । ମୁଁ ଉତ୍ୟକ୍ତି ଥିଲି, ତାଙ୍କର ସେଇ ଅମଙ୍ଗଳ ଆଖି ଉପରେ….ସେଇ ଆଖି ହିଁ ଥିଲା ମୋର ଚକ୍ଷୁଶୂଳ ।

 

ସକାଳ ହେଲେ ପୁଣି ସବୁଦିନ ଭଳି ମୁଁ ତାଙ୍କ କୋଠରୀକୁ ଅବିବ୍ରତ ହୃଦୟରେ ଯାଇ ତାଙ୍କ ସଙ୍ଗେ ପ୍ରଫୁଲ୍ଲଭାବେ କଥାଭାଷା କରିଛି । ଗତରାତିଟି କିପରି କଟୁଛି ତା’ ମଧ୍ୟ ଅକୁଣ୍ଠିତଭାବେ ପଚାରିଛି । ରାତିରେ ମୁଁ ତାଙ୍କୁ ଶୋଇଲାବେଳେ ଯେ ସବୁଦିନ ଲକ୍ଷ୍ୟ କରି ଆସୁଛି, ଏ ବିଷୟରେ ତାଙ୍କର ଆଦୌ ସନ୍ଦେହ ଜାତ ହୋଇନି ।

 

ଅଷ୍ଟମ ଦିନ ରାତିରେ ମୁଁ ସବୁଠାରୁ ବେଶୀ ସତର୍କ ଭାବେ ଦ୍ଵାରକୁ ଉନ୍ମୁକ୍ତ କଲି । ଘଣ୍ଟାର ମିନିଟ କଣ୍ଟା ବୋଧହୁଏ ମୋ ଠାରୁ ଜୋରରେ ଚାଲୁଥିବ । ନିଜର ଶକ୍ତି, ନିଜର ସତର୍କ କୁଶଳତା ସେଦିନ ଭଳି ମୁଁ କେବେ ଉପଲବ୍‍ଧି କରି ନାହିଁ । ଧୀରେ ଧୀରେ ଦ୍ୱାର ଖୋଲିବାବେଳେ ନିଜର ଗୋପନ ଚିନ୍ତା ଓ କର୍ମ ଅନ୍ୟର କଳ୍ପନାତୀତ ଭାବି ଏବଂ ମୋର ଭାବୀ ସଫଳତା ବିଷୟ କଳ୍ପନା କରି ମୁଁ ଆବେଗ-ବିଭୋର ହୋଇପଡ଼ିଲି । ସେତେବେଳେ ସେ ବୋଧହୁଏ କ’ଣ ଶୁଣିପାରିଲେ । ହଠାତ୍ ଚମକିଲା ଭଳି ସେ ଶଯ୍ୟା ଉପରେ କର ଲେଉଟାଇଲେ ।

 

ତମେ ଭାବୁଥିବ, ମୁଁ ସେତେବେଳେ ଲୁଚି ଯାଇଥିବି, ନାଁ । ସେଇ କୋଠରୀଟି ଥାଏ ପିଚୁ ଭଳି ଅନ୍ଧକାର । ଡକାୟତି ଭୟରେ ସେ ଘରର ସମସ୍ତ ଝରକା ଭଲଭାବେ ବନ୍ଦ କରି ଦେଇଥାନ୍ତି । ଈଷତ୍‍ ଉନ୍ମୁକ୍ତ ଦ୍ୱାରକୁ ଲକ୍ଷ୍ୟ କରିବା ତାଙ୍କ ପକ୍ଷେ ଅସମ୍ଭବ । ଏହା ଜାଣି ମୁଁ ବରଂ ଆହୁରି ଦ୍ଵାର ଭିତରକୁ ମୋ ମୁଣ୍ଡ ଅଗ୍ରସର କରାଇବାକୁ ଲାଗିଲି । ମାତ୍ର ଲଣ୍ଠନର ଆବରଣଟି ଖୋଲିବାବେଳେ ମୋର ବୁଢ଼ା ଆଙ୍ଗୁଠି ଟିପଟି ଦୈବାତ୍‍ ଟିଣ ଚକ୍ତି ଉପରୁ ଖସିଗଲା । ସଙ୍ଗେ ସଙ୍ଗେ ବୃଦ୍ଧ ଶଯ୍ୟା ଉପରେ ଉଠି ବସି ଚିତ୍କାର କଲେ–“କିଏ ସେ ?”

 

ନୀରବ, ନିଶ୍ଚଳଭାବେ ମୁଁ ସେହିପରି ଠିଆ ହୋଇ ରହିଲି ପ୍ରାୟ ଘଣ୍ଟାଏ କାଳ । ମାଂସପେଶୀଟିଏ ମଧ୍ୟ ମୁଁ ସଞ୍ଚାଳିତ କରି ନାହିଁ । ଏହି ସମୟ ମଧ୍ୟରେ ସେ ଆଉ ଶୋଇ ନାହାନ୍ତି-। ଶଯ୍ୟା ଉପରେ ବସି ରହି ସେ କାନ୍ଥ ଘଣ୍ଟାର ଭୟାବହ ଟିକ୍ ଟିକ୍‍ ଧ୍ୱନି କେବଳ ଶୁଣୁଥିଲେ–ଠିକ୍‍ ଯେପରି ମୁଁ ସବୁଦିନ ରାତିରେ ନିସ୍ପନ୍ଦଭାବେ ଶୁଣୁଥିଲି ।

 

ଅନତିବିଳମ୍ବେ ମୁଁ ଶୁଣିବାକୁ ପାଇଲି ଚିତ୍କାର ଧ୍ୱନି । ବେଦନା ବା ଶୋକଜନିତ ଚିତ୍କାର ତ ଏ ନୁହେଁ ! ଭୀତ ଚକିତ ବିହ୍ଵଳ ହୃଦୟର ଗଭୀରତମ ଅନ୍ତଃସ୍ଥଳରୁ ଯେଉଁ ଭୟାବହ ଚିତ୍କାର ଉତ୍‍ଥିତ ହୁଏ, ଏହା ଥିଲା ସେହି ଧରଣର ଚିତ୍କାର । ଏ ଧ୍ୱନି ସହିତ ମୁଁ ଭଲଭାବେ ପରିଚିତ । ଗଭୀର ନିଦ୍ରାରେ ଜଗତ୍‍ ପ୍ରସୁପ୍ତ ଥିଲାବେଳେ ବହୁ ନିଶୀଥରେ ମୋର ହୃଦୟରୁ ଏପରି ଧ୍ୱନି ଉତ୍‍ଥିତ ହୋଇ ତାହାର ବିଭୀଷିକାପୂର୍ଣ୍ଣ ପ୍ରତିଧ୍ୱନିରେ ମତେ ଅନେକ ଥର ଚକିତ, ବିଭ୍ରାନ୍ତ କରିଛି । ସେଇଥିପାଇଁ କହିଲି, ଏ ଶବ୍ଦ ମୋର ସୁପରିଚିତ । ଏଥର ମୁଁ ବୁଝିପାରିଲି ବୃଦ୍ଧଙ୍କର ତାତ୍କାଳିକ ଅବସ୍ଥା । ତାଙ୍କ ପ୍ରତି ମୋର କରୁଣା ଜାତ ହେଲା । ଜାଣିଲି, ସେ କାହିଁକି ସାମାନ୍ୟତମ ଶବ୍ଦ ଶୁଣି କର ଲେଉଟାଇଲାବେଳୁ ଆଖି ମୁଦି ନାହାନ୍ତି । ଭୟ ତାଙ୍କୁ ଅଭିଭୂତ କରିସାରିଥାଏ ସମ୍ପୂର୍ଣ୍ଣରୂପେ । ତଥାପି ଏହା ନିରର୍ଥକ ବୋଲି ମନକୁ ବୁଝାଇବାକୁ ସେ ନିଷ୍ଫଳ ଉଦ୍ୟମ କରୁଥାନ୍ତି । “ଏଇ ଶବ୍ଦଟା କିଛି ନୁହେଁ, କେବଳ ଚିମିନିରେ ପବନ ବାଜି ଏପରି ହେଉଛି କିମ୍ବା ଚଟାଣ ଉପରେ ମୂଷାସବୁ ଧାଁ ଧପଡ଼ କରିବାରୁ ଏପରି ହେଉଛି ଅଥବା ଏହା ଝିଲ୍ଲୀର ଧ୍ୱନି”—ହଁ ଏମିତି କହି ବୋଧହୁଏ ନିଜକୁ ସାନ୍ତ୍ୱନା ଦେବାକୁ ସେ ଚେଷ୍ଟା କରୁଥାନ୍ତି । କିନ୍ତୁ ଏ ସବୁ ନିଷ୍ଫଳ, ନିରର୍ଥକ । କାରଣ ମୃତ୍ୟୁର ଘନ କୃଷ୍ଣଛାୟା ତାଙ୍କର ସମୀପବର୍ତ୍ତୀ ହୋଇ ତାଙ୍କୁ ଆବୃତ କରିବାକୁ ବସିଲାଣି । ତାହାହିଁ ମୋରି ଛାୟା, ଯେ ତାଙ୍କ ଅଗୋଚରେ ମୁଣ୍ଡକୁ ଘର ଭିତରେ ପ୍ରବେଶ କରାଇ ସାରିଥାଏ । ଅସୀମ ଧୈର୍ଯ୍ୟର ସହିତ ଏହିପରି ଦୀର୍ଘ ସମୟ ଅପେକ୍ଷା କଲାପରେ ତାଙ୍କର ଶୋଇବାର କୌଣସି ଧ୍ୱନି ଶୁଣିବାକୁ ନ ପାଇ ମୁଁ ଲଣ୍ଠନରେ ଅଳ୍ପ….ଅତି ଅଳ୍ପମାତ୍ର ଫାଙ୍କ କରିବାକୁ ସ୍ଥିର କଲି । ତୁମେ କଳ୍ପନା କରିପାରିବ ନାହିଁ, କିପରି ସଂଗୋପନରେ ଅଭିନିବିଷ୍ଟ ହୋଇ ମୁଁ ଅବଶେଷରେ ଲୁତାଜାଲ ଭଳି ଏକ କ୍ଷୀଣ ଆଲୋକରେଖା ଲଣ୍ଠନରୁ ନିର୍ଗତ କରାଇ ବୃଦ୍ଧଙ୍କର ସେଇ ଶାଗୁଣାଭଳି ଆଖି ଉପରେ ସ୍ଥାପନ କରାଇ ପାରିଥିଲି ।

 

ସେତେବେଳେ ଆଖି ତାଙ୍କର ଖୋଲା…ସମ୍ପୂର୍ଣ୍ଣଭାବେ ଖୋଲାଥିଲା । ତାଙ୍କୁ ଚାହିଁବା ମାତ୍ରେ ହିଂସ୍ର କ୍ରୋଧରେ ମୁଁ ଅଗ୍ନିଶର୍ମା ହୋଇଗଲି । ଅତି ପରିଷ୍କାରଭାବେ ମୁଁ ଦେଖିଛି ସେଇ ଆଖି ମଳିନ, ନୀଳବର୍ଣ୍ଣ ଓ ଘୃଣ୍ୟ ଆବରଣରେ ଆବୃତ । ସେଇ ଆଖି ଦୁଇଟି ଛଡ଼ା ତାଙ୍କ ମୁଖ ବା ଆଉ କିଛି ମୁଁ ଲକ୍ଷ୍ୟ କରି ନାହିଁ । କାରଣ ଏକପ୍ରକାର ସହଜ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଆଲୋକରେଖାଟିକୁ ମୁଁ କେବଳ ସେଇ କଦର୍ଯ୍ୟ ଆଖି ଦିଓଟା ଉପରେହିଁ ସ୍ଥାପନ କରିଥିଲି ।

 

ସେଥିପାଇଁ ମୁଁ ପୂର୍ବରୁ କହିଛି, ତମେ ଯାହାକୁ ମୋର ପାଗଳାମୀ ବୋଲି ଭୁଲରେ କହୁଛ, ତାହା ମୋର ବୋଧଶକ୍ତିର ତୀବ୍ରତା ବ୍ୟତୀତ ଆଉ କିଛି ନୁହେଁ । ହଁ, ତା’ପରେ— । ତୁଳା ଭିତରେ ଘଣ୍ଟାକୁ ଘୋଡ଼ାଇ ରଖିଲେ ଯେପରି ଶବ୍ଦ ହୁଏ ସେହିପରି ମୃଦୁ ଓ ତୀବ୍ରତର ଧ୍ୱନି ମୁଁ ଶୁଣିବାକୁ ପାଇଲି । ଏ ଶବ୍ଦ ମଧ୍ୟ ମୋର ସୁପରିଚିତ । ତାହା ଥିଲା ବୃଦ୍ଧଙ୍କର ହୃତ୍‍ପିଣ୍ଡର ସ୍ପନ୍ଦନ ଡ୍ରମ ବାଦ୍ୟ ଶୁଣି ସୈନିକମାନଙ୍କ ସାହସ ଉଦ୍ଦୀପ୍ତ ହେଲାଭଳି ତାହା ଶୁଣି ମୋର କ୍ରୋଧ ବଢ଼ିବାକୁ ଲାଗିଲା ।

 

ମାତ୍ର ନିଜକୁ ସଂଯତ କରି ଲଣ୍ଠନକୁ ସ୍ଥିର ଭାବରେ ଧରି ମୁଁ ନିଶ୍ଚଳଭାବେ ଠିଆ ହୋଇଥାଏ । ନିଃଶ୍ୱାସ ବି କ୍ଵଚିତ ନେଉଥାଏ । ଲଣ୍ଠନର ଆଲୋକରେଖା ସେହିପରି ବୃଦ୍ଧଙ୍କ ଆଖି ଉପରେ ନିବଦ୍ଧ । ଇତ୍ୟବସରେ ବୃଦ୍ଧଙ୍କର ହୃତ୍‍ସ୍ପନ୍ଦନ କ୍ରମଶଃ ବଢ଼ୁଥାଏ । ବୃଦ୍ଧଙ୍କର ଆଶଙ୍କା ନିଶ୍ଚୟ ଚରମରେ ପହଞ୍ଚିଥିଲା । ପ୍ରତି ମୁହୂର୍ତ୍ତରେ ସେହି ସ୍ପନ୍ଦନର ତୀବ୍ରତା ବୃଦ୍ଧି ମୁଁ ଶୁଣିପାରୁଥାଏ । ମୋର ଅବସ୍ଥା ଅନୁମାନ କରିପାରୁଛ ତ ? ମୁଁ ଜଣେ ଦୁର୍ବଳ ସ୍ନାୟୁ-ବିଶିଷ୍ଟ ବ୍ୟକ୍ତି ବୋଲି ପୂର୍ବରୁ କହିଛି । ସେହି ପୁରାତନ ଗୃହରେ ନିଶୀଥର ଭୟାବହ ନୀରବତା ମଧ୍ୟରେ ସେହି ଉତ୍ତେଜକ ହୃତ୍‍ସ୍ପନ୍ଦନ ଧ୍ୱନି ମତେ ଆହୁରି ଦୁର୍ଦ୍ଦମନୀୟ ଭୀତିବିହ୍ଵଳ କରିଦେଲା । ତଥାପି କେତେବେଳଯାଏଁ ମୁଁ ସଂଯତ, ନିଶ୍ଚଳଭାବେ ରହିଲି । ବୃଦ୍ଧଙ୍କର କ୍ରମଶଃ ବଢ଼ୁଥିବା ସ୍ପନ୍ଦନ ଶୁଣି ମୋର ମନେହେଲା ଯେପରି ତାଙ୍କର ଛାତି ଫାଟିଯିବ । ହଠାତ୍‍ ମୁଁ ଏକ ନୂତନ ଉଦବେଗର ବଶବର୍ତ୍ତୀ ହୋଇପଡ଼ିଲି । ଏହି ଶବ୍ଦ ଯଦି ଏଠିକାର ପାଖ ପଡ଼ୋଶୀ ଲୋକ ଶୁଣିବାକୁ ପାଇବେ, ତେବେ ତ... ! ବୁଢ଼ାର ଯିବାବେଳ ହୋଇଗଲା ! ଏକ ପ୍ରବଳ ଚିତ୍କାର କରି ମୁଁ ଲଣ୍ଠନକୁ ତେଜି ଦେଇ ଘର ଭିତରକୁ ପଶିଗଲି । ଥରକଲାଗି ସେ ଚିତ୍କାର କରି ଉଠିଲେ । ମାତ୍ର ସେତିକି । ମୁହୂର୍ତ୍ତକ ମଧ୍ୟରେ ମୁଁ ଚଟାଣ ଉପରକୁ ତାଙ୍କୁ ଘୋଷାରି ଆଣିଲି । ତାଙ୍କରି ଓଜନିଆ ଶେଯକୁ ତାଙ୍କ ଉପରେ ପକାଇ ଦେଇ ଜାବୁଡ଼ି ଧରିଲି ପ୍ରବଳଭାବରେ । ଏତକ କଲା ପରେ ମୋ ମୁଖରେ ସ୍ମିତ-ହାସ୍ୟ ଦେଖାଗଲା । ବୃଦ୍ଧଙ୍କ ହୃଦୟ ଶେଯ ଭିତରେ ଧୀରେ ଧୀରେ ଧକ୍‍ ଧକ୍‍ ହେଉଥାଏ । ତାହା ତ ଆଉ କାନ୍ଥ ଡେଇଁ ଆରପଟକୁ ଶୁଣାଯିବ ନାହିଁ । ଏଣୁ ମୁଁ ଆଉ ବିଚଳିତ ହେବି କାହିଁକି ? ଅବଶେଷରେ ଏହି ଧ୍ୱନି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ବୃଦ୍ଧଙ୍କର ପ୍ରାଣବାୟୁ ଉଡ଼ିଗଲା । ମୁଁ ଶଯ୍ୟାକୁ କାଢ଼ି ଦେଇ ମୃତଦେହକୁ ପରୀକ୍ଷା କଲି । ସେତେବେଳକୁ ହଁ, ସେ କାଠ ଭଳି ଶକ୍ତ ମୁର୍ଦାରରେ ପରିଣତ ହୋଇ ସାରିଥାନ୍ତି । ତାଙ୍କ ଛାତି ଉପରେ ମୁଁ ମୋର ହାତଟି କେତେ ମିନିଟ୍‍ଯାଏ ରଖି ପରୀକ୍ଷା କଲି । ହୃତ୍‍ପିଣ୍ଡ ନୀରବ । ବାସ୍ ! ଏଥର ତାଙ୍କର ସେଇ ଆଖି ମତେ ଆଉ ପୀଡ଼ା ଦେଇପାରିବ ନାହିଁ ।

 

ତଥାପି ତମେ ଯଦି ସତେ ପାଗଳ ବିଚାରୁଥାଏ, ତେବେ ମୁଁ କିପରି ସୁଚତୁର ସତର୍କତା ଅବଲମ୍ବନ କରି ସେଇ ମୃତ ଦେହକୁ ଲୁକ୍‍କାୟିତ ରଖିଥିଲି ତାହାର ବର୍ଣ୍ଣନା ଶୁଣିଲେ ତମର ଏଇ ଧାରଣା ନିଶ୍ଚୟ ଦୂର ହୋଇଯିବ । ସେତେବେଳକୁ ରାତି ଅବସାନ ପ୍ରାୟ । କ୍ଷିପ୍ରତାର ସହିତ ଅଥଚ ନୀରବରେ ମୁଁ କାମରେ ଲାଗିପଡ଼ିଲି ।

 

ପ୍ରଥମେ ମୁଁ ସେଇ ମୃତଦେହର ମୁଣ୍ଡ, ହାତ ଓ ଗୋଡ଼ସବୁ କାଟି ଅଲଗା କରିଦେଲି । ସେଇ କୋଠରୀର ଚଟାଣରୁ ତିନିଗୋଟି ତକ୍ତା ଉଠାଇ ଦେଇ ସ୍ୱଳ୍ପ ପରିସର ସ୍ଥାନରେ ସେଇ ଶବ ଓ ତା’ର ଅବୟବଗୁଡ଼ିକୁ ରଖି ତାହା ଉପରେ ପୂର୍ବପରି ପଟା ଖଞ୍ଜିଦେଲି । ଏପରି ନିପୁଣତାର ସହିତ ସେଇ ପଟାତକ ପୁନଃସ୍ଥାପନ କରିଥିଲି ଯେ, କୌଣସି ଲୋକ ଏପରିକି ସେଇ ବୃଦ୍ଧ ବଞ୍ଚି ଉଠିଲେବି ତାକୁ ବାରିବା ଅସମ୍ଭବ ହୋଇଥାନ୍ତା । ଗୃହର କୌଣସି ଅଂଶକୁ ଧୋଇ ପରିଷ୍କାର କରିବା ମଧ୍ୟ ପ୍ରୟୋଜନ ନ ଥିଲା । ଟୋପାଏ ରକ୍ତର ଦାଗ ମଧ୍ୟ କେଉଁଠି ନ ଥିଲା । ସେ ବିଷୟରେ ମୁଁ ଥିଲି ଖୁବ୍‍ ପ୍ରବୀଣ । ଗୋଟାଏ ଟବରେହିଁ ସବୁତକ ରହିଯାଇଥିଲା– । ହାଃ–ହାଃ–ହାଃ– ।

 

ଏସବୁ କାମ ସରିଲା ବେଳକୁ ରାତ୍ର ପ୍ରାୟ ନ ଥାଏ । ଘଣ୍ଟାରେ ଠିକ୍‍ ଚାରିଟା ବାଜିବା ସଙ୍ଗେ ସଙ୍ଗେ ରାସ୍ତା ପାଖରେ ରହି ଗୃହ ଦ୍ଵାରରେ କାହାର କରାଘାତ ମୁଁ ଶୁଣିବାକୁ ପାଇଲି । ଦ୍ଵାର ଖୋଲିବା ଲାଗି ଅବିଚଳିତ ମନରେ ମୁଁ ଉପର ମହଲାରୁ ତଳକୁ ଓହ୍ଲାଇ ଗଲି । କାହିଁକି ବା ମୁଁ ଭୟ କରନ୍ତି ? ଦ୍ୱାର ଖୋଲିବାରୁ ତିନିଜଣ ଲୋକ ଘର ଭିତରକୁ ପଶି ଆସିଲେ । ସ୍ଵଚ୍ଛନ୍ଦଭାବରେ ସେମାନେ ପୁଲିସ ଅଫିସର ବୋଲି ନିଜର ପରିଚୟ ଦେଲେ । କୌଣସି ଏକ ପଡ଼ୋଶୀ ଚିତ୍କାର ଧ୍ୱନି ଶୁଣି ଦୁର୍ଘଟଣା ସନ୍ଦେହ କରି ପୁଲିସ ଅଫିସକୁ ଏଇ ସମ୍ବାଦ ଦେଇଛନ୍ତି । ଫଳରେ ଏଇ ଅଫିସରମାନେ ଏଠା ଚାରିପାଖ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ପ୍ରେରିତ ।

 

ଏସବୁ ଶୁଣି ମୁଁ ନିର୍ଭୀକ ଭାବେ ଟିକିଏ ମୁରୁକି ହସିଲି । ସସମ୍ମାନେ ସେମାନଙ୍କୁ ଘରଭିତରକୁ ବାଟ କଢ଼ାଇ ନେଲି । କହିଲି—“ସେ ଧ୍ୱନି ହେଉଛି ମୋର । ଶୋଇବାବେଳେ ସ୍ଵପ୍ନ ଦେଖି ମୁଁ ପାଟିକରି ଉଠିଛି । ଏଠି ରହୁଥିବା ବୃଦ୍ଧ ବ୍ୟକ୍ତି ବର୍ତ୍ତମାନ ଏ ସହରରେ ନାହାନ୍ତି ।” ଘର ଚାରିଆଡ଼େ ତାଙ୍କୁ ମୁଁ ବୁଲି ଦେଖାଇଲି । ଭଲକରି ଅନୁସନ୍ଧାନ କରିବାକୁ ସେମାନଙ୍କୁ ଅନୁରୋଧ କଲି । ଶେଷକୁ ବୃଦ୍ଧଙ୍କ ସେଇ କୋଠରୀକୁ ମଧ୍ୟ ସେମାନଙ୍କୁ ନେଲି । ତାଙ୍କର ଟଙ୍କା, ପଇସା, ଧନଦୌଲତ କିପରି ଯଥାଯଥଭାବେ ନିରାପଦରେ ରହୁଛି ତା’ ମଧ୍ୟ ଦେଖାଇଲି । ବିଶ୍ୱାସ ଜନ୍ମାଇବାରେ ଉଚ୍ଛ୍ଵସିତ ହୋଇ ମୁଁ ସେଇ ଘରମଝିକୁ ଚେୟାର ଆଣି ସେମାନଙ୍କୁ ସେଠାରେ ଉପବେଶନ କରି ଅନୁସନ୍ଧାନଜନିତ କ୍ଳାନ୍ତି ଦୂର କରିବାକୁ ଅନୁରୋଧ କଲି । ସମ୍ପୂର୍ଣ୍ଣ ସଫଳକାମ ହେବାର ଆନନ୍ଦାତିଶଯ୍ୟରେ ମୁଁ ନିଜେ, ଠିକ୍ ଯେଉଁଠି ଶବଟିକୁ ଲୁକ୍‍କାୟିତ ରଖିଥିଲି ତା’ରି ଉପରେ ବସିଲି ।

 

ମୋର ବ୍ୟବହାରରେ କର୍ମଚାରୀମାନେ ସନ୍ତୁଷ୍ଟ ହୋଇ ମୋ ସଙ୍ଗେ ଦୁଃଖସୁଖ ହେବାକୁ ଆରମ୍ଭ କଲେ । ମୁଁ ମଧ୍ୟ ସହଜ, ସ୍ଵାଭାବିକଭାବରେ ସେମାନଙ୍କୁ ଉତ୍ତର ଦେବାକୁ ଲାଗିଲି । କିନ୍ତୁ ଅଳ୍ପସମୟ ପରେ ମୁଁ ନିଜେ କିପରି ଅସ୍ଵସ୍ତି ବୋଧକଲି । ଭାବିଲି ସେମାନେ ଏଠୁ କିପରି ଶୀଘ୍ର ବିଦାୟ ନିଅନ୍ତେ କି ! ମୋ ମୁଣ୍ଡ ବଥାଇବାକୁ ଓ କାନ ଭାଁ ଭାଁ ହେବାକୁ ଲାଗିଲା । ତେବେ ବି ସେମାନେ ସେହିପରି ଭାବରେ କଥାବାର୍ତ୍ତା କରି ଚାଲିଲେ । କାନ ଭାଁ ଭାଁ ଶବ୍ଦ କ୍ରମେ ବଢ଼ିବାକୁ ଲାଗିଲା । ଏହି ଅନୁଭୂତିରୁ ନିଷ୍କୃତି ଲାଗି ମୁଁ ଆହୁରି ଅବିଚଳିତ ଭାବେ କଥା କହିବାକୁ ଚେଷ୍ଟା କଲି-। କିନ୍ତୁ ସେଇ ଶବ୍ଦର ବିରାମ ହେଲା ନାହିଁ । ବରଂ ତାହା ଆହୁରି ତୀବ୍ର ହେଲା । ଅବଶେଷରେ ମୁଁ ବୁଝିପାରିଲି, ସେ ଶବ୍ଦ କାନ ଭିତରୁ ନ ଆସି ଆଉ କେଉଁଠୁ ଆସୁଛି ।

 

ସନ୍ଦେହ ନାହିଁ, ଏହା ଫଳରେ ମୁଁ ନିସ୍ତେଜ ହୋଇପଡ଼ିଲି । କିନ୍ତୁ ଖୁବ୍‍ ଉଚ୍ଚ କଣ୍ଠରେ ଅନର୍ଗଳ ମୁଁ କହି ଚାଲିଥାଏ । ତେବେ ବି ସେ ଶବ୍ଦ ବଢ଼ି ଚାଲିଲା । ମୁଁ କ’ଣ ବା କରିପାରିଥାନ୍ତି ? ସେଇ ଶବ୍ଦ ଥିଲା, ଧୀର, ଅନୁଚ୍ଚ, ଅଥଚ ଦ୍ରୁତ ସ୍ପନ୍ଦନଶୀଳ–ଘଣ୍ଟାକୁ ତୁଳା ଭିତରେ ରଖିଲେ ଯେପରି ଶବ୍ଦ ବାହାରେ ଠିକ୍ ସେହିପରି । ଅଣନିଃଶ୍ୱାସୀ ହେଲାଭଳି ମୁଁ ନିଃଶ୍ୱାସ ନେଲି । ମାତ୍ର କର୍ମଚାରୀମାନେ ସେଇ ଶବ୍ଦ ଶୁଣିପାରୁ ନ ଥାନ୍ତି । ଦୃଢ଼ତାର ସହିତ ମୁଁ ଜୋରରେ କଥା କହୁଥିଲେହେଁ ସେ ଶବ୍ଦ ବଢ଼ୁଥାଏ । ଚେୟାରରୁ ଉଠି ଅତି ତୁଚ୍ଛ ବିଷୟରେ ଅଙ୍ଗଭଙ୍ଗୀ ସହକାରେ ମୁଁ ସେମାନଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କଲି । ତଥାପି ସେଇ କ୍ରମ-ବର୍ଦ୍ଧନଶୀଳ ଶବ୍ଦ ! ହେ ଭଗବାନ୍-! ମୁଁ କ’ଣ କରିବି ? ମୁହଁରୁ ମୋର ଫେଣ ଉଠିଲା । ମୁଁ ରାଣ ନିୟମ ପକାଇ ଅର୍ଥହୀନ ପ୍ରଳାପ କରିବାକୁ ଲାଗିଲି ।

 

ଯେଉଁ ପଟା ଉପରେ ଚେୟାର ଥୋଇ ତା’ ଉପରେ ବସିଥିଲି ସେଠାରୁ ଚେୟାର ଉଠାଇ ଅନ୍ୟତ୍ର ରଖିଲି । ତଥାପି ସେଇ ଶବ୍ଦ ଅବିରାମ ବଢ଼ିଚାଲିଲା । କର୍ମଚାରୀମାନେ ତେବେ ବି ଖୁସିରେ ମୃଦୁହସି ମୋ ସଙ୍ଗେ କଥାଭାଷା ହେଉଥାନ୍ତି । ସେମାନେ ଏ ଶବ୍ଦ ନ ଶୁଣୁଥିବା କ’ଣ ସମ୍ଭବ ! ମୁଁ ଭାବିଲି, ସେମାନେ ମୋର ଭୀତିପ୍ରବଣତାକୁ ବିଦ୍ରୂପ କରୁଥିଲେ । ଏବେ ବି ମୋର ଧାରଣା ସେଇଆ । ଭାବିଲି, ଯାହାହେଉ ପଛକେ ଏ ଯନ୍ତ୍ରଣା ମୋ ପକ୍ଷେ ଅସହ୍ୟ ! ଏମାନଙ୍କ ଛଳନାତ୍ମକ ସ୍ମିତହାସ୍ୟ ମୁଁ ଆଉ ସହ୍ୟ କରିପାରିବି ନାହିଁ । ମୋର ମନେହେଲା–ହୁଏତ ମୁଁ ପ୍ରବଳ ଚିତ୍କାର ନ କଲେ ମରିଯିବି ! ଓଃ ପୁଣି ସେଇ ଶବ୍ଦ ବଢ଼ୁଛି ! ଜୋରରେ ଆହୁରି ଜୋରରେ !

 

ମୁଁ ଚିତ୍କାର କଲି–“ବଦମାସ ! ମୋ ସଙ୍ଗେ ପୁଣି ପ୍ରତାରଣା ! ହଁ, ମୁଁ ସ୍ଵୀକାର କରୁଛି ମୁଁ ଏ କାମ କରିଛି-! ଏଇ ତକ୍ତାତକ କାଢ଼ିଦିଅ ! –ଏଇଠି, ଏଇଠି ! ଏ ହେଉଛି ସେଇ ଘୃଣ୍ୟ ହୃଦୟର ସ୍ପନ୍ଦନ-!’’

★★★

 

ଏଣ୍ଟନ୍‍ ପାଭଲୋଭିଚ୍‍ ଚେକପଂ

 

ପୃଥିବୀ ବିଖ୍ୟାତ ରୁଷୀୟ ଗଳ୍ପ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର ଚେକପଂ ରୁଷିଆର ଟାଗାନରଗ୍‍ ଗ୍ରାମରେ ୧୮୬୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସାମାନ୍ୟ ବ୍ୟବସାୟୀ ଥିଲେ । ଶୈଶବ କାଳରେ ଚେକପଂଙ୍କର ପରିବାରବର୍ଗ ଟାଗାନରଗ୍‍ ପରିତ୍ୟାଗ କରି ମସ୍କୋ ନଗରୀରେ ଅବସ୍ଥାନ କରିଥିଲେ । ଚେକପଂ ସେଠାରେ ଅଧ୍ୟୟନ କରି ମସ୍କୋ ବିଶ୍ୱବିଦ୍ୟାଳୟରୁ ଚିକିତ୍ସା ବିଜ୍ଞାନରେ ଉପାଧି ଲାଭ କରିଥିଲେ । ବିଶ୍ଵବିଦ୍ୟାଳୟର ଛାତ୍ର ଥିଲାବେଳେ ଚେକପଂ ଅବସର ସମୟରେ ସାହିତ୍ୟ ରଚନାରେ ମନୋନିବେଶ କରି ହାସ୍ୟରସାତ୍ମକ ପତ୍ରପତ୍ରିକାରେ ଲେଖାଲେଖି କରୁଥିଲେ ।

 

ଚିକିତ୍ସା ବିଜ୍ଞାନରେ ଉପାଧି ଲାଭ କଲାପରେ ସେ କିଛିଦିନ ପାଇଁ ଚିକିତ୍ସା ବ୍ୟବସାୟରେ ବ୍ରତୀ ହୋଇଥିଲେ । ମାତ୍ର ପ୍ରବଳ ସାହିତ୍ୟାନୁରାଗ ଯୋଗୁ ତାଙ୍କର ଅଧିକାଂଶ ସମୟ ନାଟକ ଓ କ୍ଷୁଦ୍ର ଗଳ୍ପ ରଚନାରେହିଁ ବ୍ୟୟିତ ହେଉଥିଲା । ମସ୍କୋର ‘ଆର୍ଟ ଥିଏଟର’ ତାଙ୍କର ବହୁ ନାଟକକୁ ସଫଳତାର ସହିତ ରଙ୍ଗମଞ୍ଚରେ ପ୍ରଦର୍ଶନ କରିଥିଲେ । କ୍ରମେ ରୁଷିଆର ବିଶିଷ୍ଟ ନାଟ୍ୟକାର ଭାବେ ଚେକପଂଙ୍କର ଖ୍ୟାତି ମଧ୍ୟ ସୁପ୍ରତିଷ୍ଠିତ ହୋଇଥିଲା ।

 

ଅସ୍ୱାସ୍ଥ୍ୟ ଓ ବ୍ୟାଧି ସାହିତ୍ୟିକର ଚିର ସହଚର । ଚେକପଂ ବାଦ୍‍ ଯିବେ ବା କିପରି ? ଦିନେ ହଠାତ୍‍ ସେ ଜାଣିପାରିଲେ, ସେ ଯକ୍ଷ୍ମା ରୋଗଗ୍ରସ୍ତ ହୋଇ ପଡ଼ିଛନ୍ତି । ଏଣୁ ଉଷ୍ମ ଜଳବାୟୁ ବିଶିଷ୍ଟ କ୍ରିମିୟା ଅଞ୍ଚଳରେ ଅବଶିଷ୍ଟ ଜୀବନ ଯାପନ କରିବାଲାଗି ସେ ମନସ୍ଥ କରି ସେଠାକୁ ଯାତ୍ରା କଲେ । ସେହିଠାରେହିଁ ତାଙ୍କର ସର୍ବଶ୍ରେଷ୍ଠ କେତୋଟି ରଚନା ରଚିତ ହୋଇଥିଲା । ତନ୍ମଧ୍ୟରୁ ‘The Cherry Orchard’, ‘The sea gull’, ‘Uncle Vanya’ & ‘The three Sisters’ ନାଟକଗୁଡ଼ିକ ପ୍ରଧାନ । ତାଙ୍କର ପ୍ରଥମ ନାଟକ Ivanov ୧୮୮୭ରେ ରଚିତ ହୋଇଥିଲା । ଅନେକ ସମାଲୋଚକ ‘ଚେରୀ ଅର୍ଚ୍ଚାଡ଼’ ନାଟକଟିକୁ ତାଙ୍କର ସର୍ବୋତ୍କୃଷ୍ଟ ରଚନା ବୋଲି ବିବେଚନା କରିଅଛନ୍ତି ।

 

ଚେକପଙ୍କ ବିଶ୍ଵବିଶ୍ରୁତ ଖ୍ୟାତି ତାଙ୍କର ଏହି ସମସ୍ତ ଉଚ୍ଚକୋଟିର ନାଟକ ଓ ବହୁ କ୍ଷୁଦ୍ର ଗଳ୍ପ ଉପରେହିଁ ନିହିତ । ମାତ୍ର ଚେକପଂ ‘The Peasants’, ‘My Life’, ‘Ward No. 6’ ପ୍ରଭୃତି ଅନେକଗୁଡ଼ିଏ ଉତ୍କୃଷ୍ଟ ଉପନ୍ୟାସ ମଧ୍ୟ ରଚନା କରିଯାଇଅଛନ୍ତି । ନାଟକ ଓ ଗଳ୍ପଗୁଡ଼ିକରେ ବାସ୍ତବଧର୍ମୀ ବିଦ୍ରୂପାତ୍ମକ ହାସ୍ୟରସ ସୃଷ୍ଟି କରିବାରେ ଚେକପଂ ଯେଉଁ ଅପୂର୍ବ କଳାପାଟବ ପ୍ରଦର୍ଶନ କରିଯାଇଛନ୍ତି ତାହାହିଁ ତାଙ୍କ ରଚନାବଳୀକୁ ଚିରନ୍ତନ ଗୌରବ ଦେବା ସଙ୍ଗେ ସଙ୍ଗେ ତାହାକୁ ବିଶ୍ଵବ୍ୟାପୀ ଜନପ୍ରିୟ କରାଇଅଛି । ‘ତୁଳନା’ ଓ ‘ଦୁର୍ଭାଗ୍ୟ’ ଗଳ୍ପ ଦୁଇଟିର ତାହାହିଁ ଉପଭୋଗ୍ୟ ।

 

୪୪ ବର୍ଷ ବୟସରେ ୧୯୦୪ ଖ୍ରୀଷ୍ଟାବ୍ଦରେ ଏହି ଅମର ସାହିତ୍ୟ ସାଧକଙ୍କ ନଶ୍ଵର ଦେହ କାଳ କବଳିତ ହୋଇଥିଲା ।

★★★

 

ତୁଳନା

 

ସ୍ଵାମୀ ସ୍ତ୍ରୀ ଉଭୟଙ୍କର ମଧ୍ୟାହ୍ନ ଭୋଜନ ସରିଯାଇଛି । ଗୁରୁ ଭୋଜନର ପରିତୃପି ଯୋଗୁଁ ଉଭୟଙ୍କ ମୁଖ ତନ୍ଦ୍ରାଳସ । କେତେବେଳୁ ହାଇ ଉଠିଲାଣି । କ୍ରମେ ଛୋଟ ହୋଇ ଆସୁଥିବା ଅଳସ ଆଖିପତା ତଳେ ଧୀରେ ଧୀରେ ଜମି ଆସୁଛି—ମଧୁର ସୁଷୁପ୍ତି । ସ୍ୱାମୀ ସିଗାରେଟରେ ନିଆଁ ଧରାଇଲେ । ଧୂଆଁ ଛାଡ଼ୁ ଛାଡ଼ୁ ଅବଶ ଭାବରେ ନିଜ ଦେହକୁ ଗଦି ଉପରେ ଢାଳି ଦେଲେ । ସ୍ତ୍ରୀ ପାଖରେ ବସି ତାଙ୍କ କେଶଗୁଚ୍ଛରେ ଅଙ୍ଗୁଳି ସଂଚାଳନ କରୁଥାନ୍ତି । ଉଭୟ ଆନନ୍ଦର ବିଭୋର ।

 

ହାଇ ମାରୁ ମାରୁ ସ୍ଵାମୀ କହିଲେ, “ହଉ, ଆଉ ସବୁ ଖବର କ’ଣ ? କୁହ ଶୁଣିବା ।’’ ସ୍ତ୍ରୀ ଉତ୍ତର ଦେଲେ, “ମୁଁ ପୁଣି ତୁମକୁ କ’ଣ କହିବି ମ ? ତେବେ ହଁ, ହଁ, ଗୋଟାଏ କଥା ଶୁଣିଛ ? ସୋଫିଆ ଏବେ ବାହା ହୋଇଛି…ସେଇ ଲଫଙ୍ଗାଟାକୁ...କ’ଣ ତା’ ନାଆଟି ? ...ହଁ ମନେପଡ଼ିଲା, ସେଇ ବଦମାସ ଡେଭିଡ଼୍‍କୁ । କେଡ଼େ ଅଘଟଣ, ଖରାପ କଥା ଦେଖିଲ ?”

 

“ଏଥରେ କ’ଣ ବା ଖରାପ ହେଲା, ମୁଁ ତ ବୁଝିପାରୁନି ।”

 

“ଆରେ, ଡେଭିଡ଼୍‍ଟା ଯେ ଗୋଟାଏ ବଡ଼ ବଦମାସ । ପୂରାପୂରି ଠକ; ନ୍ୟାୟ ଅନ୍ୟାୟ ଧର୍ମାଧର୍ମ କିଛି ମାନେନା । ଘୋର ଚରିତ୍ରହୀନ ଲୋକଟା । ହେଇ କାଲିକା କଥା ଭଳି ଲାଗୁଛି—ସେ ଜମିଦାର ଘରେ ଚାକିରି କଲା; କିଛି ପଇସା ବି ହାତ ପଇଠ କରିଛି ସେଠୁ । ତା’ପରେ ଏବେ ରେଲବାଇରେ ଚାକିରି କରି ବି ସେହିପରି ଚୋରୀ କରୁଛି ! ତା’ର ସେଇ ଭଉଣୀର ସବୁ ଜିନିଷପତ୍ର ସେ ଚୋରାଇ ନେଇଥିଲା । ମୋଟ ଉପରେ ଲୋକଟା ଯେମିତି ପାଜି, ବଦମାସ, ସେମିତି ପୂରା ଚୋର । ଏମିତି ଲୋକଟା ପୁଣି ସୋଫିଆକୁ... ? ଏହିପରି ସ୍ଵାମୀକୁ ନେଇ ପୁଣି ଜଣେ ଘର କରିବ ? ସୋଫିଆ ଭଳି ଏଡ଼େ ଗୁଣର ଝିଅ କପାଳରେ ପୁଣି ଏଇଆ ଥିଲା ! ସତେ ତମକୁ କଥାଟା ମାଡ଼ି ପଡ଼ୁନି । କୋଟିପତି ହୋଇଥିଲେ ବି ଏମିତି ଗୋଟାଏ ପାଷଣ୍ଡକୁ ମୁଁ କେଭେ ବାହା ହୁଅନ୍ତି ନାହିଁ । ଦେଖିବାକୁ କନ୍ଦର୍ପ ଭଳି ସୁନ୍ଦର ହେଲେ ହେଁ ସେମିତି ଲୋକର ମୁହଁ ଚାହିଁ ନଥାନ୍ତି । ଏପରି ଗୋଟାଏ ଚରିତ୍ରହୀନ ଲୋକ ମୋର ସ୍ଵାମୀ ହୋଇଥିଲେ ମୁଁ ଯେ କ’ଣ କରି ପକାଇଥାନ୍ତି ତାହା ଭାବିପାରୁ ନାହିଁ ।

 

ସ୍ତ୍ରୀ ଏହା କହୁ କହୁ ଉତ୍ତେଜିତ ହୋଇପଡ଼ିଲେ । ପଲଙ୍କ ଉପରୁ ଓହ୍ଲାଇ ଘର ଭିତରେ ଅସ୍ଥିର ଭାବେ ବୁଲିବାକୁ ଲାଗିଲେ । କ୍ରୋଧ ଓ ଉତ୍ତେଜନାରେ ତାଙ୍କ ଆଖି ନାଲ ହୋଇଯାଇଥାଏ-। ସେ ପୁଣି କହିବାକୁ ଆରମ୍ଭ କଲେ—‘‘ଡେଭିଡ଼୍‍ଟା ତ ଗୋଟିଏ ଏପରି ଲୋକ । ପୁଣି ତାକୁ ଯେଉଁ ଝିଅ ବାହାହୁଏ ସେ ମଧ୍ୟ ତାଠୁଁ ଶଏ ଗୁଣ ନିର୍ବୋଧ ଓ ଖରାପ ।”

 

“ଓଃ.....ତମେ ତେବେ କଦାପି ସେଭଳି ଲୋକକୁ ବାହା ହୋଇ ନଥାନ୍ତ—ଏଇଆ ତ-? ଆଛା, ତମେ ଯେବେ ଏବେ ଜାଣିବ ଯେ ମୁଁ ମଧ୍ୟ ତାହାର ଗୋଟାଏ ଦୁଶ୍ଚରିତ୍ର, ଖରାପ ଲୋକ, ତା’ହେଲେ ତୁମେ କ’ଣ କରିବ ?”

 

ମୁଁ ? ମୁଁ ତା’ହେଲେ ତୁମକୁ ଛାଡ଼ପତ୍ର ଦିଅନ୍ତି । ଗୋଟାଏ ମୁହୂର୍ତ୍ତ ବି ମୁଁ ତୁମ ପାଖେ ରହନ୍ତି ନାହିଁ । ଜଣେ ସାଧୁ, ସରଳ, ସଚ୍ଚରିତ୍ର ଲୋକକୁହିଁ କେବଳ ମୁଁ ଭଲ ପାଇପାରେ । ଖାଲି ସେତିକି ତ ନୁହେଁ । ଡେଭିଡ଼୍‍ ଯାହାସବୁ କରୁଛି, ତା’ର ଶତାଂଶ ଯଦି ତମେ କରିଛ ବୋଲି ଜାଣନ୍ତି, ତେବେ ମୁଁ–ମୁଁ ନିଶ୍ଚେ ସଙ୍ଗେ ସଙ୍ଗେ ତମଠୁଁ ଅଲଗା ହୋଇଯାଆନ୍ତି ।”

 

“ଓ, ମୋ ସ୍ତ୍ରୀ ପୁଣି ଏପରି ହେବ ! ତା’ ମୁଁ କଳ୍ପନା କରିନଥିଲି । ତମେ ନିଶ୍ଚେ ମତେ କପଟରେ ଏ କଥା କହୁଛ ?’’

 

“ମୁଁ କ’ଣ ମୋ ମନକଥା ଲୁଚାଇ ତୁମକୁ କହୁଛି ? ଆଦୌ ନୁହେଁ । ତମର ଏପରି କୁକାର୍ଯ୍ୟ କଥା ମାନିଯାଅ, ଦେଖିବ ତା’ହେଲେ ମୁଁ କ’ଣ କରିବି ।”

 

“ମୋ କୁକର୍ମ କଥା କ’ଣ ତୁମେ ଜାଣନା ଯେ, ମୁଁ ସେସବୁ ମାନିବାକୁ ଯିବି ? ତମେ ସେସବୁ ବିଷୟ ଭଲଭାବେ ଜାଣ । ତୁମର ସେଇ ଡେଭିଡ଼୍‍ଠାରୁ ମୁଁ ଆହୁରି ଅଧମ । ମୁଁ ଗୋଟାଏ ଡକାଏତ ହେଲେ ସେ କେବଳ ଗୋଟିଏ ପକେଟମାରୁ । ଏତିକି ଯାହା ପ୍ରଭେଦ । ଟିକିଏ ଭାବିଲ ଦେଖି । କି ଆଶ୍ଚର୍ଯ୍ୟ ! ଆଛା କହିଲ ଦେଖି ମୋ ଦରମା କେତେ ?

 

“ତା’ତ ଜାଣେ, ମାସକୁ ୩00 ଟଙ୍କା ।”

 

“ସପ୍ତାହେ ପୂର୍ବେ ତମ ପାଇଁ ଯେଉଁ ହାରଟା କିଣିଥିଲି ସେଟାର ଦାମ୍‍ କେତେ ପଡ଼ିଥିଲା-? ଦୁଇଶହ ଟଙ୍କା ତ ? କାଲି ଯେ ଶାଢ଼ିଟା ଆଣିଲି ସେଇଟା ତ ପଚାଶ । ଗାଁକୁ ପଠାଗଲା ଦୁଇଶହ । କାଲି ପୁଣି ତୁମ ବାପା ମୋଠୁଁ ଚାରିଶହ ଟଙ୍କା ଫୁସୁଲେଇ କରି ଝଡ଼େଇ ନେଲେ-।’’

 

‘‘କିନ୍ତୁ ତମର ସବୁ ଅନ୍ୟ ବାବଦ ଆୟ–’’

 

‘‘ଛାଡ଼ ସେସବୁ, ଆମ ଘର ଡାକ୍ତର, ତମର ସ୍ନୋ, ପାଉଡର ବିଲ୍ । ଦିନକ ପୂର୍ବେ ତୁମେ ପୁଣି ତାଆସ ଖେଳରେ ଦଶଟଙ୍କା ହରେଇଛ–ଏସବୁ ଆସିଲା କେଉଁଠୁ ?”

 

ସ୍ଵାମୀ ଶେଜରୁ ଉଠି ବସିଲେ । ଦୁଇହାତ ପାପୁଲିକୁ ମୁଣ୍ଡ ପଛଆଡ଼େ ରଖି ଆପଣା ଦୋଷାବଳୀ ପୁଣି ଗାଇଲେ । ତା’ପରେ ଟେବୁଲ ପାଖକୁ ଯାଇ ନିଜର କର୍ମର ଚାକ୍ଷୁଷ ପ୍ରମାଣ ସବୁ ଗୋଟି ଗୋଟି କରି ଦେଖାଇ ବସିଲେ ।

 

“ଏଥର ବୁଝିଲ ତ ତମର ଏଇ ଡେଭିଡ଼୍‍ ମୋ ତୁଳନାରେ କେତେ ନଗଣ୍ୟ । ହଉ ମତେ ବିଦାୟ ଦେଇ ତମେ ଏବେ ସୁଖରେ ଥାଅ—ମୁଁ ଯାଉଛି । କିନ୍ତୁ ମୋର ଗୋଟାଏ ଅନୁରୋଧ, ଭବିଷ୍ୟତରେ ଆଉ କାହାକୁ ଅଯଥା ଗାଳି ଦେବନାହିଁ ।’’

 

ମୋ ଗପଟିର ସମାପ୍ତି ଏଇଠି । ବୋଧହୁଏ ପାଠକମାନେ ପଚାରି ପାରନ୍ତି—“ସେଇ ଗୁଣବତୀ ରମଣୀଟି କ’ଣ ତାଙ୍କ ସ୍ୱାମୀଙ୍କ ସାହଚର୍ଯ୍ୟ ଉପେକ୍ଷାକରି ଅନ୍ୟତ୍ର ଚାଲିଗଲେ ?’’

 

“ହଁ, ସେ ଅନ୍ୟତ୍ର ଯାଇଥିଲେ—ଆଉ କେଉଁଠିକୁ ନୁହେଁ—ସେଇ ଘର ଭିତରକୁ ହିଁ ସେ ଚାଲିଯାଇଥିଲେ କିଛି ସମୟ ପାଇଁ ।’’

★★★

 

ଦୁର୍ଭାଗ୍ୟ

 

ସଙ୍ଗଦୋଷ ଓ ବେପରୁଆ ପଇସା ଉଡ଼େଇବା ପ୍ରକୃତି ଯୋଗୁଁ ହରିଶ୍ଚନ୍ଦ୍ରଙ୍କର ଦୁର୍ଭାଗ୍ୟ ଉପସ୍ଥିତ । ବେହୁସିଆରି ଭାବେ ମଦ ଖାଇ, ମାତାଲ ହୋଇ ପାଞ୍ଚଦିନଯାଏ ସେ ଆଉ ଘରକୁ ଆସିଲେ ନାହିଁ । ନିଜର ଚାକିରି ଓ ପରିବାର କଥା ବିବାକ୍‍ ଆଉ ତାଙ୍କ ମନରେ ନଥିଲା । ଏହି ପାଞ୍ଚଟି ଦିନ ଏବଂ ରାତି ଯେଉଁ ସୁଖକର ସ୍ଥାନରେ ସେ ଲମ୍ପଟ ଭାବେ ସମୟ କଟାଇ ଦେଲେ, ତାହାର ସ୍ମୃତି ଏବେ ମଧ୍ୟ ତାଙ୍କର ଅସ୍ପଷ୍ଟ ଭାବରେ ମନେପଡ଼ୁଛି–ଗୁଡ଼ାଏ ମାତାଲଙ୍କର ମୁହଁ, ମଦ ବୋତଲ ଏବଂ ଟଳମଳ ପାଦ । ପାଞ୍ଚଦିନ ତଳର କଥା....ମନେ ପକାଇଲେ ସେ କେବଳ ଦେଖନ୍ତି..…କିପରି ସେଦିନ ସନ୍ଧ୍ୟାବେଳେ, ରାସ୍ତାରେ ଆଲୁଅ ଜଳି ସାରିବା ପରେ ସେ କାର୍ଯ୍ୟ ଉପଲକ୍ଷେ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ବନ୍ଧୁ ତାଙ୍କ ହାତକୁ ଗୋଟିଏ ଗ୍ଲାସ୍‍ ମଦ ବଢ଼ାଇ ଦେଲେ । ତା’ପରେ ଆଉ ଗୋଟିଏ ଗ୍ଲାସ୍‍, ଏହିପରି ପରେ ପରେ ଛଅଟି ଗ୍ଲାସ୍‍ ମଦ ନିଃଶେଷ କରିସାରି ସେମାନେ ଆଉ ଜଣେ ବନ୍ଧୁଙ୍କ ଘରେ ପହଞ୍ଚିଲେ । ବନ୍ଧୁ ଜଣଙ୍କ ତାଙ୍କୁ ଆଉ ଏକପ୍ରକାର ମଦ ଏବଂ ଶୁଖୁଆ ଭଜା ଦେଇ ଅଭ୍ୟର୍ଥନା କଲେ । ବିଦେଶୀ ମଦ ସରିଲାପରେ ସରାପ୍‍ । ପରେ ପରେ ଏହିପରି ଗ୍ଲାସ୍‍ ପରେ ଗ୍ଲାସ୍‍ ନିଃଶେଷ ହୋଇ ଚାଲିଥାଏ—ତା’ ପରର ଘଟଣା ସ୍ଵପ୍ନଭଳି ମନରେ ଅସ୍ପଷ୍ଟ ଭାବେ ଦେଖାଦିଏ—ଏକ ବିଦେଶିନୀର ଛୋଟିଆ ନରମ ମୁହଁରେ କଅଁଳ ଗୀତ–

 

“ପ୍ରିୟ ତୁମେ ମୋର ଜନମେ ଜନମେ ପ୍ରିୟ’’

 

ବିଡ଼ି ସିଗାରେଟ ଧୂଆଁରେ ଆଚ୍ଛନ୍ନ ଏକ ପ୍ରଶସ୍ତ କକ୍ଷରେ ନୃତ୍ୟ ପରିବେଷଣ । ତାହାରି ମଝିରେ ଦୁଇଟି ହାତକୁ ପକେଟରେ ରଖି ସେ ଯାହା ଭାବୁଥିଲେ, ତାହା ଭଗବାନ ଜାଣନ୍ତି । ସ୍ଵପ୍ନଭଳି ସେହି କକ୍ଷର ଛବିସବୁ ଭାସି ଉଠେ—କାନ୍ଥରେ ସ୍ଥାନେ ସ୍ଥାନେ ଝୁଲୁଛି ନାରୀର ବିଭିନ୍ନ ପରିଚ୍ଛଦ । ଚାରିପାଖରେ ମଦ, ଫୁଲ, ସାବୁନ ଓ ଅତରର ସୁଗନ୍ଧ । ଟିକିଏ ସ୍ପଷ୍ଟ ଭାବରେ ମନେପଡ଼େ ତାଙ୍କର ଅର୍ଦ୍ଧଚେତନ ଅନନୁଭୂତ ପୂର୍ବ ଅବସ୍ଥା–ଦେହଟା ତାଙ୍କର ସେତେବେଳକୁ ଖୁବ୍‍ ଭାରି ଲାଗୁଥାଏ । କିପରି ଏକ କଦର୍ଯ୍ୟ ଅସ୍ଵାଚ୍ଛନ୍ଦ୍ୟ ଅନୁଭୂତି । ସେଇ ପ୍ରଭାତର ଅମଳିନ ସୂର୍ଯ୍ୟାଲୋକ ଯେପରି ତାଙ୍କ ପ୍ରତି ଏକ ନିର୍ମମ ପ୍ରଚଣ୍ଡ ବିଦ୍ରୂପ ଭଳି ମନେହେଲା ।

ମନେପଡ଼ିଲା, ସେତେବେଳକୁ ତାଙ୍କର ଘଡ଼ି ଏବ ଫାଉଣ୍ଟେନ ଅପହୃତ ହୋଇସାରିଛି-। ଗଳାରେ ସେ ପିନ୍ଧିଛନ୍ତି ଆଉ ଜଣଙ୍କର ଟାଇ । ହଠାତ୍‍ ସଚେତନ ହୋଇ ସେ ସେଇଠୁଁ ଅଫିସକୁ ଧାଇଁଲେ । ଦେହରେ ଘୋର ଅବସାଦ, ମୁଣ୍ଡ ଭାରି ଭାରି ଲାଗୁଥାଏ । ଲଜ୍ଜା ଓ ଭୟରେ ଥରି ଥରି ସେଇ ଦୁର୍ଗନ୍ଧ ମୁଖରେ ହାକିମଙ୍କ ନିକଟରେ ଯାଇଁ ଠିଆହେଲେ ସେ । ହାକିମ ତାଙ୍କ ଆଡ଼କୁ ନ ଚାହିଁ ଉଦାସୀନ ଭାବରେ ଉତ୍ତର ଦେଲେ—“ଆଉ ନିଜକୁ ବେଶି ଲଜ୍ଜା ଦିଅନା । କାହିଁକି ଯେ ତୁମେ ଏଠାକୁ କଷ୍ଟ କରି ଆସିଲ ମୁଁ ତାହା ବୁଝିପାରୁ ନାହିଁ ? ତୁମ ଚାକିରି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇସାରିଛି । ତୁମେ ବରଖାସ୍ତ ହୋଇସାରିଛ । ତୁମପରି କର୍ମଚାରୀ ଆମେ ରଖିବାକୁ ଚାହୁଁନା-। ତୁମେ ଖୁବ୍‍ ଚାଲାଖ୍‍, ନିଶ୍ଚୟ ମୋ କଥା ଭଲରୂପେ ବୁଝିପାରୁଥିବ ।”

ଏଥର ସ୍ଵପ୍ନଭଳି ଆଉ କିଛି ଅସ୍ପଷ୍ଟ ନାହିଁ । ତା’ପର କଥା ଏବେ ସ୍ପଷ୍ଟ ଭାବେ ମନେପଡ଼ୁଛି, ହାକିମଙ୍କର ସେହି ଆନ୍ତରିକତାହୀନ ଭାଷା, ଅନ୍ତର୍ଭେଦୀ ତୀକ୍ଷ୍‍ଣ ଦୃଷ୍ଟିପାତ, ସହକର୍ମୀମାନଙ୍କ ମୌନ ନୀରବତା ତାଙ୍କର ଅସହାୟତାକୁ ନିର୍ମମ ଉପହାସ କରୁଥିଲା କେବଳ ।

ହାକିମଙ୍କ ପାଖରୁ ଫେରୁ ଫେରୁ ସେ ଭାବୁଥାନ୍ତି, ଛି, ଛି ମୋ ମହତ ମୁଁ ହାତେ ହାତେ ସାରିଲି । ଚାକିରି ବି ଗଲା । ମତେ ଧିକ୍‍ ।

ନିଜ ପ୍ରତି ଏକ ପ୍ରଚଣ୍ଡ ଘୃଣା ତାଙ୍କର ଆପାଦମସ୍ତକ ସମସ୍ତ ଅବୟବରେ ସଞ୍ଚାରିତ ହୋଇଯାଇଥିଲା । ମନେହେଲା ଯେପରି ଏକ ତୀକ୍ଷ୍ମ ଶଳାକା ତାଙ୍କର ମୁଖଭେଦ କରି, ଦେହ ଏବଂ ସମସ୍ତ ଆତ୍ମାକୁ ଗତ ରାତ୍ରରୁ ନିପୀଡ଼ିତ କରୁଛି । ଲଜ୍ଜା, ଭୟ ଓ ଗଭୀର ଆତ୍ମଗ୍ଳାନିରେ ତାଙ୍କର ଅନ୍ତର୍ଦାହ ଉପସ୍ଥିତ ହେଲା ।

“ଆଉ ଉପାୟ ନାହିଁ, ଲଜ୍ଜାରେ ତ ମୁହଁ ଦେଖାଇ ହେବ ନାହିଁ । ମୋର ଗୁଳି କରି ଆତ୍ମହତ୍ୟା କରିବା ବରଂ ବାଞ୍ଛନୀୟ ।”

ତାଙ୍କ ସାଥୀ ମଧୁସୂଦନ ତାଙ୍କ ସଙ୍ଗେ ସଙ୍ଗେ ଫେରୁଥିଲେ । ହରିଶ୍ଚନ୍ଦ୍ରଙ୍କୁ ସମର୍ଥନ କରି ସେ କହିଲେ, “ହଁରେ ଭାଇ, ଏଟା ବଡ଼ ଖରାପ । ଆଉ କିଛି ଖରାପ ନୁହେଁ, ତେବେ ତୋର ଚାକିରିଟା ଗଲା, ଏଇଟା ବଡ଼ ବାଧିବ । କାମ ଖଣ୍ଡିକ ଯିବା ସବୁଠୁ ଖରାପ । ଏପରି ଅବସ୍ଥାରେ ତ ଲୋକ ଆତ୍ମହତ୍ୟା କରେ ।”

ଯନ୍ତ୍ରଣାରେ ଆର୍ତ୍ତନାଦ କଲାଭଳି ହରିଶ୍ଚନ୍ଦ୍ର କହିବାକୁ ଲାଗିଲା—“ଓଃ ମୁଣ୍ଡ........ମୁଣ୍ଡଟା ମୋର ଫାଟିଗଲା ଭଳି ବ୍ୟଥା ହେଉଛି । ଏଇ ପାଖ ଜଳଖିଆ ଦୋକାନରେ ଟିକେ ନିଶା ଛାଡ଼ିବା ପର୍ଯ୍ୟନ୍ତ ନ ବସିଲେ ମୋତେ ରକ୍ଷା ନାହିଁ । .......ଆସ ଆସ ।”

ଦୁଇ ବନ୍ଧୁଯାକ ଜଳଖିଆ ଦୋକାନ ଭିତରକୁ ପଶିଲେ । ପାଣି ପିଉ ପିଉ ହରିଶ୍ଚନ୍ଦ୍ର କହିଲେ, “ମତେ କି ଭୂତ ଲାଗିଥିଲା କେଜାଣି, ମୁଁ କିପରି ମଦ ଖାଇଲି ତାହା ବୁଝିପାରୁ ନାହିଁ । ଦୁଇବର୍ଷ ହେଲା ଟୋପାଏ ମଦ ବି ଛୁଇଁ ନାହିଁ । ମଦ ନ ଖାଇବା ପାଇଁ ମୋ ସ୍ତ୍ରୀ ଦେହ ଛୁଆଁଇ ଶପଥ କରାଇଥିଲା । ମଦୁଆଙ୍କୁ ଦେଖିଲେ ମୁଁ ବି ଘୃଣାରେ କେତେ ଉପହାସ କରିଛି, ଆଉ ଶେଷକୁ ମତେ କି ଭୂତ ଲାଗିଲା କେଜାଣି, ମୁଁ ସବୁ ଭୁଲିଗଲି । ଏଥର ଜଗତରେ ମୋ ପାଇଁ ସ୍ଥାନ ନାହିଁ । ମୋର ସୁଖ ଶାନ୍ତ ଆଜିଠୁ ସରିଗଲା, ଏ ସବୁ ଅସହ୍ୟ ।”

 

ମୁଣ୍ଡ ହଲାଇ ହଲାଇ ସେ ପୁଣି କହିବାକୁ ଲାଗିଲେ—“ଘରକୁ ଗଲାବେଳକୁ ମତେ ଫାସି ଖୁଣ୍ଟକୁ ଗଲାଭଳି ଲାଗୁଛି, ମୋ ଘଣ୍ଟା, ଟଙ୍କା ପଇସା ଏବଂ ଚାକିରି ସବୁ ହରାଇଲି ବୋଲି ମୋ ମନରେ ଦୁଃଖ ନାହିଁ । ଏଇ ମୁଣ୍ଡବ୍ୟଥା, ଆର୍ଥିକ କ୍ଷତି ସବୁଦିନେ ରହିବ ନାହିଁ । କିନ୍ତୁ ଉପସ୍ଥିତ ଗୋଟାଏ କଥା ମତେ ସବୁଠୁ ବେଶୀ ଦୁଃଖ ଦେଉଛି—ମୁଁ କିପରି ମୋ ସ୍ତ୍ରୀକୁ ମୁହଁ ଦେଖାଇବି ? କ’ଣ ବା ତାକୁ କହିବି ? ପାଞ୍ଚରାତି ହେଲା ମୁଁ ଘରେ ଶୋଇ ନାହିଁ । ମୋର ସବୁ ପଇସାପାତ୍ର ମଦ ଖାଇ ଉଡ଼ାଇଲି । ଚାକିରିଟା ବି ନିଜ ଦୋଷରୁ ଗଲା । କ’ଣ ଏଥର ବା ମୁଁ ଯାଇଁ ତାକୁ କହିବି ?”

 

ବନ୍ଧୁ କହିଲେ–‘‘କିଛି ଚିନ୍ତା ନାହିଁ, ତୁମ ସ୍ତ୍ରୀ ଦେଇ ଦେଇ ଦି’ପଦ ଗାଳିଦେବେ, ଆଉ କ’ଣ କରିବେ ? ତା’ପରେ ସବୁ ଠିକ୍ ହୋଇଯିବ ।’’

 

“ଏଥର ସେ ମତେ ଦେଖିଲେ ନିଶ୍ଚୟ ଘୃଣା କରିବ । ମଦୁଆ ଲୋକଙ୍କୁ ଦେଖିଲେ ତା’ର ନାହି ଡିଏଁ । ଚିଡ଼ିବାରହିଁ କଥା, ମଦ ଖାଇ ନିଜ ଦାନା ଉପରେ ନିଜେ ଧୂଳି ପକାଇ ମାନ ମହତ ହରାଇଲେ କେଉଁ ସ୍ତ୍ରୀ ବା ନ ରାଗିବ ?”

 

ରାଗ ଚଟଣି ମିଶା ସେଉ ଖାଉ ଖାଉ ସେ ଭାବି ଚାଲିଥାନ୍ତି । କିଛି ସମୟ ନୀରବ ରହି ସେ ପୁଣି କହିବାକୁ ଲାଗିଲେ—“କାଲି ମୋତେ ବାରଦ୍ଵାର ଶୁଣ୍ଢିପିଣ୍ଡା ହେବାକୁ ପଡ଼ିବ । ଆଶ୍ରାଟିଏ ପାଇବା ମୁସ୍କିଲ ହେବ । ଆମ ସମସ୍ତଙ୍କୁ ବି ଭୋକରେ ଆଉଟି ପାଉଟି ହେବାକୁ ହେବ । ଜଠର ଜ୍ଵାଳାରୁ ତ ନିସ୍ତାର ନାହିଁ । ମାଇପେ ସ୍ୱାମୀର ନିଶାଖୋରୀ, ମାଡ଼, ଅବିଶ୍ଵାସ ଓ ବାର୍ଦ୍ଧକ୍ୟକୁ କ୍ଷମାକରି ପାରନ୍ତି; କିନ୍ତୁ ସ୍ଵାମୀ ଅର୍ଥାଭାବରେ ପଡ଼ିଲେ ତାଙ୍କଠୁଁ କ୍ଷମା ଆଶା କରିବା ବୃଥା । ସେମାନଙ୍କ ଆଖିରେ ଅର୍ଥାଭାବରୁ ବଳି ପାପ ନାହିଁ । ମୋ ସ୍ତ୍ରୀର ସକାଳ ସଞ୍ଜେ ରୋଷେଇବାସଟା ବଡ଼ ଜିନିଷ । ତମେ ଚୋରିକର ବା ଯାହାକର, ସେତିକି କିନ୍ତୁ ଯୋଗାଇବାକୁ ବାଧ୍ୟ । ତା’ର ଧାରଣା ସେ ନ ଖାଇଲେ କିଛି କଷ୍ଟ ନାହିଁ, କିନ୍ତୁ ଚାକରବାକରଙ୍କ ଆଗରେ ଅଭୁକ୍ତ ରହିବା ସବୁଠୁଁ ମର୍ମାନ୍ତକ-। ହଁ ଭାଇ, ମୁଁ ଏସବୁ ମାଇପିଙ୍କ ଚରିତ୍ର ବୁଝି ସାରିଲିଣି । ମୋର ଏହି ପାଞ୍ଚଦିନର ବ୍ୟଭିଚାର ହୁଏତ କ୍ଷମଣୀୟ, କିନ୍ତୁ କ୍ଷୁଧାର ତାଡ଼ନା ଯୋଗୁଁ ତାଠୁଁ ଅବ୍ୟାହତି ମିଳିବ ନାହିଁ ।”

 

“ହଁ ଭାଇ, ଆଜି ତୁମ କପାଳରେ ମାଇପି ଗଞ୍ଜଣା ଯୋଗ ଅଛି ।” ଦୀର୍ଘନିଃଶ୍ୱାସ ପକାଇ ବନ୍ଧୁ କହି ପକାଇଲେ ।”

 

“ହଁ ସେ କିଛି ବୁଝିବ ନାହିଁ । ମୁଁ ଦୋଷ ସ୍ଵୀକାର କଲେ ବା ଅନୁତପ୍ତ ବୋଲି ଜଣାଇଲେ ବି ତା’ ମନ ଟିକେହେଲେ ତରଳିବ ନାହିଁ । ସେଥିରେ ତା’ର ଯାଏ ଆସେ କେତେ ? ଏସବୁ କଥାକୁ ମାଇପିଙ୍କର ତ ମୋଟେ ଭ୍ରୂକ୍ଷେପ ନଥାଏ । ପୁରୁଷ ଯଦି ଦୋଷ କରିଛି ତ ତା’ ପାଇଁ ଛାଞ୍ଚୁଣି ମାଡ଼ । ଲଜ୍ଜାରେ ସ୍ୱାମୀ ମୁଣ୍ଡ ତଳକୁ କଲେ ବା ଦୋଷ ସ୍ଵୀକାର କଲେ ବି ସେମାନଙ୍କର ମନ ନରମ ହୁଏ ନାହିଁ । ମୋ ସ୍ତ୍ରୀ ଯଦି ଗାଳି ଦେଇଛି ବା ମାଡ଼ ମାରିଛି ତ ଭଲ, ତା’ ନ ହେଲେ ସେ ସାତଦିନ ପର୍ଯ୍ୟନ୍ତ ରୁଷିବ ଏବଂ ମଝିରେ ମଝିରେ ତୁମକୁ ଉଲୁଗୁଣା ଦେଇ ତୁମର କଲିଜା ଚିରି ହେଲାଭଳି କଥା କହୁଥିବ । ତା’ର ଏହି ନୀରବତାହିଁ ସବୁଠୁଁ ବେଶି ଦୁଃଖଦାୟକ । ଏମିତି ଦୁର୍ଦ୍ଦଶା ତମେ କେବେ ଭୋଗିଛ ?”

 

ବନ୍ଧୁ କହିଲେ, “ଯାହା ହେବାର ତ ହେଲାଣି, ଏଥର ଘରକୁ ଯାଇ ହାତ ଧରି କ୍ଷମା ମାଗିନେବ ।”

 

“ସେ ଆହୁରି ବିପଦ….ମୋ ଭଳି ପାପୀକୁ ଦୟା କରିବା ତା’ ପକ୍ଷେ ଅସମ୍ଭବ ।”

 

ଘରକୁ ଫେରୁ ଫେରୁ ହରିଶ୍ଚନ୍ଦ୍ର ଭାବୁଥାନ୍ତି, ଘରକୁ ଗଲେ ସ୍ତ୍ରୀକୁ ସେ କ’ଣ କହିବେ । ସ୍ତ୍ରୀର ମଳିନ ବିକୃତ ମୁଖ, ଅଶ୍ରୁପୂର୍ଣ୍ଣ ନେତ୍ର, ମର୍ମଦାହୀ ବାକ୍ୟବାଣ ଇତ୍ୟାଦି କଳ୍ପନା କରି ଛାତ୍ରସୁଲଭ ଭୟରେ ତାଙ୍କର ହୃଦୟ ପୂର୍ଣ୍ଣ ହୋଇଉଠିଲା ।

 

“ହଉ ଯାହା ହେବ” କହି ସେ ନିଜ ଦ୍ଵାରରେ କରାଘାତ କଲେ । “ଯାହା କପାଳରେ ଥିବ ସେଥିରୁ ନିସ୍ତାର ନାହିଁ । ସହି ନ ପାରିଲେ ମୁଁ ଘରଛାଡ଼ି ଚାଲିଯିବି । ସବୁକଥା ତାକୁ ଖୋଲି କହିବି, ସେଥିରେ ଯଦି ତା’ର ମନ ବୋଧ ନ ହୁଏ, ତା’ହେଲେ ଆଖି ଯୁଆଡ଼େ ପାଇବ ସିଆଡ଼େ ଚାଲଯିବି ।’’ ଅଗଣାରେ ପଶିବାମାତ୍ରେ ଦେଖିଲେ ସ୍ତ୍ରୀ ତାଙ୍କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଛି । ସ୍ତ୍ରୀର ମଳିନ ମୁଖକୁ ଚାହିଁଦେଇ ସେ ଭାବିଲା, ସେ ଆଗ କ’ଣ କହିବାର କହୁ ତା’ପରେ ମୋ କଥା ମୁଁ କହିବି ।

 

କିନ୍ତୁ ସ୍ତ୍ରୀ କିଛି ନ କହି ବୈଠକ ଖାନାକୁ ନୀରବରେ ଚାଲିଗଲା । ତା’ପରେ ରୋଷେଇ ଘରକୁ ଯାଇ ଫେରିଆସିଲା । ଆଖିରେ ତା’ର ପୂର୍ବପରି ସେହି କୌତୂହଳୀ ଜିଜ୍ଞାସୁ ଦୁଷ୍ଟି । ମନେମନେ ଲଜ୍ଜିତ ହୋଇ ସେ ଭାବୁଥାନ୍ତି–ମୁଁ ଆଉ ସହିପାରିବି ନାହିଁ, ନିଶ୍ଚୟ ଆତ୍ମହତ୍ୟା କରିବି ।

 

ପାଞ୍ଚମିନଟ ଯାଏ ଏପଟ ସେପଟ ଘୂରିବାରେ କଟିଗଲା । ତଥାପି ପଦେ କଥା ସ୍ତ୍ରୀକୁ କହିବାକୁ ତାଙ୍କର ସାହସ ହେଲା ନାହିଁ । ତା’ପରେ ସେ ଟେବୁଲ ନିକଟକୁ ଯାଇ ଖଣ୍ଡେ ଛିଣ୍ଡାକାଗଜ ଉପରେ ଲେଖିଲେ–‘‘ମୋର ଦୁର୍ଭାଗ୍ୟ, ଚଗଲାମି ଯୋଗୁ ଚାକିରିରୁ ତଡ଼ା ଖାଇଛି, ତୁମେ ବ୍ୟସ୍ତ ହୁଅ ନାହିଁ ।” ନିଜେ ପଢ଼ିସାରି ସେଇଟିକୁ ରଖିଦେଇ ସେ ପାଖ ଘର ଭିତରକୁ ଚାଲିଗଲେ । ଅତି ଦୁଃଖ ଓ ଶୋଚନାରେ ମୁଣ୍ଡ ତଳକୁ କରି ସେ ସେଇ ଘରେ ବସି ରହିଥିଲେ ।

 

ଅଳ୍ପ ସମୟ ପରେ ଦେଖାଗଲା, ସ୍ତ୍ରୀ ପାଖରେ ବସି ତାଙ୍କୁ ସାନ୍ତ୍ଵନା ଦେଉଛନ୍ତି–“ଗୋଡ଼ହାତ ଚଳୁଥିଲେ ଆମକୁ ଦାନାକନା ଅଭାବ ହେବ ନାହିଁ, ଏମିତି ଭାଙ୍ଗିପଡ଼ିଲେ ଚଳିବ କିପରି ? ଧୈର୍ଯ୍ୟ ଧର, ଭଗବାନ କଲେ ଆମ ଦୁଃଖ ଦୂର ହେବ । କାଲି ତୁମେ ଚାକିରି ପାଇ ପାରିବ । ଏଥିପାଇଁ ଏତେ ଭାବନା କାହିଁକି ?”

 

ହରିଶ୍ଚନ୍ଦ୍ର ନୀରବରେ ଶୁଣୁଥାନ୍ତି । କିନ୍ତୁ ନିଜ କାନକୁ ବିଶ୍ୱାସ କରିପାରୁ ନ ଥାନ୍ତି । ଉତ୍ତର ଦେବା ଭଳି ଭାଷା ପାଉ ନ ଥାନ୍ତି ।

 

ସ୍ତ୍ରୀ ତାଙ୍କୁ ଆଦର କରି ଖୁଆଇଲେ; ମନର ଏଇ ଉଚ୍ଚାଟନ ଦୂର କରିବା ପାଇଁ ତାଙ୍କୁ ନେଇ ବିଛଣାରେ ଶୁଆଇ ପକାଇଲେ ।

 

ତା’ ପରଦିନ ଖୁବ୍‍ ଉତ୍ସାହ ଓ ଆନନ୍ଦ ମନରେ ସେ ନୂଆ ଚାକିରି ଅନୁସନ୍ଧାନରେ ବାହାରିଲେ । ଯୋଗକୁ ସାତଦିନ ଭିତରେ ଗୋଟିଏ କାମ ମିଳିଗଲା । ଏହି ଦୁର୍ଭାଗ୍ୟହିଁ ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଦେଲା । ପୂର୍ବପରି ଏବେ ସେ ମଦ୍ୟପ ଲୋକଙ୍କୁ ଅବଜ୍ଞା ଦୃଷ୍ଟିରେ ଚାହାନ୍ତି ନାହିଁ ବା କୁକର୍ମ ଲାଗି ସେମାନଙ୍କୁ ଘୃଣା କରନ୍ତି ନାହିଁ । ବରଂ ମଦୁଆ ଭିକାରିଙ୍କୁ ଦେଖିଲେ ସେ ସାହାଯ୍ୟ କରନ୍ତି । ଏବେ ବେଳେବେଳେ ସେ କହନ୍ତି–“ମଦ ଖାଇବାଟା ପାପ ନୁହେଁ, ମାତ୍ର ମଦୁଆଙ୍କୁ ସାହାଯ୍ୟ କରି ତାଙ୍କୁ କୁମାର୍ଗରୁ ଉଦ୍ଧାର କରିବାଟା ହେଉଛି ମହାପାପ ।”

 

ସମ୍ଭବତଃ ତାଙ୍କ କଥାହିଁ ଠିକ୍ ।

★★★

 

Unknown

ସାକୀ

 

ଆଧୁନିକ ଯୁଗର ଏହି ବିଶିଷ୍ଟ ଇଂରାଜୀ କଥା ସାହିତ୍ୟିକଙ୍କ ପ୍ରକୃତ ନାମ ହେକ୍‍ଟର ହ୍ୟୁ ମୁନରୋ । ସେ ଖ୍ରୀ ୧୮୭୦ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟିକ ଜୀବନ ସର୍ବାଦୌ West Minister Gazettee ପତ୍ରିକାରେ ବିଦ୍ରୂପାତ୍ମକ ରାଜନୈତିକ ସାହିତ୍ୟ ରଚନା କରିବାରେ ସୀମାବଦ୍ଧ ଥିଲା । ତା’ପରେ ତାଙ୍କୁ ବିଭିନ୍ନ ସାମ୍ବାଦିକ ଭାବେ କାର୍ଯ୍ୟ କରିବାକୁ ପଡ଼ିଥିଲା । ‘Morning Post’ ସମ୍ବାଦପତ୍ରର ସମ୍ବାଦଦାତା ଭାବେ ତାଙ୍କୁ ୧୯୦୨ରୁ ୧୯୦୮ ପର୍ଯ୍ୟନ୍ତ ଋଷିଆ ଓ ପରେ ପ୍ୟାରିସରେ କାର୍ଯ୍ୟ କରିବାକୁ ପଡ଼ିଥିଲା । ୩୪ ବର୍ଷ ବୟସରେ ତାଙ୍କର ଗଳ୍ପ ସଂଗ୍ରହ ‘Reginald’ ‘ସାକୀ’ ଛଦ୍ମ ନାମରେ ପ୍ରକାଶିତ ହୋଇଥିଲା । ଏହି ଗଳ୍ପଗୁଡ଼ିକର ସ୍ଵକୀୟତା ତାଙ୍କୁ ଜନପ୍ରିୟ ଓ ସୁପରିଚିତ କରାଇ ପାରିଥିଲା । ଏହାର ଛଅ ବର୍ଷ ପରେ ଖ୍ରୀ ୧୯୧୦ରେ ତାଙ୍କର ୨ୟ ଗଳ୍ପ ସଂକଳନ ‘Reginald in Russia’ ପ୍ରକାଶିତ ହେଲା । ତାଙ୍କୁ ୪୨ ବର୍ଷ ବୟସ ହେବା ସମୟରେ ତାଙ୍କର ପ୍ରଥମ ଉପନ୍ୟାସ ‘The Unbearable Bassington’ ପ୍ରକାଶିତ ହୁଏ । ଖ୍ରୀ ୧୯୧୧ ଓ ୧୯୧୪ରେ ଯଥାକ୍ରମେ ‘The chronicle of clovis’ ଓ ‘Beasts and Super beasts’ ପ୍ରକାଶିତ ହୋଇଥିଲା । ତାଙ୍କର ଗଳ୍ପ ବାସ୍ତବ ଧର୍ମୀ ଓ ହାସ୍ୟ, ବିଦ୍ରୂପ ରସରେ ରସାଣିତ । ଖ୍ରୀ ୧୯୧୬ରେ ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସଂକଳନରେ ସନ୍ନିବିଷ୍ଟ ‘ଆଳାପ’ ଗଳ୍ପଟି ତାଙ୍କର ‘Romancer’ ଗଳ୍ପର ମର୍ମାନୁବାଦ । ଚାତୁର୍ଯ୍ୟପୂର୍ଣ୍ଣ ଆଳାପ, ଉକ୍ତି ଦ୍ଵାରା ମନୁଷ୍ୟ କିପରି ନିଜର ମନୋଭାବକୁ ଲୁକ୍‍କାୟିତ ରଖିପାରେ, ହାସ୍ୟୋଦ୍ଦୀପକ ବାସ୍ତବଧର୍ମୀ ‘ଆଳାପ’ ଗଳ୍ପଟି ତାହାର ପରିଚାୟକ ।

★★★

 

ଆଳାପ

 

ମଧୁ ଶରତର ଉଜ୍ଜ୍ଵଳ ଆଲୋକରେ ରାଜଧାନୀରେ ଏକ ପ୍ରମୋଦ ଉଦ୍ୟାନର ଜନବିରଳ ଅଂଶର ଏକ ବେଞ୍ଚ ଉପରେ ବସିଥିଲେ ମିଷ୍ଟର କ୍ରସ୍‍ବି । ନୀରବରେ ସିଗାରେଟ ଟାଣୁ ଟାଣୁ ସେ ଦେଖୁଥିଲେ ଚାରିଆଡ଼ର ଦୃଶ୍ୟ । କିଛି ସମୟ ପରେ ତାଙ୍କର କୌତୂହଳୀ ଦୃଷ୍ଟି ଜନୈକ ବ୍ୟକ୍ତିର ଅସ୍ପଷ୍ଟ ଛାୟା ଉପରେ ପଡ଼ିଥିଲା । କ୍ଷୁଧାର୍ତ୍ତ ଭୀତ କାକ ତା’ର ଖାଦ୍ୟ ନିକଟକୁ ଶଙ୍କିତ ଭାବେ ବାରମ୍ବାର ଆସୁଥିଲା ଭଳି ଉକ୍ତ ବ୍ୟକ୍ତି ଦୁଇ ତିନିଥର ତାଙ୍କ ପାଖ ଦେଇ ସନ୍ଦିଗ୍ଧ ଭାବେ ଯାତାୟାତ କଲା । ଶେଷକୁ ସେ ଶଙ୍କିତ ଭାବେ ଆସି କ୍ରସ୍‍ବିଙ୍କ ପାଖ ବେଞ୍ଚ ଉପରେ ବସିଲା ।

 

ନବାଗତ ଲୋକଟିର ପରିପାଟିହୀନ ମଳିନ ବସ୍ତ୍ର, ଧୂସର ଘୃଣାବ୍ୟଞ୍ଜକ ଦାଢ଼ି ଓ ସନ୍ଦେହସଂକୁଳ ଚଞ୍ଚଳ ଦୃଷ୍ଟିରୁ ତାଙ୍କ ପ୍ରକୃତିର ପରିଚୟ ମିଳୁଥିଲା—ଘଣ୍ଟା ଘଣ୍ଟା ଧରି ସେ ଅପମାନଜନକ ଗାଳି ଶୁଣିବେ ପଛକେ ଦିନକ ଚଳିବା ଲାଗି ସମ୍ମାନଜନକ ଭାବେ ଓଳିଏ କାମ କରିବେ ନାହିଁ । ଅଳ୍ପକ୍ଷଣ ଲାଗି ଲୋକଟି ସ୍ଥିର ଦୃଷ୍ଟିରେ ଉଦ୍ଦେଶ୍ୟହୀନ ଭାବରେ ସମ୍ମୁଖକୁ ଅନାଇ ରହିଲେ । ତା’ପରେ ସେ କହିବାକୁ ଆରମ୍ଭ କଲେ–

 

“ଏ ଜଗତଟା ବଡ଼ ବିଚିତ୍ର !” ଶ୍ରୋତା ମନରେ ନିଜ ଉକ୍ତିଟି କୌଣସି ପ୍ରତିକ୍ରିୟା ସୃଷ୍ଟି କରିବାକୁ ଅକ୍ଷମ ହେଲା ବୋଧକରି ସେ ପୁଣି ଏକ ପ୍ରଶ୍ନାତ୍ମକ ରୀତିରେ ପଚାରିଲେ–“ମହାଶୟ-! ଏ ଜଗତଟା କ’ଣ ଆପଣଙ୍କୁ ଖୁବ୍‍ ବିସ୍ମୟକର ମନେହୁଏନା ?”

 

କ୍ରସ୍‍ବି ଉତ୍ତର ଦେଲେ, “ମୋ ନିଜ କଥା କହିଲେ ମୁଁ କହିବି ଯେ, ଏଇ ଛତିଶ ବର୍ଷ ଭିତରେ ବିସ୍ମୟର ଭାବଟା ମୋର ଦୂର ହୋଇଗଲାଣି ।’’

 

ନବାଗତ କହିଲେ—‘‘ଓଃ ! କିନ୍ତୁ ମୋ ଜୀବନରେ ବାସ୍ତବିକ ଯେଉଁ ସବୁ ବିଚିତ୍ର ଘଟଣା ଘଟିଛି ତା’ ଶୁଣିଲେ ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ ।’’

 

କ୍ରସ୍‍ବି ନିରୁତ୍ସାହିତ ହୋଇ କହିଲେ— “ଆଜିକାଲି ବାସ୍ତବିକ ବିଚିତ୍ର ଘଟଣାର ଆଦୌ ପ୍ରୟୋଜନ ନାହିଁ । ପେଶାଦାର ଗଳ୍ପଲେଖକମାନେ ବି ଆଜିକାଲି ଯେତେଦୂର ସମ୍ଭବ ତାହା ତ୍ୟାଗ କରି ସାରିଲେଣି । ମୋ ପଡ଼ୋଶୀମାନେ ମତେ ଏମିତ କେବେ କେବେ ଅସମ୍ଭବ ଆଶ୍ଚର୍ଯ୍ୟଜନକ କଥା ସବୁ କହନ୍ତି । କିନ୍ତୁ ମୁଁ ସେସବୁ ମୋଟେ ଶୁଣେନା ଅଥଚ ମୁଁ “ହାଉଣ୍ଡ ଅଫ ବାସ୍କର ଭାଇଲସ୍‍” ବହିଟିକୁ ତିନିଥର ପଢ଼ିଛି ।

 

ଧୂସର ଦାଢ଼ିବିଶିଷ୍ଟ ଲୋକଟି ଟିକିଏ ଅସ୍ଵସ୍ତି ବୋଧକରି ଏପଟ ସେପଟ ହୋଇ ପୁଣି ଅନ୍ୟ ଏକ କଥା ଆରମ୍ଭ କଲେ–“ମୁଁ ଭାବୁଛି, ଆପଣ ଜଣେ ଖାଣ୍ଟି ଖ୍ରୀଷ୍ଟିଆନ ।’’

 

କଳ୍ପନାର ବହୁଦୂର ଭାସିଯାଇ କ୍ରିସ୍‍ବି ଉତ୍ତର ଦେଲେ–“ନା, ମୁଁ ପୂର୍ବ ପାରସ୍ୟର ମୁସଲମାନ ଗୋଷ୍ଠୀର ଜଣେ ବିଶିଷ୍ଟ ସଭ୍ୟ ।’’

 

ଧୂସର ଦାଢ଼ିଆ ଲୋକଟି ଟିକିଏ ଅପ୍ରସ୍ତୁତ ହେଲାଭଳି ଜଣାଗଲେ ବି, ଟିକିଏ ପରେ କ୍ଷୁବ୍ଧ ଭାବେ ପୁଣି କହିଲେ— “ଓହୋ ପାରସ୍ୟ ! ମୁଁ ଆପଣଙ୍କୁ ପାରସ୍ୟ ଦେଶବାସୀ ବୋଲି ମୋଟେ ଧାରଣା କରିପାରି ନଥିଲି ।’’

 

“ନା, ମୁଁ ପାରସ୍ୟ ଦେଶୀୟ ନୁହେଁ, ମୋ ବାପା ଥିଲେ ଜଣ ଆଫ୍‍ଗାନ ।”

 

“ଜଣେ ଆଫ୍‍ଗାନ ।” ମୁହୂର୍ତ୍ତକ ଲାଗି ବିବ୍ରତ, ସ୍ତବ୍ଧ ହୋଇ ନବାଗତ ପୁଣି କହିଲେ, “ଓହୋ ଆଫଗାନୀସ୍ଥାନ ! ବଡ଼ ଚମତ୍କାର ଜାଗା । ଆମର ସେଠି ବହୁତ ଯୁଦ୍ଧ ସିନା ହୋଇଗଲାଣି କିନ୍ତୁ ମୁଁ ସାହସର ସହିତ କହିପାରେ ଯେ ସେଠି ଯୁଦ୍ଧ ନ କରି ଆମର ସେ ଦେଶରୁ ବହୁତ କିଛି ଶିଖିବା ଉଚିତ ଥିଲା । ମୋର ବିଶ୍ଵାସ, ସେ ଦେଶ ଖୁବ୍‍ ଧନଶାଳୀ, ଦାରିଦ୍ର୍ୟ ସେ ଦେଶରେ ମୋଟେ ନ ଥିବ ।”

 

“ତଥାପି ସେ ଦେଶର ବହୁ ପ୍ରତିଭାବାନ୍‍ ଭିକ୍ଷୁକଙ୍କର ଅଭାବ ନାହିଁ । ହଁ, ବାସ୍ତବ ସତ୍ୟମୂଳକ ଅଦ୍ଭୁତ କଥା ତୁମକୁ ନ ଶୁଣାଇ ପାରିଲେ ବି ମୁଁ ତୁମକୁ ‘ଇବ୍ରାହିମ ଓ ଛାପା କାଗଜ ବୋଝେଇ ଏଗାରଟି ଓଟ’ କଥାଟି କହିଥାନ୍ତି । ମାତ୍ର ସେ ଗଳ୍ପର ଶେଷାଂଶଟି ମୁଁ ଭୁଲିଯାଇଛି ।”

 

ଅପରିଚିତ ବ୍ୟକ୍ତିଟି ଇବ୍ରାହିମ ବିଷୟଟି ଶୁଣିବାକୁ କୌଣସି ଆଗ୍ରହ ପ୍ରକାଶ ନକରି କହିଲେ–“ମୋ ନିଜ ଜୀବନ କାହାଣୀ ତ ବଡ଼ ବିଚିତ୍ର ! ମତେ ଆଜି ଯେପରି ଦେଖୁଛନ୍ତି ମୁଁ ସର୍ବଦା ସେପରି ନଥିଲି ।”

 

ପୂର୍ବୋକ୍ତ ବିବରଣୀର ବ୍ୟାଖ୍ୟା କଲାଭଳି କ୍ରସ୍‍ବି କହିଲେ–“ପ୍ରତି ସାତବର୍ଷରେ ଆମର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାର କଥା ।”

 

“ନା, ନା, ତା’ ନୁହେଁ, ମୋର କହିବା କଥା ହେଉଛି ଯେ, ମୁଁ ଆଜି ଯେପରି ଦୁରାବସ୍ଥାରେ ପଡ଼ିଛି ଏପରି ଅବସ୍ଥା କେବେ ଭୋଗି ନାହିଁ ।”

 

କ୍ରସ୍‍ବି କଠିନଭାବେ କହିଲେ—“ତୁମର ଏପରି କହିବାଟା ଅତି ଅସଂଗତ । ତମେ ଯେ ବର୍ତ୍ତମାନ ଆଫ୍‍ଗାନ ସୀମାନ୍ତର ଜନୈକ ଖ୍ୟାତନାମା ଆଳାପକାରୀଙ୍କ ସହିତ କଥା କହୁଛ ଏହା ବୋଧହୁଏ ଭୁଲି ଯାଉଛ !”

 

ସଙ୍ଗେ ସଙ୍ଗେ ଆଗନ୍ତୁକ ଉତ୍ତର ଦେଲେ—‘‘ନା ନା, ତା’ ମୁଁ ମନେ କରିନି । ମୁଁ ଆପଣଙ୍କ ସହିତ କଥାବାର୍ତ୍ତାରେ ଖୁବ୍ ଆଗ୍ରହୀ । ମୁଁ କେବଳ ମୋର ଆର୍ଥିକ ଦୁର୍ଦ୍ଦଶା ବିଷୟ ଆପଣଙ୍କୁ ସୂଚାଉଛି । ଆପଣ ହୁଏତ ବିଶ୍ୱାସ କରିପାରନ୍ତି, ମାତ୍ର ବର୍ତ୍ତମାନ ମୋ ପାଖେ ଗୋଟିଏ ହେଲେ ପଇସା ନାହିଁ କିମ୍ବା ଆସନ୍ତା କେତେଦିନ ଲାଗି ତାହା ପାଇବାର କୌଣସି ଆଶା ବି ଦେଖୁନି । ମୋର ବିଶ୍ୱାସ, ଆପଣ କେବେ ମୋ’ପରି ଏପରି ଦୁର୍ଭାଗ୍ୟ ଭୋଗି ନଥିବେ ।”

 

କ୍ରସ୍‍ବି କହିଲେ—“ଦକ୍ଷିଣ ଆଫଗାନିସ୍ଥାନର ‘ୟମ’ ସହରରେ ମୋର ଜନ୍ମ ।’’ ସେଠିକାର ଜନୈକ ଚୀନା ଦାର୍ଶନିକ ମତେ ସର୍ବଦା କହୁଥିଲେ—“ମନୁଷ୍ୟ ପକ୍ଷେ ଯେଉଁ ତିନୋଟି ବିଷୟ ପରମ ଆଶୀର୍ବାଦ, ତା’ ଭିତରୁ ସମ୍ପୂର୍ଣ୍ଣ ନିସ୍କପର୍ଦକ ହେବା ପ୍ରଧାନତମ । ଅନ୍ୟ ବିଷୟ ଦୁଇଟି କଥା ମୁଁ ଭୁଲିଯାଇଛି ।”

 

ନିରୁତ୍ସାହିତ ଭାବେ ଆଗନ୍ତୁକ କହିଲେ—“ମୁଁ ସାହସର ସହିତ କହିବି ଯେ, ଚୀନା ଦାର୍ଶନିକ ଯାହା ପ୍ରଚାର କରୁଥିଲେ ତା’ ବୋଧହୁଏ ସେ ନିଜେ ପାଳୁ ନଥିଲେ ।’’

 

“ଅତ୍ୟଳ୍ପ ଅର୍ଥରେ ତ ସେ ଖୁବ୍‍ ସନ୍ତୋଷରେ କାଳ ଯାପନ କରୁଥିଲେ ।”

 

“ମୁଁ ଭାବୁଛି, ତାଙ୍କର ବହୁତ ଧନୀ ବନ୍ଧୁ ଥିଲେ । ସେ ମୋ’ଭଳି ଦୁର୍ଦ୍ଦଶାରେ ପଡ଼ିଲେ ବୋଧହୁଏ ସେହି ବନ୍ଧୁମାନେ ତାଙ୍କୁ ସାହାଯ୍ୟ କରୁଥିଲେ ।”

 

“ୟମ ସହରରେ ସାହାଯ୍ୟଲାଗି କୌଣସି ବନ୍ଧୁର ଆବଶ୍ୟକତା ନାହିଁ । ୟମର ଯେକୌଣସି ନାଗରିକ ବିଦେଶୀ ଆଗନ୍ତୁକଙ୍କୁ ସାହାଯ୍ୟ କରିଥାନ୍ତି ।”

 

ଦାଢ଼ିଧାରୀ ଆଗନ୍ତୁକ ଏଥର ଖୁବ୍ ଆଗ୍ରହୀ ଦେଖାଗଲେ । ଅବଶେଷରେ କଥୋପକଥନ ତାଙ୍କୁ ତୃପ୍ତିପ୍ରଦ ମନେହେଲା । ସେ ପଚାରିଲେ–

 

“ତମେ କହୁଥିବା ୟମ ସହରର ଜଣେ ନାଗରିକକୁ ମୋ’ଭଳି କେହି ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତି ଯଦି ଟ୧୧ ବା ବେଶି କିଛି ଧାର୍ ମାଗେ, ସେ କ’ଣ ତା’ ସଙ୍ଗେ ସଙ୍ଗେ ପାଇବ ?”

 

“ହଁ, ସେଠିକାର ନାଗରିକକୁ କେହି କିଛି ମାଗିଲେ, ସେ କେତେକ ପ୍ରାଥମିକ କାର୍ଯ୍ୟ ସାରି ଯାଚଞ୍ଜାକାରୀକୁ ଏକ ମଦ ଦୋକାନକୁ ନେଇ ତାକୁ ମଦ ପିଇବାକୁ ଦିଏ । ତା’ପରେ, କିଛି ସମୟ ଯାଏଁ ଉତ୍ତେଜନାପୂର୍ଣ୍ଣ କଥୋପକଥନ କରି ସେ ତାକୁ ପ୍ରାର୍ଥିତ ଅର୍ଥ ଦେଇ ଓ ଶୁଭେଛା ଜଣାଇ ବିଦାୟ ନିଏ । ଏହାହିଁ ହେଉଛି, ଅତି ସାଧାରଣ ଏକ ଦେଣନେଣ ବ୍ୟାପାର ଲାଗି ସେଠିକାର ଜଟିଳ ରୀତି । ଯା’ହେଉ ପ୍ରାଚ୍ୟ ଦେଶରେ ତ ଏମିତି ସବୁ ବ୍ୟାପାର ହିଁ ଜଟିଳ !’’

 

ଶ୍ରୋତା ମହାଶୟଙ୍କ ଆଖି ଉଜ୍ଜ୍ୱଳ ହୋଇପଡ଼ିଲା । ଉଚ୍ଚ କଣ୍ଠରେ ସେ କହିଲେ–“ତୁମେ ତମ ୟମ୍‍ ସହର ଛାଡ଼ିଲା ଦିନୁଁ ବୋଧହୁଏ ସେହି ବଦାନ୍ୟ ରୀତି ଛାଡ଼ି ଦେଇଛ । ଏବେ ଆଉ ତା’ ପାଳୁନାହଁ ?”

 

“ୟମ୍‍ ବାସୀ କୌଣସି ଲୋକ, ଯେ ସେ ଦେଶର ଏପ୍ରିକଟ ଓ ବାଦାମଗଛ ଭରା ସବୁଜ ପର୍ବତ ଏବଂ ବରଫାବୃତ ଉଚ୍ଚ ଭୂମିରୁ ଝରିଆସି ନିମ୍ନସ୍ଥ କାଠ-ପୋଲମାନଙ୍କରେ ବାଧା ଦେଉଥିବା ସୁଶୀତଳ ଜଳଧାରାକୁ ମନେ ରଖିଛି, ସେ କଦାପି ସେ ଦେଶର ଗୋଟିଏ ହେଲେ ଅଲିଖିତ ନିୟମ ଓ ରୀତିକୁ ଛାଡ଼ିପାରିବ ନାହିଁ । ଯୌବନର ସ୍ଵପ୍ନ ଭୂମି ଭଳି ସେସବୁ ମତେ ଏବେ ମଧ୍ୟ ବାନ୍ଧି ରଖିଛି-।”

 

ଅନୁରୋଧ କରିବାର ଅନୁକୂଳ, ନିରାପଦ ସୁଯୋଗ ପାଇ ହୃଷ୍ଟ ମନରେ ଆଗନ୍ତୁକଟି ଆରମ୍ଭ କଲେ— “ତା’ହେଲେ ମୁଁ ଯଦି ଆପଣଙ୍କୁ ଅଳ୍ପ ଟଙ୍କା ଧାର ମାଗେ—ଏଇ ଧାର––”

 

“ହଁ ଅନ୍ୟ ଯେକୌଣସି ସମୟରେ ଆପଣ ମତେ ଧାର ମାଗି ପାରନ୍ତି । ମାତ୍ର ନଭେମ୍ବର ଓ ଡିସେମ୍ବର ମାସରେ ଆମ ଜାତିରେ ଧାର, ଉପହାର ପ୍ରଭୃତି ଦେବା ନେବା ସମ୍ପୂର୍ଣ୍ଣ ନିଷିଦ୍ଧ । ଏଇ ସମୟରେ କେହି ଇଚ୍ଛାପୂର୍ବକ କାହାକୁ ଏ ବିଷୟ ଉତ୍‍ଥାପନ କରନ୍ତି ନାହିଁ । ଏହାକୁ ଆମେ ଅତି ଦୁର୍ଭାଗ୍ୟର ବିଷୟ ବୋଲି ବିଚାରୁ । ତେଣୁ ଆମର ଏଠି ସେସବୁ ଅଲୋଚନା ନକରିବା ଉଚିତ ।” –କ୍ରବ୍‍ସି ଏତକ କହି ଆସନରୁ ଉଠିବାକୁ ଉଦ୍ୟତ ହେଲେ ।

 

“କିନ୍ତୁ ବର୍ତ୍ତମାନ ତ ଏଇଟା ଅକ୍ଟୋବର ମାସ ଚାଲିଛି । ମାସ ଶେଷ ହେବାକୁ ଆଉ ଆଠଦିନ ବାକି ।”

 

“ମାତ୍ର ଆଫ୍‍ଗାନ ପାଞ୍ଜିରେ ନଭେମ୍ବର କାଲିଠାରୁ ଆରମ୍ଭ ହୋଇଗଲାଣି ।’’ ନିସ୍ପୃହ ଭାବରେ ଏତକ କହିସାରି କ୍ରସ୍‍ବି ଏହି ଆଗନ୍ତୁକ ସାଥୀଟିକୁ ଏକାକୀ ଛାଡ଼ି ପାର୍କ ବାହାରକୁ ଚାଲିଗଲେ ।

 

ଏକୁଟିଆ ସିଟରେ ବସିରହି ଆଗନ୍ତୁକ କ୍ରୁଦ୍ଧ ଭାବେ ନିଜ ମନକୁ ମନ କହୁଥିଲେ, “ତାଙ୍କ କଥାରେ ଗୋଟାଏ ବର୍ଣ୍ଣ ମଧ୍ୟ ମୁଁ ବିଶ୍ୱାସ କରିବି ନାହିଁ । ମୂଳରୁ ଶେଷଯାଏଁ ସବୁ କେବଳ ଗୁଡ଼ାଏ ନିହାତି ବାଜେ ମିଛ କଥା । ତାଙ୍କ ମୁହଁ ଉପରେ ମୁଁ ତା’ କହିଥାନ୍ତି, ହୁଁ, ସେ ପୁଣି ଆଫ୍‍ଗାନର ଲୋକ ।”

 

ତା’ପରେ ପନ୍ଦର ମିନିଟ ଯାଏ ତାଙ୍କର ଅବିରାମ ଦନ୍ତଘର୍ଷଣ, କ୍ରୁଦ୍ଧ ଉଦ୍‍ଗୀରଣ ଓ ଦୀର୍ଘଶ୍ୱାସ ଦେଖି ସେଇ ସୁପ୍ରାଚୀନ ପ୍ରବଚନର ସତ୍ୟତାହିଁ ଉତ୍ତମରୂପେ ଜଣାପଡ଼ୁଥିଲା— “ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରେ କେବେହେଲେ ଭଲପଡ଼େନା ।”

★★★

 

ରବୀନ୍ଦ୍ରନାଥ ଠାକୁର

 

କଲିକତାର ସୁବିଖ୍ୟାତ ଠାକୁର ପରିବାରରେ ୧୮୬୧ ଖ୍ରୀଷ୍ଟାବ୍ଦରେ ରବୀନ୍ଦ୍ରନାଥଙ୍କର ଜନ୍ମ ହୁଏ । ପିତା ମହର୍ଷି ଦେବେନ୍ଦ୍ରନାଥଙ୍କ ପ୍ରଭାବ ତାଙ୍କୁ ବାଲ୍ୟକାଲରୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ରବୀନ୍ଦ୍ରନାଥ ସ୍କୁଲ କଲେଜର ସ୍ନେହ-ପ୍ରୀତି-ବିରହିତ ଶିକ୍ଷାଦାନ ପଦ୍ଧତି ପ୍ରତି ଅତ୍ୟନ୍ତ ବିମୁଖ ଥିଲେହେଁ ଘରେ ଘରେ ସଂସ୍କୃତ, ଇଂରାଜୀ ଓ ବଙ୍ଗଳା ସାହିତ୍ୟର ଗଭୀର ଅନୁଶୀଳନ କରିବାର ସୁବିଧା ପାଇଥିଲେ । ବାଲ୍ୟକାଲରୁ ତାଙ୍କର ଅଦ୍ଭୁତ କବି ପ୍ରତିଭାର ପରିଚୟ ମିଳିଥିଲା-। ସେହିକାଳରୁ ମୃତ୍ୟୁର ଅବ୍ୟବହିତ ପର୍ଯ୍ୟନ୍ତ ସେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ଯାଇଛଅନ୍ତି-

 

୧୮୭୬ ଖ୍ରୀଷ୍ଟାବ୍ଦରେ ବାରିଷ୍ଟରି ପଢ଼ିବା ଉଦ୍ଦେଶ୍ୟରେ ସେ ଇଂଲଣ୍ଡ ଯାତ୍ରା କରିଥିଲେ-। ସେଠାରେ ବ୍ରାଇଟନ୍‍ ପବ୍ଲିକ ସ୍କୁଲ ଓ ପରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ମାତ୍ର ଅଳ୍ପ ସମୟ ପାଇଁ ଅଧ୍ୟୟନ କରି ସେ ଦେଢ଼ବର୍ଷ ପରେ ସ୍ଵଦେଶକୁ ଫେରିଆସି ସାହିତ୍ୟ ସେବାରେ ସମ୍ପୂର୍ଣ୍ଣ ମନୋନିବେଶ କରିଥିଲେ ।

 

୧୮୯୮ଠାରୁ ୧୯୦୫ ପର୍ଯ୍ୟନ୍ତ ରବୀନ୍ଦ୍ରନାଥ ସ୍ଵଦେଶର ରାଜନୈତିକ ଆନ୍ଦୋଳନ ତଥା ବଙ୍ଗ ଭଙ୍ଗ ଆନ୍ଦୋଳନ ସହିତ ନିଜକୁ ଘନିଷ୍ଠଭାବେ ବିଜଡ଼ିତ କରିଥିଲେ । ୧୯୦୧ରେ ସେ ବୋଲପୁର ‘ଶାନ୍ତି ନିକେତନ’ରେ ପ୍ରାଚୀନ ଭାରତୀୟ ଜ୍ଞାନ ଓ ସାଧନାର ଆଦର୍ଶକୁ ବାସ୍ତବରୂପ ଦେବା ଲାଗି ‘ବିଶ୍ଵ ଭାରତୀୟ’ ପ୍ରତିଷ୍ଠା କରିଥିଲେ ।

 

୧୯୧୨ଖ୍ରୀଷ୍ଟାବ୍ଦରେ ରବୀନ୍ଦ୍ରନାଥ ପୁନର୍ବାର ଇଂଲଣ୍ଡ ଓ ଆମେରିକା ଭ୍ରମଣରେ ଯାଇଥିଲେ । ଇଂଲଣ୍ଡରେ ଅବସ୍ଥାନ କାଳରେ ଶିଳ୍ପୀ ରୋଜେନ ଷ୍ଟାଇନଙ୍କ ଉଦ୍ୟୋଗରେ ସେ ସ୍ଵରଚିତ କବିତା ସଂଗ୍ରହ ‘ଗୀତାଞ୍ଜାଳୀ’ର ଇରାଜୀ ଅନୁବାଦ ସେଠାର ବିଖ୍ୟାତ ଶିଳ୍ପୀ ଓ କବିମାନଙ୍କୁ ଶୁଣାଇବାର ସୁଯୋଗ ପାଇଥିଲେ । ୧୯୧୩ ଖ୍ରୀଷ୍ଟାବ୍ଦରେ ତାଙ୍କର ସାହିତ୍ୟ ସାଧନା, ବିଶେଷଭାବେ ତାଙ୍କର ‘ଗୀତାଞ୍ଜାଳୀ’ ଲାଗି ସେ ନୋବେଲ ପୁରଷ୍କାର ଲାଭ କରିଥିଲେ । ତା’ପରେ ସେ ଚୀନ ଜାପାନ ଓ ପୃଥିବୀର ନାନା ଦେଶ ଭ୍ରମଣ କରି ବିଦେଶରେ ଭାରତର ବିଶ୍ଵମୈତ୍ରୀ ବାଣୀ ପ୍ରଚାର କରିଥିଲେ । ପଞ୍ଜାବର ଜାଲିୟାନାୱାଲାବାଗରେ ଇଂରେଜ ସରକାରଙ୍କର ନିରସ୍ତ୍ର ଭାରତୀୟମାନଙ୍କ ପ୍ରତି ନିର୍ମମ ଅତ୍ୟାଚାରର ପ୍ରତିବାଦ ସ୍ୱରୂପ ସେ ଇଂରେଜ ସରକାର ପ୍ରଦତ୍ତ ‘ସାର୍‍’ ଉପାଧି ପ୍ରତ୍ୟର୍ପଣ କରି ଦେଇଥିଲେ ।

 

୧୯୪୧ ଖ୍ରୀଷ୍ଟାବ୍ଦ ଶ୍ରାବଣ ପୂର୍ଣ୍ଣିମାଦିନ ରବୀନ୍ଦ୍ରନାଥ ଧରଣୀର ସୌନ୍ଦର୍ଯ୍ୟ ଲୋକରୁ ବିଦାୟ ନେଇଛନ୍ତି । ରବୀନ୍ଦ୍ରନାଥଙ୍କ ପରି ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତି ପୃଥିବୀରେ କ୍ଵଚିତ ଜନ୍ମଲାଭ କରିଛନ୍ତି । ଅଜସ୍ର ଓ ଅନୁପମ କାବ୍ୟ, କବିତା, ସଙ୍ଗୀତ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ନାଟକ ରଚନା କରି ସେ ବଙ୍ଗ ସାହିତ୍ୟ ତଥା ବିଶ୍ଵସାହିତ୍ୟକୁ ଦାନକରି ଯାଇଛନ୍ତି । ତା’ଛଡ଼ା ସେ ଥିଲେ ସୁନିପୁଣ ଗାୟକ, ଅଭିନେତା, ନୃତ୍ୟଶିଳ୍ପୀ ଓ ସୁପ୍ରସିଦ୍ଧ ଚିତ୍ରକର । ବଙ୍ଗଳା ସାହିତ୍ୟର ପ୍ରତ୍ୟେକଟି ବିଭାଗ ତାଙ୍କ କାଉଁରୀ ସ୍ପର୍ଶରେ ଜୀବନ୍ତ ଓ ସ୍ଵର୍ଣ୍ଣରଞ୍ଜିତ ହୋଇ ଉଠିଛି ।

 

ରବୀନ୍ଦ୍ରନାଥ ପ୍ରଧାନତଃ କବି ହେଲେହେଁ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରେ ଶ୍ରେଷ୍ଠ ଗଳ୍ପଲେଖକ ଭାବେ ସୁବିଦିତ । ତାଙ୍କର ଗଳ୍ପମାନଙ୍କ ମଧ୍ୟରୁ ‘କାବୁଲି ୱାଲା’ ଗଳ୍ପଟି ଅନ୍ୟତମ ଶ୍ରେଷ୍ଠ ଓ ସୁପ୍ରଚାରିତ ରଚନା । ଭଗିନୀ ନିବେଦିତା ଏଇ ଗଳ୍ପଟିର ଇଂରାଜୀ ଅନୁବାଦ କରି ପ୍ରଥମେ ‘ମଡ଼ର୍ଣ୍ଣ ରିଭ୍ୟୁ’ ପତ୍ରିକାରେ ପ୍ରକାଶ କରିଥିଲେ । ତାହା ପାଠକରି ଇଂଲଣ୍ଡର ବିଖ୍ୟାତ ଶିଳ୍ପୀ ଓ ମନୀଷୀ ରୋଜେନ ଷ୍ଟାଇନ ରବୀନ୍ଦ୍ର ପ୍ରତିଭାରେ ମୁଗ୍ଧ ହୋଇ ଘନିଷ୍ଠ ବନ୍ଧୁତ୍ଵ ପାଶରେ ଆବଦ୍ଧ ହୋଇଥିଲେ । ପିତୃ ହୃଦୟର ସୁନିବିଡ଼ ସାର୍ବଜନୀନ ବାତ୍ସଲ୍ୟ ମମତାହିଁ ଏହି ଗଳ୍ପଟିର ଉପଜୀବ୍ୟ ବିଷୟ ।

★★★

 

କାବୁଲିୱାଲା

 

ମୋର ପାଞ୍ଚ ବର୍ଷର ଝିଅ ମିନି ଦଣ୍ଡେ କଥା ନକହି ରହି ପାରେନା । ପୃଥିବୀରେ ଜନ୍ମଗ୍ରହଣ କରି ଭାଷା ଶିକ୍ଷା କରିବାକୁ ସେ କେବଳ ଗୋଟିଏ ବର୍ଷ ବ୍ୟୟ କରିଥିଲା, ତା’ ପରଠୁଁ ଯେତେ ସମୟ ସେ ଚେଇଁଥାଏ, ଗୋଟାଏ ମୁହୂର୍ତ୍ତ ବି ମୌନ ଭାବରେ ନଷ୍ଟ କରେନା । ତା’ବୋଉ ଅନେକ ସମୟରେ ଧମକ ଦେଇ ତା’ ମୁହଁ ବନ୍ଦ କରାଇ ଦିଅନ୍ତି, ମାତ୍ର ମୁଁ ତା’ ପାରେନା । ମିନି ଚୁପ୍ ରହିଲେ ଏପରି ଅସ୍ଵାଭାବିକ ଦିଶେ ଯେ, ମୁଁ ତା’ ବେଶୀ ସମୟ ସହ୍ୟ କରି ପାରେନା । ସେଥିପାଇଁ ମୋ ସଙ୍ଗେ ତା’ର କଥୋପକଥନ ଟିକେ ଉତ୍ସାହର ସହିତ ଚାଲେ ।

ସକାଳେ ମୋ ନଭେଲର ସପ୍ତଦଶ ପରିଚ୍ଛେଦରେ ହାତ ଦେଇଛି, ଏତିକିବେଳେ ମିନି ଆସି ଆରମ୍ଭ କରିଦେଲା; “ବାପା, ରାମଦୟାଲ ଦରୁଆନ କାଉକୁ କୈୟା କହୁଥିଲା, ସେ କିଛି ଜାଣେନା । ନାଇଁ ?”

ମୁଁ ପୃଥିବୀରେ ଭାଷାର ବିଭିନ୍ନତା ସମ୍ବନ୍ଧରେ ତାକୁ ଜ୍ଞାନଦାନ କରିବାକୁ ପ୍ରବୃତ୍ତ ହେବା ପୂର୍ବରୁହିଁ ସେ ଦ୍ଵିତୀୟ ପ୍ରସଙ୍ଗରେ ଉପନୀତ ହେଲା । “ବାପା, ଭେଳା କହୁଥିଲା ଆକାଶରେ ହାତୀ ଶୁଣ୍ଢଦ୍ଵାରା ପାଣି ପକାଏ, ସେଥିପାଇଁ ବର୍ଷା ହୁଏ । ଭୋଳା ପୁଣି ଏମିତି ମିଛକଥା କହିପାରେ । ଦିନ ରାତି ଖାଲି ମିଛ କହେ ।’’

ଏ ବିଷୟରେ ମୋର ମତାମତ ଲାଗି ଟିକିଏ ବି ଅପେକ୍ଷା ନକରି ହଠାତ୍‍ ପଚାରି ବସିଲା, “ବାପା, ବୋଉ ତମର କ’ଣ ହବ ?” ମନେମନେ କହିଲି “ଶ୍ୟାଳିକା”; ମୁହଁରେ କହିଲି, “ମିନି, ତୁ ଯା ଭୋଳା ସାଙ୍ଗେ ଖେଳିବୁ । ମୋର ଏଇନେ କାମ ଅଛି ।”

ସେ ସେତେବେଳକୁ ମୋ ଟେବୁଲ ନିକଟରେ ମୋ ଗୋଡ଼ ପାଖେ ବସି ନିଜ ଦୁଇ ଆଣ୍ଠୁ ଏବଂ ହାତର ଅତି ଦ୍ରୁତ ଉଚ୍ଚାରଣ କରି ‘ଆଗଡ଼ୁମ୍‍ ବାଗଡ଼ୁମ୍‍’ ଖେଳ ଆରମ୍ଭ କରି ଦେଇଛି । ମୋର ସପ୍ତଦଶ ପରିଚ୍ଛେଦରେ ପ୍ରତାପସିଂହ ସେତେବେଳକୁ କାଞ୍ଚନମାଳାକୁ ନେଇ ଅନ୍ଧକାର ରାତ୍ରିରେ କାରାଗାରର ଉଚ୍ଚ ବାତାୟନରୁ ନିମ୍ନବର୍ତ୍ତୀ ନଦୀ ଜଳକୁ ଲମ୍ଫ ଦେଇ ପଡ଼ୁଛନ୍ତି ।

ମୋ ଘରଟି ରାସ୍ତା କଡ଼ରେ । ହଠାତ୍‍ ମିନି ‘ଆଗଡ଼ୁମ୍ ବାଗଡ଼ୁମ୍‍’ ଖେଳ ଛାଡ଼ି ଦେଇ ରାସ୍ତା କଡ଼କୁ ଧାଇଁ ଗଲା ଏବଂ ଚିତ୍କାର କରି ଡାକିବାକୁ ଲାଗିଲା, “କାବୁଲିବାଲା, ହେ କାବୁଲିବାଲା-।”

ମଇଳା ଢିଲା ଲୁଗା ପିନ୍ଧା, ମୁଣ୍ଡରେ ପଗଡ଼ି କାନ୍ଧରେ ଝୁଲି, ହାତରେ ଦୁଇ ଚାରିଟା ଅଙ୍ଗୁର ବାକ୍ସ—ଜଣେ ଡେଙ୍ଗା କାବୁଲିୱାଲା ମୃଦୁ ମନ୍ଦ ଗତିରେ ରାସ୍ତାରେ ଯାଉଥିଲା । ତାକୁ ଦେଖି ମୋର କନ୍ୟାରତ୍ନର କିଭଳି ଭାବୋଦୟ ହେଲା କହିବା କଷ୍ଟ, ତାହାକୁ ଊର୍ଦ୍ଧ୍ଵଶ୍ୱାସରେ ଡକାଡକି ଆରମ୍ଭ କରିଦେଲା । ମୁଁ ଭାବିଲି ଅବିକା କାନ୍ଧରେ ଝୁଲି ପକାଇ ଗୋଟିଏ ଆପଦ ଆସି ଉପସ୍ଥିତ ହେବ; ମୋର ସପ୍ତଦଶ ପରିଚ୍ଛେଦ ଆଉ ଶେଷ ହୋଇପାରିବ ନାହିଁ ।

କିନ୍ତୁ ମିନିର ଚିତ୍କାର ଯୋଗୁ ଯେମିତି କାବୁଲିୱାଲା ହସି ମୁହଁ ଫେରାଇ ଆମ ଘର ଆଡ଼େ ଆସିବାକୁ ଲାଗିଲା, ସଙ୍ଗେ ସଙ୍ଗେ ମିନି ଅନ୍ତପୁରକୁ ଦୌଡ଼ି ପଳାଇଲା । ତା’ ମନରେ ଅନ୍ଧବିଶ୍ଵାସ ଥିଲା, ସେଇ ଝୁଲି ଭିତରେ ଖୋଜିଲେ, ସେଥିରେ ତା’ଭଳି ଦୁଇ ଚାରିଟା ଜୀବିତ ମାନବ ସନ୍ତାନ ମିଳିପାରନ୍ତି ।

ଏଣେ କାବୁଲିୱାଲା ଆସି ସହାସ୍ୟ ମୁଖରୁ ମତେ ସଲାମ୍ କରି ଠିଆ ହେଲା—ମୁଁ ଭାବିଲି, ଯଦିଓ ପ୍ରତାପସିଂହ ଓ କାଞ୍ଚନମାଳାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ତଥାପି ଲୋକଟାକୁ ଘରକୁ ଡାକିଆଣି ତା’ ପାଖରୁ କିଛି ନକିଣିବାଟା ଭଲ ନୁହେଁ ।

 

କିଛି କିଣା ହେଲା । ତା’ପରେ ପାଞ୍ଚ କଥା…..ଆବଦର ରହମାନ, ରୁଷ, ଇଂରେଜ ପ୍ରଭୃତିଙ୍କୁ ନେଇ ସୀମାନ୍ତ ରକ୍ଷା ନୀତି ସମ୍ବନ୍ଧରେ ଗଳ୍ପ ଚାଲିଲା ।

 

ଅବଶେଷରେ ଉଠି ଯିବାବେଳେ ସେ ପଚାରିଲା, “ବାବୁ, ତୁମ ଲଡ଼କୀ କୁଆଡ଼େ ଗଲା-?”

 

ମୁଁ ମିନିର ଅମୂଳକ ଭୟ ଭାଙ୍ଗିଦେବା ଅଭିପ୍ରାୟରେ ତାକୁ ଅନ୍ତଃପୁରରୁ ଡକାଇ ଆଣିଲି-। ସେ ମୋ ଦିହକୁ ଲାଗି କାବୁଲିର ମୁହଁ ଏବଂ ଝୁଲି ଆଡ଼େ ସନ୍ଦିଗ୍ଧ ନେତ୍ରରେ ଚାହିଁ ଠିଆ ହୋଇ ରହିଲା । କାବୁଲି ଝୁଲି ଭିତରୁ କିସ୍‍ମିସ୍‍ ଖାବାନି ବାହାର କରି ତାକୁ ଦେବାରୁ ସେ କୌଣସିମତେ ନେଲା ନାହିଁ, ଦ୍ୱିଗୁଣ ସନ୍ଦେହର ସହିତ ମୋ ଆଣ୍ଠୁ ପାଖେ ସଂଲଗ୍ନ ହୋଇ ରହିଲା । ପ୍ରଥମ ପରିଚୟଟା ଏମିତି ହେଲା ।

 

କେତେଦିନ ପରେ ଦିନେ ସକାଳେ ଘରୁ ବାହାରିଲା ବେଳକୁ ଦେଖିଲି, ମୋର ଦୁହିତାଟି ସମୀପସ୍ଥ ବେଞ୍ଚ ଉପରେ ବସି ଅନର୍ଗଳ କଥା କହିଯାଉଛି ଏବଂ କାବୁଲିୱାଲା ତା’ର ପାଦତଳେ ବସି ସହାସ୍ୟ ମୁଖରେ ଶୁଣୁଛି ଏବଂ ମଝିରେ ମଝିରେ ପ୍ରସଙ୍ଗ କ୍ରମେ ନିଜର ମତାମତ ବି ଭଙ୍ଗା-ବଙ୍ଗଳାରେ ବ୍ୟକ୍ତ କରୁଛି । ମିନିର ପଞ୍ଚବର୍ଷିୟ ଜୀବନର ଅଭିଜ୍ଞତାରେ ବାପା ବ୍ୟତୀତ ଏପରି ଧୈର୍ଯ୍ୟବାନ ଶ୍ରୋତା ସେ କେବେ ପାଇନି । ପୁଣି ଦେଖିଲି, ତା’ର କ୍ଷୁଦ୍ର ଅଞ୍ଚଳଟି ବାଦାମ କିସ୍‍ମିଶରେ ପରିପୂର୍ଣ୍ଣ । ମୁଁ କାବୁଲିୱାଲାକୁ କହିଲି, “ତାକୁ ଏସବୁ କାହିଁକି ଦେଇଛ ? ଆଉ ଏଭଳି ଦେବ ନାହିଁ ।” କହି ପକେଟରୁ ଗୋଟାଏ ଅଧୁଲି ନେଇ ତାକୁ ଦେଲି । ସେ ଅସଂକୋଚରେ ତାହା ଗ୍ରହଣ କରି ଝୁଲିରେ ପୂରାଇଲା ।

 

ଘରକୁ ଫେରିଆସି ଦେଖିଲି, ସେଇ ଅଧୁଲିଟି ଯୋଗୁ ଷୋଳଅଣା ଗୋଳମାଳ ଲାଗିଯାଇଛି ।

 

ମିନିର ବୋଉ ଏକ ଶ୍ଵେତ ଚକ୍‍ ଚକ୍‍ ଗୋଲାକାର ପଦାର୍ଥ ନେଇ ଭର୍ତ୍ସନା ସ୍ଵରରେ ମିନିକୁ ପଚାରୁଥାନ୍ତି, ତୁ ଏଇ ଅଧୁଲି ପାଇଲୁ କେଉଁଠୁ ?

 

ମିନି କହୁଥାଏ, “କାବୁଲିୱାଲା ଦେଇଛି ।”

 

“କାବୁଲିୱାଲା ପାଖରୁ ତୁ ଅଧୁଲି ଆଣିଲୁ କାହିଁକି ?

 

ମିନି କ୍ରନ୍ଦନର ଉପକ୍ରମ କରି କହିଲା, “ମୁଁ ମାଗିନି, ସେ ସେମିତି ଦେଲା ।”

 

ମୁଁ ଆସି ମିନିକୁ ତା’ର ଆସନ୍ନ ବିପଦରୁ ଉଦ୍ଧାର କରି ବାହାରକୁ ନେଇଗଲି ।

 

ସମ୍ବାଦ ପାଇଲି, କାବୁଲିୱାଲା ସଙ୍ଗେ ମିନିର ଯେ ଏଇଟା ଦ୍ଵିତୀୟ ସାକ୍ଷାତ ତା’ ନୁହେଁ, ଇତି ମଧ୍ୟରେ ସେ ପ୍ରାୟ ପ୍ରତ୍ୟହ ପେସ୍ତାବାଦାମ ଲାଞ୍ଚ ଦେଇ ମିନିର କ୍ଷୁଦ୍ର ଲୁବ୍‍ଧ ହୃଦୟକୁ ଅନେକ ପରିମାଣରେ ଅଧିକାର କରି ନେଇଛି ।

 

ଦେଖିଲି, ଏ ଦୁଇଟି ବନ୍ଧୁ ମଧ୍ୟରେ କେତୋଟି ବନ୍ଧା କଥା ଏବଂ ଥଟ୍ଟା ପ୍ରଚଳିତ ଅଛି—ଯଥା, ରହମନକୁ ଦେଖିଲେ ମୋର କନ୍ୟା ହସି ହସି ପଚାରେ, ‘‘କାବୁଲିୱାଲା, ହୋ, କାବୁଲିୱାଲା, ତୁମର ଏ ଝୁଲି ଭିତରେ କ’ଣ ଅଛି ?’’

 

ରହମତ୍‍ ଏକ ଅନାବଶ୍ୟକ ଚନ୍ଦ୍ରବିନ୍ଦୁ ଯୋଗକରି ହସି ହସି ଉତ୍ତର କରେ, ‘ହାଁତୀ ।’

 

ଅର୍ଥାତ୍‍, ତାହାର ଝୁଲି ଭିତରେ ଯେ ଗୋଟାଏ ହାତୀ ଅଛି, ଏଇଆ ହେଉଛି ତା’ ପରିହାସର ସୂକ୍ଷ୍ମ ମର୍ମ । ଖୁବ୍‍ ବେଶୀ ସୂକ୍ଷ୍ମତା କୁହାଯାଇ ନପାରେ, ତଥାପି ଏଇ ପରିହାସରେ ଉଭୟେ ବେଶ୍‍ କୌତୁକ ଅନୁଭବ କରୁଥିଲେ ଏବଂ ଶରତକାଳର ପ୍ରଭାତର ଏକ ବୟସ୍କ ଓ ଏକ ଅପ୍ରାପ୍ତ ବୟସ୍କ ଶିଶୁର ସରଳ ହାସ୍ୟ ଦେଖି ମୋତେ ମଧ୍ୟ ଭଲ ଲାଗୁଥିଲା ।

 

ସେମାନଙ୍କ ମଧ୍ୟରେ ଆଉ ଗୋଟିଏ କଥା ପ୍ରଚଳିତ ଥିଲା । ରହମତ୍‍ ମିନିକୁ କହେ, “ଖୋଁକି, ତୁ ଶାଶୁଘରକୁ ଜମା ଯିବୁନା ।”

 

ବଙ୍ଗାଳୀ ଘରର ଝିଅ ଆଜନ୍ମରୁ ‘ଶ୍ଵଶୁର ଘର’ ଶବ୍ଦଟି ସହିତ ପରିଚିତ । କିନ୍ତୁ ଆମେ ଏକପ୍ରକାର ଆଧୁନିକ ହୋଇଥିବାରୁ ଶିଶୁ କନ୍ୟାକୁ ଶ୍ଵଶୁର ଘର ସମ୍ବନ୍ଧରେ ସଜ୍ଞାନ କରା ହୋଇ ପାରିନାହିଁ । ସେଥିପାଇଁ ରହମତ୍‍ର ଅନୁରୋଧଟା ସେ ପରିଷ୍କାର ବୁଝିପାରିଲା ନାହିଁ । ଅଥଚ କଥାଟାର କୌଣସି ଜବାବ ନଦେଇ ଚୁପ୍‍ କରି ରହିବା ତା’ର ସ୍ଵଭାବ ବିରୁଦ୍ଧ । ସେ ଓଲଟି ପଚାରେ “ତୁମେ ଶ୍ଵଶୁର ଘର ଯିବ ?”

 

ରହମତ୍‍ କାଳ୍ପନିକ ଶ୍ଵଶୁର ପ୍ରତି ପ୍ରକାଣ୍ଡ ମୋଟା ମୁଷ୍ଟି ଆସ୍ଫାଳନ କରି କହେ—‘‘ମୁଁ ଶ୍ଵଶୁରକୁ ମାରିବି ।’’

 

ଏହା ଶୁଣି ମିନି ଶ୍ଵଶୁର ନାମକ କୌଣସି ଏକ ଅପରିଚିତ ଜୀବର ଦୁରବସ୍ଥା କଳ୍ପନା କରି ଅତ୍ୟନ୍ତ ହସେ ।

 

ବର୍ତ୍ତମାନ ଶୁଭ୍ର ଶରତ୍‍କାଳ । ପ୍ରାଚୀନ କାଳରେ ଏଇ ସମୟରେ ରାଜାମାନେ ଦିଗ୍‍ବିଜୟ ଲାଗି ବାହାର ହେଉଥିଲେ । ମୁଁ କଲିକତା ଛଡ଼ା କେବେ କୁଆଡ଼େ ଯାଇନି, କିନ୍ତୁ ସେଇଥିପାଇଁ ମୋର ମନ ସାରା ପୃଥିବୀ ଘୂରିବୁଲେ । ମୁଁ ଯେପରି ମୋ ଘର କୋଣରେ ଚିର ପ୍ରବାସୀ, ବାହାର ପୃଥିବୀ ଲାଗି ମୋର ମନ ସର୍ବଦା ଲାଳସୀ । ଗୋଟାଏ ଦେଶର ନାଁ ଶୁଣିଲେ ମୋ ମନ ଛୁଟିଯାଏ, ସେମିତି ବିଦେଶୀ ଲୋକ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ନଦୀ–ପର୍ବତ–ଅରଣ୍ୟ ମଧ୍ୟରେ ଏକ କୁଟୀରର ଦୃଶ୍ୟ ମନରେ ଉଦୟ ହୁଏ ଏବଂ ଏକ ଉଲ୍ଲାସପୂର୍ଣ୍ଣ ସ୍ଵାଧୀନ ଜୀବନ ଯାତ୍ରାର କଥା କଳ୍ପନାରେ ଜାଗିଉଠେ ।

 

ଏଣେ ପୁଣି ମୋର ଏମିତି ଉଦ୍‍ଭିଜ୍ଜ ପ୍ରକୃତି ଯେ, ଘର କୋଣଟି ଛାଡ଼ି ବାହାରିବାକୁ ବସିଲେ ମୋର ମୁଣ୍ଡରେ ବଜ୍ରାଘାତ ହୁଏ । ସେଥିପାଇଁ ସକାଳେ ମୋର ଛୋଟ ଘରେ ଟେବୁଲ ପାଖେ ବସି ଏଇ କାବୁଲି ସଙ୍ଗେ ଗଳ୍ପକରି ମୋର ଅନେକ ପରିମାଣରେ ଭ୍ରମଣ କାର୍ଯ୍ୟ ହୋଇଯାଏ । ଦୁଇପାଖେ ବନ୍ଧୁର, ଦୁର୍ଗମ, ଦଗ୍ଧ ରକ୍ତବର୍ଣ୍ଣ ଉଚ୍ଚ ଗିରିଶ୍ରେଣୀ, ମଝିରେ ସଂକୀର୍ଣ୍ଣ ମରୁ ପଥ, ବୋଝେଇ ଓଟର ଶ୍ରେଣୀ ଚାଲୁଛନ୍ତି; ପଗଡ଼ିପିନ୍ଧା ବଣିକ ଓ ପଥିକ ଗଣ କେହିବା ଓଟ ଉପରେ କିଏ ବା ପଦବ୍ରଜରେ, କାହା ହାତରେ ବର୍ଚ୍ଛା, କାହା ହାତରେ ସେକାଳର ଚକ୍‍ମକି ଠୁଁକା ବନ୍ଧୁକ—କାବୁଲି ମେଘ ମନ୍ଦ୍ର ସ୍ୱରରେ ଭଙ୍ଗା ବଙ୍ଗଳାରେ ସ୍ଵଦେଶର ଗଳ୍ପକରେ ଏବଂ ଏଇ ଛବି ମୋ ଆଖି ଆଗରେ ଭାସି ଉଠେ ।

 

ମିନିର ମା ଅତ୍ୟନ୍ତ ଶଙ୍କିତ ସ୍ଵଭାବର ଲୋକ । ରାସ୍ତାରେ ଗୋଟାଏ ଶବ୍ଦ ଶୁଣିଲେ ହିଁ ତାଙ୍କର ମନେହୁଏ, ପୃଥିବୀର ସମସ୍ତ ମାତାଲ ଆମ ଘରଟାକୁ ବିଶେଷ ଲକ୍ଷ୍ୟ କରି ଧାଇଁ ଆସୁଛନ୍ତି-। ଏଇ ପୃଥିବୀଟା ଯେ ସର୍ବତ୍ର ଚୋର, ଡକାୟତ, ମାତାଲ, ସାପ, ବାଘ, ମେଲେରିୟା, ଅସରପା, ଶାଁବାଳୁଆ ପୋକ ଓ ଗୋରା ଲୋକଙ୍କ ଦ୍ଵାରା ପରିପୂର୍ଣ୍ଣ–ଏତେଦିନ (ଖୁବ୍‍ ବେଶୀଦିନ ନୁହେଁ) ପୃଥିବୀରେ ବାସ କଲେ ସୁଦ୍ଧା ଏହା ତାଙ୍କ ମନରୁ ଦୂର ହୋଇନି ।

 

ରହମତ୍‍ କାବୁଲିୱାଲା ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ନିଃସଂଶୟ ନଥିଲେ । ତା’ ପ୍ରତି ବିଶେଷ ଦୃଷ୍ଟି ରଖିବାକୁ ସେ ମୋତେ ବାର ବାର ଅନୁରୋଧ କରିଥିଲେ । ମୁଁ ତାଙ୍କ ସନ୍ଦେହ ହସି ଉଡ଼ାଇ ଦେବାକୁ ଚେଷ୍ଟା କଲେ ସେ ପର୍ଯ୍ୟାୟକ୍ରମେ ମୋତେ କେତୋଟି ପ୍ରଶ୍ନ ପଚାରି ବସନ୍ତି, “କେବେ କ’ଣ କାହାର ଛୁଆ ଚୋରୀ ଯାଏନା । କାବୁଲି ଦେଶରେ କ’ଣ ଦାସ ବ୍ୟବସାୟ ପ୍ରଚଳିତ ନାହିଁ ? ଜଣେ ପ୍ରକାଣ୍ଡ କାବୁଲି ପକ୍ଷେ ଗୋଟିଏ ଛୋଟ ଛୁଆ ଚୋରୀ କରି ନେବା କ’ଣ ଏକଦମ୍‍ ଅସମ୍ଭବ-?’’

 

ମତେ ମାନିବାକୁ ହୁଏ, ବ୍ୟାପରଟା ଯେ ଅସମ୍ଭବ ତା’ ନୁହେଁ, କିନ୍ତୁ ଅବିଶ୍ୱାସ୍ୟ । ବିଶ୍ୱାସ କରିବା ଶକ୍ତି ସମସ୍ତଙ୍କର ସମାନ ନୁହେଁ, ଏଣୁ ମୋ ସ୍ତ୍ରୀଙ୍କ ମନରେ ଭୟ ରହିଗଲା । କିନ୍ତୁ ତା’ ବୋଲି ବିନା ଦୋଷରେ ରହମତ୍‍କୁ ଆମ ଘରକୁ ଆସିବାକୁ ନିଷେଧ କରି ପାରିଲି ନାହିଁ ।

 

ପ୍ରତିବର୍ଷ ମାଘ ମାସ ମଝିରେ ରହମତ୍‍ ଦେଶକୁ ଚାଲିଯାଏ । ଏଇ ସମୟରେ ପାଉଣା ଟଙ୍କା ଆଦାୟ ଲାଗି ସେ ଖୁବ୍‍ ବ୍ୟସ୍ତ ଥାଏ । ଘର ଘର ବୁଲେ ତଥାପି ଥରେ ମିନିକୁ ଦର୍ଶନ ଦେଇଯାଏ । ଦେଖିଲେ ବାସ୍ତବିକ ମନେହୁଏ, ଉଭୟଙ୍କ ମଧ୍ୟରେ ଯେପରି ଗୋଟାଏ ଷଡ଼ଯନ୍ତ୍ର ଚାଲିଛି । ସକାଳେ ଯେଉଁଦିନ ଆସିପାରେନା, ସେଦିନ ଦେଖେ ସଞ୍ଜବେଳେ ଆସିଛି, ଅନ୍ଧକାର ଗୃହକୋଣରେ ସେଇ ଢିଲା—ପାଇଜାମା—ପିନ୍ଧା, ସେଇ କାବୁଲିୱାଲା ଲମ୍ବା ଲୋକଟିକୁ ଦେଖିଲେ ବାସ୍ତବିକ ହଠାତ୍‍ ମନ ଭିତରେ ଏକ ଆଶଙ୍କା ଉପସ୍ଥିତ ହୁଏ । କିନ୍ତୁ ଯେତେବେଳେ ଦେଖେ ମିନି ‘କାବୁଲିବାଲା, ହୋ କାବୁଲିବାଲା’ କରି ହସି ହସି ଧାଇଁ ଆସେ ଏବଂ ଦୁଇ ଅସମବୟସୀ ବନ୍ଧୁ ମଧ୍ୟରେ ପୁରାତନ ସରଳ ପରିହାସ ଚାଲେ, ସେତେବେଳେ ସମସ୍ତ ହୃଦୟ ପ୍ରସନ୍ନ ହୋଇଯାଏ ।

 

ଦିନେ ସକାଳେ ମୋର ଛୋଟ ଘରେ ବସି ପ୍ରୁଫ୍‍ ସଶୋଧନ କରୁଛି । ରହମତ୍‍ ବିଦାୟ ନେବା ପୂର୍ବରୁ ଆଜିକୁ ଦୁଇ ତିନି ଦିନ ହେବ, ଶୀତଟା ଖୁବ୍‍ ପଡ଼ିଛି । ଝରକା ଭେଦକରି ସକାଳର ରୌଦ୍ର ଟେବୁଲ ତଳେ ମୋ ପାଦ ଉପରେ ପଡ଼ିଥାଏ, ସେଇ ଉତ୍ତାପଟିକକ ବଡ଼ ମଧୁର ଲାଗୁଥାଏ । ସମୟ ବୋଧହୁଏ ଆଠଟା । ମୁଣ୍ଡରେ ଗଳାବଦ୍ଧ ଜଡ଼ିତ ଉଷାଚରଗଣ ପ୍ରାତଃଭ୍ରମଣ ସାରି ପ୍ରାୟ ସମସ୍ତେ ଘରକୁ ଫେରି ସାରିଛନ୍ତି । ଏଇ ସମୟରେ ରାସ୍ତାରେ ଗୋଟାଏ ଭାରି ଗୋଳମାଳ ଶୁଣାଗଲା ।

 

ଚାହିଁ ଦେଖିଲି, ଆମ ରହମତ୍‍କୁ ଦୁଇଜଣ ପହରାବାଲା ବାନ୍ଧିନେଇ ଆସୁଛନ୍ତି—ତାହା ପଛରେ କୌତୂହଳୀ ପିଲାଙ୍କ ଦଳ ଚାଲିଛନ୍ତି । ରହମତ୍‍ର ଗାତ୍ର ବସ୍ତ୍ରରେ ରକ୍ତ ଚିହ୍ନ ଏବଂ ଜଣେ ପହରାବାଲା ହାତରେ ରକ୍ତାକ୍ତ ଛୁରା । ମୁଁ ବାହାରକୁ ଯାଇ ପହରାବାଲାକୁ ଠିଆ କରାଇ ପଚାରିଲି, ଘଟଣାଟା କ’ଣ ?

 

କିୟଦଂଶ ତାହା ପାଖରୁ ଓ କିୟଦଂଶ ରହମତ୍‍ ପାଖରୁ ଶୁଣି ଜାଣିଲି ଯେ, ମୋର ପ୍ରତିବେଶୀ ଜଣେ ଲୋକ ରାମପୁରୀ ଚାଦରଟିଏ ଲାଗି ରହମତ୍‍ଠୁଁ କିଞ୍ଚିତ୍‍ ଧାର କରିଥିଲା—ମିଥ୍ୟା କହି ସେଇ ଦେଣା ସେ ଅସ୍ଵୀକାର କଲା ଏବ ତାହା ଯୋଗୁଁ ବଚସା ହେଉ ହେଉ ରହମତ୍‍ ତାକୁ ଛୁରି ମାରିଛି ।

 

ରହମତ୍‍ ସେଇ ମିଥ୍ୟାବାଦୀ ଉଦ୍ଦେଶ୍ୟରେ ନାନା ରୂପ ଅଶ୍ରାବ୍ୟ ଗାଳି ଦେଉଛି । ଏତିକିବେଳେ ‘କାବୁଲିୱାଲା, ହୋ କାବୁଲିୱାଲା’, ଡାକି ଡାକି ମିନି ଘରୁ ବାହାରି ଆସିଲା ।

 

ରହମତ୍‍ର ମୁଖ ମୁହୂତ୍ତର୍କ ମଧ୍ୟରେ କୌତୁକ ହାସ୍ୟରେ ପ୍ରଫୁଲ ହୋଇଉଠିଲା । ତା’ କାନ୍ଧରେ ଆଜି ଝୁଲି ନଥିଲା । ଏଣୁ ଝୁଲି ସମ୍ବନ୍ଧରେ ସେମାନଙ୍କ ଅଭ୍ୟସ୍ତ ଆଲୋଚନା ଆଉ ହୋଇପାରିଲା ନାହିଁ । ମିନି ତାକୁ ପଚାରି ବସିଲା, “ତୁମେ ଶ୍ଵଶୁର ଘର ଯିବ ?’’

 

ରହମତ୍‍ ହସି କହିଲା, “ସେଇଠିକି ଯାଉଛି ।’’ ଉତ୍ତରଟା ମିନିର ହାସ୍ୟଜନକ ନ ହେଲା ଦେଖି ହାତ ଦେଖାଇ କହିଲା–“ଶ୍ଵଶୁରକୁ ମାରିଥାନ୍ତି , କିନ୍ତୁ କ’ଣ କରିବି, ହାତ ବନ୍ଧା ହୋଇଛି ।’’

 

ସାଂଘାତିକ ଆଘାତ କରିଥିବା ଯୋଗୁଁ ରହମତ୍‍କୁ କେତେ ବର୍ଷ କାରାଦଣ୍ଡ ହେଲା ।

 

ତା’ କଥା ଏକପ୍ରକାର ଭୁଲିଗଲି । ଆମେ ଯେତେବେଳେ ଘରେ ବସି ଚିରାଭ୍ୟସ୍ତ ଭଳି ନିତ୍ୟକର୍ମ ମଧ୍ୟରେ ଦିନ ପରେ ଦିନ କଟାଉ ଥାଉଁ, ସେତେବେଳେ ଜଣେ ପର୍ବତଚାରୀ ପୁରୁଷ କାରାପ୍ରାଚୀର ମଧ୍ୟରେ ଯେ କିପରି ସମୟ ଯାପନ କରିଛି, ତା’ ଆମ ମନରେ ବି ଉଦୟ ହେଉ ନଥିଲା ।

 

ଆଉ ଚଞ୍ଚଳ ହୃଦୟ ମିନିର ଆଚରଣ ଯେ ଅତ୍ୟନ୍ତ ଲଜ୍ଜାଜନକ ଏହା ତା’ର ବାପକୁ ମଧ୍ୟ ସ୍ୱୀକାର କରିବାକୁ ହେବ । ସେ ସ୍ୱଚ୍ଛନ୍ଦରେ ତା’ର ପୁରାତନ ବନ୍ଧୁକୁ ଭୁଲି ପ୍ରଥମେ ନବୀ ସହିସ ସଙ୍ଗେ ସଖ୍ୟ ସ୍ଥାପନ କଲା । ପରେ କ୍ରମେ ତା’ ବୟସ ଯେତିକି ବଢ଼ିଲା, ସେତିକି ସଖା ପରିବର୍ତ୍ତେ ଗୋଟିଏ ଗୋଟିଏ ସଖୀ ଜୁଟିବାକୁ ଲାଗିଲେ । ଏପରିକି, ଏବେ ତା’ ବାପାର ଲେଖିବା ଘରେ ମଧ୍ୟ ତାକୁ ଆଉ ଦେଖିବାକୁ ମିଳିଲା ନାହିଁ ।

 

କେତେବର୍ଷ ବିତିଗଲା । ପୁଣି ଏକ ଶରତ ଆସିଲା । ଆମ ମିନିର ବିବାହ ସମ୍ବନ୍ଧ ସ୍ଥିର ହୋଇସାରିଛି । ପୂଜା ଛୁଟି ଭିତରେ ତା’ର ବିବାହ ହେବ । କୈଳାସବାସିନୀଙ୍କ ସହିତ ଆମ ଗୃହର ଆନନ୍ଦମୟୀ ପିତୃଭବନ ଅନ୍ଧକାର କରି ପତି ଗୃହକୁ ଯାତ୍ରା କରିବେ ।

 

ପ୍ରଭାତ ସୂର୍ଯ୍ୟ ଅତି ସୁନ୍ଦର ହୋଇ ଉଦିତ ହୋଇଅଛି । ବର୍ଷା ପରେ ଏଇ ଶରତର ନୂତନ ଧୌତ ରୌଦ୍ର ଯେମିତି ସୋହାଗାତରଳିତ ସୁନାର ବର୍ଣ୍ଣ ଧାରଣ କରିଛି । ଏପରିକି କଲିକତା ଗଳିର ଇଷ୍ଟକ ଜର୍ଜର ଅପରିଚ୍ଛନ୍ନ ଲଗାଲଗି ଘରମାନଙ୍କ ଉପରେ ମଧ୍ୟ ଏଇ ରୌଦ୍ରର ଆଉ ଏକ ଅପରୂପ ଲାବଣ୍ୟ ବିସ୍ତାର କରିଅଛି ।

 

ଆମ ଘରେ ଆଜି ରାତି ନ ପାହୁଣୁ ସାନାଇ ବାଜୁଛି । ସେ ବଂଶୀ ଯେପରି ମୋ ହୃଦୟର ପଞ୍ଜରାହାଡ଼ ଭିତରୁ କାନ୍ଦି କାନ୍ଦି ବାଜି ଉଠୁଛି । କରୁଣ ଭୈରବୀ ରାଗିଣୀରେ ମୋର ଆସନ୍ନ ବିଚ୍ଛେଦ ବ୍ୟଥାକୁ ଶରତର ରୌଦ୍ର ସଙ୍ଗେ ସମସ୍ତ ବିଶ୍ଵ ଜଗତମୟ ବ୍ୟାପ୍ତ କରି ଦେଉଛି । ଆଜି ମୋର ମିନିର ବିବାହ ।

 

ସକାଳୁ ଭାରି ଗୋଳମାଳ । ଲୋକମାନଙ୍କ ଯା’ଆସ । ଅଗଣାରେ ପୋତା ବାଉଁଶର ପାଲ ଟଣା ଯାଉଛି । ଘରେ ଘରେ ଏବଂ ବାରଣ୍ଡାରେ ଝାଡ଼ ଟଙ୍ଗାଇବାର ଠୁଂ ଠୁଂ ଶବ୍ଦ ହେଉଛି-। ଡାକହାକର ସୀମାନାହିଁ ।

 

ମୁଁ ମୋ ଲେଖିବା ଘରେ ବସି ହିସାବ ଦେଖୁଛି, ଏତିକିବେଳେ ରହମତ୍ ଆସି ସଲାମ କରି ଠିଆହେଲା । ପ୍ରଥମେ ମୁଁ ତାକୁ ଚିହ୍ନିପାରିଲି ନାହିଁ । ତା’ର ସେ ଝୁଲି ନାହିଁ, ସେ ଲମ୍ବା ବାଳ ନାହିଁ, ଦେହରେ ପୂର୍ବର ତେଜ ବି ନାହିଁ । ଶେଷକୁ ତା’ର ହସ ଦେଖି ତାକୁ ଚିହ୍ନିଲି । କହିଲି, “କିରେ ରହମତ୍‍, କେବେ ଆସିଲୁ ?”

 

ସେ କହିଲା, “କାଲି ସଞ୍ଜବେଳେ ଜେଲରୁ ଖଲାସ ହେଲି ।”

 

ଖୁଣୀ ଲୋକକୁ କେବେ ପ୍ରତ୍ୟକ୍ଷ ଦେଖିନି । ଏହାକୁ ଦେଖି ଓ ଏହାର କଥା ଶୁଣି ଅନ୍ତଃକରଣ ଯେମିତି ସଂକୁଚିତ ହୋଇଗଲା । ଇଛା ହେଲା, ଆଜିର ଏଇ ଶୁଭଦିନରେ ଏ ଲୋକଟା ଏଠୁ ଗଲେ ଭଲ ହୁଅନ୍ତା ।

 

ମୁଁ ତାକୁ କହିଲି, “ଆଜି ଆମ ଘରେ ଗୋଟାଏ କାମ, ମୁଁ ଟିକିଏ ବ୍ୟସ୍ତ ଅଛି, ତୁ ଆଜି ଯା ।’’

 

କଥାଟା ଶୁଣି ସେ ତତ୍‍କ୍ଷଣାତ ଯିବାକୁ ଉଦ୍ୟତ ହେଲା । ଶେଷରେ ଦରଜା ପାଖରେ ଇତସ୍ତତଃ କରି କହିଲା, “ଖୋକୀକୁ ଥରେ ଦେଖିବାକୁ ପାଇବି ନାହିଁ ?”

 

ତା’ର ବୋଧହୁଏ ବିଶ୍ଵାସ ଥିଲା, ମିନି ସେହିପରି ଅଛି । ସେ ଯେମିତି ଭାବିଥିଲା, ମିନି ପୁଣି ପୂର୍ବ ଭଳି ‘କାବୁଲିବାଲା, ହୋ କାବୁଲିବାଲା’ କରି ଧାଇଁ ଆସିବ ଓ ସେମାନଙ୍କର ସେଇ ଅତ୍ୟନ୍ତ କୌତୁକାବହ ପୁରାତନ ହାସ୍ୟାଳାପର କୌଣସି ରୂପେ ବ୍ୟତ୍ୟୟ ହେବ ନାହିଁ । ଏପରିକି ପୂର୍ବ ବନ୍ଧୁତ୍ଵ ସ୍ମରଣ କରି ସେ ବାକ୍ସଟିଏ ଅଙ୍ଗୁର ଓ କାଗଜ ପୁଡ଼ାରେ କିଞ୍ଚିତ୍‍ କିସ୍‍ମିସ୍‍ ବାଦାମ ବୋଧହୁଏ କେଉଁ ସ୍ୱଦେଶୀୟ ବନ୍ଧୁଠାରୁ ମାଗି ଆଣିଥିଲା—ତା’ର ସେଇ ଝୁଲିଟି ଆଉ ନ ଥିଲା ।

 

ମୁଁ କହିଲି, “ଆଜି ଘରେ କାମ ଅଛି, ଆଜି ଆଉ କାହା ସଙ୍ଗେ ଦେଖା ହୋଇପାରିବ ନାହିଁ ।”

 

ସେ ଟିକିଏ କ୍ଷୁଣ୍ଣ ହେଲା । ସ୍ତବ୍ଧ ଭାବେ ଠିଆ ହୋଇ ସ୍ଥିର ଦୃଷ୍ଟିରେ ଥରକ ଲାଗି ମୋ ମୁହଁକୁ ଚାହିଁଲା, ତା’ପରେ ‘ବାବୁ ସଲାମ’ କହି ବାହାରି ଚାଲିଗଲା ।

 

ମୋ ମନରେ ଟିକିଏ ଦୁଃଖ ହେଲା । ଭାବୁଛି ତାକୁ ପୁଣି ଡାକିବି; ଦେଖିଲି, ସେ ନିଜେ ଫେରି ଆସୁଛି ।

 

ପାଖକୁ ଆସି କହିଲା, “ଏଇ ଅଙ୍ଗୁର ଏବଂ କିଞ୍ଚିତ୍‍ କିସ୍‍ମିସ୍‍ ଖୋଁକୀ ପାଇଁ ଆଣିଥିଲି, ତାକୁ ଦେଇ ଦେବେ ।’’

 

ମୁଁ ସେଗୁଡ଼ିକୁ ନେଇ ଦାମ୍‍ ଦେବାକୁ ଉଦ୍ୟତ ହେବାରୁ ସେ ହଠାତ୍‍ ମୋ ହାତ ଚିପି ଧରିଲା, କହିଲା, “ଆପଣଙ୍କର ବହୁତ ଦୟା, ମୋର ଚିରକାଳ ମନେ ରହିବ । ମୋତେ ପଇସା ଦିଅନ୍ତୁ ନାହିଁ । –ବାବୁ ତୁମର ଯେମିତି ଗୋଟାଏ ଲଡ଼କୀ ଅଛି, ସେମିତି ମୋର ଦେଶରେ ବି ଗୋଟିଏ ଲଡ଼କୀ ଅଛି । ମୁଁ ତା’ ମୁହଁ ସ୍ମରଣ କରି ତୁମ ଖୋଁକୀ ପାଇଁ କିଛି ମେୱା ସାଙ୍ଗରେ ନେଇ ଆସେ । ମୁଁ ତ ସଉଦା କରିବାକୁ ଆସିନି ।’’

 

ଏତକ କହି ସେ ଆପଣାର ମସ୍ତ ଢିଲା ଜାମା ଭିତରୁ ହାତ ଗଳାଇ ଛାତି ପାଖରୁ କେଉଁଠୁ ଏକ ମଇଳା କାଗଜ ବାହାର କଲା । ବହୁ ସଯତ୍ନେ ଭାଙ୍ଗ ଖୋଲି ଦୁଇ ହାତରେ ମୋ ଟେବୁଲ ଉପରେ ମେଲି ଧରିଲା ।

 

ଦେଖିଲି, କାଗଜ ଉପରେ ଗୋଟିଏ ଛୋଟ ହାତର ଛାପ । ଫଟୋଗ୍ରାଫ ନୁହେଁ, ତୈଳ ଛବି ନୁହେଁ, ହାତରେ କିଛି ଭୂଷା ବୋଳାଯାଇ କାଗଜ ଉପରେ ତାହାର ଚିହ୍ନ ଧରା ହୋଇ ରହିଛି । କନ୍ୟାର ଏଇ ସ୍ମରଣ ଚିହ୍ନଟିକ ଛାତି ପାଖରେ ରଖି ରହମତ୍‍ ପ୍ରତି ବର୍ଷ କଲିକତାର ରାସ୍ତରେ ମେୱା ବିକିବାକୁ ଆସେ–ଯେମିତି ସେଇ ସୁକୋମଳ କ୍ଷୁଦ୍ର ଶିଶୁ ହସ୍ତଟିକକର ସ୍ପର୍ଶଟି ତା’ର ବିରାଟ ବିରହୀ ବକ୍ଷ ମଧ୍ୟରେ ସୁଧା ସଞ୍ଚାର କରି ରଖେ ।

 

ତା’ ଦେଖି ମୋର ଆଖି ଛଳ ଛଳ ହୋଇଗଲା । ସେତେବେଳେ ସେ ଯେ ଜଣେ କାବୁଲି ସେୱା ୱାଲା ଆଉ ମୁଁ ଯେ ଜଣେ ବଙ୍ଗାଳୀ ସମ୍ଭ୍ରାନ୍ତ ବଂଶୀୟ ତାହା ଭୁଲିଗଲି—ବୁଝିପାରିଲି, ସେ ଯେ, ମୁଁ ବି ସେଇ, ସେ ବି ବାପା ମୁଁ ମଧ୍ୟ ବାପା । ତା’ର ପର୍ବତ ଗୃହବାସିନୀ କ୍ଷୁଦ୍ର ପାର୍ବତୀର ସେଇ ହସ୍ତ ଚିହ୍ନ ମୋର ମିନିକୁ ସ୍ମରଣ କରାଇ ଦେଲା । ମୁଁ ତତ୍‍କ୍ଷଣାତ୍‍ ମିନିକୁ ଅନ୍ତଃପୁରରୁ ଡକାଇ ପଠାଇଲି । ଅନ୍ତଃପୁରରୁ ଏଥିପାଇଁ ବହୁ ଆପତ୍ତି ଉଠିଥିଲା । କିନ୍ତୁ ମୁଁ କିଛି କର୍ଣ୍ଣପାତ କଲି ନାହିଁ । ରଙ୍ଗ ଚୋଲୀ ପିନ୍ଧି, କପାଳେ ଚନ୍ଦନାଙ୍କିତା ବଧୂବେଶିନୀ ମିନି ସଲଜ୍ଜଭାବେ ମୋ ପାଖେ ଆସି ଠିଆ ହେଲା ।

 

ତାକୁ ଦେଖି କାବୁଲିୱାଲା ପ୍ରଥମେ ଅପ୍ରତିଭ ହୋଇଗଲା; ସେମାନଙ୍କ ପୁରାତନ ଆଳାପ ଜମାଇ ପାରିଲା ନାହିଁ । ଅବଶେଷରେ ହସି କହିଲା, “ଖୋକୀ, ତୁମେ ଶଶୁର ଘରକୁ ଯିବ-?”

 

ମିନି ବର୍ତ୍ତମାନ ଶଶୁର ଘରର ଅର୍ଥ ବୁଝେ, ଏବେ ଆଉ ସେ ପୂର୍ବ ଭଳି ଉତ୍ତର ଦେଇପାରିଲା ନାହିଁ । ରହମତ୍‍ର ପ୍ରଶ୍ନ ଶୁଣି ଲଜ୍ଜାରେ ଆରକ୍ତ ହୋଇ ମୁହଁ ବୁଲାଇ ଠିଆ ହେଲା । କାବୁଲିୱାଲା ସଙ୍ଗେ ମିନିର ଯେଉଁଦିନ ପ୍ରଥମେ ସାକ୍ଷାତ ହୋଇଥିଲା, ସେଇ ଦିନ କଥା ମନେପଡ଼ିଲା । ମନଟା କିପରି ବ୍ୟଥିତ ହୋଇପଡ଼ିଲା ।

 

ମିନି ଚାଲିଗଲା ପରେ ଏକ ଗଭୀର ଦୀର୍ଘ ନିଃଶ୍ଵାସ ପକାଇ ରହମତ୍‍ ମାଟିରେ ବସି ପଡ଼ିଲା । ସେ ହଠାତ୍‍ ସ୍ପଷ୍ଟ ବୁଝିପାରିଲା ତା’ର ଝିଅଟି ମଧ୍ୟ ଇତି ମଧ୍ୟରେ ଏଇପରି ବଡ଼ ହୋଇଯାଇଛି, ତା’ ସଙ୍ଗେ ମଧ୍ୟ ପୁଣି ନୂତନ ଆଳାପ କରିବାକୁ ହେବ—ତାକୁ ଠିକ୍‍ ପୂର୍ବଭଳି ସେହିପରି ସେ ଆଉ ପାଇବ ନାହିଁ । ଏଇ ଆଠ ବର୍ଷ ମଧ୍ୟରେ ତା’ର କ’ଣ ହେଲାଣି ତା’ ବା କିଏ ଜାଣେ । ସକାଳେ ଶରତର ସ୍ନିଗ୍ଧ ରୌଦ୍ର କିରଣ ମଧ୍ୟରେ ସାନାଇ ବାଜିବାକୁ ଲାଗିଲା । ରହମତ୍‍ କଲିକତାର ଏକ ଗଳି ଭିତରେ ବସି ଆଫଗାନିସ୍ଥାନର ଏକ ମରୁ ପର୍ବତର ଦୃଶ୍ୟ ଦେଖିବାକୁ ଲାଗିଲା ।

 

ମୁଁ ଖଣ୍ଡେ ନୋଟ ନେଇ ତାକୁ ଦେଲି । କହିଲି, “ରହମତ୍‍, ତୁ ଦେଶରେ ତୋ ଝିଅ ପାଖକୁ ଫେରିଯା, ତୁମର ମିଳନ ସୁଖରେ ମିନିର କଲ୍ୟାଣ ହେଉ ।’’

 

ଏଇ ଟଙ୍କାଟା ଦାନ କରି, ହିସାବରୁ ଉତ୍ସବ-ସମାରୋହର ଗୋଟାଏ ଦି’ଟା ଅଙ୍ଗ ବାଦ ଦେବାକୁ ପଡ଼ିଲା । ଯେମିତି ଭାବିଥିଲି ସେଇଭଳି ଇଲେକ୍‍ଟ୍ରିକ୍‍ ଆଲୋକ ଜଳାଇ ହେଲା ନାହିଁ, ବାଦ୍ୟ ମଧ୍ୟ ଧ୍ଵନିତ ହେଲା ନାହିଁ, ଅନ୍ତଃପୁରରେ ସ୍ତ୍ରୀଲୋକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କଲେ । କିନ୍ତୁ ମଙ୍ଗଳ-ଆଲୋକରେ ମୋର ଶୁଭ ଉତ୍ସବ ଉଜ୍ଜ୍ୱଳ ହୋଇଉଠିଲା ।

★★★

 

ଆନାତୋଲ ଫ୍ରାନ୍‍ସ

 

ଫ୍ରାନ୍‍ସର ସାହିତ୍ୟିକ ଜେକ ଆନାତୋଲ ଥିବଲ୍‍ଟ ‘ଆନାତୋଲ ଫ୍ରାନ୍‍ସ’ ଛଦ୍ମ ନାମରେ ପୃଥିବୀ ସାହିତ୍ୟରେ ସୁପରିଚିତ । ୧୮୪୪ ଖ୍ରୀଷ୍ଟାବ୍ଦରେ ସେ ଫ୍ରାନ୍‍ସ ରାଜଧାନୀ ପ୍ୟାରୀ ନଗରୀରେ ଜନ୍ମଗ୍ରହଣ କରିଥିଲେ । ଔପନ୍ୟାସିକ, କ୍ଷୁଦ୍ର ଗଳ୍ପ ଲେଖକ ଓ କବି ଭାବରେ ସେ ବିଶ୍ଵନିଶ୍ରୁତ ଖ୍ୟାତି ଅର୍ଜନ କରି ଅଛନ୍ତି । ପୃଥିବୀର ବହୁ ଭାଷାରେ ତାଙ୍କର ରଚନାବଳୀ ଅନୂଦିତ ହୋଇଅଛି ।

 

୧୮ଶ ଶତାବ୍ଦୀର ଶିଳ୍ପକଳା ରସିକ, ପୁରାତନ ପୁସ୍ତକ ଓ ଗ୍ରୀକ୍‍ ସାହିତ୍ୟାନୁରାଗୀ ଭାବେ ତାଙ୍କର ସୁଦୀର୍ଘ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ଏହି ସମୟରେ ତାଙ୍କର ରଚନା ରୀତି ଥିଲା ମୁଖ୍ୟତଃ ଆତ୍ମଜୀବନୀ-ମୂଳକ । ୧୮୬୮ ଖ୍ରୀଷ୍ଟାବ୍ଦରେ ତାଙ୍କର ପ୍ରଥମ ଉପନ୍ୟାସ ଓ ୧୮୭୩ରେ ପ୍ରଥମ କବିତା ସଂଗ୍ରହ ପ୍ରକାଶିତ ହୁଏ । ପୂର୍ବୋକ୍ତ ରୀତିରେ ରଚିତ ତାଙ୍କର ସୁପ୍ରସିଦ୍ଧ ମନୋରମ ଉପନ୍ୟାସ The Crime of Sylvestre Bonnard ୧୮୮୧ରେ ପ୍ରକାଶିତ ହେବାପରେ ତାଙ୍କର ଖ୍ୟାତି ବଢ଼ିଯାଇଥିଲା । ପରବର୍ତ୍ତୀ ରଚନାବଳୀ ତାଙ୍କର ଖ୍ୟାତି ଓ ପ୍ରତିଷ୍ଠାକୁ ଉତ୍ତରୋତ୍ତର ବର୍ଦ୍ଧିତ କରାଇଥିଲା । ୧୮୯୦ରେ ପ୍ରକାଶିତ Thais (ଥେଇସ) ଓ ୧୮୯୩ରେ ପ୍ରକାଶିତ ‘Queen Pedanques’ Cook Shop ଉପନ୍ୟାସ ଦୁଇଟିରୁ ଆମେ ତାଙ୍କର ମୁକ୍ତଲାମ୍ପଟ୍ୟ ଓ ବିଦ୍ରୂପର କ୍ଷୀଣ ଆଭାଷ ଦେଖିବାକୁ ପାଉ । ୧୮୯୩ ପରେ ବିଶେଷତଃ ଚାରୋଟି ଉପନ୍ୟାସର ସମଷ୍ଟି ‘Histoire Contem-poraine’ ପ୍ରକାଶିତ ହେବା ପରେ ତାଙ୍କର ଭାବଧାରା ଓ ଦୃଷ୍ଟିଭଙ୍ଗୀ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଯାଇଥିଲା । ଆନାତୋଲ ହେଲେ ଜଣେ ସାମ୍ୟବାଦୀ ଓ ନାସ୍ତିକ । ଧନିକ ଓ ପୁଞ୍ଜିପତି ସମାଜର ବିଦ୍ରୂପକାରୀ ଭାବେ ତଥା ଆଧୁନିକ ସମାଜ ଓ ମାନବିକ ରୀତିନୀତିର ବିଦ୍ରୂପକାରୀ ରୂପେ ସେ ହେଲେ ସାହିତ୍ୟ ଜଗତରେ ସୁପରିଚିତ-। ତାଙ୍କର ‘Crainque bille (୧୯୦୧) ଓ Penguin Island (୧୯୦୮) ଉପନ୍ୟାସ ଦୁଇଟିରେ ବିଦ୍ରୂପାତ୍ମକ ଭାବଧାର ତୀବ୍ରତର ରୂପେ ପ୍ରତିଫଳିତ । ବ୍ୟଙ୍ଗ ବିଦ୍ରୂପ ବ୍ୟତୀତ, ସତ୍ୟଶିବ ସୁନ୍ଦରର ଉପାସକ ରୂପେ ସେ ଯୋଆନ-ଅଫ-ଆର୍କଙ୍କ ଜୀବନୀ ରଚନା କରି ଯଶସ୍ଵୀ ହୋଇ ଅଛନ୍ତି । ଅପୂର୍ବ ରଚନାଶୈଳୀ ଓ ମାନବିକ ତ୍ରୁଟି, ଅଜ୍ଞତାର ତୀବ୍ର ପରିହାସକାରୀ ଭାବେ ସେ ସ୍ୱନାମଧନ୍ୟ । ଫ୍ରାନ୍‍ସର ପ୍ରବୀଣତମ ଓ ଅଦ୍ଵିତୀୟ ଗଳ୍ପଲେଖକ ଭାବେ ସମ୍ମାନିତ ହୋଇ ୧୯୨୪ ମସିହା ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଥଲା ।

 

‘ବାଜିକର’ ଗଳ୍ପରେ ଧର୍ମଧ୍ଵଜୀ ଦେବପୂଜକମାନଙ୍କ କାର୍ଯ୍ୟକଳାପର ନ୍ୟୂନତା ପ୍ରତିପନ୍ନ କରାଯାଇ ସରଳତା ଓ ସାଧୁତାର ମହତ୍ୱ ବିଘୋଷିତ ହୋଇଅଛି ।

★★★

 

ବାଜିକର

 

ରାଜା ଲୁଇଙ୍କ ସମୟର କଥା । କୋଁପିୟ ସହରର ବାର୍ଣ୍ଣାବାସ ନାମକ ଜଣେ ବାଜିକର ନାନାପ୍ରକାର ଅଦ୍ଭୁତ ଖେଳ ଦେଖାଇ ବିଭିନ୍ନ ସହରରେ ଘୂରି ବୁଲୁଥାଏ । ଭଲଦିନମାନଙ୍କରେ ସେ ଏକ ସର୍ବସାଧାରଣ ବଗିଚା ବା ଛକରେ ନିଜ ଛିଣ୍ଡା ଗାଲିଚାଟି ବିଛାଇ ଦିଏ । କେଉଁ ଏକ ବୁଢ଼ା ବାଜିକରଠୁଁ ଶିଖିଥିବା ମଜା କଥା ଶୁଣାଇ ବହୁ ବାଳକ ବାଳିକା ଓ ଅକର୍ମା ଲୋକଙ୍କୁ ଏକଜୁଟ କରାଇ ନାନା ବିଚିତ୍ର ଭଙ୍ଗୀରେ ବସି କସରତ ଦେଖାଏ । ନାକ ଆଗରେ ଏକ ଟିଣ ଥାଳି ରଖି ନିଶ୍ଚଳ ଭାବେ ପଡ଼ିରହେ । ଏତିକି ଦେଖି ପ୍ରଥମେ ଜନତା ଆଶ୍ଚର୍ଯ୍ୟ ବୋଧ କରେନା । ମାତ୍ର ଏହାପରେ ଯେତେବେଳେ ସେ ହାତ ଓ ମୁଣ୍ଡ ଉପରେ ଭରା ଦେଇ ଗୋଡ଼କୁ ଉପରକୁ ଟେକି ହାତରେ ଫୋପାଡ଼ୁଥିବା ଛଅଟି ତମ୍ବା ପେଣ୍ଡୁକୁ ଗୋଡ଼ରେ ଧରେ, କିମ୍ବା ଉପରକୁ ମୁହଁକରି ଶୋଇ ଦୁଇଗୋଡ଼ ଗୋଇଠିକୁ ଆଣି ବେକରେ ଲଗାଇ ଚକ୍ରାକାର ଧାରଣ କରେ ଓ ସେହି ଅବସ୍ଥାରେ ବାରଗୋଟି ଛୁରିରେ ଖେଳ ଦେଖାଏ, ସେତେବେଳେ ଦର୍ଶକମଣ୍ଡଳୀରୁ ପ୍ରଶଂସାର ମୃଦୁ ଗୁଞ୍ଜନ ଉତ୍‍ଥିତ ହୁଏ ଓ ସଙ୍ଗେ ସଙ୍ଗେ ଗାଲିଚା ଉପରେ ମୁଦ୍ରାସବୁ ବୃଷ୍ଟି ହୋଇଯାଏ ।

 

ତଥାପି ଅନ୍ୟଲୋକମାନଙ୍କ ଭଳି କୋଁପିୟ ସହରର ଏହି ବାଜିକରକୁ ଜୀବନ ନିର୍ବାହ ଲାଗି ଘୋର କଷ୍ଟ ସହିବାକୁ ପଡ଼ୁଥିଲା । କଠିନ ପରିଶ୍ରମ କରି ଅନ୍ନସଂସ୍ଥାନ କରିବା ଯୋଗୁଁ ତାକୁ ମନୁଷ୍ୟର ପ୍ରଥମ ପିତା ଆଦାମଙ୍କ କୁକର୍ମର କୁପରିଣାମ କିଛି ବେଶୀ ପରିମାଣରେ ଭୋଗିବାକୁ ପଡ଼ୁଥିଲା ।

 

ଇଚ୍ଛା ଥିଲେ ବି ସେ ସବୁବେଳେ କାମ କରିପାରୁ ନଥିଲା । ଗଛ ଲାଗି ସୂର୍ଯ୍ୟାଲୋକ ଓ ଦିବସର ଉଜ୍ଜ୍ୱଳତା ଅତ୍ୟାବଶ୍ୟକ ହେଲାଭଳି, ଅଦ୍ଭୁତ କସରତ ଦେଖାଇବା ଲାଗି ସେସବୁ ତା’ର ପରମ ପ୍ରୟୋଜନ ଥିଲା । ଶୀତଋତୁରେ ସେ ଏକପ୍ରକାର ପତ୍ରପୁଷ୍ପରହିତ ବୃକ୍ଷ ଭଳି ଅର୍ଦ୍ଧମୃତ ହୋଇ ପଡ଼ୁଥିଲା । ବରଫାବୃତ ଭୂମି ଉପରେ ଖେଳ ଦେଖାଇବା ସୁବିଧାଜନକ ନୁହେଁ । ଏଣୁ ଶୀତକାଳରେ କ୍ଷୁଧା ଓ ଶୈତ୍ୟ ଯୋଗୁ ସେ ବହୁ କଷ୍ଟ ଭୋଗୁଥିଲା । ମାତ୍ର ତା’ର ସ୍ଵଭାବ ଥିଲା ଅତି ସରଳ । ଏହି ସବୁ ଈଶ୍ୱରଦତ୍ତ ଦଣ୍ଡ ସେ ନୀରବରେହିଁ ସହି ଯାଉଥିଲା ।

 

ଧନ ସମ୍ପଦର ସୃଷ୍ଟି ବା ମନୁଷ୍ୟ ଭାଗ୍ୟର ବୈଷମ୍ୟ ଓ ବିସଦୃଶ ପରସ୍ଥିତି ବିଷୟ ଭାବି ସେ କଦାପି ଅନୁଶୋଚନା କରୁନଥିଲା । ଦୁଃଖ, ଦୁର୍ଦ୍ଦଶା ପରେ ସୁଖ ନିଶ୍ଚୟ ଆସିବ–ଏ ବିଷୟରେ ତା’ର ଦୃଢ଼ ବିଶ୍ୱାସ ଥିଲା । ତାହାହିଁ ଦେଉଥିଲା ତାକୁ ଦୁଃଖରେ ଭରସା । ଧୂର୍ତ୍ତ ଲୋକଙ୍କ ପରି ନିଜକୁ ସେ ଦାନବର ଦାସ କରିନଥିଲା କିମ୍ବା ପରମାତ୍ମାକୁ ଗାଳି ଦେଉନଥିଲା । ସାଧୁତାର ସହିତ ସେ ଜୀବନ କଟାଉଥିଲା ଓ ଈଶ୍ୱରଙ୍କୁ ଭୟ କରୁଥିଲା । ସବଳ ଲୋକର ସର୍ବପ୍ରଧାନ ଶତ୍ରୁ ନାରୀ । ପୁରାଣର ସାମସେନ୍ ଉପାଖ୍ୟାନରୁ ସେ ତାହା ଭଲ ରକମ ଜାଣେ । ଏଣୁ ନିଜର ସ୍ତ୍ରୀ ନଥିଲେ ବି ସେ ପ୍ରତିବେଶୀର ସ୍ତ୍ରୀ ଲାଗି ଲୋଭପରବଶ ହେଉନଥିଲା ।

 

ଦେବାଳୟକୁ ଗଲେ ସେ ଆଦିମାତାଙ୍କ ମୂର୍ତ୍ତି ନିକଟରେ ଜାନୁପାତପୂର୍ବକ ପ୍ରାର୍ଥନା କରେ–“ହେ ମା, ମତେ ସଦ୍‍ବୁଦ୍ଧି ଦିଅ, ମୁଁ ଯେପରି ସୁକାର୍ଯ୍ୟ କରି ଭଗବାନଙ୍କୁ ସନ୍ତୁଷ୍ଟ କରେ । ମତେ ଦୟାକର, ମଲାପରେ ମୋର ଯେପରି ସ୍ଵର୍ଗ ପ୍ରାପ୍ତି ହୁଏ ।’’

 

ଥରେ ଦିନଯାକ ଘୋର ବର୍ଷା ହେଲା । ସେଦିନ ସନ୍ଧ୍ୟାବେଳେ ବାର୍ଣ୍ଣାବାସ ଦୁଃଖିତ ମନରେ ରାସ୍ତାରେ ଚାଲିଥାଏ । ପେଣ୍ଡୁ ଓ ଛୁରିତକ ସେଇ ପୁରୁଣା ଗାଲିଚାରେ ଗୁଡ଼ାଇ ସେଇ ବୋଝଟି କାନ୍ଧରେ ଲଦି ସେ ଈଷତ୍‍ ନଇଁ ପଡ଼ିଥାଏ । ଅଭୁକ୍ତ ରହୁ ପଛକେ କେଉଁଠି ଟିକିଏ ରାତ୍ରିରେ ଆଶ୍ରୟ ନେବାଲାଗି ସେ ଚାଲିଥାଏ । ହଠାତ୍‍ ଦେଖିଲା ତା’ ଆଗରେ ଜଣେ ମଠାଧ୍ୟକ୍ଷ ଯାଉଛନ୍ତି । ବାର୍ଣ୍ଣାବାସ ମଠାଧ୍ୟକ୍ଷଙ୍କ ନିକଟକୁ ଯାଇ ତାଙ୍କୁ ନମସ୍କାର କଲା । ଦୁହେଁ ଏକା ସଙ୍ଗେ ଚାଲିବାରୁ ଦୁହିଁଙ୍କର ଆଳାପ ହେଲା ।

 

ମଠାଧ୍ୟକ୍ଷ କହିଲେ—“କି ବନ୍ଧୁ ! ଏମିତି ସବୁଜ ପୋଷାକ କାହିଁକି ପିନ୍ଧିଛ ? କ’ଣ କେଉଁ ଯାତ୍ରାରେ ଦୁଆରୀ ଅଭିନୟ କରିବ କି ?”

 

“ନା, ମହାରାଜ । ମୋ ନା ବାର୍ଣ୍ଣାବାସ । ଖେଳ କସରତ୍‍ ଦେଖାଇବା ମୋର ପେଶା । ମୋର ଧାରଣା, ଦୈନନ୍ଦନ ଆହାର୍ଯ୍ୟ ଯୋଗାଡ଼ ଲାଗି ଏହାଠୁ ଉତ୍କୃଷ୍ଟ ପେଶା ଆଉ ନାହିଁ ।’’

 

“ବନ୍ଧୁ ବାର୍ଣ୍ଣାବାସ । ଯାହା କହୁଛ ତା’ ଟିକଏ ଭାବିଚିନ୍ତି କୁହ । ସନ୍ନ୍ୟାସ ଜୀବନଠାରୁ ଉତ୍କୃଷ୍ଟ ଜୀବନ ଆଉ ନାହିଁ । ସନ୍ନ୍ୟାସୀ ଭାବେ ଆଶ୍ରମରେ ଯେ ରହିଛି ସେ କେବଳ ଦିବାରାତ୍ର ଈଶ୍ୱର ଆଦିମାତା ମେରୀ ଓ ସନ୍ଥମାନଙ୍କର ସ୍ତୁତିଗାନ କରି ସମୟ କଟାଏ । ମଠାଧୀଶର ଜୀବନଟି ତ ହେଉଛି ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ବିରାମହୀନ ସ୍ତୁତି ।’’

 

ବାର୍ଣ୍ଣାବାସ ଉତ୍ତର ହେଲା–‘‘ସାଧୁବାବା, ମୁଁ ସ୍ଵୀକାର କରୁଛି, ମୁଁ ମୂର୍ଖ ଲୋକ । ମୁଁ ସେହିପରି କଥାହିଁ କହିଛି । ଆପଣଙ୍କ ଜୀବନ ସହିତ ମୋ ଜୀବନର ତୁଳନା ହୋଇପାରିବ ନାହିଁ । ନାକ ଉପରେ ଗୋଟିଏ ବାଡ଼ି, ତା’ ଉପରେ ଗୋଟାଏ ପଇସା ରଖି ନାଚିବାରେ କୌଣସି ପୁଣ୍ୟ ନାହିଁ । ଆପଣଙ୍କ ଭଳି ପରମାତ୍ମାଙ୍କ ସ୍ତୁତି କରି ଜୀବନ କାଟିବାକୁ ମୋର ଖୁବ୍ ଇଚ୍ଛା । ଯେଉଁ କଳାକୌଶଳ ଦେଖାଇ ମୁଁ ସୋଏଯୋଁଠାରୁ ବ୍ୟୁଭେ ପର୍ଯ୍ୟନ୍ତ ପ୍ରାୟ ୬୦୦ ଗାଁ ଓ ସହରରେ ଖ୍ୟାତି ଲାଭ କରିଛି, ସେଇ ପେଶାକୁ ମୁଁ ସ୍ଵେଚ୍ଛାରେ ଛାଡ଼ିଦେଇ ମଠରେ ରହି ସାଧକ ଜୀବନ ଅତିବାହିତ କରିବାକୁ ପ୍ରସ୍ତୁତ ।

 

ବାଜିକରର ଏତାଦୃଶ ସରଳ ଓ କପଟତାହୀନ କଥା ମଠାଧୀଶଙ୍କ ହୃଦୟ ସ୍ପର୍ଶକଲା । ସେ ଥିଲେ ଅତ୍ୟନ୍ତ ବିଚାରଶୀଳ । ବାର୍ଣ୍ଣାବାସଠାରେ ସେ ପାଇଥିଲେ ପୁଣ୍ୟତ୍ମା ବ୍ୟକ୍ତିର ସନ୍ଧାନ । ଭଗବାନ କହିଛନ୍ତି—“ଏଇ ସରଳ ଲୋକମାନେହିଁ ଜଗତରେ ଶାନ୍ତି ପାଆନ୍ତି ।’’ ମଠାଧୀଶ କୋମଳଭାବେ କହିଲେ—‘‘ମିତ୍ର ବାର୍ଣ୍ଣାବାସ, ମୋ ସଙ୍ଗେ ଆସ । ମୁଁ ତୁମକୁ ମୋ ମଠରେ ରଖିନେବି । ମରୁଭୂମିରେ ଯେ ମେରୀକୁ ପଥ ଦେଖାଇଲେ, ତୁମକୁ ମୁକ୍ତିର ସନ୍ଧାନ ଦେବାଲାଗି ସେଇ ମୋତେ ଆଣି ତୁମ ସଙ୍ଗେ ମିଳେଇଛନ୍ତି ।’’

 

ଏହିପରି ବାର୍ଣ୍ଣାବାସ ଏକ ସନ୍ନ୍ୟାସୀ ହେଲା । ଯେଉଁ ମଠରେ ସେ ପ୍ରବେଶ କଲେ ସେଠାରେ ସମସ୍ତେ ନିଜକୁ ମାତା ମେରୀଙ୍କ ଆଡ଼ମ୍ବରପୂର୍ଣ୍ଣ ପୂଜାରେ ସମର୍ପଣ କରିଥିଲେ । ଈଶ୍ୱରଦତ୍ତ ଜ୍ଞାନ ଓ ଭକ୍ତି ଦ୍ଵାରା ସମସ୍ତେ ତାଙ୍କର ସେବାରେହିଁ ଲାଗିଥଲେ ।

 

ଅଧ୍ୟକ୍ଷ ଠାକୁରାଣୀ ମେରୀଙ୍କ ଗୁଣ କୀର୍ତ୍ତିତ ହୋଇଥିବା ବହୁ ପାଣ୍ଡିତ୍ୟପୂର୍ଣ୍ଣ ପୁସ୍ତକ ଲେଖୁଥିଲେ । ଭାଇ ମରିସ୍‍ ସେଇସବୁ ପୋଥିକୁ ଖୁବ୍‍ ସୁନ୍ଦର ଅକ୍ଷରରେ ଚମଡ଼ା କାଗଜରେ ନକଲ କରୁଥିଲେ । ଭାଇ ଆଲେକଜାଣ୍ଡର ସେସବୁ କାଗଜ ପୃଷ୍ଠାରେ ନାନାବିଧ ପୌରାଣିକ ସୁନ୍ଦର ଚିତ୍ର ଅଙ୍କନ କରି ତାହାକୁ ସୁଶୋଭିତ କରୁଥିଲେ ।

 

ଭାଇ ମାର୍ବୋଦ ମାତା ମେରୀଙ୍କର ଅନ୍ୟତମ ପୂଜକ । ପ୍ରସ୍ତର ମୂର୍ତ୍ତି ଖୋଦନ କରୁ କରୁ ତାଙ୍କର ସାରାଦିନ ବିତିଯାଉଥିଲା । ଏହା କରିବା ଯୋଗୁଁ ତାଙ୍କର ଦାଢ଼ି, ଭ୍ରୂଲତା, କେଶଗୁଚ୍ଛ ଧୂଳିରେ ଶୁଭ୍ରବର୍ଣ୍ଣ ଧାରଣ କରୁଥିଲା ଏବଂ ତାଙ୍କ ଆଖି ସର୍ବଦା ସ୍ଫୀତ ଓ ଅଶ୍ରୁପୂର୍ଣ୍ଣ ରହୁଥିଲା । ବୃଦ୍ଧ ହେଲେହେଁ ତାଙ୍କର ଆନନ୍ଦ ଓ ଶକ୍ତି ତିଳେ ବି କମ୍‍ ନଥିଲା । ମନେହୁଏ, ସତେ ଅବା ସ୍ୱର୍ଗର ରାଣୀ ଏହି ମୃତ୍ୟୁପଥଗାମୀ ବୃଦ୍ଧ ପୁତ୍ରଟିର ଶେଷ ଦିନଗୁଡ଼ିକୁ ଦୟାକରି ସତର୍କ ଭାବେ ଜଗିଛନ୍ତି । ସିଂହାସନାଧିଷ୍ଠିତ ଓ ଜ୍ୟୋତିର୍ମଣ୍ଡଳାବୃତ ମାତା ମେରୀଙ୍କ କମନୀୟ ମୂର୍ତ୍ତିଟି ବ୍ୟତୀତ ନାନା ଅବସ୍ଥାର ମୂର୍ତ୍ତି ମଧ୍ୟ ସେ ପରମ ନିଷ୍ଠା ଓ କଳା କୌଶଳର ସହିତ ନିର୍ମାଣ କରିଥିଲେ ।

 

ମଠରେ ଅନେକ କବି ମଧ୍ୟ ଥିଲେ । ସେମାନେ ଲାଟିନ୍ ଭାଷାରେ ଗଦ୍ୟ ଓ ପଦ୍ୟରେ ଦେବୀ ମେରୀଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗୀତ ରଚନା କରୁଥିଲେ । ପିକାର୍ଡ଼ରୁ ଆସିଥିବା ଜଣେ କବି ଗ୍ରାମ୍ୟ ଭାଷାରେ ଦେବୀଙ୍କ ମହାତ୍ମ୍ୟ ବର୍ଣ୍ଣନା କରି ଏକ ଛନ୍ଦୋବଦ୍ଧ କାବ୍ୟ ରଚନା କରିଥିଲେ ।

 

ଦେବୀଙ୍କ ଉପାସନା ଲାଗି ବହୁ ବ୍ୟକ୍ତିଙ୍କର ଏତାଦୃଶ ପ୍ରତିଯୋଗିତା ଓ ତା’ର ପରିଣତି ବହୁ ସୁବିଖ୍ୟାତ ବିଷୟଗୁଡ଼ିକୁ ଲକ୍ଷ୍ୟ କରି ବାର୍ଣ୍ଣାବାସ ନିଜ ଅଜ୍ଞାତ ଓ ସରଳତା ଲାଗି ମନେମନେ ଗଭୀର ଦୁଃଖ ଓ ଶୋଚନା ବୋଧ କରୁଥିଲା । ମଠର ଜନହୀନ ଉପବନରେ ଦିନେ ଚିନ୍ତିତ ଭାବେ ବୁଲୁ ବୁଲୁ ଦୀର୍ଘନିଃଶ୍ୱାସ ପକାଇ ସେ ଭାବିଲା—ହାୟ ! ମୁଁ ହତଭାଗା । ମୋର ଦୁଃଖର କାରଣ, ଯେଉଁ ଭଗବାନଙ୍କ ପାଇଁ ହୃଦୟର ସମସ୍ତ ପ୍ରେମ ମୁଁ ନିବେଦନ କରିଛି, ସାଥି ଭାଇଙ୍କ ପରି ମୁଁ ତାଙ୍କରି ଉପାସନା କରିପାରୁନି । ହାୟ ! ମୁଁ କେଡ଼େ ନିର୍ବୋଧ ! ହେ ଦେବୀ ! ତୁମର ଉପାସନା ଲାଗି ମୁଁ ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧ ଲେଖି ଜାଣେନା, ସୁଶୋଭନ ଚିତ୍ର ଅଙ୍କନ କରି ଜାଣେନା, ମନୋଜ୍ଞ ମୂର୍ତ୍ତି ମଧ୍ୟ ନିର୍ମାଣ କରି ଜାଣେନା । ଛନ୍ଦ ଓ ଯତି ରକ୍ଷା କରି ଉପଯୁକ୍ତ ପଦଯୋଜନା ପୂର୍ବକ କବିତା ରଚନା କରି ଜାଣେନା । ହାୟ ! ମୋ ଦ୍ଵାରା କିଛି ହେବନି । ତୁମର ସେବା ଲାଗି ମୋର କୌଣସି ଗୁଣ ନାହିଁ । —ଭାବୁ ଭାବୁ ସେଦିନ ଏହିପରି ଗଭୀର ବେଦନାରେ ତା’ର ହୃଦୟ ପୂର୍ଣ୍ଣ ହୋଇଗଲା-

 

ଦିନେ ସନ୍ଧ୍ୟାବେଳେ ମଠର ସବୁ ସନ୍ନ୍ୟାସୀ ଗପସପ କରି ଅବସର ବିନୋଦନ କରୁଥିଲେ । ଜଣେ ସାଧକ ଏକ ମୂର୍ଖ ସନ୍ନ୍ୟାସୀଙ୍କ କଥା କହୁଥିଲେ । ସେହି ମୂର୍ଖ ସନ୍ନ୍ୟାସୀ ‘ଜୟ ହେ ଦେବୀ’ ବ୍ୟତୀତ ଆଉ କେଉଁ ଭାଷା ଜାଣିନଥିଲେ । ମୂର୍ଖତା ଲାଗି ସମସ୍ତେ ତାଙ୍କୁ ଉପହାସ କରୁଥିଲେ । ମାତ୍ର ସେ ସେଇ ପବିତ୍ର ପାଞ୍ଚ ଅକ୍ଷର ଉଚ୍ଚାରଣ କରୁଥିଲେ । ସେଥିପାଇଁ ମୃତ୍ୟୁ ପରେ ତାଙ୍କ ମୁଖରୁ ପାଞ୍ଚଗୋଟି ଗୋଲାପଫୁଲ ବାହାରିଥିଲା ।

 

ଏଇକଥା ଶୁଣି ବାର୍ଣ୍ଣାବାସ ଦେବୀ ମେରୀଙ୍କ କରୁଣା ବିଷୟରେ ପୁନର୍ବାର ସଚେତନ ହେଲା । ମାତ୍ର ଏହି ଦୃଷ୍ଟାନ୍ତରୁ ସେ ତିଳେହେଲେ ବି ସାନ୍ତ୍ୱନା ପାଇ ପାରିଲା ନାହିଁ । କାରଣ ତା’ର ହୃଦୟ ଥିଲା ଉତ୍ସାହପୂର୍ଣ୍ଣ ଓ ସେ ସ୍ଵର୍ଗର ଦେବୀଙ୍କ ମହାତ୍ମ୍ୟ କୀର୍ତ୍ତନ କରିବାଲାଗି ଅଧୀର ହୋଇ ପଡ଼ୁଥିଲା ।

 

କିପରି ସେ ତାହା କରିପାରିବ—ଏହା ଭାବିବାକୁ ଲାଗିଲା । ମାତ୍ର ତାକୁ କୌଣସି ଉପାୟ ଦେଖାଗଲା ନାହିଁ । ଦିନକୁ ଦିନ କେବଳ ତା’ର ଦୁଃଖ ବୃଦ୍ଧି ପାଇଲା । ହଠାତ୍‍ ଦିନେ ସକାଳୁ ସେ ଖଟରୁ ଉଠି ପ୍ରଫୁଲ୍ଲ ହୃଦୟରେ ପ୍ରାର୍ଥନା ଗୃହର ଦେବୀଙ୍କ ବେଦିକା ନିକଟକୁ ଧାଇଁଗଲା-। ସେଠାରେ ସେ ପ୍ରାୟ ଏକଘଣ୍ଟା ଏକାକୀ ଅତିବାହିତ କଲା । ମଧ୍ୟାହ୍ନ ଭୋଜନ ସାରି ପୁଣି ସେ ସେଠାକୁ ଗଲା । ସେହି ଦିନଠୁଁ ସେ ପ୍ରତ୍ୟକ ପ୍ରାର୍ଥନା ବେଦୀ ନିର୍ଜନ ହେବା ମାତ୍ରେ ସେଠାକୁ ଯିବା ଆରମ୍ଭ କରିଦେଲା । ସନ୍ନ୍ୟାସୀମାନେ ଯେତେବେଳେ ନିଜ ନିଜ କଳାଶିଳ୍ପ କାମରେ ବ୍ୟସ୍ତ ରହୁଥିଲେ, ସେତେବେଳେ ସେ ମଧ୍ୟ ତା’ ନିଜ କାମରେ ଲାଗିପଡ଼ୁଥିଲା । ଏହା ପରଠୁଁ ତା’ ମନର ଦୁଃଖ ଓ ନୈରାଶ୍ୟ ଦୂର ହୋଇଯାଇଥିଲା ।

 

ମାତ୍ର ତା’ର ଏତାଦୃଶ ପରିବର୍ତ୍ତିତ, ଆଚରଣ ଲକ୍ଷ୍ୟ କରି ମଠର ଅନ୍ୟାନ୍ୟ ସନ୍ନ୍ୟାସୀଗଣ ଅତ୍ୟନ୍ତ କୌତୂହଳ ବୋଧକଲେ । ଭାଇ ବାର୍ଣ୍ଣାବାସ କାହିଁକି ଏବେ ଏତେ ଏକୁଟିଆ ରହୁଛି ? କ’ଣ ବା ସେ ଏକାକୀ ବସି କରୁଛି ? ପରସ୍ପର ମଧ୍ୟରେ ସେମାନେ ଏଇଆ ପଚରାପଚରି ହେଲେ । ସବୁରି କାମ ଓ ସ୍ଵଭାବ ଉପରେ କଡ଼ା ଦୃଷ୍ଟି ଦେବା ମଠାଧୀଶଙ୍କ କର୍ତ୍ତବ୍ୟ-। ସେ ମଧ୍ୟ ବାର୍ଣ୍ଣାବାସ କ’ଣ କରୁଛି ତାହା ଜାଣିବା ଲାଗି ଉତ୍ସୁକ ହୋଇ ପଡ଼ିଲେ-

 

ଦିନେ ବାର୍ଣ୍ଣାବାସ ସବୁଦିନ ଭଳି ପ୍ରାର୍ଥନା ଗୃହ ବନ୍ଦ କରି ତାହା ମଧ୍ୟରେ ଏକାକୀ ରହିଥିଲା । ସେହି ସମୟରେ ସମସ୍ତେ ଏକତ୍ର ହୋଇ ଦ୍ଵାରପଥର ରନ୍ଧ୍ର ମଧ୍ୟ ଦେଇ ତା’ର କାର୍ଯ୍ୟ ଦେଖିବାକୁ ସ୍ଥିରକଲେ । ପ୍ରାର୍ଥନା ଗୃହ ମଧ୍ୟରେ କ’ଣ ହେଉଛି ତାହା ଦେଖିବା ଲାଗି ମଠାଧ୍ୟକ୍ଷ ନିଜେ ଦୁଇଜଣ ବୟସ୍କ ସାଧକଙ୍କ ସହ ଗୃହ ମଧ୍ୟକୁ ନିରୀକ୍ଷଣ କଲେ ।

 

ସମସ୍ତେ ଦେଖିଲେ—ବାର୍ଣ୍ଣାବାସ ଦେବୀ ମେରୀଙ୍କ ବେଦୀ ସମ୍ମୁଖରେ ନିଜ ମସ୍ତକକୁ ଭୂମି ଉପରେ ରଖି ଦୁଇ ପାଦକୁ ଉପରକୁ ଉଠାଇ ଛଅଟି ତମ୍ବା ବଲ୍ ଓ ବାରଗୋଟି ଛୁରି ସାହାଯ୍ୟରେ ତା’ର ଖେଳ ଆରମ୍ଭ କରି ଦେଇଛି । ଯେଉଁ ଖେଳ ଦେଖାଇ ସେ ଅତୀତରେ ପ୍ରଶଂସା ପାଇଥିଲା, ସେହି ଖେଳକୁ ସେ ଈଶ୍ଵର ମାତାଙ୍କ ସନ୍ତୋଷ ଓ ସମ୍ମାନାର୍ଥେ ଦେଖାଉଛି । ନିଜ ଜୀବନରେ ସେ ଯାହା କିଛି ଶିଖି ଜାଣିଥିଲା ସେ ସବୁ ସେ ଦେବୀଙ୍କ ନିକଟରେ ନିବେଦନ କରୁଛି । ମାତ୍ର ଏହି ରହସ୍ୟ ବୁଝିନପାରି ସନ୍ନ୍ୟାସୀ ଦୁଇଜଣଯାକ ଚିତ୍କାରକଲେ—ଏ କ’ଣ ! ଦେବାଳୟରେ ପୁଣି ଅନାଚାର !

 

ବାର୍ଣ୍ଣାବାସର ଦୃଦୟକୁ ନିଷ୍କଳୁଷ । ମଠାଧୀଶଙ୍କୁ ତାହା ଅଜ୍ଞାତ ନଥିଲା । ତଥାପି ସେ ଭାବିଲେ–ବୋଧହୁଏ ବାର୍ଣ୍ଣାବାସର ମତିଭ୍ରମ ହୋଇଛି । ତିନିଜଣଯାକ ବାର୍ଣ୍ଣାବାସକୁ ଦେବାଳୟରୁ ବହିଷ୍କାର କରିଦେବାକୁ ବସିଥିଲେ । ଏତିକିବେଳେ ସେମାନେ ପୁଣି ଦେଖିଲେ, ଦେବୀ ସିଂହାସନରୁ ଅବତରଣ କରି ନିଜ ନୀଳାଞ୍ଚଳରେ କ୍ଳାନ୍ତ ବାଜିକରର କପାଳରୁ ସ୍ଵେଦ କଣା ପୋଛି ଦେଉଛନ୍ତି । ମଠାଧୀଶ ଏହା ଦେଖି ମାର୍ବଲ ଚଟାଣ ଉପରେ ନିଜ ମୁଣ୍ଡ ଲଗାଇ ବାରମ୍ବାର କହି ଲାଗିଲେ— ‘ଯେଉଁ ଲୋକ ସରଳ ସେହି ଧନ୍ୟ !! କାରଣ ସେ ଭଗବାନଙ୍କ ଦର୍ଶନ ପାଏ ।’

 

‘ତାହାହିଁ ଯଥାର୍ଥ ! ତାହାହିଁ ଯଥାର୍ଥ !’ —କହି ଦୁଇଜଣଯାକ ବୃଦ୍ଧ ସନ୍ନ୍ୟାସୀ ମଧ୍ୟ ଭୂମିରେ ମୁଣ୍ଡ ଲଗାଇ ପ୍ରଣତି ଜ୍ଞାପନ କଲେ ।

★★★

 

ୟେ ସେଙ୍ଗ୍ ଟେଓ

 

ୟେ ସେଙ୍ଗ୍‍ ଟେଓ ୧୮୯୪ ଖ୍ରୀଷ୍ଟାବ୍ଦରେ ଚାଇନାର କିଆଙ୍ଗସୁ ପ୍ରଦେଶର ସୁଚୋ ସହରରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ସ୍କୁଲ ଶିକ୍ଷକ, ପରେ ଅଧ୍ୟାପକ ଓ ସମ୍ପାଦକ ଭାବେ ବହୁ ବର୍ଷ ଅତିବାହିତ କଲାପରେ ସେ ଅଧୁନା ଚାଇନା ପ୍ରଜାତନ୍ତ୍ରର ପ୍ରକାଶନ ବିଭାଗର ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଅଛନ୍ତି । ବିଦ୍ରୂପାତ୍ମକ କଥାକାର ଭାବେ ଆଧୁନିକ ଚିନା ସାହିତ୍ୟରେ ୟେ ସେଙ୍ଗ୍‍ ଟେଓଙ୍କ ଆସନ ସୁପ୍ରତିଷ୍ଠିତ । ତାଙ୍କର ସୁପ୍ରସିଦ୍ଧ ରଚନାମାନଙ୍କ ମଧ୍ୟରେ Ni Huan-chih ଓ The Barrier ଉପନ୍ୟାସ ଓ ଅନ୍ୟ ଚାରିଗୋଟି କ୍ଷୁଦ୍ର ଗଳ୍ପସଂଗ୍ରହ ସୁପ୍ରସିଦ୍ଧ । ଯଶସ୍ଵୀ ଶିଶୁ ସାହିତ୍ୟିକ ଭାବେ ମଧ୍ୟ ସେ ସମ୍ମାନିତ । ଏହି ସଂକଳନରେ ସନ୍ନିବିଷ୍ଟ ତାଙ୍କର ‘ସମ୍ରାଟଙ୍କ ନୂଆ ପୋଷାକ’ ଗଳ୍ପଟି ପ୍ରାୟ ୨୫ ବର୍ଷ ପୂର୍ବେ ୧୯୧୯ରେ ଚାଇନାର ସାମନ୍ତବାଦ ଓ ରାଜତନ୍ତ୍ର ବିରୁଦ୍ଧରେ ହୋଇଥିବା ‘ମଇ ଆନ୍ଦୋଳନ’ର ଅବ୍ୟବହିତ ପରେ ରଚିତ ହୋଇଥିଲା । ସେଇ ସମୟରେ ଚାଇନା ସାହିତ୍ୟରେ ରାଜକୀୟ ସ୍ଵେଚ୍ଛାଚାରିତାର ପ୍ରବଳ ପ୍ରତିବାଦ ଧ୍ୱନିତ ହେବା ସଙ୍ଗେ ସଙ୍ଗେ ଗଣତନ୍ତ୍ରର ଜୟଗାନ ବିଘୋଷିତ ହୋଇଥିଲା । ଶିଶୁ ତଥା କିଶୋର ସାହିତ୍ୟ ମଧ୍ୟ ଏହି ଭାବଧାରାରୁ ମୁକ୍ତ ନଥିଲା ।

 

‘ସମ୍ରାଟଙ୍କ ନୂଆ ପୋଷାକ’ ଗଳ୍ପଟିରେ ସ୍ଵାଧୀନତା ପୂର୍ବର ଚାଇନାର ଅର୍ଦ୍ଧଔପନିବେଶିକ ସମାଜର ପ୍ରତିଛବି ପ୍ରତିବିମ୍ବିତ । ସେ ଏଇ ଗଳ୍ପଟିରେ ପୁରାତନ ସମାଜର ଅଯୌକ୍ତିକତା, ଅସମୀଚୀନତା ଓ ନିଷ୍ଠୁର ଶାସକଗୋଷ୍ଠୀର ମୂର୍ଖତାକୁ ନିର୍ମମ ଭାବେ ବିଦ୍ରୂପ କରି ଯାଇ ଅଛନ୍ତି । ମାତ୍ର ଏଇ ବ୍ୟଙ୍ଗ ବିଦ୍ରୂପ, ମଧ୍ୟରେ ନୂତନ ଜୀବନ ଧାରା ଓ ନୂତନ ସମାଜ ପ୍ରତିଷ୍ଠା ଲାଗି ତାଙ୍କର ଗଭୀର ଆଶାବାଦ ମଧ୍ୟ ଉଜ୍ଜ୍ଵଳ ରୂପେ ଗଳ୍ପଟିରେ ପ୍ରତିଫଳିତ ।

 

ସେହି ଅଭିଲାଷ ଆଜି ବାସ୍ତବତା ଲାଭ କରି ପାରିଛି ଚାଇନାର ନବଗଠିତ ପ୍ରଜାତନ୍ତ୍ର ରୂପରେ । ଏହିପରି ଭାବେ ଗଳ୍ପଟି କଥାବସ୍ତୁ ଓ ରୂପଦାନ ପଦ୍ଧତି ଦୃଷ୍ଟିରୁ ସ୍ଵକୀୟ ସ୍ୱତନ୍ତ୍ରତା-ସମ୍ପନ୍ନ-

★★★

 

ସମ୍ରାଟଙ୍କ ନୂଆ ପୋଷାକ

 

ଅନେକେ ହାନ୍‍ସ ଏଣ୍ଡରସନ୍‍ଙ୍କ ‘ସମ୍ରାଟଙ୍କ ନୂଆ ପୋଷାକ’ ଗଳ୍ପଟି ନିଶ୍ଚୟ ପଢ଼ିଛନ୍ତି ।

 

ଗଳ୍ପଟି ହେଉଚି, ସର୍ବଦା ନୂଆ ପୋଷାକ ପିନ୍ଧିବାକୁ ଭଲ ପାଉଥିବା ଜଣେ ସମ୍ରାଟ କିପରି ଦୁଇଜଣ ପ୍ରତାରକଙ୍କ ଦ୍ଵାରା ପ୍ରତାରିତ ହୋଇଥିଲେ । ଠକ ଦୁଇଜଣ ସମ୍ରାଟଙ୍କୁ କହିଲେ, ସେମାନେ ଏପରି ଅପୂର୍ବ ସୁନ୍ଦର ପୋଷାକ କରି ଜାଣନ୍ତି, ଯାହାକୁ ପିନ୍ଧିଲେ କେବଳ ନିର୍ବୋଧ ଓ ନିଜ ପଦର ଅଯୋଗ୍ୟ ବ୍ୟକ୍ତି ବ୍ୟତୀତ ଆଉ ସମସ୍ତେ ସେଇ ପୋଷାକ ଦେଖି ପାରିବେ । ସେ ଦୁହେଁ ପ୍ରଥମେ କାଳ୍ପନିକ ଲୁଗା ବୁଣିବାର ଅଭିନୟ କଲେ ଓ ପରେ ତାକୁ କାଟିବା ଓ ସିଲେଇ କରିବାର ମଧ୍ୟ ଅଭିନୟ କଲେ । ସମ୍ରାଟ ମନ୍ତ୍ରୀମାନଙ୍କୁ ପୋଷାକ କିପରି ହେଉଚି, ତାହା ଦେଖି ଆସିବାକୁ ପଠାଇଲେ । ମନ୍ତ୍ରୀମାନେ ପୋଷାକ ବା କାହୁଁ ଦେଖିବେ ? ମାତ୍ର ଜାଣୁ ଜାଣୁ ନିର୍ବୋଧ ବା ସବୁଠୁଁ ଗୁରୁତର, ନିଜ ପଦର ଅଯୋଗ୍ୟ ବିବେଚିତ ହେବାକୁ ସେମାନେ କିପରି ବା ଚାହିଁବେ ? ଏଣୁ ଫେରିଆସି ସେମାନେ ପୋଷାକ ଦେଖିଛନ୍ତି ଓ ତାହା ଅତି ଉତ୍କୃଷ୍ଟ ବୋଲି ସମ୍ରାଟଙ୍କୁ ଜଣାଇଲେ ।

 

ସେଇ ବିଚିତ୍ର ପୋଷାକ ପ୍ରସ୍ତୁତ ହେଲା । ସମ୍ରାଟ ଏକ ଅତି ଆଡ଼ମ୍ବରପୂର୍ଣ୍ଣ ଉତ୍ସବ କରାଇ ପୋଷାକ ପିନ୍ଧିବାକୁ ସ୍ଥିର କଲେ । ପୂର୍ବରୁ ପିନ୍ଧିଥିବା ପୁରୁଣା ପୋଷାକତକ କାଢ଼ି ପକାଇବା ଲାଗି ଠକ ଦୁହେଁ ସମ୍ରାଟଙ୍କୁ ଅନୁରୋଧ କଲେ । ତା’ପରେ ସମ୍ରାଟଙ୍କୁ ସେମାନେ ସେଇ କାଳ୍ପନିକ ନୂଆ ପୋଷାକ ପିନ୍ଧାଇ ଦେବାର ଅଭିନୟ କଲେ । ସେଠି ଉପସ୍ଥିତ ଥିବା ଲୋକେ ନିର୍ବୋଧ ବା ନିଜପଦର ଅଯୋଗ୍ୟ ବିବେଚିତ ହେବାକୁ ଚାହୁଁନଥିଲେ । ଏଣୁ ସମସ୍ତେ ନୂଆ ପୋଷାକର ଉଚ୍ଛ୍ୱସିତ ପ୍ରଶଂସା କଲେ । ରାଜା ମଧ୍ୟ ନିଜର ସନ୍ତୋଷ ପ୍ରକାଶ କରି ଉଲଗ୍ନ ଭାବେ ରାଜପଥରେ ଅଗ୍ରସର ହେଲେ । ପଥ ପାର୍ଶ୍ୱବର୍ତ୍ତୀ ଲୋକେ ମଧ୍ୟ, ସତେ ବା ଦେଖି ପାରୁଥିଲା ଭଳି, ପୋଷାକର ପ୍ରଶଂସା କଲେ । ଯା’ହେଉ, କିଛି ସମୟ ପରେ ଗୋଟିଏ ଛୋଟ ପିଲା ଯଥାର୍ଥ ଭାବେହିଁ ମନ୍ତବ୍ୟ କଲା–“ଆରେ ଏ ଲୋକଟା’ତ କିଛି ପିନ୍ଧିନି !” ସମସ୍ତେ ଏହା ଶୁଣି ଶେଷକୁ କହିଲେ— “ହଁ ସତକଥା ତ’, ରାଜା ଦେହରେ କିଛି ପିନ୍ଧି ନାହାନ୍ତି ।’’

 

ରାଜା ମଧ୍ୟ ପ୍ରକୃତ ସତକଥା ହୃଦୟଙ୍ଗମ କରି ପ୍ରଥମେ ଅବାକ୍‍ ବୋଧକଲେ । ମାତ୍ର ସମସ୍ତଙ୍କ ଆଗେ ଅପ୍ରସ୍ତୁତ ହେବେ ଭାବି ତାହା ସ୍ଵୀକାର ନକରି ପୂର୍ବପରି ଚାଲି ଯାଇଥିଲେ ।

 

ତା’ପରେ କ’ଣ ହେଲା ? ଅବଶ୍ୟ ତାହା ଏଣ୍ଡରସନ୍ ଲେଖିଯାଇ ନାହାନ୍ତି । ମାତ୍ର ପ୍ରକୃତରେ କଥାଟିର ଆହୁରି ବହୁତ ରହିଯାଇଛି ।

 

କିଛି ଅଶୋଭନୀୟ ଘଟି ନାହିଁ—ଏହା ଦେଖାଇ ଦେବାକୁ ରାଜା ସଳଖ ଭାବେ ରାଜପଥରେ ଆଗେଇ ଚାଲିଲେ । ଅସ୍ତିତ୍ଵହୀନ ପୋଷକର ପ୍ରାନ୍ତଭାଗ ଧରିବା କାର୍ଯ୍ୟରେ ନିଯୁକ୍ତ ଥିବା ବ୍ୟକ୍ତିଟି ନିଜେ ଉପହସିତ ହେବ ଭାବି ହସିବାକୁ ବସିଥିଲା । ମାତ୍ର ରାଜାଙ୍କ ନିକଟରେ ତା’ର ସାହସ ହେଲା ନାହିଁ । ଦେହରକ୍ଷୀଗଣ ମଧ୍ୟ ଦାନ୍ତକୁ ଚାପି, ଜିଭ କାମୁଡ଼ି ହସ ଚପାଇବାକୁ ଲାଗିଲେ-। କାଳେ ପାର୍ଶ୍ଵବର୍ତ୍ତୀ ରକ୍ଷୀମାନଙ୍କୁ ଚାହିଁଲେ ଉଚ୍ଚ କଣ୍ଠରେ ହସି ଉଠିବେ ସେଥିପାଇଁ ପ୍ରତ୍ୟେକ ଦେହରକ୍ଷୀ ନିଜ ନାକ ଆଗକୁ ଚାହିଁ ଚାଲିବାକୁ ଲାଗିଲେ ।

 

ମାତ୍ର ଲୋକ ସ୍ଵଭାବତଃ ନହସି ରହି ପାରିଲେ ନାହିଁ ।

 

ଜଣେ କହି ପକାଇଲା— “ଦେଖିଲ ସମ୍ରାଟ କିପରି ଲଙ୍ଗଳା ହୋଇ ରାସ୍ତାରେ ଯାଉଛନ୍ତି !” “ତାଙ୍କର ମୁଣ୍ଡ ଖରାପ ହୋଇଯାଇଛି” —ଆଉ ଜଣେ ଉତ୍ତର ଦେଲା ।

 

“ଛି ଛି କି ଲଜ୍ଜାର କଥା”–ତୃତୀୟ ଜଣକ କହିଉଠିଲା ।

 

ରାଜା ଏସବୁ ମନ୍ତବ୍ୟ ଶୁଣି ଖୁବ୍‍ ଲଜ୍ଜିତ ବୋଧ କଲେ । ଠିଆ ହୋଇ ପଡ଼ି ସେ ମନ୍ତ୍ରୀମାନଙ୍କୁ କହିଲେ–“ଏଇ ନିର୍ବୋଧ ଓ ଅବାଧ୍ୟ ପ୍ରଜାମାନଙ୍କ କଥା ଶୁଣିଲ ତ ? ମୋର ଏଇ ନୂଆ ପୋଷାକ କେଡ଼େ ସୁନ୍ଦର–ତା’ କଳ୍ପନା କରିହେବନି । ଏହା ପିନ୍ଧି ମୋର ରାଜକୀୟ ମର୍ଯ୍ୟାଦା ଆହୁରି ବଢ଼ିଯାଇଛି–ତମେମାନେ ତ ଏଇଆ କହୁଥିଲ ! ଯାହାହେଉ, ମୁଁ ଭବିଷ୍ୟତରେ ଏଇ ପୋଷାକ ଛଡ଼ା ଆଉ କିଛି ପିନ୍ଧିବି ନାହିଁ । ମାତ୍ର ଯେଉଁ ଅଧମ ଲୋକେ କହିବେ ମୁଁ କିଛି ପିନ୍ଧିନି ସେମାନଙ୍କୁ ମୁଣ୍ଡକଟା ହେବ । ସେପରି ଅପଦାର୍ଥକୁ ମୁଁ ବା ମୋ ରାଜ୍ୟ ଦରକାର କରେନା । ଆଜିଠାରୁ ଏଇ ମୋର ନୂଆ ଆଇନ । ଅବିଳମ୍ବେ ରାଜ୍ୟଯାକ ଏହି ଘୋଷଣା କର ।’’

 

ମନ୍ତ୍ରୀମାନଙ୍କର ଚାରାନାହିଁ । ଅନତିବିଳମ୍ବେ ଏଇ ନୂତନ ଆଇନ ପ୍ରଚାରିତ ହେଲା ।

 

ଯାହେଉ, ରାଜା ଏହାପରେ କେତେ ଗଜ ମାତ୍ର ଆଗେଇ ଯାଇଛନ୍ତି ପୁନର୍ବାର ଫୁଲଝରି ଭଳି ହସ ତାଙ୍କର ଶ୍ରୁତିଗୋଚର ହେଲା ।

 

‘କି କଦର୍ଯ୍ୟ ! କି କଦାକାର !’

 

‘ଦେଖିଲ, କିପରି ତାଙ୍କର ପଞ୍ଜରାହାଡ଼ ବାହାରି ପଡ଼ିଛି !’

 

‘ଓଃ କି ଚମତ୍କାର ପୋଷାକ !’

 

ମନ୍ତବ୍ୟମାନଙ୍କ ମଝିରେ ମଝିରେ ହସର ପ୍ରବାହ ।

 

ସମ୍ରାଟଙ୍କର ପୁନରାୟ ଧୈର୍ଯ୍ୟଚ୍ୟୁତି ଘଟିଲା । କଠୋର ଭାବେ ମନ୍ତ୍ରୀମାନଙ୍କ ଆଡ଼କୁ ଚାହିଁ ସେ ଗର୍ଜନ କରି କହିଲେ ‘କ’ଣ ଏସବୁ ଶୁଣି ପାରୁଛ ?’

 

“ହଁ ଆଜ୍ଞା’’—ଥରି ଥରି ଉତ୍ତର ଦେଲେ ମନ୍ତ୍ରୀମାନେ ।

 

“ମୁଁ ଯେଉଁ ନୂଆ ଆଇନ ବର୍ତ୍ତମାନ କଲି ସେ କଥା ମନେ ଅଛି ? ରାଜାଙ୍କୁ ଉତ୍ତର ଦେବା ଆଗରୁ ମନ୍ତ୍ରୀମାନେ ସୈନ୍ୟମାନଙ୍କୁ ଆଦେଶ ଦେଲେ ଯେଉଁ ଲୋକ ହସିଲା ବା କଥା କହିଲା ତାଙ୍କୁ ସଙ୍ଗେ ସଙ୍ଗେ ବନ୍ଦିକର ।’’

 

ଏହା ଫଳରେ ଗୋଳମାଳ ବଢ଼ିଲା । ଲୁଚି ପଳାଉଥିବା ଲୋକଙ୍କୁ ଧରିବା ଲାଗି ସୈନ୍ୟମାନେ ସୁତୀକ୍ଷ୍‍ଣ ବର୍ଚ୍ଛା ଧରି ଏଣେତେଣେ ଧାଇଁବାକୁ ଲାଗିଲେ । ଅନେକ ତଳେ ପଡ଼ିଗଲେ । ଥଟ୍ଟା, ହସ ପରେ ପରେ କେବଳ କ୍ରନ୍ଦନ ଓ ଚିତ୍କାର ଶ୍ରୁତିଗୋଚର ହେଲା । ପ୍ରାୟ ୪୦, ୫୦ ଲୋକ ଧରା ପଡ଼ିଲେ । ଆଇନ ଭଙ୍ଗର ଭୟଙ୍କର ପରିଣାମ ଲୋକଙ୍କୁ ଜଣାଇଦେବା ଲାଗି ରାଜା ସେଇ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ସେଇ ସେଇ ସ୍ଥାନରେ ସଙ୍ଗେ ସଙ୍ଗେ ହତ୍ୟା କରିବାକୁ ଆଦେଶ ଦେଲେ ।

 

ଏହି ଘଟଣା ପରେ ରାଜା ଆଉ କେଉଁ ପୋଷାକ ପିନ୍ଧି ନ ଥିଲେ, ଘରେ ବା ବାହାରେ ସର୍ବତ୍ର ସେ ଉଲଗ୍ନ ଭାବେ ଯାତାୟାତ କଲେ । ବେଳେବେଳେ ସେ ତଥାକଥିତ ଅଦ୍ଭୁତ ପୋଷାକର ଭାଙ୍ଗ ସଜାଡ଼ି ନେଉଥିଲେ । କ୍ରମଶଃ, ତାଙ୍କ ପାରିଷଦବର୍ଗ ତଥା ଉପପତ୍ନୀଗଣ ରାଜାଙ୍କୁ ଏପରି କୁତ୍ସିତ ଭାବେ ଦେଖି ଦେଖି ଆଉ ଅସଜ ବିବ୍ରତ ବୋଧକଲେ ନାହିଁ । ରାଜା କିଛି ପିନ୍ଧି ନାହାନ୍ତି ଏହା ପ୍ରକାଶ କରିବା ବି ଅତି ବିପଜ୍ଜନକ–ହୁଏତ ସେଥିପାଇଁ ନିଜକୁ ପଦଚ୍ୟୁତ ହେବାକୁ ପଡ଼ିପାରେ ବା ପ୍ରାଣ ଦେବାକୁ ପଡ଼ିପାରେ ।

 

ଏହା ଜାଣି ମଧ୍ୟ ଥରେ ମୁହୂର୍ତ୍ତକର ଅସାବଧାନତା ଯୋଗୁ ସମ୍ରାଟଙ୍କର ଜଣେ ଅତି ପ୍ରିୟ ଉପପତ୍ନୀଙ୍କର ଶୋଚନୀୟ ପରିଣତି ସଙ୍ଘଟିତ ହୋଇଥିଲା । ସେଦିନ ସେ ସମ୍ରାଟଙ୍କୁ ପାଖରେ ବସାଇ ରକ୍ତବର୍ଣ୍ଣର ମଦ-ପୂର୍ଣ୍ଣ ଏକ ମଦ୍ୟପାତ୍ର ତାଙ୍କର ଅଧର ସମ୍ମୁଖରେ ଧାରଣ କଲେ-। ମମତାପୂର୍ଣ୍ଣ କଣ୍ଠରେ କହିଲେ, “ମୋ ରାଣ, ଏତକ ପିଇଦିଅ…ତୁମେ ହୁଏତ ଜଗତରେ ଅମର-!”

 

ସମ୍ରାଟ ଖୁସି ହୋଇ, ସମ୍ଭବତଃ ଖୁବ୍‍ ଶୀଘ୍ର ମଦ୍ୟପାତ୍ରଟି ନିଃଶେଷିତ କରିଦେଲେ । କାରଣ ପିଇଲାବେଳେ କାଶିଦେବାରୁ ବହୁତ ପରିମାଣରେ ମଦ ତାଙ୍କ ଛାତି ଉପରେ ପଡ଼ିଗଲା ।

 

“ଆହା ପ୍ରିୟତମ ! ତୁମର ଛାତି ତ ଓଦା ହୋଇଗଲା !”

 

“କ’ଣ ମୋ ଛାତି !”

 

ପ୍ରିୟତମା ଉପପତ୍ନୀର ସୁନ୍ଦର ମୁହଁଟି ମଳିନ ପଡ଼ିଗଲା—ନିଜେ କ’ଣ କହି ପକାଇଲେ ତାହାର ଗୁରୁତ୍ଵ ହୃଦୟଙ୍ଗମ କରି କଥାକୁ ସଂଶୋଧନ କରି ଥରିଲା କଣ୍ଠରେ ସେ କହିଲେ–‘‘ନା, ଆପଣଙ୍କ ପୋଷାକ ଓଦା ହୋଇଗଲା ।’’

 

“ତୁମେ ତ କହିଲ—ମୋ ଛାତି ଓଦା ହୋଇଗଲା ! ଅର୍ଥାତ୍ ମୁଁ ଲୁଗା ପିନ୍ଧିନି—ଏକା କଥା—ଏ ତ ରାଜଦ୍ରୋହ, ମୋ ନିୟମ ତମେ ଭାଙ୍ଗି ସାରିଲଣି ।’’

 

ତା’ପରେ ସେ ପାର୍ଶ୍ଵଚରମାନଙ୍କୁ ଆଦେଶ ଦେଲେ–“ୟାକୁ ଘାତକ ନିକଟକୁ ନେଇଯାଅ-।’’

 

ଆଉ ଜଣେ ହେଉଚି ବିଜ୍ଞ ପାରିଷଦ । ରାଜ ସିଂହାସନ ଉପରେ ଉଲଗ୍ନ ଭାବେ ଉପବେଶନ କରୁଥିବା ରାଜାଙ୍କ ନିକଟରେ ସେ ମଧ୍ୟ ସମସ୍ତଙ୍କ ଭଳି ନିଜକୁ ଖୁବ୍‍ ସଂଯତ ରଖୁଥିଲେ । କାଳେ କେବେ ତାଙ୍କ ତୁଣ୍ଡରୁ କ’ଣ ବାହାରି ପଡ଼ିବ, କିମ୍ବା ସେ ହସିଦେବେ, ସେଥିପାଇଁ ହୁଏତ ତାଙ୍କୁ ମୃତ୍ୟୁମୁଖରେ ପଡ଼ିବାକୁ ହେବ–ଏଇ ଭୟରେ ସେ ନିଜ ଦେଶକୁ ଚାଲିଯିବାକୁ ସ୍ଥିର କଲେ । ସେଇ ଉଦ୍ଦେଶ୍ୟରେ ସେ ଦିନେ ରାଜାଙ୍କୁ ଜଣାଇଲେ, “ହଜୁର, ମୋର ବୃଦ୍ଧା ମାଆର ଅବସ୍ଥା ଅତି ଶୋଚନୀୟ । ମୁଁ ତା’ର ପରିଚର୍ଯ୍ୟା କରିବାକୁ ଚାହେଁ । ଅନୁଗ୍ରହ ପୂର୍ବକ ମୋତେ ମୋ କାର୍ଯ୍ୟରୁ ଅବ୍ୟାହତି ମିଳୁ ।’’

 

‘‘ତୁମେ ପ୍ରକୃତରେ ସୁପୁତ୍ର । ମୁଁ ତୁମକୁ ଅବ୍ୟାହତି ଦେଲି ।’’ ସମ୍ରାଟ ଉତ୍ତର ଦେଲେ ।

 

ଉକ୍ତ ପାରିଷଦ ରାଜାଙ୍କୁ ପ୍ରଣାମ କରି ଗମନୋଦ୍ୟତ ହେବାବେଳେ ହଠାତ୍‍ ତାଙ୍କ ତୁଣ୍ଡରୁ ବାହାରି ପଡ଼ିଲା–“ଓଃ, ଆଉ ଏଣିକି ସବୁଦିନ ସେଇ ଉଲଗ୍ନ ସମ୍ରାଟଟାକୁ ଦେଖିବାକୁ ମିଳିବନି ।’’

 

ସମ୍ରାଟ ଏ ମନ୍ତବ୍ୟର ମର୍ମ ହୃଦୟଙ୍ଗମ କରିପାରିଲେ ନାହିଁ । ମନ୍ତ୍ରୀମାନଙ୍କୁ ପଚାରିଲେ–“ସେ କ’ଣ କହିଲେ ?” ମନ୍ତ୍ରୀମାନଙ୍କୁ ସତ କଥା କହିବାକୁ ପଡ଼ିଲା ।

 

“ଓ, ମୋ ସଙ୍ଗେ ସବୁଦିନ ଦେଖାହେବା ତୁମେ ଚାହଁନା । ସେଥିପାଇଁ ତମେ ଇସ୍ତଫା ଚାହିଁଲ ।’’ ଗର୍ଜନ କରି ସମ୍ରାଟ କହିଲେ–‘‘ତମେ ବିଦାୟ ନେଲାବେଳେ ଆଇନ ଭଙ୍ଗ କରିଛ । ଯା’ହେଉ ମୁଁ ତୁମକୁ ଯିବାକୁ ଦେବି ନାହିଁ ।’’ ଘାତକକୁ ସେ ଆଦେଶ ଦେଲେ–‘‘ୟାକୁ ନେଇ ହତ୍ୟା କର ।’’

 

ସେଥିପାଇଁ, ଅନ୍ତଃପୁର ବା ମନ୍ତ୍ରଣା କକ୍ଷ ସବୁଠି ସମସ୍ତେ ଯଥା ସମ୍ଭବ ସାବଧାନ ରହୁଥିଲେ । ତଥାପି ଜନସାଧାରଣ ରାଜାଙ୍କୁ ଉଲଗ୍ନ ଦେଖିଲେ, ନ ହସି ବା ମନ୍ତବ୍ୟ ନ କରି ରହିପାରୁ ନଥିଲେ । ଫଳରେ ତା’ପରେ ଚାଲୁଥିଲା ନରହତ୍ୟା । କାର୍ଯ୍ୟ ଉପଲକ୍ଷ୍ୟରେ ରାଜା ଯେତେଥର ପଟୁଆର କରି ବାହାରକୁ ଆସନ୍ତି ସେତେଥର ଶହ ଶହ ନରହତ୍ୟା ସଙ୍ଘଟିତ ହୁଏ ।

 

ଥରେ ରାଜାଙ୍କର ଜଣେ ଦୟାଳୁ ବୃଦ୍ଧ ପାରିଷଦ ବିଚାରିଲେ ଏସବୁ ହତ୍ୟା ଅତି ଅମାନୁଷିକ, ଏହାକୁ ବନ୍ଦ କରିବା ଏକାନ୍ତ ଆବଶ୍ୟକ । ନିଜେ ଭୁଲ୍‍ କରୁଛନ୍ତି ବୋଲି ରାଜା ତ କଦାପି ସ୍ଵୀକାର କରିବେ ନାହିଁ । ପୁଣି ତାଙ୍କୁ ‘ସେ ଭୁଲ୍‍ କରୁଛନ୍ତି’ ବୋଲି କହିବା ଯେକୌଣସି ଲୋକ ପକ୍ଷେ ଏକ ମସ୍ତବଡ଼ ଭୁଲ୍ । ବୃଦ୍ଧ ପାରିଷଦ ଭାବିଲେ ଯଦି କୌଣସି ଉପାୟରେ ରାଜାଙ୍କୁ ପୁଣି ଲୁଗା ପିନ୍ଧାଇହେବ, ତେବେ ଯାଇଁ ସବୁ ଭ୍ରୂକୁଟି, ହସ ଓ ହତ୍ୟାକାଣ୍ଡରୁ ରାଜ୍ୟ ନିଷ୍କୃତି ପାଇବ । ଉପାୟ ଭାବି ଭାବି ବହୁ ବିନିଦ୍ର ରଜନୀ ବିତାଇଲା ପରେ ସେ ଏକ ପାଞ୍ଚ ପାଞ୍ଚିଲେ ।

 

ଦିନେ ବିଚାର କକ୍ଷର ସେ ରାଜାଙ୍କ ନିକଟରେ ଉପସ୍ଥିତ ହେଲେ । ପ୍ରଣାମ କରି କହିଲେ–“ଜଣେ ରାଜଭକ୍ତ ପ୍ରଜା ଭାବରେ ମୋର ଗୋଟାଏ ମନ୍ତବ୍ୟ ଆଶାକରେ ସମ୍ରାଟ ଦୟାକରି ବିଚାର କରିବେ । ଆପଣ ଯଥାର୍ଥତା ସର୍ବଦା ନୂଆ ପୋଷାକ ପସନ୍ଦ କରନ୍ତି । ତା’ ପିନ୍ଧିବା ଯୋଗୁଁ ଓ ପୋଷାକର ଓ ଔଜଲ୍ୟ ଫଳରେ ଆପଣଙ୍କ ତେଜ ଆହୁରି ପରିସ୍ଫୁଟ ହୁଏ । ଯାହାହେଉ ଏଇ କେତେଦିନ ହେବ ଆପଣଙ୍କର ଆଉ ନୂଆ ପୋଷାକ ତିଆରି ହୋଇନି । ରାଜ୍ୟର ନାନା ବିଷୟ ବୁଝିବାରେ ବ୍ୟସ୍ତ ରହି ଆପଣ ବୋଧହୁଏ ତାହା ଭୁଲି ଯାଇଅଛନ୍ତି । ଆପଣ ଶୀଘ୍ର ନୂଆ ପୋଷାକ ଲାଗି ଦରଜିମାନଙ୍କୁ ଆଦେଶ ଦେବେ ନାହିଁକି ?”

 

“ତମେ କହୁଛ ଛିଣ୍ଡା !” ସମ୍ରାଟ ନିଜ ଛାତି ଓ ଜଙ୍ଘକୁ ଚାହିଁ ଦେହରେ ହାତ ବୁଲାଇ ଆଣିଲେ । “ତୁଚ୍ଛା ବାଜେ କଥା । ଏସବୁ ଐନ୍ଦ୍ରଜାଲିକ ପୋଷାକ, ଏହା କଦାପି କ୍ଷୟ ହୁଏନା । ‘ମୁଁ ଏଇ ପୋଷାକ ଛଡ଼ା ଆଉ କିଛି ପିନ୍ଧିବିନି’—ମୋର ଏଇ ଘୋଷଣା କ’ଣ ତୁମେ ଶୁଣିନା ! ଏହାକୁ ନ ପିନ୍ଧିଲେ ମୋର ଅମଙ୍ଗଳ ହେବ ଓ ମୁଁ ଅତି କୁତ୍ସିତ ଦିଶିବି ।” ଅତୀତର ରାଜଭକ୍ତି ଓ ତୁମର ବୟସ ଦୃଷ୍ଟିରୁ ମୁଁ ତୁମକୁ ମୃତ୍ୟୁଦଣ୍ଡରୁ ଅବ୍ୟାହତି ଦେଲି । ମାତ୍ର ତୁମକୁ ଶେଷ ଜୀବନ ପର୍ଯ୍ୟନ୍ତ ବନ୍ଦିଶାଳାରେ କଟାଇବାକୁ ପଡ଼ିବ ।’’

 

ବୃଦ୍ଧ ପାରିଷଦ ଏପରି ଅଯଥା ଦଣ୍ଡିତ ହେବା ପରେ ମଧ୍ୟ ଆହୁରି ଅନେକ ପୂର୍ବପରି ମୃତ୍ୟୁଦଣ୍ଡ ଲଭିଲେ । ତେବେ ବି ରାଜାଙ୍କୁ ଦେଖି ହସୁଥିବା ଲୋକର ସୀମା ନ ଥିଲା । ରାଜା ଏଥିରେ ଆହୁରି ବିବ୍ରତ ହୋଇ କଠୋରତର ଏକ ଘୋଷଣା ପ୍ରଚାର କଲେ । ତା’ ହେଉଛି, ସମ୍ରାଟ ଯାଉଥିବା ବେଳେ ଲୋକଙ୍କ ପାଟିରୁ କୌଣସି ପ୍ରକାର ଧ୍ୱନି ବାହାରି ପାରିବ ନାହିଁ । ଯେକୌଣସି ଶବ୍ଦ ଉଚ୍ଚାରିତ ହେବାହିଁ ଦଣ୍ଡନୀୟ, ଦୋଷୀକୁ ସଙ୍ଗେ ସଙ୍ଗେ ଧରି ହତ୍ୟା କରାଯିବ ।

 

ଏହା ପ୍ରଚାରିତ ହେବା ପରେ ଦେଶର ପ୍ରତ୍ୟେକ ଶାନ୍ତଶିଷ୍ଟ ଲୋକ ଏହାକୁ ରାଜାଙ୍କର ଅତି ଜଘନ୍ୟ ଆଇନ ବୋଲି ମନେକଲେ । ଅବଶ୍ୟ ରାଜାଙ୍କୁ ଚାହିଁ ହସିବା ଅପରାଧ; ମାତ୍ର ଅନ୍ୟାନ୍ୟ ବିଷୟରେ କଥାବାର୍ତ୍ତା ହେଲେ ବି କାହିଁକି ଲୋକଙ୍କୁ ହତ୍ୟା କରାଯିବ ? ଦେଶର ବିଶିଷ୍ଟ ଲୋକେ ସମ୍ମିଳିତ ହୋଇ ରାଜ-ପ୍ରାସାଦକୁ ଆସିଲେ । ଜାନୁପାତ ପୂର୍ବକ ସେମାନେ ରାଜାଙ୍କୁ ଅନୁରୋଧ କରିବାକୁ ବସି ରହିଲେ ।

 

ରଜା ମଧ୍ୟ ଭୟରେ ସେମାନଙ୍କୁ ଦେଖା କରିବାକୁ ଆସି ପଚାରିଲେ–“ତମେମାନେ କାହିଁକି ଏଠାକୁ ଆସିଛ ? କ’ଣ ବିଦ୍ରୋହ କରିଛ ?’’

 

ବିଶିଷ୍ଟ ଲୋକେ ସାହସର ସହିତ ମସ୍ତକ ଉତ୍ତୋଳନ ନ କରି ମଧ୍ୟ ସଙ୍ଗେ ସଙ୍ଗେ ଉତ୍ତର ଦେଲେ–“ହଜୁର, ନା, ନା । ଶ୍ରୀ ହଜୁର ଯାହା କହିଲେ ତାହା କଳ୍ପନା କରିବା ମଧ୍ୟ ଆମ ପକ୍ଷେ ଅପରାଧ ।’’

 

ରାଜା ଏହାଶୁଣି ଆଶ୍ଵସ୍ତି ବୋଧକଲେ । ନିଜର ଅସ୍ତିତ୍ଵହୀନ ପୋଷାକକୁ ଗମ୍ଭୀର ଭାବେ ସାଉଁଳି ନେଇ ସେ ଆରମ୍ଭ କଲେ–“ତେବେ ତମେ ସବୁ ଆସିଛ କାହିଁକି ?”

 

“ଆମେ ଶ୍ରୀ ହଜୁରଙ୍କୁ ନିବେଦନ କରିବାକୁ ଆସିଛୁ, ଆମକୁ ସ୍ୱାଧୀନ ଭାବେ ହସିବାକୁ ଓ କଥା କହିବାକୁ ଅନୁମତି ମିଳୁ । କାରଣ ମଣିଷ ହୋଇ ଚୁପ୍‍ ରହିବା ଅସମ୍ଭବ । ଏଣୁ ଅନୁଗ୍ରହ କରି ନୂଆ ଆଇନକୁ ରଦ୍ଦ କରିବାକୁ ଆଦେଶ ଦିଆଯାଉ ।”

 

“ତମେମାନେ ସ୍ୱାଧୀନତା ପାଇବ ? ସ୍ଵାଧୀନତା ପାଇଲେତ ତମେ ଆଉ ମୋର ପ୍ରଜା ହୋଇପାରିବ ନାହିଁ । ତମେମାନେ ଯଦି ମୋର ପ୍ରଜା ହେବାକୁ ଚାହଁ, ତେବେ ତୁମକୁ ମୋର ଆଇନ ମାନିବାକୁ ପଡ଼ିବ । ତମେ ତ ଜାଣ, ମୋ ଆଇନ ଅତି କଠୋର । ମୁଁ ପୁଣି ତାକୁ ରଦ୍ଦ କରିବି-! ବାଃ, ତା’ ଏଡ଼େ ସହଜ ନୁହେଁ–’’ ଏତିକି କହି ରାଜା ଗୃହାଭ୍ୟନ୍ତରକୁ ଚାଲିଗଲେ ।

 

ଶିଷ୍ଟ ପ୍ରଜାଗଣଙ୍କ ମଧ୍ୟରୁ କେତେଜଣ ଅଳ୍ପ ମୁଣ୍ଡ ଉଠାଇ ଦେଖିଲେ ରାଜା ସେଠା ଛାଡ଼ି ଚାଲି ଯାଇଛନ୍ତି । ଘରକୁ ଫେରିଯିବା ଛଡ଼ା ଆଉ କ’ଣ ବା ସେମାନେ କରିବେ ? ସ୍ଥିର ହେଲା, ଏଥର ସମ୍ରାଟ ବାହାରକୁ ବାହାରିଲେ ସମସ୍ତେ ଘର ଭିତରେ କବାଟ କିଳି ଲୁଚି ରହିବା, କଦାପି ତାଙ୍କୁ ଦେଖିବା ଲାଗି ବାହାରକୁ ବାହାରିବା ନାହିଁ । କାରଣ, ବାହାରକୁ ବାହାରି ଟିକିଏ ଅସାବଧାନ ହୋଇ ଯଦି ପାଟିରୁ ସାମାନ୍ୟ ଶବ୍ଦ ବାହାରିଲା ତ ମୃତ୍ୟୁ ସୁନିଶ୍ଚିତ ।

 

ସମ୍ରାଟ ଦିନେ ମନ୍ତ୍ରୀ ଓ ଦେହରକ୍ଷୀମାନଙ୍କ ଗହଣରେ ଗ୍ରୀଷ୍ମାବାସ ପରିଦର୍ଶନ ଲାଗି ବାହାରିଲେ । ଯେଉଁ ପଥରେ ସେମାନେ ଯାତ୍ରାକଲେ ସେଇ ପଥ ଥିଲା ଜନଶୂନ୍ୟ, ଦୁଇ ପାଖ ଘରର ଦୁଆର ସବୁ ମଧ୍ୟ ବନ୍ଦ ରହିଥିଲା । କେବଳ ସେମାନଙ୍କର ନୀରବ-ଯାତ୍ରା-କାଳୀନ ପଦପାତ ଧ୍ୱନି ହଁ ଶ୍ରୁତିଗୋଚର ହେଉଥିଲା ।

 

ହଠାତ୍‍ ସମ୍ରାଟ ନିଶ୍ଚଳ ଭାବେ ରହିଗଲେ । ଉତ୍‍କର୍ଣ୍ଣ ଭାବେ କିଛିକ୍ଷଣ ରହି ମନ୍ତ୍ରୀଙ୍କୁ ଗର୍ଜନକରି କହିଲେ–“କ’ଣ ଶୁଣି ପାରୁଛ ?”

 

ମନ୍ତ୍ରୀମାନେ ସତର୍କ ଭାବେ କାନଡେରି ଉତ୍ତର ଦେଲେ—“ହଁ, କେଉଁଠି ଗୋଟିଏ ପିଲା କାନ୍ଦୁଛି ।”

 

“ଏ ପଟେ ଜଣେ ସ୍ତ୍ରୀଲୋକ ଗୀତ ଗାଉଛି ।”

 

“ସେ ପଟ ଲୋକଗୁଡ଼ାକ ନିଶ୍ଚେ ମାତାଲ ହୋଇଛନ୍ତି ! ନୋହିଲେ ଏମିତି ବୀଭତ୍ସ ଭାବେ ହସୁଛନ୍ତି କାହିଁକି ?”

 

ମନ୍ତ୍ରୀମାନେ ଏପରି ସହଜ ଭାବେ କଥାଟା ଗ୍ରହଣକଲେ ଦେଖି ସମ୍ରାଟ ଆହୁରି ରାଗିଯାଇ କହିଲେ—“ମୁଁ ଯେଉଁ ଆଇନ କରିଛି ତମେ କ’ଣ ତା’ ଭୁଲି ଗଲଣି ?”

 

ମନ୍ତ୍ରୀମାନେ ସଙ୍ଗେ ସଙ୍ଗେ କବାଟ ସବୁ ଭାଙ୍ଗି ଘରେ ପଶିବାକୁ ରକ୍ଷୀମାନଙ୍କୁ ଆଦେଶ ଦେଲେ । ବୃଦ୍ଧ ଯୁବକ, ପୁରୁଷ ନାରୀ ଯେ କାନ୍ଦୁ, ହସୁ ବା ଗୀତ ଗାଉ, ଯେକୌଣସି ପ୍ରକାରର ଶବ୍ଦ କରୁଥିଲା ତାଙ୍କୁ ବନ୍ଦି କରାଗଲା ।

 

ହଠାତ୍‍ ଏଇ ସମୟରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଗଲା । ଯେତେବେଳେ ସୈନ୍ୟମାନେ ଲୋକଙ୍କୁ ବନ୍ଦ କରିବାକୁ ପଛପଟ ଦୁଆର ଭାଙ୍ଗୁଥିଲେ, ସେତିକିବେଳେ ପ୍ରତ୍ୟେକ ଘରୁ ବହୁସଂଖ୍ୟକ ସ୍ତ୍ରୀ ପୁରୁଷ, ବାଳକ ବାଳିକା ଧାଇଁ ଆସିଲେ । ରାଜାଙ୍କୁ ଘେରିଯାଇ ସେମାନେ ତାଙ୍କୁ ଚିରିବାକୁ ବସିଲେ । ସେମାନେ ଚିତ୍କାରକଲେ ଅସ୍ତିତ୍ଵହୀନ ପୋଷାକକୁ ଚିରି ପକାଅ, ଅସ୍ତିତ୍ଵହୀନ ପୋଷାକକୁ ଦୂରକର ।

 

ତାହା ଏକ ବିଭ୍ରାଟ ଜନକ ହାସ୍ୟସ୍କର ଦୃଶ୍ୟ । ସମ୍ରାଟଙ୍କ ଚର୍ବିଳ ବକ୍ଷରେ ନାରୀମାନେ ପ୍ରଚଣ୍ଡ ଆଘାତ କରୁଥାନ୍ତି । ବୁଢ଼ାଲୋକେ ସମ୍ରାଟଙ୍କ ଖୋଲା ପିଠିପଟେ ଦାଢ଼ି ଘଷୁଥାନ୍ତି । ଦୁଇଟା ପିଲା ତାଙ୍କ କାନ୍ଧରେ ଚଢ଼ିଛନ୍ତି–ସେଠି କିଛି ନଥିଲେ ବି ତାଙ୍କ ପୋଷାକର କଲାର ଚିରିବାକୁ । ଆଉ ଦୁଇଟା ଛୋଟ ପିଲା ତାଙ୍କ ପାଖକୁ ଯାଇ ତାଙ୍କ କାଖର ଲୋମସବୁ ଟାଣିବାକୁ ଉଦ୍ୟତ । ଏମିତି ବହୁସଂଖ୍ୟକ ଲୋକ ସମ୍ରାଟଙ୍କୁ ଘେରିଯାଇ ଥିବାରୁ ପଳାଇ ଯିବାକୁ ତାଙ୍କର ଉପାୟ ନଥାଏ-। ଯାକିଯୁକି ହୋଇ ସେ ତଳେ ବସି ପଡ଼ିବାକୁ ଚେଷ୍ଟାକଲେ । ମାତ୍ର ତା’ ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହେଲା । କିଏ ତାଙ୍କୁ କୁତୁ କୁତୁ କଲା କିଏ ତାଙ୍କୁ ଟାଣିଲା, ଏଥିରେ ତାଙ୍କ ସହିବାର ସୀମା ଟପିଗଲା-। କେବଳ ଯାହା ସେ ଦୁଇ କାନ୍ଧ ମଝିରେ ମୁଣ୍ଡକୁ ରଖି ହଲାଇଲେ ବା ନାସିକା କୁଞ୍ଚନ କରି, ମୁହଁ ମୋଡ଼ି ନାନାପ୍ରକାର ବିକୃତ ମୁଖଭଙ୍ଗୀ କରିବାକୁ ଲାଗିଲେ ।

 

ସୈନ୍ୟମାନେ ଘରମାନଙ୍କରୁ ଫେରିଆସି ଦେଖିଲେ, ରାଜା ଏକ ବିରୁଡ଼ିମରା-ମାଙ୍କଡ଼ ଭଳି ଉନ୍ମତ୍ତ ଅବସ୍ଥାରେ ପଡ଼ିଛନ୍ତି । ସେମାନେ ସର୍ବଦା ସମ୍ରାଟଙ୍କ ଭୀତିପ୍ରଦ ରୂପ ଦେଖି ଆସିଛନ୍ତି । ସମ୍ରାଟ ଯେ ନିଜର ସମ୍ଭ୍ରମ, ତେଜ, ମର୍ଯ୍ୟାଦା ସମ୍ପୂର୍ଣ୍ଣ ରୂପେ ହରାଇ ପାରନ୍ତି ଏହା ସେମାନଙ୍କ କଳ୍ପନାତୀତ । ସେମାନଙ୍କୁ ଏଇ ଦୃଶ୍ୟ ଅତ୍ୟନ୍ତ ପରିହାସଜନକ ମନେହେଲା । ବର୍ଚ୍ଛା ଉଠାଇ ସେମାନେ ମଧ୍ୟ ଅତି ଉଚ୍ଚ କଣ୍ଠରେ ହସିବାକୁ ଲାଗିଲେ ।

 

ହସୁ ହସୁ ସେମାନଙ୍କ ମନେ ପଡ଼ିଗଲା–ଏମିତି ହସି ସେମାନେ ଆଇନ ଅମାନ୍ୟ କରୁ ନାହାନ୍ତି ତ ? ସମ୍ରାଟ ତ ସହଜେ ହାସ୍ୟସ୍କର ଅବସ୍ଥାରେ ପଡ଼ିଛନ୍ତି– ତାଙ୍କୁ ଚାହିଁ ହସିଲେ ଅପରାଧ ହେବ କାହିଁକି ? ଏଣୁ ସୈନ୍ୟମାନେ ସ୍ଥିର କଲେ, ସେମାନେ ମଧ୍ୟ ଲୋକଙ୍କ ସହିତ ରାଜାଙ୍କ ଚାରିପଟେ ମାତିଲେ ଚଳେ । ଲୋକମାନଙ୍କ ସହିତ ମିଶି ସେମାନେ ବି ଚିତ୍କାର କଲେ–“ଅସ୍ତିତ୍ଵହୀନ ପୋଷାକ ଚିରି ପକାଅ । ଅସ୍ତିତ୍ଵହୀନ ପୋଷାକ ଚିରିପକାଅ ।”

 

ମନ୍ତ୍ରୀମାନେ ଏହା ଦେଖି ଅତ୍ୟନ୍ତ ବିବ୍ରତ ବୋଧକଲେ । ସେଇ ଗୋଳମାଳ ଭିତରେ ସେମାନେ କୁଆଡ଼େ ଲୁଚି ଅନ୍ତର୍ଦ୍ଧାନ ହୋଇଗଲେ ।

 

ତା’ପରେ ସମ୍ରାଟଙ୍କ ଅବସ୍ଥା କ’ଣ ହେଲା ଜାଣିଛ ? ସେ ଯେତେବେଳେ ଦେଖିଲେ, ତାଙ୍କର ସୈନ୍ୟମାନେ ତାଙ୍କ ଆଇନ ଭଙ୍ଗ କଲେ ଓ ମନ୍ତ୍ରୀମାନେ ତାଙ୍କୁ ଅସହାୟ ଭାବେ ଛାଡ଼ି ଚାଲିଗଲେ, ସେତେବେଳେ ମୁଣ୍ଡରେ ବଜ୍ରପାତ ହେଲା ଭଳି ତାଙ୍କୁ ମନେହେଲା । ସଙ୍ଗେ ସଙ୍ଗେ ଭୂମି ଉପରେ ସେ ଅଚେତନ ହୋଇ ପଡ଼ିଗଲେ ।

Image